ବାଲିଗୁଡ଼ା : ବ୍ୟାଙ୍କ କର୍ମଚାରୀ ପରେ ସଫଳ ଚାଷୀ । ହଁ.. ଆମେ ଏମିତି ଜଣେ ବ୍ୟକ୍ତି ବିଶେଷଙ୍କ କଥା କହୁଛୁ ଯିଏକି MBA ପାଠ ପଢ଼ା ସାରିବା ପରେ ବ୍ୟାଙ୍କରେ ଚାକିରି କରିଥିଲେ । କିନ୍ତୁ ଚାଷ ପ୍ରତି ଥିଲା ତାଙ୍କର ଦୁର୍ବଳତା । ଚାକିରି ଛାଡ଼ି ପ୍ରଥମେ କୃଷି ଭିତ୍ତିକ ବ୍ୟବସାୟ ଆରମ୍ଭ କରିଥିଲେ । ଏବଂ ଚାଷ ପ୍ରତି ପୁଣି ଆଗ୍ରହ ପ୍ରକାଶ କରିଥିଲେ । ଏବଂ ଆଜି ସିଏ ଜଣେ ସଫଳ କଦଳୀ ଚାଷୀ ଭାବରେ ଅଞ୍ଚଳରେ ବେସ ଜଣାଶୁଣା । ଏମିତି ଜଣେ ଯୁବ ଚାଷୀଙ୍କ ସଫଳତାର କାହାଣି ଆମେ ଆପଣଙ୍କୁ କହୁଛୁ ।
କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ୍ ଆଡ଼ିମାହା ଗ୍ରାମପଞ୍ଚାୟତର ସିଟୁପାଜି ଗାଁ । ଗତ ୨୦୧୯ ମସିହା ନଭେମ୍ବର ମାସରେ ୧୩ ଏକର ଜମିରେ କଦଳୀ ଚାଷ ପାଇଁ ପ୍ରୟାସ ଆରମ୍ଭ କରିଥିଲେ ଯୁବ ଚାଷୀ ସୁରେଶ କୁମାର ପଣ୍ଡା । ୧୦ହଜାର ଉନ୍ନତ ମାନର G-9 କଦଳୀ ଗଛ ଲଗାଇ ବଗିଚା ଆରମ୍ଭ କରିଥିଲେ ସୁରେଶ । ବର୍ଷକ ଭିତରେ ନିଜର ଆକ୍ଳାନ୍ତ ପରିଶ୍ରମ ବଳରେ ଫଳାଇଛନ୍ତି ସୁନାର ଫସଲ । MBA ପାଠ ପଢ଼ା ସାରିବା ପରେ ବ୍ୟାଙ୍କରେ ଚାକିରି କରିଥିଲେ ସୁରେଶ । କିନ୍ତୁ ମନ ଚାହୁଁଥିଲା ଆଉ କିଛି । ଚାକିରି ଛାଡ଼ି ୨୦୦୯ ମସିହାରୁ ବାଲିଗୁଡ଼ାରେ କୃଷି ଭିତ୍ତିକ ବ୍ୟବସାୟ ଆରମ୍ଭ କରିଥିଲେ । ଏବଂ ପରେ ଚାଷ ପ୍ରତି ଗୁରୁତ୍ବ ଦେଇଥିଲେ ଏହି ଯୁବକ ଜଣକ ।
ବର୍ତ୍ତମାନ ସମୟରେ ନିଜସ୍ଵ ଉଦ୍ୟମରେ କରିଥିବା କଦଳୀ ଫାର୍ମରୁ ଜିଲ୍ଲା ସମେତ ଜିଲ୍ଲା ବାହାରକୁ କଦଳୀ ପଠାଇ ବେସ୍ ସୁନାମ ଅର୍ଜନ କରିଛନ୍ତି ଏହି ଯୁବଚାଷୀ । ଦୈନିକ ୨୦ରୁ ୩୦ଜଣ ଶ୍ରମିକ ବଗିଚାରେ କାମ କରନ୍ତି । ଦୈନିକ କାମ ପାଇବା ସହ ଉପଯୁକ୍ତ ପାରିଶ୍ରମିକ ପାଇ ବେସ୍ ଖୁସି ଥିବା କହିଛନ୍ତି ଶ୍ରମିକ ।ଜିଲ୍ଲା ସମେତ ରାଜ୍ୟର ଭୁବନେଶ୍ୱର,କଟକ, ନୟାଗଡ଼,ପୁରୀ ଆଦି ଅଞ୍ଚଳକୁ ସୁରେଶଙ୍କ ବଗିଚାରୁ କଦଳୀ ରପ୍ତାନି ହେଉଛି । ଭୁବନେଶ୍ୱର ସମେତ ଅନ୍ୟ ଜିଲ୍ଲାରେ ମଧ ଏହି କଦଳୀର ବେସ୍ ଚାହିଦା ରହିଥିବା ଜଣାପଡ଼ିଛି ।
ନିଜେ ସ୍ବାବଲମ୍ବୀ ହେବା ସହ ଅଞ୍ଚଳର ୨୦ରୁ ୩୦ ପରିବାର ଙ୍କୁ ରୋଜଗାରକ୍ଷମ କରିପାରିଛନ୍ତି ସୁରେଶ । ସରକାରୀ ସହାୟତା ଓ ସହଯୋଗ ମିଳିଲେ ଆହୁରି ଅଧିକ କିଛି କରିବା ପାଇଁ ମନବଳେଇଛନ୍ତି ଏହି ଯୁବଚାଷୀ । କନ୍ଧମାଳ ଜିଲ୍ଲାରେ ଏହି ଯୁବଚାଷୀ ଅନ୍ୟ ଚାଷୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ପ୍ରଶାସନିକ ସହାୟତା ମିଳିଲେ ଏହି ଯୁବ ଚାଷୀ ଉପକୃତ ହେବାସହ ଅଞ୍ଚଳବାସୀଙ୍କୁ ଅଧିକ ରୋଜଗାରକ୍ଷମ କରାଇପାରିବେ ବୋଲି ଆଶା ବାନ୍ଧିଛନ୍ତି ସୁରେଶ ।