ବାରିପଦା : ଅମ୍ବିକା ହୋଟେଲ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୟୂରଭଞ୍ଜ ଲୋକସଭା ସାଂସଦ ଇଂ ବିଶେଶ୍ୱର ଟୁଡୁ ବାର୍ଷିକ ରିପୋର୍ଟ କାର୍ଡ ଉନ୍ମୋଚନ କରିବା ସହ ସାଂସଦ ଭାବେ ବର୍ଷଟିର ତମାମ୍ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି । ମହାମାରୀ କରୋନାର କାୟାବିସ୍ତାର ସର୍ତ୍ତେ ସାଂସଦ ଶ୍ରୀଟୁଡୁ ଜିଲ୍ଲାର ଜାତୀୟ ରାଜପଥ, ରେଳସେବା ଉନ୍ନତି, ଶିକ୍ଷାର ବିକାଶ, ଲଘୁ କ୍ଷୁଦ୍ର ଓ ମଧ୍ୟମ ଶୀଳ୍ପ ଆଦି କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ନେଇଥିବା ସମ୍ପର୍କରେ ସୂଚନା ଦେଇଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ, ଓଡିଶାର ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ବାର୍ଷିକ ରିପୋର୍ଟ କାର୍ଡ ପ୍ରକାଶ କରିବାପରେ ରାଜ୍ୟର ଦ୍ୱିତୀୟ ସାଂସଦ ଭାବେ ମୟୂରଭଞ୍ଜ ସାଂସଦ ଇଂ ବିଶେଶ୍ୱର ଟୁଡୁ ତାଙ୍କ ବାର୍ଷିକ ରିପୋର୍ଟ କାର୍ଡ ପ୍ରକାଶ କରିଛନ୍ତି । ଶ୍ରୀଟୁଡୁ ଜାତୀୟ ରାଜପଥ ଦିଗରେ କରିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ହେଉଛି ଦାନ୍ତିଆମୁହାଁଠାରେ ସର୍ଭିସ ରୋଡ, କୃଷ୍ଣଚନ୍ଦ୍ରପୁର ଠାରେ ଫୁଟ ଓଭର ବି୍ରଜ୍, ବାରିପଦା ସହର ଭିତରେ ୨ଟି ଗୋଳା ପୋଲ, କୁଚେଇ ଠାରେ ଫୁଟ ଓଭର ବି୍ରଜ୍ ଓ କଳାବାଡିଆ ଠାରେ ଓଭର ବି୍ରଜ୍ ନିର୍ମାଣ ହେବା ଚୂଡାନ୍ତ ହୋଇଛି । ଏଥିସହ ଜାମଶୋଳା ଠାରେ ଏକ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ପ୍ରତିଷ୍ଠା ପାଇଁ କେନ୍ଦ୍ରସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ।
ରେଳସେବା ଦିଗରେ ବୁଢମରା-ଚାକୁଳିଆ ରେଳପଥ ସର୍ଭେ କାର୍ଯ୍ୟ ଶେଷ ହୋଇଥିବାବେଳେ ରାଜ୍ୟସରକାରଙ୍କ ଅନୁମୋତିକ୍ରମେ ଜମି ଅଧିଗ୍ରହଣ କାମ ମଧ୍ୟ ସମାପ୍ତ ହୋଇଛି । ସେହିପରି ବାଙ୍ଗିରିପୋଷି-ଗୋରୁମହିଷାଣି, ବାଦାମପାହାଡ-କେନ୍ଦୁଝର ରେଳପଥର ସର୍ଭେ କାର୍ଯ୍ୟ ଶେଷ ହୋଇଛି । ଯୁଗୁପୁରା ରେଳ ଷ୍ଟେସନର ଉନ୍ନତିକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଓ ବାରିପଦା-ପୁରୀ, ବାରିପଦା-ସାଲିମାର ଏକ୍ସପ୍ରେସକୁ ନିୟମିତ କରିବା ପାଇଁ ସଂସଦରେ ଦୃଢଦାବି ଉପସ୍ଥାପନ କରାଯାଇଛି । ଶିକ୍ଷାକ୍ଷେତ୍ରରେ ଉଦଳାଠାରେ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଁଞ୍ଚିଛି ।
ରାଇରଙ୍ଗପୁର ଠାରେ ନୂତନ ପରିସର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଏବଂ ୪ଟି ଏକଲବ୍ୟ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଯୋଜନା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏଥିସହ ଶୀଳ୍ପକ୍ଷେତ୍ରରେ ନିକୋ, ସ୍ପିନିଂମିଲ୍, କାଚ କାରଖାନା ଏବଂ ସ୍ପଞ୍ଜ ଆଇରନ୍ କାରଖାନାକୁ ପୁର୍ନବାର ଚଲାଇବା ପାଇଁ ଜିଲ୍ଲାପ୍ରଶାସନ ଓ କାରଖାନା କର୍ତ୍ତୃପକ୍ଷଙ୍କ ସହ ସଫଳ ଆଲୋଚନା ହୋଇଅଛି । କୁଟୀରଶୀଳ୍ପ ଓ କ୍ଷୁଦ୍ରଶୀଳ୍ପ ଗୁଡିକୁ ଋଣ ଯୋଗାଇ ଦେବା ପାଇଁ ବିଭିନ୍ନ ବ୍ୟାଙ୍କ ସହିତ ଆଲୋଚନା ହୋଇଛି ।
ସେହିପରି ଜାମଶୋଳାଠାରେ ନ୍ୟାସନାଲ ରୁରାଲ ଏଗ୍ରିକଲଚର ଏଣ୍ଡ ହର୍ଟିକଲଚର ରିସର୍ଚ୍ଚ ସେଣ୍ଟର ପ୍ରତିଷ୍ଠା ପାଇଁ କେନ୍ଦ୍ରସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଅର୍ମଦା ଏୟାରଷ୍ଟ୍ରିପ୍ ପୁନରୁଦ୍ଧାର କରାଯିବା ସହିତ ‘ଉଡାନ’ ଯୋଜନାରେ ସାମିଲ କରାଯିବା ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା ଶେଷ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନମନ୍ତ୍ରୀ ପ୍ରବୀଣଚନ୍ଦ୍ର ଭଞ୍ଜଦେଓ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ବିଜେପି ନେତା ଜୀବନ ସାହୁ, ଛୋଟଲାଲ ମହାନ୍ତ ଓ କବିବିଷ୍ଣୁ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।