ସାନ୍ତାଳୀ ଏବଂ ଓଡ଼ିଆ ଭାଷାରେ ବାର୍ତ୍ତା ଦେଇ ଜିଲ୍ଲାପାଳ କଲେ ଭୋଟର ସଚେତନତା
ଜିଲ୍ଲାପାଳ ଉନ୍ମୋଚନ କଲେ ମୟୂରଭଞ୍ଜ ଜିଲ୍ଲା ନିର୍ବାଚନ ଲୋଗୋ
ବାରିପଦା : ଚଳିତ ସାଧାରଣ ନିର୍ବାଚନ ୨୦୨୪ କୁ ଜନମାନସରେ ଆଦୃତ କରାଇବା ପାଇଁ ଏକ ଭିନ୍ନ ପ୍ରୟାସ କରିଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ । ସାରା ଜିଲ୍ଲାରେ ଭୋଟର ସଚେତନତା କାର୍ଯ୍ୟକ୍ରମ ମାନ ଚାଲିଥିବାବେଳେ, ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନେ୍ଧ, ଏକ ଅନନ୍ୟ ପଦକ୍ଷେପ ନେଇଛନ୍ତି ଜିଲ୍ଲାରେ ସମସ୍ତ ନାଗରିକଙ୍କୁ ମତଦାନ ଅଧିକାର ବିଷୟରେ ଅବଗତ କରାଇବା ପାଇଁ ଓଡ଼ିଆ ଏବଂ ସାନ୍ତାଳୀ ଭାଷାରେ ନିଜର ବାର୍ତ୍ତା ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ, ଜିଲ୍ଲାପାଳଙ୍କ ଓସୱାନ ସମ୍ମିଳନୀ କକ୍ଷରେ ଏକ ସାଧାରଣ ବୈଠକ ମାଧ୍ୟମରେ ଜିଲ୍ଲା ନିର୍ବାଚନ ପ୍ରତୀକ ଚିହ୍ନ ବା ଲୋଗୋ ଉନ୍ମୋଚନ କରିଥିବାବେଳେ, ତିନୋଟି ଭିଡିଓ ଯଥାକ୍ରମେ, ଜିଲ୍ଲା ନିର୍ବାଚନ ଗୀତ, ଓଡ଼ିଆ ରାପ ଗୀତ: ହେଲା ମତେ ଅଠର, ଭୋଟ ଦେବି ଏଥର ଏବଂ କରଞ୍ଜିଆ ପିଏ ଆଇଟିଡିଏଙ୍କ ଦ୍ୱାରା ରଚିତ ଦ୍ୱିଭାଷିକ ଗୀତ ମଧ୍ୟ ପ୍ରସାରିତ ହେବ ପାଇଁ ଉନ୍ମୋଚନ ହେଲା । ପୂର୍ବରୁ, ଜିଲ୍ଲାପ୍ରଶାସନ ଦ୍ୱାରା ଆୟୋଜିତ ଲୋଗୋ ଡିଜାଇନ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ୱବିଦ୍ୟାଳୟ ଛାତ୍ରୀ, କୁମାରୀ ଇପ୍ସିତା ସାହାଣୀ ଜିଲ୍ଲାପାଳଙ୍କ ଦ୍ୱାରା ଆଜି ପୁରସ୍କୃତ ହେବା ସହିତ ପ୍ରସଂଶିତ ମଧ୍ୟ ହୋଇଥିଲେ । ଏହି ବୈଠକରେ ସ୍ୱାଗତ ଭାଷଣ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ରଜନୀକାନ୍ତ ସ୍ୱାଇଁ ଦେଇଥିବାବେଳେ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ବିଭୁତି ଭୂଷଣ ନାୟକ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନେତ୍ରାନନ୍ଦ ମଲ୍ଲିକ ଓ ଅତିରିକ୍ତ ଜିଲ୍ଲାପାଳ (ନିର୍ବାଚନ) ଉଦୟ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିବା ସହିତ ଜିଲ୍ଲାପ୍ରଶାସନର ଏହି ଭିନ୍ନ ଲୋକାଭିମୁଖୀ ପଦକ୍ଷେପ ପାଇଁ ସାଧୁବାଦ ଦେଇଥିଲେ । ନିଜ ମତବ୍ୟର ଜିଲ୍ଲାପାଳ ଶ୍ରୀ ସିନେ୍ଧ କହିଥିଲେ ଯେ, ଗଣତନ୍ତ୍ରର ଏହି ମହାପର୍ବକୁ ସମସ୍ତେ ହର୍ଷୋଲ୍ଲାସରେ ପାଳନ କରିବା ଏବଂ ଏହି ପର୍ବରେ ସାମିଲ ହେବା ଆମର କର୍ତ୍ତବ୍ୟ । ମୟୂରଭଞ୍ଜ ଜିଲ୍ଲା ଦେଶର ସବୁଠୁ ଅଧିକ ମତଦାତା ଅଂଶଗ୍ରହଣ କରୁଥିବା ଜିଲ୍ଲା ହୋଇଥିବାରୁ ଆମର ଏହା ଦାୟିତ୍ୱ ଏବଂ କର୍ତ୍ତବ୍ୟ ଯେ ଆମେ କିଭଳି ଏହି ମତଦାନ ହାରକୁ ଶତ ପ୍ରତିଶତ ଭାଗିଦାରୀ କରାଇବା । ଆଜି ଯୁଗକୁ ଲକ୍ଷ୍ୟକରି, ଏହି ସୋସିଆଲ ମିଡ଼ିଆ ବାର୍ତ୍ତା ମାନ ପ୍ରସ୍ତୁତ କରାଯାଇଛି । କିଭଳି ଅଧିକରୁ ଅଧିକ ଯୁବବର୍ଗ ଏହି ବାର୍ତ୍ତା ମାଧ୍ୟମରେ ଉପକୃତ ହେବେ ଏବଂ ଏହି ସାମ୍ବିଧାନିକ ଅଧିକାରକୁ କାର୍ଯ୍ୟକାରୀ କରିବେ ତାହା ଅତି ଆବଶ୍ୟକୀୟ ବୋଲି ଜିଲ୍ଲାପାଳ କହିଥିଲେ । ସାନ୍ତାଳୀ ଭାଷାରେ, ଜିଲ୍ଲାପାଳଙ୍କର ଏହି ବାର୍ତ୍ତା ଖୁବ୍ ପ୍ରସଂଶିତ ହୋଇଥିବାବେଳେ ଗଣମାଧ୍ୟମ ମହଲରେ ଏହି ପ୍ରକାର ପଦକ୍ଷେପକୁ ଏକ ଉଚ୍ଚକୋଟୀର ବାର୍ତ୍ତା ବୋଲି ଦର୍ଶାଯାଇଥିଲା । ଜିଲ୍ଲାପାଳ ଏହି ବୈଠକ ମାଧ୍ୟମରେ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ, ଜିଲ୍ଲାପ୍ରଶାସନ କାର୍ଯ୍ୟରେ ସହଯୋଗ କରୁଥିବାରୁ ସାଧୁବାଦ ଦେବା ସହିତ ନିର୍ବାଚନ କାର୍ଯ୍ୟକ୍ରମ ଶୃଙ୍ଖଳା ଏବଂ ନୀତିନିୟମ ମଧ୍ୟରେ ହେବା ପାଇଁ ଆଶାପୋଷଣ କରିଥିଲେ ଏବଂ ଏହି ବାର୍ତ୍ତାକୁ ସମଗ୍ର ମୟୂରଭଞ୍ଜବାସୀଙ୍କ ନିମିତ୍ତ ପ୍ରେରଣ କରିବା ପାଇଁ ସେ ଅନୁରୋଧ କରିଥିଲେ । ଏହି ବୈଠକକୁ ସଞ୍ଚାଳନା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ୱାଳ ଏବଂ ଓର୍ମାସ ର ପ୍ରାଣୀଟିଧି କାର୍ଯ୍ୟନିର୍ବାହୀ ଅଧିକାରୀ ବିମାନ ମଲ୍ଲ କରିଥିବାବେଳେ, ଡେପୁଟି କଲେକ୍ଟର (ନିର୍ବାଚନ) ଦୁର୍ଗାଚରଣ ମୁର୍ମୁ ଏବଂ ଜିଲ୍ଲାର ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିବା ସୂଚନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅବିନାଶ ପାଣି ପ୍ରକାଶ କରିଛନ୍ତି ।