ଭୁବନେଶ୍ୱର, ୬-୧୧-୨୦ : ଅସୁରକ୍ଷିତ ରାଜଧାନୀରେ ଗୋଟିଏ ପରେ ଗୋଟିଏ ଗଡୁଛି ମୁଣ୍ଡ । ଅପରାଧୀମାନେ ବେଲଗାମ ହୋଇ ରାଜଧାନୀରେ ଘଟାଉଛନ୍ତି ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ । ଦୁର୍ବୃତ୍ତମାନେ ସାମନ୍ତରାପୁରରେ ଜଣେ ମିଠା ବ୍ୟବସାୟୀଙ୍କୁ ଗୋଡେଇ ଗୋଡେଇ ହତ୍ୟା କରିବା ଘଟଣାରେ ଏବେ ବି କେତେକ ଅପରାଧୀ ଫେରାର ଥିବାବେଳେ ରାଜଧାନୀରେ ପୁଣି ଘଟିଛି ଆଉ ଏକ ହତ୍ୟାକାଣ୍ଡ । ଗୁରୁବାର ବିଳମ୍ବିତ ରାତିରେ ସହିଦନଗର ଥାନା ନିକଟସ୍ଥ ବାଣୀବିହାର କ୍ୟାମ୍ପସରେ ଛୁରା ମାଡରେ ଜଣେ ଶ୍ରମିକଙ୍କ ମୃତୁ୍ୟ ଘଟିଛି । ସାମାନ୍ୟ ବଚସାକୁ କେନ୍ଦ୍ରକରି ଛୁରାମାଡ ଫଳରେ ଜଣଙ୍କ ମୃତୁ୍ୟ ଘଟିଛି ।
ମୃତ ଯୁବକ ଜଣଙ୍କ ହେଲେ ମୟୁରଭଞ୍ଜ ଉଦଳା ଅଞ୍ଚଳର ବୁଦ୍ଧିରାମ ସିଂହ । ସହିଦନଗର ଥାନା ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚô ମୃତଦେହକୁ ଜବତ କରିଛି । ମୃତଦେହକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ହସ୍ପିଟାଲକୁ ପଠାଇ ଦିଆଯାଇଛି । ଶବ ବ୍ୟବଚ୍ଛେଦ ପରେ ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ହତ୍ୟାକାରୀ ମୃତ ବୃଦ୍ଧିରାମ ସିଂହଙ୍କ ସହଯୋଗୀ ହୋଇଥିବାରୁ ସହିଦନଗର ଥାନା ଅଧିକାରୀ ହିମାଶୁ ସ୍ୱାଇଁ ହତ୍ୟାକାରୀକୁ ଚିହ୍ନଟ କରିଛନ୍ତି । ହତ୍ୟାକାରୀ ହତ୍ୟା କରିବା ପରେ ଭୁବନେଶ୍ୱର ଛାଡି ମୟୁରଭଞ୍ଜ ଉଦଳା ନିଜ ଗ୍ରାମକୁ ପଳାଇଯାଇଛି । ତାକୁ ଧରିବା ପାଇଁ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଚଢ଼ଉ ଜାରି ରଖିଛି । ଦୁଇ ଦିନ କିମ୍ବା ତିନି ଦିନ ଭିତରେ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ବାଣୀବିହାର ପଛପଟ ଗେଟ୍ ନିକଟରେ ପାଚେରୀ କାମ ଚାଲୁ ରହିଛି । ଏହି ପାଚେରୀ ନିର୍ମାଣ କାମରେ ମୟୁରଭଞ୍ଜ ଅଞ୍ଚଳର ୩୦ରୁ ଅଧିକ ଶ୍ରମିକ ନିୟୋଜିତ ହୋଇଛନ୍ତି । ଏହି ଶ୍ରମିକମାନେ ବାଣୀବିହାର କ୍ୟାମ୍ପସ ପରିସରରେ ଏକ କ୍ୟାମ୍ପ କରି ଏକାଠି ହୋଇ ରହୁଛନ୍ତି । ସମସ୍ତ ଶ୍ରମିକଙ୍କ ପାଇଁ ଗୋଟିଏ ଜାଗାରେ ରୋଷେଇ ବ୍ୟବସ୍ଥା ହୋଇଛି । ସବୁଦିନ ଭଳି ଗୁରୁବାର ରାତିରେ ସେଠାରେ ରୋଷେଇ ହୋଇଥିଲା । ରାତି ପ୍ରାୟ ୧୦ଟା ବେଳେ ଶ୍ରମିକମାନେ ଖାଇବାକୁ ଯାଇଥିଲେ । ହେଲେ ରୋଷେଇରେ ଆଇଟମ୍ ଓ ଖାଇବା ଭାଗବଣ୍ଟାକୁ ନେଇ ବୁଦ୍ଧିରାମ ଅସନ୍ତୋଷ ପ୍ରକାଶ କରିଥିଲା । ଏହାକୁ ଜଣେ ସହକର୍ମୀ ବିରୋଧ କରିଥିଲେ ।
ଏନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଓ ବଚସା ହୋଇଥିଲା । ଏପରିକି ଦୁହିଁଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ସହକର୍ମୀ ଜଣକ ପରିବା କଟା ଛୁରିରେ ଆକ୍ରମଣ କରିଥିଲା । ଛୁରା ମାଡ଼ରେ ବୁଦ୍ଧିରାମଙ୍କ ପେଟ, ପିଠି ଓ ଶରୀରର ଅନେକ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ଗୁରୁତର ଅବସ୍ଥାରେ ସେ ତଳେ ପଡ଼ି ଚିକ୍ରାର କରୁଥିଲେ । ଖବରପାଇ ସହିଦନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ସେଠାରେ ମୃତୁ୍ୟ ଘଟିଥିଲା । ପୁଲିସ ଶବ ଜବତ କରିବା ସହ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବାବେଳେ ପୁଲିସ ଘଟଣାସ୍ଥଳରୁ ରକ୍ତଲଗା ଛୁରୀ ଓ ଅନ୍ୟାନ୍ୟ ଜିନିଷ ଜବତ କରିଛି ।
ହତ୍ୟାକାରୀକୁ ଧରିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି । ବସଷ୍ଟାଣ୍ଡ, ରେଳଷ୍ଟେସନ ସମେତ ବିଭିନ୍ନ ଢ଼ାବାରେ ଚଢ଼ାଉ ଜାରି ରଖିଛି । ହତ୍ୟାକାରୀ ଧରାପଡ଼ିବା ପରେ ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ପୁଲିସ କହିଛି । ଅପରପକ୍ଷରେ ବିଳମ୍ବିତ ରାତିରେ ପୁଲିସ ଅଭିଯୁକ୍ତକୁ ଠାବ କରିଥିବା ଜଣାପଡ଼ିଛି । ଉଲ୍ଲେଖଥାଉ କି ଗତ କିଛିଦିନ ହେଲା ରାଜଧାନୀରେ ଅପରାଧୀମାନେ ରକ୍ତମୁଖା ପାଲଟିଯାଇଛନ୍ତି । ସଞ୍ଜ ହେଉ ବା ସକାଳେ ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଟ୍ପାଟ କରୁଛନ୍ତି । ଏଭଳି ସ୍ଥଳେ ରାଜଧାନୀର ଏକ ସମ୍ବେଦନଶୀଳ ସ୍ଥାନ ତଥା ଏକ ଶିକ୍ଷାମନ୍ଦିର କୁହାଯାଉଥିବା ବାଣୀବିହାର କ୍ୟାମ୍ପସରେ ହତ୍ୟାକାଣ୍ଡ ଘଟିବା ମହାବଳଶାଳୀ କମିଶନରେଟ୍ ପୁଲିସ ପାରିବାପଣିଆକୁ ପଦାରେ ପକାଇ ଦେଇଛି ।