ବାଲିପାଟଣା, ୨୪/୦୯ : ଗତକାଲି ରାତ୍ରିରେ ବାଲିପାଟଣା ଥାନା ଅନ୍ତର୍ଗତ ପ୍ରଧାନ ପାଟଣା ଗ୍ରାମରେ ପୂର୍ବ ଶର୍ତୃତାରୁ ଗୋଟିଏ ଗ୍ରାମର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗୋଷ୍ଠୀ ସଂର୍ଘଷ ଘଟି ଉଭୟ ପକ୍ଷରୁ ୬ ଜଣ ଆହତ ହୋଇଛନ୍ତି । ଆତହମାନଙ୍କୁ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ୬ ନମ୍ବର ମେଡିକାଲକୁ ପଠାଇ ଦିଆ ଯାଇଛି ।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ , ବନମାଳିପୁର ପ୍ରଧାନ ପାଟଣା ଗ୍ରାମରେ ଏହି ଦୁଇ ଗୋଷ୍ଠୀ ମଧ୍ୟରେ କଦଳି ଗୋଦାମକୁ ନେଇ ମାରପିଟ୍ ହୋଇ ଥାନାକୁ ଆସି ସମାଧାନ ହୋଇଥିଲା । ହେଲେ ପରସ୍ପର ମଧ୍ୟରେ ତିକ୍ତତା ଲାଗି ରହିଥିଲା । ଗତ କାଲି ରାତ୍ରରେ ରମାକାନ୍ତ ସାହୁ ଓରଫ ବାବୁନି ନିଜ ବ୍ୟବସାୟ ସ୍ଥଳିରୁ ଘରକୁ ଫେରୁଥିବା ବେଳେ କୋଠଘର ନିକଟରେ ବସିଥିବା କିଛି ଯୁବକ ତାକୁ ଅଟକାଇ ଗାଳି ଗୁଲଜ କରିଥିଲେ । ବାବୁନି ଏହାର ପ୍ରତିବାଦ କରିବାରୁ ଉଭୟ ପକ୍ଷମଧ୍ୟରେ ଠେଲା ପେଲା ହେବା ସହ ମାରପିଟ୍ ହୋଇଥିଲା । ବାବୁନି ଘରକୁ ଫେରି ନିଜର ଡ୍ରେସ୍ ବଦାଳୁଥିବା ସମୟରେ ଗାଁର କିଛି ଯୁବକ ଏକତ୍ରିତ ହୋଇ ବାବୁନି ଘର ଉପରକୁ ମାରଣାସ୍ତ୍ର ସାହାର୍ଯ୍ୟରେ ଆକ୍ରମଣ କରିଥିଲେ । ଘରର କବାଟ ଓ ଚଟାଣକୁ ଖୋଳି ପକାଇବାରୁ ବାବୁନି ମଧ୍ୟ ମାରଣାସ୍ତ୍ର ଧରୀ ଏମାନଙ୍କୁ ପ୍ରତି ଆକ୍ରମଣ କରିଥିଲେ ।
ଗ୍ରାମବାସୀଙ୍କ ଆକ୍ରମଣରେ ବାବୁନି ଏବଂ ତାଙ୍କର ମାଆ ଆହତ ହୋଇଥିବା ବେଳେ ଗ୍ରାମବାସୀଙ୍କ ପକ୍ଷରୁ ମନୋଜ କୁମାର ସାହୁ, ରଂଜନ କୁମାର ସାହୁ, ଦିପକ ନାଥ ଓ ସରୋଜ ନାଥ ଆହତ ହୋଇଛନ୍ତି । ସମସ୍ତଙ୍କୁ ବାଲିପାଟଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରକୁ ପରେ ସେମାନଙ୍କୁ କ୍ୟାପିଟାଲ୍ ହସ୍ପିଟାକକୁ ସ୍ଥାନାନ୍ତର କରାଯାଇଥିଲା । ଗ୍ରାମବାସୀଙ୍କ ପକ୍ଷରୁ ରଂଜନ କୁମାର ସାହୁଙ୍କ ଅଭିଯୋଗ କ୍ରମେ କେସ ନଂ ୨୯୫/୨୦୨୦ ଓ ରମାକାନ୍ତ ସାହୁ ଓ ତାଙ୍କ ମାଆଙ୍କ ଅଭିଯୋଗ କ୍ରମେ ୨୯୬/୨୦୨୦ ରେ ଦୁଇଟି ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଅଛି ।