Odisha news

ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଗାଡ଼ି ଡିକି ଭାଙ୍ଗି  ଟଙ୍କା ଚୋରି ଘଟଣାର ପର୍ଦ୍ଧାଫାଶ, ୨ଲୁଟେରା ଗିରଫ, ଟଙ୍କା ଓ ମୋବାଇଲ ଜବତ

0
ବାରଙ୍ଗ : ବାରଙ୍ଗ ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଚଳିତ ମାସ ୧୦ତାରିଖ ଦିନ ଜନୈକ ବ୍ୟକ୍ତିଙ୍କ ସ୍କୁଟରର ଡିକି ଭାଙ୍ଗି ସାଢ଼େ ୪ଲକ୍ଷ ଟଙ୍କା ଲୁଟ ଘଟଣାରେ ବାରଙ୍ଗ ଥାନା ପୋଲିସ ଦୁଇଜଣଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ବିହାର ରାଜ୍ୟର ଅମର କୁମାର ଯାଦବ(୪୫) ଏବଂ ପଶ୍ଚିମବଙ୍ଗ ରାଜ୍ୟର ବିପୁଲ ଗୋୱାଲା (୨୬)। ଉଭୟ ପୁରୀ ଜିଲ୍ଲା ସାତଶଙ୍ଖ ଥାନା କାଦୁଆ ଗ୍ରାମରେ ଘରଭଡ଼ା ନେଇ ରହି ଆସୁଥିଲେ।
    ପ୍ରକାଶଯେ, ଚଳିତମାସ ୧୦ ତାରିଖ ଦିନ କଟକ ସିଡିଏ-୬ ଅଞ୍ଚଳର ସନତ କୁମାର ଲେଙ୍କା ନାମକ ବ୍ୟକ୍ତି  ନିଜର ସ୍କୁଟରକୁ ବାରଙ୍ଗ ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖି କାର୍ଯ୍ୟାଳୟ ଭିତରକୁ ଯାଇଥିଲେ। କିଛି ସମୟ ପରେ ଫେରିବା ପରେ ସ୍କୁଟର ଡିକି ଭଙ୍ଗାଯାଇ ସେଥିରେ ଥିବା ୪ଲକ୍ଷ ୪୫ହଜାର ୩୭୪ ଟଙ୍କା କେହି ଦୁର୍ବୃତ୍ତ ଲୁଟି ନେଇଯାଇଥିବାର ଜାଣିବାକୁ ପାଇଥିଲେ। ଏହି ଘଟଣାରେ ସେ ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ। ପୋଲିସ କେସ ନଂ ୨୦୩/୨୪ ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା।ଏହି ଦୁଇଜଣ ଅଭିଯୁକ୍ତ ଏକ ମୋଟର ସାଇକେଲରେ ତ୍ରିଶୂଳିଆ ଛକ ଅଞ୍ଚଳରେ ବୁଲୁଥିବାର  ପୋଲିସ ଜାଣିବାକୁ ପାଇଥିଲେ। କଟକ ସ୍ପେସାଲ ସ୍କ୍ୱାର୍ଡ ଏବଂ ବାରଙ୍ଗ ପୋଲିସ ମିଳିତ ଉଦ୍ୟମରେ ଦୁଇ ଅଭିଯୁକ୍ତଙ୍କୁ କାବୁ କରି ଥାନାକୁ ଆଣିଥିଲେ। ସେଠାରେ ଉଭୟ ନିଜର ଦୋଷ ସ୍ବୀକାର କରିଥିଲେ। ପରେ ପୋଲିସ ତାଙ୍କ ନିକଟରୁ ୨ଲକ୍ଷ ୯୩ହଜାର ଟଙ୍କା, ୫ଟି ମୋବାଇଲ ଫୋନ, ଦୁଇଟି ମାଷ୍ଟର ଚାବି, ଆଧାର କାର୍ଡ, ଡ୍ରାଇଭିଂ ପ୍ରମାଣପତ୍ର ଆଦି ଜବତ କରିଛି। ଏଥିସହ ଲୁଟରେ ବ୍ୟବହୃତ ଓଡି ୩୩ ଏଏଚ ୯୫୯୨ ଭୁଲ ନମ୍ବର ପ୍ଲେଟ ଥିବା ଏକ ମୋଟର ସାଇକେଲ ଜବତ କରିଛି ପୋଲିସ। ଦୁଇଜଣ ଅଭିଯୁକ୍ତ ପୁରୀ ଜିଲ୍ଲା ସାତଶଙ୍ଖ ଥାନା କାଦୁଆ ଗ୍ରାମରେ ଦୀର୍ଘ ଏକ ମାସ ହେବ ଘରଭଡ଼ା ନେଇ ରହି ଆସୁଥିଲେ। ମୁଖ୍ୟତଃ ସେମାନେ ନିଜ ଲୁଟେରା ଗ୍ୟାଙ୍ଗ ସହ ମିଶି ବ୍ୟାଙ୍କ, ଆରଟିଓ କାର୍ଯ୍ୟାଳୟ, ଉପ ନିବନ୍ଧକ କାର୍ଯ୍ୟାଳୟକୁ ଆସୁଥିବା ବ୍ୟକ୍ତି ମାନଙ୍କ  ଗାଡ଼ି ଡିକି ଭାଙ୍ଗି ଲୁଟ କରିଥାନ୍ତି। ଉଭୟ କଟକ, ଭୁବନେଶ୍ୱର, ପୁରୀ ଏବଂ ଅନ୍ୟ ପ୍ରମୁଖ ସହର ମାନଙ୍କରେ ନିଜର ଲୁଟପାଟ ଚଳାଇଥାନ୍ତି। ଅନୁରୂପ ଭାବେ ଗତ ୧୫ ତାରିଖ କ୍ୟାପିଟାଲ ଥାନା ଅଞ୍ଚଳରେ ହୋଇଥିବା ୧ଲକ୍ଷ ୨୬ହଜାର ଟଙ୍କା ଲୁଟ ଏବଂ ଗତ ୧୨ତାରିଖରେ ଏୟାରପୋର୍ଟ ଥାନା ଅଞ୍ଚଳରେ ହୋଇଥିବା ୧୨ହଜାର ଟଙ୍କା ଲୁଟ ଘଟଣାରେ ଉଭୟଙ୍କ ସଂପୃକ୍ତି ରହିଥିବା ବାରଙ୍ଗ ଥାନାରେ ରବିବାର ଅପରାହ୍ନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଜୋନ ଏସିପି ଉମାକାନ୍ତ ପ୍ରଧାନ ସୂଚନା ଦେଇଛନ୍ତି। ଏହି ଘଟଣାରେ ବାରଙ୍ଗ ଥାନା ପୋଲିସ କେସ ନଂ ୨୦୩/୨୪ରେ ଏକ ମାମଲା ରୁଜୁକରି ଉଭୟଙ୍କୁ  କୋର୍ଟ  ଚାଲାଣ କରିଛି।
Leave A Reply