ବାରିପଦା : ବାରିପଦା ନିର୍ବାଚନ ମଣ୍ଡଳୀର ବଡସାହି ବ୍ଲକ ଅନ୍ତର୍ଗତ ସାନକେରକୋ ସାନକେରକୋ ପଞ୍ଚାୟତରେ ବସୁଧା ଯୋଜନାରେ ଅଞ୍ଚଳବାସୀଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଇଛି । ଉକ୍ତ ଜଳ ଯୋଗାଣ ନିମନ୍ତେ ସ୍ଥାନୀୟ ଦୁଇଜଣ ସ୍ୱଳ୍ପ ବେତନଭୋଗୀଙ୍କୁ ପଞ୍ଚାୟତ ତରଫରୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ମାତ୍ର ଗତ କିଛିଦିନ ହେବ ସରପଞ୍ଚ ସେମାନଙ୍କ ଠାରୁ ଦାୟିତ୍ୱ ଅପସାରଣ କରିନେଇ ବିଭାଗୀୟ ଆରସିଏମଙ୍କ ଦ୍ୱାରା ପାଣି ଯୋଗାଇବାର ବ୍ୟବସ୍ଥା କରାଇଥିଲେ । ଉକ୍ତ ବିଭାଗୀୟ କର୍ମଚାରୀଙ୍କ ଦାୟିତ୍ୱ ହୀନତା ଯୋଗୁଁ ଆଜି ସକାଳେ ପାଣି ଯୋଗାଣ ବନ୍ଦ ରହିଥିଲା । ଗ୍ରାମ ତଥା ପଞ୍ଚାୟତବାସୀ ଆଜି ପୂର୍ବାହ୍ନରେ ପାନୀୟ ଜଳ ପାଇ ପାରି ନଥିଲେ । ଏଣୁ ପାଣି ଯୋଗାଣ ଦାବିରେ ସ୍ଥାନୀୟ ବାସିନ୍ଦା ସକାଳ ପ୍ରାୟ ୯ ଟା ୩୦ ରୁ ବାରିପଦା-ଉଦଳା ରାସ୍ତାକୁ ସାନକେରକୋ ଠାରେ ରାସ୍ତା ଉପରେ ଗଗରା, ବାଲ୍ଟି ରଖି ଅବରୋଧ କରିଥିଲେ । ଖବର ପାଇ ବଡ଼ସାହି ପୁଲିସ ସେଠାରେ ପହଞ୍ଚି ଅବରୋଧକାରୀଙ୍କୁ ବୁଝାସୁଝା କରିଥିଲେ । ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଯନ୍ତ୍ରୀ ମଧ୍ୟ ପହଞ୍ଚି ଥିଲେ ହେଁ ସେମାନଙ୍କ କର୍ମଚାରୀଙ୍କ ଦ୍ୱାରା ପାଣି ଯୋଗାଣର ବ୍ୟବସ୍ଥା କରିବାରେ ସକ୍ଷମ ହୋଇନଥିଲେ । ସରପଞ୍ଚ ପହଞ୍ଚିବା ପରେ ତାଙ୍କୁ ଅବରୋଧକାରୀ ଦୀର୍ଘ ସମୟ ଖରାରେ ଛିଡା କରାଇଥିଲେ । ପ୍ରଶାସନର ହସ୍ତକ୍ଷେପ ପରେ ଦିନ ପ୍ରାୟ ୧୧ଟା ୩୦ ରେ ରାସ୍ତା ଅବରୋଧ ହଟିଥିଲା ।