Odisha news

ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରି·ଳନା କମିଟି ବୈଠକ ଅନୁଷ୍ଠିତ

0

ବାରିପଦା  : ସ୍ଥାନୀୟ ମୁର୍ଗାବାଡି ସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଲାପାଳ ତଥା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଅଧ୍ୟକ୍ଷ ବିନୀତ୍ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ଉଦଳା ବିଧାୟକ ଭାସ୍କର ମଢେଇ, ବଡସାହି ବିଧାୟକ ସନାତନ ବିଜୁଳି, ସାରସକଣା ବିଧାୟକ ଡାଃ ବୁଢାନ ମୁର୍ମୁ, ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ଅତିରିକ୍ତ ଜିଲ୍ଲାପାଳ ହେମନ୍ତ କୁମାର ସିଂ, ବାରିପଦା ଉପଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାଏକ, ରାଇରଙ୍ଗପୁର ଉପଜିଲ୍ଲାପାଳ ସରୋଜ କୁମାର ଦାଶ, ଉଦଳା ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ, କରଞ୍ଜିଆ ଉପଜିଲ୍ଲାପାଳ ପ୍ରେମାଂସୁ ଚାନ୍ଦ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁଜୟ କୁମାର ପତି ପ୍ରମୁଖଙ୍କ ସମେତ ଜିଲ୍ଳାର ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଜିଲ୍ଲାର ପୌରପାଳିକା ଓ ବିଜ୍ଞାପିତ ଅଂଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ପଦାଧିକାରୀ ଓ ଲାଇନ ଡିପାଟମେଣ୍ଟ ର ଅଧିକାରୀ ମାନେ ଯୋଗଦେଇ ବର୍ଷାଋତୁ ରେ ସମ୍ଭାବ୍ୟ ବନ୍ୟା, ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯୟର ମୁକାବିଲା ପାଇଁ ପ୍ରାକ ପ୍ରସ୍ତୁତି, ସତର୍କତା ମୂଳକ ପଦକ୍ଷେପ ଗ୍ରହଣ ପୂର୍ବକ ଉଦ୍ଧାର ଓ ରିଲିଫ ପ୍ରଦାନ ଆଦି କାର୍ଯ୍ୟର ସୁପରିଚାଳନା କରାଯିବା ନେଇ ଜିଲ୍ଲା ଜରୁରୀ ବିଭାଗ ଦ୍ୱାରା ଉପସ୍ଥାପିତ କାର୍ଯ୍ୟସୂଚୀ ଆଧାରରେ ବିପର୍ଯ୍ୟୟ ପରିଚାଳନା ପାଇଁ କାର୍ଯ୍ୟ ଖସଡା ପ୍ରସ୍ତୁତି ସମ୍ପର୍କରେ ସବିଶେଷ ଆଲୋଚନାରେ ଅଂଶଗ୍ରହଣ କରି ମତାମତ ରଖିଥିଲେ ।

ପ୍ରାରମ୍ଭରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଜୟ କୁମାର ପତି ସମସ୍ତଙ୍କୁ ସ୍ୱାଗତ ଜଣାଇ ଚଳିତ ବର୍ଷ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା, ଝଡବାତ୍ୟା ଜନିତ ବିପର୍ଯ୍ୟୟର ମୁକାବିଲା ଓ ପରି·ଳନା ସମ୍ପର୍କରେ ଆଲୋକପାତ କରିଥିଲେ । ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଭରଦ୍ୱାଜ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏସଆରସି ରିଲିଫ କୋର୍ଡ ଆଧାରିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦେଶାବଳି ଅନୁସାରେ ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରାକ ପ୍ରସ୍ତୁତି ଉଦ୍ଧାର ଓ ଥଇଥାନ ଆଦି ଦିଗ ପ୍ରତି ଧ୍ୟାନ ଦେଇ କାର୍ଯ୍ୟ ଖସଡା ପ୍ରସ୍ତୁତି କାର୍ଯ୍ୟକ୍ରମ ତରାନ୍ୱିତ କରାଯିବା ଦିଗରେ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି । ବିପର୍ଯ୍ୟୟ ସମୟରେ କ୍ଷୟକ୍ଷତି ଜନିତ ଘରଭଙ୍ଗା, ଉଚିତ ସମୟରେ ଅନୁକମ୍ପା ରାଶି ସହାୟତା ପ୍ରଦାନ କରାଯିବା ନିମନ୍ତେ ଏସଆରସିଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ନିର୍ଦେଶାବଳି ଅନୁସାରେ ୩ଦିନ ମଧ୍ୟରେ କ୍ଷୟକ୍ଷତିର ପ୍ରାଥମିକ ସବିଶେଷ ସଠିକ ବିବରଣୀ ଏସଆରସିଙ୍କ ନିକଟକୁ ପଠାଇବା ଦିଗରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ତତ୍ପରତା ସହିତ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।

ସେହିପରି ବର୍ଷାଋତୁରେ ବଜ୍ରପାତ /ସର୍ପାଘାତ ଜନିତ ଜୀବନ ହାନି/ମୃତ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କ ପାଇଁ ଉଦିଷ୍ଟ ଅନୁକମ୍ପା ସହାୟତା ରାଶି ପାଇବା ିଦିଗରେ ମିଳିତ ତଦନ୍ତ କରି ଯଥାଶୀଘ୍ର ମେଡିକାଲ ରିପୋର୍ଟ ଜିଲ୍ଲାପ୍ରଶାସନ ନିକଟକୁ ପଠାଇବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ସମ୍ଭାବ୍ୟ ବନ୍ୟା ବାତ୍ୟା ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ପ୍ରାକ ପ୍ରସ୍ତୁତି ସମ୍ପର୍କ ରେ ଜିଲ୍ଲାପାଳ ସୂଚାଇବା ସହ ଏ ଦିଗରେ ସମସ୍ତ ବିଡ଼ିଓ, ତହସିଲଦାର, ଉପଜିଲ୍ଲାପାଳ, ସମ୍ପୃକ୍ତ ଲାଇନ ବିଭାଗ ଅଧିକାରୀ ମାନେ ସତର୍କ ତଥା ସଜାଗ ରହି ପରିସ୍ଥିତିର ମୁକାବିଲା କରିବା ପାଇଁ ନିର୍ଦେଶ ଦେଇଛନ୍ତି । ଜିଲ୍ଲାପ୍ରଶାସନ ତତ୍ତ୍ୱାବଧାନରେ ପରିଚାଳିତ ଜିଲ୍ଲାରେ ଥିବା ୧୦ ଟି ବହୁମୁଖୀ ବନ୍ୟା/ବାତ୍ୟା ଆଶ୍ରୟ ସ୍ଥଳ ଏବଂ ସ୍ୱତନ୍ତ୍ର ଭାବେ ଚିହ୍ନଟ କରାଯାଇଥିବା ବିଭିନ୍ନ ସରକାରୀ ବିଦ୍ୟାଳୟ ରେ ଏକାଧିକ ନିରାପଦ ଅସ୍ଥାୟୀ ଆଶ୍ରୟ ସ୍ଥଳ ମାନଙ୍କ ରେ ଅତ୍ୟାବଶ୍ୟକିୟ ସାମଗ୍ରୀ ତଥା ଆନୁସଙ୍ଗିକ ବ୍ୟବସ୍ଥା ପ୍ରସ୍ତୁତ ରଖିବା ଲାଗି ନିର୍ଦେଶ ଦିଆଯାଇଛି । ବୈଠକରେ ବିଶେଷ କରି ବିପର୍ଯ୍ୟୟ ପରିଚାଳନା ଓ ବନ୍ୟା ନିୟନ୍ତ୍ରଣ ପାଇଁ ଆବଶ୍ୟକୀୟ କଣ୍ଟିଜେନସି ପ୍ଲାନ ପ୍ରସ୍ତୁତ କରାଯିବା,୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରାଯିବା, ପାଣିପାଗର ସତର୍କ ସୂଚନା ପାଇଁ ସମସ୍ତ ଭିଏଚଏଫ ସେଟ/ସେଟ ଲାଇଟ (ୱାରଲେସ ଫୋନ)ରେନଗେଜ ଷ୍ଟେସନ ଆଦି କାର୍ଯ୍ୟକ୍ଷମ କରାଯିବା, ଝଡବାତ୍ୟା ଓ ବନ୍ୟା ସମୟରେ ଲୋକ ମାନଙ୍କ ପାଇଁ ନିରାପଦ ଆଶ୍ରୟ ସ୍ଥଳରେ ପାନୀୟ ଜଳ, ଆଲୋକ, ସ୍ୱାସ୍ଥ୍ୟ ପରିମଳ ଇତ୍ୟାଦି ବ୍ୟବସ୍ଥା କରାଯିବା ସହ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ମହଜୁଦ ରଖିବା ବିଷୟ ଉପରେ ବିଶଦ ଭାବେ ଆଲୋଚନା କରାଯାଇଥିଲା ଜିଲ୍ଲାର ବନ୍ୟା ପ୍ରଭାବିତ ବ୍ଲକ /ସହରାଞ୍ଚଳରେ ନଦୀ ଉପକୂଳ ବର୍ତ୍ତି ଥିବା ଦୁର୍ବଳ କେନାଲ, ବନ୍ଧ, ପୋଲ ଓ ଗମନାଗମନ ରାସ୍ତା ଚିହ୍ନଟ କରି ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା ସର୍ବୋପରି ରିଲିଫ ଓ ଉଦ୍ଧାର କାର୍ଯ୍ୟ ର ସୁପରିଚାଳନା ଦିଗ ଉପରେ ବିସ୍ତୃତ ଆଲୋଚନା କରାଯିବା ସହିତ ସମସ୍ତ ବିଡ଼ିଓ ଓ ସମ୍ପୃକ୍ତ ଲାଇନ ବିଭାଗ ଏବଂ ସ୍ଥାନୀୟ ଲୋକ ପ୍ରତିନିଧି /ପଂଚାୟତ ଅନୁଷ୍ଠାନର ସଦସ୍ୟ ମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷାକରି କାର୍ଯ୍ୟ ସମ୍ପାଦନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ତହସିଲଦାରଙ୍କ ତତ୍ୱାବଧାନ ରେ ଆରଆଇ ମାନଙ୍କ ଦ୍ୱାରା କଚ୍ଚାଘରେ ବାସ କରୁଥିବା ଲୋକମାନଙ୍କର ଡାଟା ବେସ ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ ତହସିଲଦାର ମାନଙ୍କୁ ନିର୍ଦେଶ ଦେଇଛନ୍ତି ।

ଫଳରେ ବନ୍ୟା ବାତ୍ୟାର ପ୍ରାକ ସୂଚନା ମିଳିଲେ ଅଗ୍ରାଧିକାର ଭିତ୍ତି ରେ ସେହି ଲୋକମାନଙ୍କୁ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇପାରିବ ଏବଂ କାନ୍ଥ ପଡି ମୃତୁ୍ୟ ହେବା ଭଳି ଆକସ୍ମିକ ବିପଦରୁ ରକ୍ଷା କରିହେବ । ବନ୍ୟା ସମୟରେ ଜଳସେଚନ ପ୍ରକଳ୍ପ, ଜଳଭଣ୍ଡାର ଓ ନଦୀ ତଟବର୍ତ୍ତୀ ଅଂଚଳର ସମସ୍ତ ପ୍ରାକ ପ୍ରସ୍ତୁତି କାର୍ଯ୍ୟ ତରାନ୍ୱିତ କରାଯିବା, ବନ୍ୟା ଜଳର ସ୍ଥିତିକୁ ଅନୁଧ୍ୟାନ କରିବା ଓ ଆଗୁଆ ସତର୍କ ସୂଚନା ଜଣାଇବାକୁ ମୟୂରଭଞ୍ଜ ଜଳସେଚନ/ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦେଶ ଦିଆଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ତତ୍ତ୍ୱାବଧାନ ରେ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବିଶେଷ କରି ବନ୍ୟା ପ୍ରଭାବିତ ଅଂଚଳ ଓ ବହୁମୁଖୀ ବନ୍ୟା ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକ ରେ ପର୍ଯ୍ୟାପ୍ତ ପରିମାଣ ର ଜୀବନ ରକ୍ଷାକାରି ଔଷଧ, ଓଆରଏସ, ହେଲୋଜିନ ବଟିକା ଆଦି ମହଜୁଦ ରଖିବା ସହିତ ଜିଲ୍ଲାର ପ୍ରତ୍ୟେକ ୩/୪ ଜି.ପି. କୁ ନେଇ ସ୍ୱତନ୍ତ୍ର ମେଡିକାଲ ଟିମ ସମ୍ପୃକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ୱାବଧାନରେ ସ୍ୱାସ୍ଥ୍ୟ କର୍ମୀଙ୍କ ଦ୍ୱାରା ସ୍ୱାସ୍ଥ୍ୟ ସେବା ଯୋଗାଇବା ଉପରେ ଗୁରୁତ୍ୱାରୋପ କରାଯାଇଛି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ ତତ୍ୱାବଧାନ ରେ ସମ୍ଭାବ୍ୟ ବନ୍ୟା ବାତ୍ୟା ପ୍ରଭାବିତ ଅଂଚଳ ରେ କୃଷି ଫସଲ ସୁରକ୍ଷା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଥିବା ବେଳେ ସେହିପରି ଗୃହପାଳିତ ପଶୁପକ୍ଷୀ/ ଜୀବ ମାନଙ୍କ ଆବଶ୍ୟକ ପରିମାଣ ଗୋଖାଦ୍ୟ /ଔଷଧ ଆଦି ଗଛିତ ରଖିବା ପାଇଁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି ।

ଆଶ୍ରୟ ସ୍ଥଳୀ ପାର୍ଶ୍ୱବର୍ତ୍ତୀ ସ୍ଥାନରେ ଗୃହ ପାଳିତ ପଶୁ ଗୋରୁଗାଈ ଓ ଛେଳି ପ୍ରଭୁତି ଙ୍କ ପାଇଁ ସେଡ ନିର୍ମାଣ,ବାରିପଦା ଓ ରାଇରଙ୍ଗପୁର ଡିଭିଜନ ର ଗ୍ରାମ୍ୟଜଳ ଯୋଗାଣ ଓ ପରିମଳ ନିର୍ବାହୀ ଯନ୍ତ୍ରୀଙ୍କ ତତ୍ୱାବଧାନ ରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ନଳକୂପ /ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଯିବା ଓ ଆବଶ୍ୟକ ହେଲୋଜିନ ବଟିକା/ବ୍ଲିଚିଙ୍ଗ ପାଉଡର ଯୋଗାଇବା ପାଇଁ ନିର୍ଦେଶ ଦିଆଯାଇଥିବା ବେଳେ ସହରାଞ୍ଚଳରେ ପାଇପ ପାନୀୟ ଜଳ ଯୋଗାଣ ରେ ପାଇପ ଲାଇନ ଯାଞ୍ଚ କରି ପାନୀୟ ଜଳ ଯୋଗାଣ ପାଇଁ ୱାଟକୋ କତୃପକ୍ଷ ଙ୍କୁ ନିର୍ଦେଶ ଦିଆଯାଇଛି । ଏଥିସହିତ ଦୁର୍ଗମ ଅଂଚଳ ରେ ପିଡିଏସ ହିତାଧିକାରୀ ଙ୍କୁ ପିଡିଏସ ସାମଗ୍ରୀ ବଣ୍ଟନ କରାଯିବା ଏବଂ ବନ୍ୟା ପ୍ରଭାବିତ ଅଂଚଳ ରେ ଆଶ୍ରୟ ସ୍ଥଳୀ ମାନଙ୍କ ରେ ଆବଶ୍ୟକତା ଅନୁଯାୟୀ ପାନୀୟ ଜଳ, ଆଲୋକ (ଜେନେରେଟର, ଗ୍ୟାସ ଲାଇଟ )ବ୍ୟବସ୍ଥା କରାଯିବା ସହ ପର୍ଯ୍ୟାପ୍ତ ପରିମାଣର ଚୁଡା, ଗୁଡ, ଚିନି ଆଦି ଶୁଖିଲା ଖାଦ୍ୟ ସାମଗ୍ରୀ ମହଜୁଦ ରଖିବା ସହିତ ଆବଶ୍ୟକ ସ୍ଥଳେ ରନ୍ଧା ଖାଦ୍ୟ ଯୋଗାଇଦେବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । ରିଲିଫ ଓ ଥଇଥାନ କାର୍ଯ୍ୟ ର ସୁପରିଚାଳନା ପାଇଁ ସମ୍ପୃକ୍ତ ବିଡିଓ, ତହସିଲଦାର, ଉପଜିଲ୍ଲାପାଳ ତଥା ଲାଇନ ବିଭାଗ ଅଧିକାରୀ ଏବଂ ଜନପ୍ରତିନିଧି ମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ ସମ୍ପାଦନ ପାଇଁ ପରାମର୍ଶ ଦିଆଯାଇଛି. ବନ୍ୟା ସମୟରେ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ପାଇଁ ଶକ୍ତି ଚଳିତ ଡ଼ଙ୍ଗା ବ୍ୟବସ୍ଥା କରାଯିବା,ଓଡ୍ରାଫ୍ଟ ଟିମ କୁ ପ୍ରସ୍ତୁତ ରଖିବା,ସମସ୍ତ ବ୍ଲକ, ତହସିଲ, ଥାନା, ଉପଖଣ୍ଡ /ଜିଲ୍ଲା ଜରୁରୀ କାର୍ଯ୍ୟାଳୟ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରାଯାଇ ଦୈନନ୍ଦିନ ବୃଷ୍ଟିପାତ ର ପରିମାଣ, ପାଣିପାଗ ତଥା ବିପର୍ଯ୍ୟୟ ପରିସ୍ଥିତି ସମ୍ପର୍କିତ ସୂଚନା ଜିଲ୍ଲା ଜରୁରୀ ବିଭାଗ କୁ ଜଣାଇବା ପାଇଁ ନିର୍ଦେଶ ଦିଆଯାଇଛି ।

ସେହିପରି ବିପର୍ଯ୍ୟୟ ସମୟରେ ଭାରତ ସଂଚାର ନିଗମ ଓ ଅନ୍ୟାନ୍ୟ ମୋବାଇଲ ସେବା ପ୍ରଦାନକାରି ସଂସ୍ଥା ମାନଙ୍କୁ ନିରବିଛିନ୍ନ ଇଣ୍ଟେର୍ନେଟ ସେବା ଯୋଗାଇ ଦେବା ପାଇଁ ପୂର୍ବରୁ ଆବଶ୍ୟକିୟ ପଦକ୍ଷେପ ନେଇ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି । ସେହିପରି ବିପର୍ଯ୍ୟୟ ସମୟରେ କୌଣସି କାରଣ ରୁ ବିଦୁ୍ୟତ ସରବରାହ ବିଛିନ୍ନ ହେଲେ ଏହାକୁ ତୁରନ୍ତ ପୁନଃରୁଦ୍ଧାର କରିବା ପାଇଁ ଆବଶ୍ୟକିୟ ସରଞ୍ଜାମ ଓ ଟେକ୍ନିକାଲ ଟିମ ପ୍ରସ୍ତୁତ ରଖିବାକୁ ଟାଟା ପାୱାର କତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଛି । ସର୍ବୋପରି ବିପର୍ଯ୍ୟୟ ସମୟରେ କାର୍ଯ୍ୟ ନିର୍ବାହ ରେ ଅବହେଳା ପାଇଁ ଯେମିତି କୌଣସି ବ୍ୟକ୍ତିର ପ୍ରାଣ ହାନି ନଘଟେ ସେଥିପାଇଁ ସମସ୍ତ ଅଧିକାରୀ ସମ୍ବେଦନଶିଳ ହୋଇ କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସେହିପରି ବିପଦ ସମୟରେ ଲୋକଙ୍କୁ ସହାୟତା କରିବା ପାଇଁ ଜିଲ୍ଲାରେ ଥିବା ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ମାନଙ୍କୁ ଅନ୍ତର୍ଭୁକ୍ତ କରିବା ଏବଂ ରିଲିଫ କାର୍ଯରେ ନିୟୋଜିତ ହେବାକୁ ଥିବା କର୍ମଚାରୀ ମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ ଓ ଜିଲ୍ଲାର ବିଭିନ୍ନ ସ୍ଥାନ ରେ ହ୍ୟାଲିପେଡ ଗୁଡିକୁ ତୁରନ୍ତ ପ୍ରସ୍ତୁତ ରଖିବା ପାଇଁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ଏତଦ୍ବ୍ୟତୀତ ମୟୂରଭଞ୍ଜ ଜିଲ୍ଲା ବଜ୍ରପାତ ପ୍ରବଣ ଅଂଚଳ ଭାବେ ଚିହ୍ନଟ ହୋଇଥିବାରୁ ବଜ୍ରପାତ ଜନିତ ଆକସ୍ମିକ ବିପଦରୁ ଲୋକମାନେ କିପରି ନିଜକୁ ରକ୍ଷା କରି ପାରିବେ ସେ ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରି ବଜ୍ରପାତ ସମୟରେ କଣ କରିବା ଉଚିତ ଓ କଣ କରିବା ଉଚିତ ନୁହେଁ ସେ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଅନୁଷ୍ଠିତ ଉକ୍ତ ଜିଲ୍ଲାସ୍ତରୀୟ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ହେମନ୍ତ କୁମାର ସିଂ ବୈଠକ ପରିଚାଳନା କରିବା ସହ ବୈଠକ ଶେଷରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ଏବଂ ବୈଠକରେ ଯୋଗଦାନ ପୂର୍ବକ ଆଲୋଚନାରେ ଅଂଶଗ୍ରହଣ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply