ବାରିପଦା : ବାରିପଦା ଜନସ୍ୱାସ୍ଥ୍ୟ ବିଭାଗର କୋଟିପତି ସହକାରୀ ଯନ୍ତ୍ରୀ ବାଣେଶ୍ୱର ନାଏକ ଭିଜିଲାନ୍ସ ଜାଲରେ । ଏହି ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ ବିଭିନ୍ନ ସମୟରେ ବିଭିନ୍ନ ଅସତ ଉପାୟରେ ଆୟବର୍ହିଭୂତ୍ତ ସମ୍ପତ୍ତି ଠୁଳ କରିଥିବା ନେଇ ସାଧାରଣରେ ଅଭିଯୋଗ ହୋଇ ଆସୁଥିଲା । ବୁଧବାର ସକାଳୁ ବାଣେଶ୍ୱର ନାଏକଙ୍କ ବାରିପଦା ସହର ରଘୁନାଥପୁରରେ ଥିବା ବିଳାସମୟ କୋଠା, ସରକାରୀ କାର୍ଯ୍ୟାଳୟ, ବଡସାହି ଥାନା ଅନ୍ତର୍ଗତ ତାଳନ୍ଦା ଗ୍ରାମରେ ପୈତୃକ ଘର ଓ ନିଜର ଦୁଇମହଲା ଘର, ବୈଶିଙ୍ଗା ଥାନା ଅନ୍ତର୍ଗତ ମାଣିତ୍ରୀ ଗ୍ରାମରେ ସମ୍ପର୍କୀୟଙ୍କ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଅତର୍କୀତ ଚଢଉ କରାଯାଇଥିଲା । ବାଲେଶ୍ୱର ଭିଜିଲାନ୍ସ ଏସପି ନରହରି ନାଏକଙ୍କ ନିଦେ୍ର୍ଦଶରେ ଭିଜିଲାନ୍ସ ବିଭାଗର ଦୁଇଜଣ ଅତିରିକ୍ତ ଏସପି, ତିନିଜଣ ଡିଏସପି, ଜଣେ ଇନ୍ସପେକ୍ଟର, ୭ଜଣ ସବ୍-ଇନ୍ସପେକ୍ଟର ଓ ଏଏସଆଇଙ୍କ ସହ ଭିଜିଲାନ୍ସ କର୍ମଚାରୀ ମାନେ ଚଢଉରେ ସାମିଲ ହୋଇଥିଲେ । ସନ୍ଧ୍ୟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁଯାୟୀ ଏହି ଦୁର୍ନୀତିଗ୍ରସ୍ତ ସହକାରୀ ଯନ୍ତ୍ରୀଙ୍କ ଠାରୁ ମୋଟ୍ ଏକକୋଟି ୬୪ଲକ୍ଷ ଟଙ୍କାର ଆୟବର୍ହିଭୂତ୍ତ ସମ୍ପତ୍ତି ଠାବ କରାଯାଇଥିବାବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରାଯାଇଥିବାବେଳେ ଅନ୍ୟ ସମ୍ପତ୍ତିର ଅନୁସନ୍ଧାନ ଚାଲିଛି । ଏହି ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀଙ୍କର ତିନୋଟି ବିଳାସମୟ କୋଠା, ୩୩ଲକ୍ଷ ଟଙ୍କାର ବ୍ୟାଙ୍କ ଓ ଇନ୍ସୁରେନ୍ସ ଜମାରାଶି, ୩ଟି ପ୍ଲଟ୍, ମୂଲ୍ୟବାନ ୪ଚକିଆ କାର୍ ଆଦି ଆୟବର୍ହିଭୂତ୍ତ ସମ୍ପତ୍ତି ଭିଜିଲାନ୍ସ ବିଭାଗ ଠାବ କରିଛି । ଏନେଇ ଭିଜିଲାନ୍ସ ବିଭାଗରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ସହକାରୀ ଯନ୍ତ୍ରୀଙ୍କୁ ଗିରଫ କରି ଅଧିକ ଜେରା କରାଯାଉଥିବା ଜଣାଯାଇଛି ।