Odisha news

ପଶ୍ଚିମ ମୟୂରଭଞ୍ଜର ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାରରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର

0

ବାରିପଦା  : ତି୍ରସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାଲିଥିବାବେଳେ ମୟୂରଭଞ୍ଜ ଜିଲ୍ଲାରେ ଆଗାମୀ ଚତୁର୍ଥ ପର୍ଯ୍ୟାୟ ମତଦାନ ହେବାକୁ ଥିବା ଜୋନ୍ ଗୁଡିକରେ ମାରାଥନ ପ୍ରଚାର କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଇଂ ବିଶ୍ୱେଶ୍ୱର ଟୁଡୁ । ଆଜି ଯଶିପୁର ନିର୍ବାଚନ ମଣ୍ଡଳୀର ଜାମକେଶ୍ୱର ଠାରେ ସହିଦ୍ ଦାଶରଥ ମହାନ୍ତଙ୍କ ଘରେ ପହଞ୍ଚି ଥିଲେ କେନ୍ଦ୍ରମନ୍ତ୍ରୀ । ସେଠାରେ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହିତ ପରଲୋକ ଗତ ସହିଦ୍ଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ । ସେଠାରୁ ଆସି ଯଶିପୁର ବ୍ଲକ ଶିଲଚିଆ ଠାରେ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ଏହାପରେ କରଞ୍ଜିଆ ଜୋନ୍ ନଂ ୭ ଠାରେ ନିର୍ବାଚନ ପ୍ରଚାରର ମଙ୍ଗ ଧରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ମୟୂରଭଞ୍ଜ ସାଂସଦ ଇଂ ବିଶ୍ୱେଶ୍ୱର ଟୁଡୁ । କରଞ୍ଜିଆ ବ୍ଲକର ରସମତଳା ଠାରେ ଏକ ପଥପ୍ରାନ୍ତ ସଭାରେ ରାଜ୍ୟ ସରକାର ଉପରେ ବର୍ଷି ଥିଲେ । ବିଜେଡି ସରକାରର ବିଭିନ୍ନ ଦୁର୍ନୀତି ସହିତ ନିରୀହ ଲୋକଙ୍କୁ କିପରି ମିଛ ଯୋଜନା ନାମରେ ପ୍ରଲୋଭିତ କରିବାକୁ ଚେଷ୍ଟା କରୁଛି ତାହା ଜନସାଧାରଣଙ୍କୁ କହିଥିଲେ । ନାମକୁ ଲୋକ ଦେଖାଣିଆ ମାଳ ମାଳ ଯୋଜନା କରି ଚାଲିଛନ୍ତି ମାତ୍ର ଗ୍ରାଉଣ୍ଡରେ ତାହା କୌଣସି କାର୍ଯ୍ୟକାରୀ ହେଉନଥିବାରୁ ଦୁଃଖପ୍ରକାଶ କରିଛନ୍ତି ଏବଂ ସେହି ବ୍ଲକର ଅନ୍ୟସ୍ଥାନ ଯଥା ଜରାସାହି, ମାଲିଡିହି, ଛେଳିଆପୂସି ଠାରେ ମଧ୍ୟ ଏକ ପଥପ୍ରାନ୍ତ ସଭା ମାଧ୍ୟମରେ ଗ୍ରାମବାସୀଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ମାଧ୍ୟମରେ ଜଣାଇବା ସହିତ ରାଜ୍ୟରେ ଥିବା ବିଜେଡି ସରକାର ଆବାସ ଯୋଜନା, ସୌଭାଗ୍ୟ ଯୋଜନା ଏମିତି ଅନେକ ଯୋଜନାରେ ଦୁର୍ନୀତି କରୁଥିବା କହିଥିଲେ । ତତ୍ସହିତ କେନ୍ଦ୍ରର ଆବାସ ଯୋଜନାକୁ ବିଜୁ ପକ୍କା ଘର ନାମରେ ନାମିତ କରି ଜନସାଧାରଣଙ୍କୁ ଭୂଆଁ ବୁଲୁଥିବା ମଧ୍ୟ କହିଛନ୍ତି । ଅନ୍ୟ ରାଜ୍ୟରେ କେନ୍ଦ୍ରର ଆୟୁଷ୍ମାନ ଯୋଜନା ମାଧ୍ୟମରେ ବହୁ ଲୋକେ ଉପକୃତ ହେଉଥିବା ବେଳେ ଆମ ରାଜ୍ୟରେ ତାହାକୁ ଲାଗୁ ନ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କରି ଏହି କାର୍ଡ ମାଧ୍ୟମରେ ଲୋକ ଉପକୃତ ହେଉନଥିବା ହେତୁ ଜନସାଧାରଣଙ୍କୁ ଠକୁ ଥିବା କହିଛନ୍ତି । ଶେଷରେ ବିଜେପିର ଦଳୀୟ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କୁ ବହୁଳ ମାତ୍ରାରେ ଭୋଟ୍ ଦେବା ପାଇଁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଇଂ ଟୁଡୁ ।

Leave A Reply