Odisha news

ଅଚଳ ହୋଇପଡିଛି ପ୍ରକଳ୍ପ ; ପାନୀୟ ଜଳ ପାଇବାରୁ ବଞ୍ଚିତ ଗ୍ରାମବାସୀ

0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ଗ୍ରାମାଞ୍ଚଳରେ ପାନୀୟଜଳ ସମସ୍ୟାକୁ ଦୂର କରିବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ସରକାର। ହେଲେ ସରକାରୀ ବାବୁଙ୍କ ଅବହେଳା ଏବଂ ଆନ୍ତରିକତାର ଅଭାବ କାରଣରୁ ଗାଁ ଗଣ୍ଡାରେ କାର୍ଯ୍ୟକାରୀ ହେଉଥିବା ପାନୀୟ ଜଳ ପ୍ରକଳ୍ପ ମଧ୍ୟରୁ ଏବେ ଅନେକ ଅଚଳ ହୋଇରହିଛି। କେତେକ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇନାହିଁ। ଯାହାର ଫଳ ସ୍ୱରୂପ ଅନେକ ପାନୀୟଜଳ  ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇନଥିବାରୁ ଏହା ଲୋକଙ୍କ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ। ବିଶେଷ କରି ଏବେ ଖରାଦିନେ ଲୋକେ ପିଇବା ପାଣି ପାଇବାକୁ ବିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି। ଏପରି ଏକ ଅଭିଯୋଗ ଆସିଛି, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତ ଅଧିନସ୍ଥ ବୁରାଙ୍ଗିଆ, ବୁଦେଲିପଡ଼ି, ଝାରମୁଣ୍ଡା ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ତିନୋଟି ଗ୍ରାମରେ ପ୍ରାୟ ୨୦୦ ପରିବାର ବସବାସ କରୁଛନ୍ତି। ଏହି ଗ୍ରାମର ପାନୀୟଜଳ ସମସ୍ୟାକୁ ଦୂର କରିବା ପାଇଁ ଏଠାରେ ୮ ନଳକୂପ , ୮ କୂଅ ,ଏବଂ ଗୋଟିଏ ସୋଲାର ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବା ସହ ବସୁଧା ପାନୀୟଜଳ ଯୋଗାଣ ପ୍ରକଳ୍ପ ମାଧ୍ୟମରେ ଓଭର ହେଡ଼ ପାଣି ଟାଙ୍କି ମଧ୍ୟ ନିର୍ମାଣ କରାଯାଇ ଘରକୁ ଘର ପାଇପ ଜଳ ଯୋଗାଇବାକୁ ବ୍ୟବସ୍ଥା ହୋଇଛି। ହେଲେ ବସୁଧା ପାନୀୟଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହେବାର ବର୍ଷେ ବିତିଯାଇଥିଲେ ମଧ୍ୟ ଆବଶ୍ୟକୀୟ ପାଣି ଟାଙ୍କିକୁ ଉଠାଯାଇ ପାରୁନଥିବାରୁ ଘରକୁ ପାନୀୟ ଜଳ ଯୋଗାଣ ହୋଇପାରୁନାହିଁ। ଆଉ ସେପଟେ ଗାଁରେ ୪ ବର୍ଷ ତଳେ ନିର୍ମାଣ ହୋଇଥିବା ସୋଲାର ପାନୀୟ ଜଳ ପ୍ରକଳ୍ପ ୨ ବର୍ଷ ହେବ ଅଚଳ ହୋଇ ପଡ଼ିରହିଛି। ଗାଁରେ ରହିଥିବା ନଳକୂପ ମଧ୍ୟରୁ ୩ଟି ଅଚଳ ହୋଇରହିଥିବା ବେଳେ ଆଉ ବାକି ୫ଟି ନଳକୂପରୁ ଖରାପ ପାଣି ବାହାରୁଛି। ଆଉ ଗାଁରେ ଯେଉଁ ସବୁ କୂଅ ରହିଛି ସେଥିରୁ ୪ଟିର ପାଣି ସମ୍ପୂର୍ଣ୍ଣ ଶୁଖିଯାଇଥିବା ବେଳେ ବାକି ୪ଟି କୂଅର ପାଣି ଉପରେ ୨୦୦ ପରିବାରର ଲୋକ ପାନୀୟ ଜଳ ପାଇବାକୁ ବ୍ୟବହାର କରୁଛନ୍ତି।ବୁରାଙ୍ଗିଆ, ବୁଦେଲିପଡ଼ି, ଝାରମୁଣ୍ଡା ଗ୍ରାମର ଲୋକଙ୍କ ପାନୀୟଜଳର ସମସ୍ୟା ଦୂର କରିବା ଦିଗରେ ସରକାର ଯେଉଁ ମାଳମାଳ ପାନୀୟଜଳ ପ୍ରକଳ୍ପ ନିର୍ମାଣ କରିଛନ୍ତି ତାହା କେବଳ ଲୋକ ଦେଖାଣିଆ ହୋଇ ରହିଯାଇଥିବା ବେଳେ ଏହା ଲୋକଙ୍କର କୌଣସି କାମରେ ଲାଗୁନି କିମ୍ବା ସେମାନଙ୍କ ଆବଶ୍ୟକତା ପୂରଣ କରିପାରୁନାହିଁ। ପାନୀୟଜଳ ପାଇଁ ଲୋକେ ଖାଲି ନାହିଁନଥିବା ସମସ୍ୟା ଭୋଗ କରୁଛନ୍ତି। ଏନେଇ ଅଭିଯୋଗ କଲେ ମଧ୍ୟ କେହି ପ୍ରଶାସନିକ ସ୍ତରରେ କେହି ଶୁଣିବାକୁ ନାହାଁନ୍ତି ବୋଲି କହୁଛନ୍ତି ଗ୍ରାମବାସୀ ଏନେଇ ଆମେ ଦାରିଙ୍ଗବାଡି ବ୍ଲକ ଜଳ ଓ ପରିମଳ ବିଭାଗ୍ୟ ଯନ୍ତ୍ରୀ ଜ୍ୟୋତିରଞ୍ଜନ ଦାସଙ୍କ ସହ ଯୋଗାଯୋଗ କରିବାରୁ ସେ ଚଳିତ ମାସ ଶେଷ ସୁଦ୍ଧା ବୁରାଙ୍ଗିଆ, ବୁଦେଲିପଡ଼ି, ଝାରମୁଣ୍ଡା ଗ୍ରାମରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି। ହେଲେ ପାନୀୟଜଳ ସମସ୍ୟାର ସମାଧାନ କରିବା ଦିଗରେ ବିଭାଗୀୟ ଯନ୍ତ୍ରୀଙ୍କ ପ୍ରତିଶୃତି କେତେ ଫଳପ୍ରଦ ହେଉଛି ତାହା ଆଗାମୀ ଦିନରେ ଜଣାପଡିବ।

Leave A Reply