Odisha news

ଗଜଲକ୍ଷ୍ମୀ ପୂଜା ସହ କୁମାର ପୂର୍ଣ୍ଣିମା ପାଳିତ : ଚାନ୍ଦକୁ ଆଞ୍ଜୁଳି ଟେକିଲେ କୁମାରୀ

0
ବାଲିଗୁଡା, ତା, ୦୬/୧୦:(ସଞ୍ଜୟ କୁମାର ପାଣିଗ୍ରାହୀ): ପବିତ୍ର ଗଜ ଲକ୍ଷ୍ମୀ ପୂଜା ସହ କୁମାରୀ ମାନଙ୍କର ଉତ୍ସବ କୁମାର ପୂର୍ଣ୍ଣିମା । ଗାଁ ଠାରୁ ସହର ସବୁଠି ଉତ୍ସାହର ସହ ଚାନ୍ଦକୁ ଆଞ୍ଜୁଳି ଟେକିଛନ୍ତି କୁମାରୀ ମାନେ । ଫୁଲ ବଉଳ ବେଣୀ ଗୀତରେ ଉଛୁଳି ଉଠିଛି ଗାଁ ଦାଣ୍ଡ । ପରମ୍ପରା ଅନୁଯାୟୀ ସକାଳ ନ ପାଉଣୁ ଗାଧୋଇ ପାଧୋଇ ନୂଆ ଲୁଗା ପିନ୍ଧି କୁମାରୀମାନେ ସୂର୍ଯ୍ୟୋଦୟ ପୂର୍ବରୁ ସୂର୍ଯ୍ୟଦେବତାଙ୍କୁ ଆଞ୍ଜୁଳି ଟେକିଥିଲେ । ଚଉରା ମୂଳ ଲିପାଲିପି କରି ମୁରୁଜ ପକାଇ ପୂଜାର୍ଚ୍ଚନା କରିଥିଲେ। ନୂଆ ଲୁଗାପଟା ପିନ୍ଧି କୁମାରୀ ମାନେ ସଜବାଜ ହୋଇ କୁଲାରେ ଖଇ, ଗୁଆ, କଦଳୀ, ନଡ଼ିଆ, କସି କାକୁଡ଼ି, କସି ଜହ୍ନି ଓ ଆଖୁ ଆଦି ୭ ପ୍ରକାର ଆଞ୍ଜୁଳି ଯୋଗାଡ଼ କରି ୭ ଥର ଅଞ୍ଜୁଳି ଟେକିଥିଲେ । ସକାଳେ ସୂର୍ଯ୍ୟାଞ୍ଜଳି ପରେ ସନ୍ଧ୍ୟାରେ ହୁଏ ଚାନ୍ଦ ପୂଜା । କୁଆଁରୀଙ୍କ ହୁଳହୁଳି ଶବ୍ଦରେ କମ୍ପି ଉଠିଥିଲା ପୂରା ପରିବେଶ । ଖଇ, ନଡ଼ିଆ, କଦଳୀ, ଛେନା ଓ ଗୁଡ଼ ଆଦିରେ ପ୍ରସ୍ତୁତ ଚାନ୍ଦ ଚକଟା ପୂନେଇଁ ଜହ୍ନକୁ ଭୋଗ ଲାଗିଥିଲା । ଏହି ଦିନ କାର୍ତ୍ତିକେୟଙ୍କ ଜନ୍ମଦିନ ଥିବାରୁ ଏହି ପୂଜା କଲେ ତାଙ୍କ ଭଳି ସୁନ୍ଦର ଓ ବୀର ବର ମିଳେ ବୋଲି ଲୋକ ବିଶ୍ବାସ ରହିଛି । ତେଣୁ ସର୍ବଗୁଣସମ୍ପନ୍ନ ଜୀବନ ସାଥୀଟିଏ ପାଇବାକୁ କୁମାରୀ ମାନେ କରିଥିଲେ ଏହି ଚନ୍ଦ୍ରପୂଜା । ଏନେଇ କୁମାରୀଙ୍କ ମନରେ ବେଶ୍‌ ଉତ୍ସାହ ଭରି ରହିଥିଲା । ସେହିପରି ଏହି ଦିନକୁ ଲକ୍ଷ୍ମୀଙ୍କର ଜନ୍ମଦିନ ରୂପେ ମଧ୍ୟ ପାଳନ କରାଯାଏ । ଏହି ଦିନ ସମୃଦ୍ଧିର ଦେବୀ ଲକ୍ଷ୍ମୀଙ୍କୁ ଗଜ ବାହନ ସ‌ହ ପୂଜା କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ବାଲିଗୁଡା ସ୍ଥିତ ଶ୍ରୀଶ୍ରୀଶ୍ରୀ ମା’ ପାଟଖଣ୍ଡା ଦୂର୍ଗାପୂଜା ସମିତି ଆନୁକୂଲ୍ୟରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମଣ୍ଡପ ପରିସରରେ ଗଜଲଷ୍ମୀ ପୂଜା ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା l ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।
Leave A Reply