ବାରିପଦା : ମୟୂରଭଞ୍ଜ ଜିଲ୍ଲାର ମୋରଡା ନିର୍ବାଚନ ମଣ୍ଡଳୀର ଶୁଳିଆପଦା ବ୍ଲକ ବାଘଡା ପଞ୍ଚାୟତ ଚାଉଳଧଣି ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜୟ ସଂକଳ୍ପ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ମୟୂରଭଞ୍ଜ ସାଂସଦ ପ୍ରାର୍ଥୀ ନବଚରଣ ମାଝୀ ଏବଂ ମୋରଡା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ମୟୂରଭଞ୍ଜ ଜିଲ୍ଲାର ବିଜେପିର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପିର ବିଭିନ୍ନ ପଦାଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ବିଜେଡ଼ି ଦଳର ସମର୍ଥକମାନେ ବିଜେପିରେ ଯୋଗଦାନ କରିଥିଲେ । ସେମାନଙ୍କୁ ବିଜେପି ଦଳ ପକ୍ଷରୁ ସ୍ୱାଗତ କରିଥିଲେ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ସାଂସଦ ପ୍ରାର୍ଥୀ ନବଚରଣ ମାଝୀ ଓ ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ମହାପାତ୍ର । ଚଳିତ ନିର୍ବାଚନରେ ବିଜେପିର ଲୋକପ୍ରିୟତା ଏବଂ ମୋଦୀଙ୍କ ଗ୍ୟାରେଣ୍ଟି ସଫଳତା ହାସଲ କରିବାରେ ସହାୟକ ହେବ ବୋଲି ଉଭୟ ପ୍ରାର୍ଥୀମାନେ ଆଶା ରଖିଛନ୍ତି । ଏହି ବିଜୟ ସଂକଳ୍ପ ସମାବେଶରେ ୧୦ହଜାରରୁ ଉର୍ଦ୍ଧ୍ୱ ବିଜେପି କର୍ମୀ ସାମିଲ ହୋଇଥିଲେ ।