Odisha news

ଶରତ ବିକାଶ ମଞ୍ଚ ପକ୍ଷରୁ ପିଆରଏମ କଲେଜରେ +୨ ବିଜ୍ଞାନ ଓ ବାଣିଜ୍ୟ ଖୋଲିବା ପାଇଁ ଦାବି

0

ବାରିପଦା  : ଶରତ ଅଞ୍ଚଳରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁ କଲେଜରେ ଯୁକ୍ତଦୁଇ ବିଜ୍ଞାନ ଏବଂ ଯୁକ୍ତଦୁଇ ବାଣିଜ୍ୟ ବିଭାଗ ଖୋଲାଯିବା ସହିତ ଉକ୍ତ ବିଦ୍ୟାଳୟକୁ ଯୁକ୍ତତିନ ମହାବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯିବା ଦାବି ନେଇ ଶରତ ବିକାଶ ମଞ୍ଚ ପକ୍ଷରୁ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ଜିଲ୍ଲାପ୍ରଶାସନର ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦୀପ୍ତି ନାଏକଙ୍କ ଜରିଆରେ ପୃଥକ ପୃଥକ ଭାବେ ପ୍ରଦାନ କରାଯାଇଛି । ଦାବି ଅନୁଯାୟୀ ଏହି ପଣ୍ଡିତ ରଘୁନାଥ ମୁର୍ମୁ କଲେଜରେ ବର୍ତ୍ତମାନ କେବଳ ଯୁକ୍ତଦୁଇ କଳା ପାଠ୍ୟକ୍ରମ ଚାଲୁ ରହିଥିବା ସହିତ ୨୫୬ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ ରହିଛନ୍ତି । କିନ୍ତୁ ଉକ୍ତ କଲେଜରେ ୫୧୨ଜଣ ଛାତ୍ରଛାତ୍ରୀଙ୍କ ପଢିବା ନିମନ୍ତେ ସିଟ୍ ରହିଥିବାରୁ ଯୁକ୍ତଦୁଇ ସିଟ୍ ସଂଖ୍ୟା ବୃଦ୍ଧି କରାଯିବା ନିମନ୍ତେ ମଧ୍ୟ ଦାବି କରାଯାଇଛି । ଶରତ ଅଞ୍ଚଳର ଛାତ୍ରଛାତ୍ରୀମାନେ ଯୁକ୍ତଦୁଇ ବିଜ୍ଞାନ ଏବଂ ଯୁକ୍ତଦୁଇ ବାଣିଜ୍ୟ ଶିକ୍ଷା ଗ୍ରହଣ ସକାଶେ ଉଦଳା କଲେଜ, ନୂଆସାହି କଲେଜ, କପ୍ତିପଦା କଲେଜ, ଠାକୁରମୁଣ୍ଡା କଲେଜ ଓ କରଞ୍ଜିଆ କଲେଜ ଆଦିରେ ଖର୍ଚ୍ଚାନ୍ତ ହୋଇ ଅଧ୍ୟୟନ କରିବାକୁ ବାଧ୍ୟ ହେଉଛନ୍ତି । ତସôହିତ ଉକ୍ତ କଲେଜକୁ ଯୁକ୍ତତିନର ମାନ୍ୟତା ପ୍ରଦାନ କରାଗଲେ ଯୁକ୍ତଦୁଇ ପରେ ଅଧ୍ୟୟନ ପାଇଁ ସୁଯୋଗ ପାଇପାରୁ ନଥିବା ଛାତ୍ରଛାତ୍ରୀମାନେ ବିଶେଷ ଭାବେ ଉପକୃତ ହୋଇପାରନ୍ତେ । ଏପରିକି ଅନେକ ଦିନରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତତିନ ମାନ୍ୟତା ଦିଆଯିବା ନିମନ୍ତେ ପ୍ରତିଶୃତି ମଧ୍ୟ ପାଣିଗାର ସଦୃଶ ହୋଇରହିଛି । ଏହି ନ୍ୟାର୍ଯ୍ୟପୂର୍ଣ୍ଣ ଦାବି ନେଇ ମୟୂରଭଞ୍ଜ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ବିପିନ ସିଂ ବଦ୍ରାଙ୍କ ସହ ନୋଟ ସରପଞ୍ଚ ଦୁମ୍ବି ସିଂ ବୋଇପାଇ, ରାଣିପୋଖରୀ ସରପଞ୍ଚ ଭଞ୍ଜ ସିଂ ବାର୍ଦା ଓ ସମାଜସେବୀ କାଟେ ସିଂ ଖୁଣ୍ଟିଆ ଏବଂ ନାରୀନେତ୍ରୀ ମମତା ଗୋଇପାଇ ଓ ବାସନ୍ତୀ ପରିଜା ପ୍ରମୁଖଙ୍କ ସମେତ ବହୁ ବ୍ୟକ୍ତି ବିଶେଷଙ୍କ ସ୍ୱାକ୍ଷରିତ ସ୍ମାରକପତ୍ର ଶରତ ବିକାଶ ମଞ୍ଚର ସଭାପତି ଗାମାୟ ରିମିଲ ସିଂ ଖୋଇପାଇଙ୍କ ନେତୃତ୍ୱରେ ଉପସଭାପତି ଦୁବରାଜି ବୋଇପାଇ ଓ ସାଧାରଣ ସମ୍ପାଦକ କୁସୁନୁ ସିଂ ଗିଲୁଆ, ଶରତ ପଞ୍ଚାୟତର ନାଏବ ସରପଞ୍ଚ ଦୁଲାରାମ ସିଂ ବାନରା ଏବଂ ସମାଜସେବୀ ବୀର ତୁବିଡ ପ୍ରମୁଖଙ୍କ ଜରିଆରେ ପ୍ରଦାନ କରାଯାଇଛି ।

Leave A Reply