ଅଂଶୁମାନ ମହାରଣା : ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଭାରତୀୟ ମାନଙ୍କର ଅସୀମ, ତ୍ୟାଗ, ନିରବଚ୍ଛିନ୍ନ ସଂଗ୍ରାମ, ଅତୁଳନୀୟ ସାଧନା ସାହସିକତା ଆତ୍ମବଳିଦାନ ଫଳରେ ଆମ ଜନ୍ମଭୂମି ଭାରତ ପରାଧୀନତାର ଶୃଙ୍ଖଳରୁ ମୁକ୍ତିଲାଭ କରିଥିଲା । ଏହି ସଂଗ୍ରାମରେ ଶତ ଶତ ଭାରତୀୟ ସ୍ୱଇଚ୍ଛାରେ ଜେଲ, ଜରିମାନା ଦେବା ସଙ୍ଗେ ସଙ୍ଗେ ଆତ୍ମବଳି ଦେବାକୁ ପଛାଇ ନ ଥିଲେ । ସେହି ଶହୀଦ ମାନଙ୍କ ମଧ୍ୟରେ ୧୯୩୮ ମସିହାର ଢେଙ୍କାନାଳ ଜିଲ୍ଲାର ଗଡଜାତ ଆନେ୍ଦାଳନର ସର୍ବକନିଷ୍ଠ ସଂଗ୍ରାମୀ ୧୨ ବର୍ଷର ବାଳକ ବାଜି ରାଉତ ଅନ୍ୟତମ ।
ଯେତେବେଳେ ଭାରତର ଅର୍ଥନୈ÷ତିକ, ସାମାଜିକ ଓ ରାଜନୈ÷ତିକ କଳୁଷିତ ତଥା ଭାରତୀୟ ମାନେ ସ୍ୱାଧୀନତାର ଚେତନାରେ ଜର୍ଜରିତ ଥିଲେ, ଠିକ ସେତିକି ବେଳେ ନିରୀହ କୋମଳମତି ୧୨ ବର୍ଷର ବାଳକ ବାଜି ରାଉତର ଆତ୍ମବଳି ଆଣି ଦେଇଥିଲା ସ୍ପଦନ ଓ ଦର୍ଶାଇଥିଲା ଦିଗଦର୍ଶନର ପ୍ରକୃତ ପଥ । ୧୨ ବର୍ଷର ବାଳକ ବାଜି ରାଉତର ଆତ୍ମବଳି ସୃଷ୍ଟି କରିଦେଲା ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସରେ ଏକ ସ୍ୱତନ୍ତ୍ର ଅଧ୍ୟାୟ । ଚିରଦିନ ପାଇଁ ବାଜି ରାଉତର ଆତ୍ମବଳିଦାନ ସମଗ୍ର ମାନବ ସମାଜ ପାଇଁ ଏକ ପ୍ରେରଣାର ଉତ୍ସ ହୋଇ ରହିଗଲା ।
୧୯୩୬ ଅପ୍ରେଲ ପହିଲା ଦିନ ଓଡିଶା ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇବା ପରେ ଗଡଜାତ ଶାସନରେ ଅତ୍ୟାଚାରିତ ପ୍ରଜାମାନଙ୍କ ଆତ୍ମବଳର ଉଦ୍ରେକ ଘଟିଲା । ଫଳରେ ରାଜାଙ୍କ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଦୃଢ଼ ସ୍ୱର ପ୍ରକାଶ ପାଇଲା । ପ୍ରଜାଙ୍କ ସୁରକ୍ଷା ପାଇଁ ୧୯୩୮ ମସିହାରେ ଗଠିତ ହୋଇଥିଲା ପ୍ରଜାମଣ୍ଡଳ, ଯାହାକୁ ମାର୍ଗଦର୍ଶନ ଦେଇଥିଲେ ସାରଙ୍ଗଧର ଦାସ, କୈ÷ଳାଶ ଚନ୍ଦ୍ର ମହାନ୍ତି, ଡ଼ଃ ରାଧାନାଥ ରଥ, ଶ୍ରୀଧରଦାସ, କପିଳ ପ୍ରସାଦ ନନ୍ଦ, ପବିତ୍ର ମୋହନ ପ୍ରଧାନ, ରଘୁନାଥ ମହାନ୍ତି, ଦିବାକର ପରିଡ଼ା ଙ୍କ ଭଳି ମହାନ ନେତୃତ୍ୱଗଣ । ଢେଙ୍କାନାଳ ଗଡଜାତର ଅପାରଗ ରାଜା ଶଙ୍କର ପ୍ରତାପଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଏହି ବର୍ଷ ଜୁନ ମାସରେ ପ୍ରଜାମଣ୍ଡଳ ଗଠନ କରା ଯାଇଥିଲା । ଏହି ଆନେ୍ଦାଳନର ସର୍ବକନିଷ୍ଠ ସଂଗ୍ରାମୀ ଥିଲେ ନୀଳକଣ୍ଠପୁର ଗ୍ରାମର ଏକ ଗରିବ ଖଣ୍ଡାୟତ ପରିବାରର ହରି ରାଉତ ଓ ରାଣୀଆ ଦେବୀଙ୍କ ଏକମାତ୍ର ସନ୍ତାନ ବାଜି ରାଉତ । ୧୯୨୬ ମସିହା ଅକ୍ଟୋବର ୫ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ବୀର ବିପ୍ଳବୀ ବାଜି ରାଉତ ।
ଢେଙ୍କାନାଳ ଗଡଜାତର ରାଜା ଶଙ୍କର ପ୍ରତାପ ଥିଲେ ଅତ୍ୟନ୍ତ ଅପାରଗ । ଇଂରେଜ ସରକାରଙ୍କ ସହିତ ସନ୍ଧି କରି ତାଙ୍କର ପ୍ରତିନିଧି ଭାବରେ ସେ ଶାସନ କରୁଥିଲେ । ରାଜାଙ୍କ କର୍ମଚାରୀ ଓ ପୋଲିସ ଫଉଜ ମାନେ ଗରିବ ଓ ନିରୀହ ପ୍ରଜାମାନଙ୍କ ଉପରେ ବିନା କାରଣରେ ଜୁଲମ କରି ଅସାମାଜିକ କାର୍ଯ୍ୟ କରିବାକୁ ପଛାଉ ନଥିଲେ । ଧୀରେ ଧୀରେ ପ୍ରଜା ମାନଙ୍କର କ୍ଷୋଭ ଓ ଅସନ୍ତୋଷର ନିଆଁ ପ୍ରଜ୍ଜ୍ୱଳିତ ହୋଇ ଏକ ବିରାଟ ଋପ ଧାରଣ କରିଥିଲା । ଗଡଜାତ ଆନେ୍ଦାଳନର ଆହ୍ୱାନ ଢେଙ୍କାନାଳର ପ୍ରଜା ମାନଙ୍କୁ ରାଜାଙ୍କ ବିରୋଧରେ ଆନେ୍ଦାଳନ କରିବାକୁ ଖୋରାକ ଯୋଗାଇଥିଲା । ଭୁବନ ଗ୍ରାମ ଥିଲା ଢେଙ୍କାନାଳରେ ଗଡଜାତ ଆନେ୍ଦାଳନ ସଂଗ୍ରାମର ପ୍ରମୁଖ କେନ୍ଦ୍ରସ୍ଥଳୀ ।
ଭୁବନ ଅଂଚଳରେ ମହନ୍ତ ପ୍ରଧାନ, ବଟ ସାହୁ, ରଙ୍ଗଲାଲ ଅଗ୍ରବାଲ, ଲକ୍ଷ୍ମଣ ସାହୁ, ବଟ ସାହୁ ଗୁରୀ ନାୟକ, ହୁରୁଷି ପ୍ରଧାନ, ବେଣୁଧର ପ୍ରଧାନ ସଭ୍ୟମାନେ ପ୍ରଜାମଣ୍ଡଳରେ ସକ୍ରିୟ ଅଂଶଗ୍ରହଣ କରୁଥିଲେ, ଯାହାର ସଭାପତି ଥିଲେ ପଣ୍ଡିତ ଗଙ୍ଗାଧର ମିଶ୍ର ତଥା ସମ୍ପାଦକ ଥିଲେ ବେଣୁଧର ଦେଓ । ପ୍ରଜାମଣ୍ଡଳକୁ ସହଯୋଗ କରିବା ପାଇଁ ବଟ ସାହୁଙ୍କ ନେତୃତ୍ୱରେ ୧୧/୧୨ ବର୍ଷର ବାଳକ ମାନଙ୍କୁ ନେଇ ଏକ ବାନର ସେନା ଗଠନ କରାଯାଇଥିଲା । ଗଙ୍ଗାଧର ରାଉତ, ନଟବର ନାୟକ, ଗୌରାଙ୍ଗ ମହାପାତ୍ରଙ୍କ ଭଳି ବାଜି ରାଉତ ମଧ୍ୟ ଏହି ବାନର ସେନାର ସଦସ୍ୟ ଥିଲେ ।
ପ୍ରଜାମଣ୍ଡଳ ଆନେ୍ଦାଳନର ସଂଗ୍ରାମୀ ମାନଙ୍କୁ ଦମନ କରିବା ପାଇଁ ରାଜା ଶଙ୍କର ପ୍ରତାପଙ୍କ ପରାମର୍ଶ କ୍ରମେ ୧୯୩୮ ମସିହା ଅକ୍ଟୋବର ମାସରେ ୧୧ ତାରିଖ ଦିନ ବିଜୟ ଘୋଷଙ୍କ ନେତୃତ୍ୱରେ ଇଂରେଜ ସରକାରର ପୋଲିସ ବାହିନୀ ସଂଗ୍ରାମର କେନ୍ଦ୍ରସ୍ଥଳୀ ଭୁବନରେ ପହଂଚିଥିଲେ । ଦୀର୍ଘଦିନ ଧରି ଲାଗି ରହିଥିବା ଝଡବର୍ଷା ଓ ଅନ୍ଧାର ରାତି ଥିଲା ସଂଗ୍ରାମୀ ମାନଙ୍କ ପାଇଁ ମୁଖ୍ୟ ପ୍ରତିବନ୍ଧକ । ଯେତେବେଳେ ଶହ ଶହ ସଂଗ୍ରାମୀ ଏକତ୍ରିତ ହୋଇ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହେଲେ, ସେତେବେଳେ ପୋଲିସ ବାହିନୀ ଜୀବନ ବିକଳରେ ଲୁଚିଛପି ପଛଘୁଂଚା ଦେଇଥିଲେ । ଭୁବନ ଠାରୁ ଢେଙ୍କାନାଳ ସଦର ମହକୁମା ତଥା ପୋଲିସ ବାହିନୀର ଶିବିର ଗୋଟିଏ ବାଟ ଥିଲା ।
ସେହି ବାଟ ମଧ୍ୟରେ ନୀଳକଣ୍ଠପୁର ନଦୀଘାଟଟି ଥିଲା ମୁଖ୍ୟ ପ୍ରତିବନ୍ଧକ । ନୀଳକଣ୍ଠପୁରର ପ୍ରଜାମାନେ ଏହି ଘାଟରେ ଶତୃମାନଙ୍କୁ ପାରି କରିବେ ନାହିଁ ବୋଲି ପୂର୍ବରୁ ସ୍ଥିର କରିଥିଲେ । ଏହା ସମସ୍ତ ପ୍ରଜା ମାନଙ୍କ ଉପସ୍ଥିତିରେ ଏକ ଗ୍ରାମ୍ୟ ସଭାରେ ସ୍ଥିର ହୋଇଥିଲା । ଦିବାରାତ୍ର ନଦୀଘାଟ ଜଗିବା ପାଇଁ ନାଉରିଆ ସମେତ ଗ୍ରାମ ତରପରୁ ଜଣେ ଜଣେ ପ୍ରତିଦିନ କାର୍ଯ୍ୟବଂଟା ହୋଇଥିଲା । ବ୍ରାହ୍ମଣୀ ନଦୀର ଦୁଇକୂଳ ଜଳର ପ୍ରଖର ସ୍ରୋତରେ ଉଚ୍ଛୁଳି ପଡ଼ୁଥିଲା । ସେଦିନର କିଟିମିଟିଆ ରାତିରେ ଘାଟ ଜଗିବାର ପାଳି ଥିଲା ବାଜି ରାଉତର ।
ବାଜି ରାଉତ କେତେଜଣ ସ୍ୱେଚ୍ଛାସେବୀଙ୍କ ଗହଣରେ ସେହି ରାତିରେ ଘାଟ ଜଗିଥାଏ । ହଠାତ ପୋଲିସ ଫୌଜ ଭୁବନରେ ଅତ୍ୟାଚାର କରି ଜୀବନ ବିକଳରେ ନଦୀଘାଟ ପାରି ହେବାକୁ ନୀଳକଣ୍ଠପୁର ନଦୀଘାଟରେ ଉପସ୍ଥିତ ହୋଇଗଲେ । ବଡପାଟିରେ ଡ଼ାକି ପକାଇଲେ ନାଉରିଆ କୁ ନଦୀ ପାର କରିବା ପାଇଁ । ବିଳମ୍ବ ନ କରି ବୀରଦର୍ପରେ ପୋଲିସ ମାନଙ୍କୁ ୧୨ ବର୍ଷର ବାଳକ ଜବାବ ଦେଲା, ପାରି କରିବା ତବ ଦୂରର କଥା, ପ୍ରଜାମଣ୍ଡଳର ଆଦେଶ ମୁଁ ଆପଣଙ୍କୁ ଡ଼ଙ୍ଗାରେ ବସାଇବି ନାହିଁ ।
ସିପାହୀ ମାନେ ପୁଣିଥରେ ନଦୀ ପାର କରିବା ପାଇଁ ବାଜି ରାଉତକୁ କହିବା ସହ ପାରି ନକଲେ ଗୁଳି ମାରିବାକୁ ଧମକ ଦେଲେ । ଏହା ଶୁଣି ବାଜି ରାଉତ ନିର୍ଭୀକତାର ସହ ଜବାବ ଦେବା ସହ ଫିରୀଙ୍ଗୀ ସେନାକୁ ଭର୍ସନା କରିବା ସମୟରେ ନିରୀହ ପାଟିରୁ ଭୟଙ୍କର ଚିକ୍ରାର ନସରୁଣୁ ଇଂରେଜ ପୋଲିସ ବନ୍ଧୁକ ନଳୀରୁ ଗୁଳିଟିଏ ଆସି ବାଜିଗଲା ବାଜି ରାଉତର ମୁଣ୍ଡ କପାଳରେ । କଅଁଳିଆ ଖପୁରିଟା ଦୁଇଫାଳ ହୋଇଯିବା ସହ କ୍ଷଣକ ମଧ୍ୟରେ ବାଜି ରାଉତର ଶରୀର ଭୂପତିତ ହେଲା । ପୁନର୍ବାର ଉଠି ବଡ଼ପାଟିରେ ଗ୍ରାମବାସୀଙ୍କୁ ଡ଼ାକ ପକାଇଲା ଗ୍ରାମବାସୀଙ୍କୁ । ତା ପରେ ସବୁ କିଛି ଶେଷ ।
ବାଜି ରାଉତର ପାଟିଶୁଣି ଶତଶତ ଗ୍ରାମବାସୀ ଓ ପ୍ରଜାମଣ୍ଡଳର କର୍ମୀ ବିଜୁଳି ବେଗରେ ଧାଇଁ ଆସିଲେ । ସମସ୍ତେ ବାଜି ରାଉତର ମୃତ ଶରୀର ଦେଖି ରାଗରେ ଜର୍ଜରିତ ହୋଇ ଉଠିଲେ । ପୋଲିସ ବାହିନୀ ଜୀବନ ବିକଳରେ କୌଶଳ କରି ଡଙ୍ଗାର ଦଉଡ଼ିକୁ ମଝିରୁ କାଟି ଡ଼ଙ୍ଗାରେ ନଦୀର ମଝିଗର୍ଭକୁ ପଳାଇଲେ । ମଝିନଦୀରୁ ଗୋଟିଏ ପରେ ଗୋଟିଏ ଗୁଳି କରି ବହୁତ ଲୋକଙ୍କୁ ରକ୍ତାକ୍ତ କରି ପକାଇଲେ, ସେଥି ମଧ୍ୟରୁ ୬ ଜଣ ସେହି ନଦୀଘାଟରେ ମୃତୁ୍ୟବରଣ କରିଥିଲେ । ବାଜିରାଉତ ସମେତ ସେଠାରେ ମୃତୁ୍ୟବରଣ କରିଥିବା ଶହୀଦ ହେଲେ ହୁରୁଷି ପ୍ରଧାନ, ରଘୁ ନାୟକ, ନଟ ମଲ୍ଲିକ, ଲକ୍ଷ୍ମଣ ମଲ୍ଲିକ, ଓ ଫଗୁ ସାହୁ ।
ଦେଶ ଓ ଜାତିର ସ୍ୱାର୍ଥ ପାଇଁ ବାଜିରାଉତ ସମେତ ଛଅ ଜଣଙ୍କର ରକ୍ତରେ ବ୍ରାହ୍ମଣୀ ନଦୀର ଜଳ ରକ୍ତାକ୍ତ ହେବା ସଙ୍ଗେ ସଙ୍ଗେ ନୀଳକଣ୍ଠପୁର ଗ୍ରାମର ମାଟି ପବିତ୍ର ହୋଇଯାଇଥିଲା । ପରଦିନ ସକାଳେ ସେହି ଛଅ ଜଣ ଶହୀଦଙ୍କୁ ଶୋଭାଯାତ୍ରାରେ ଡ଼ଙ୍ଗା ସାହାଯ୍ୟରେ ଜେନାପୁର ନିଆଯାଇ ସେଠାରୁ ଟ୍ରେନ ଯୋଗେ ନିଆଯାଇଥିଲା । କଟକ ଷ୍ଟେସନ ଠାରୁ ବିରାଟ ଶୋଭାଯାତ୍ରାରେ ହଜାର ହଜାର ସ୍ୱାଧୀନତା ପ୍ରେମୀଙ୍କର ଶୋକାକୁଳ ପରିବେଶରେ ବିଭିନ୍ନ ସ୍ଥାନରେ ସମ୍ମାନିତ କରାଯିବା ସହ କାଠଯୋଡ଼ି କୂଳ ଖାନନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଏହି ଶୋଭାଯାତ୍ରା ଓ ଦାହ କାର୍ଯ୍ୟରେ ସଂଗ୍ରାମୀ ବନ୍ଧୁ ଅନନ୍ତ ପଟ୍ଟନାୟକ, ରବି ଘୋଷ, ଗୋବିନ୍ଦ ମହାନ୍ତି, ସଚ୍ଚି ରାଉତରାୟ ପ୍ରମୁଖ ସାମିଲ ଥିଲେ । ଅମର ଶହୀଦ ମାନଙ୍କ ଚିତାଭସ୍ମ ଓଡ଼ିଶାରେ ଗଡ଼ଜାତ ରାଜୁତିର ପତନ ସହ ଭାରତୀୟ ସ୍ୱାଧୀନତାର ମୂଳଦୁଆ ପକାଇଥିଲା ।
ଭାରତରେ ପଢାଯାଉଥିବା ଇତିହାସକୁ ବଦଳାଇବା ଜରୁରୀ ଏଭଳି କିଛି ଚର୍ଚ୍ଚିତ ପ୍ରସଙ୍ଗ ବର୍ଷକ ପୂର୍ବରୁ ଉଠାଯାଇଥିଲା ଯାହାର ଅନେକ କ୍ଷେତ୍ରରେ ବାସ୍ତବତା ରହିଥିବା ମନେ ହୁଏ । ଯଦି ଆମେ ଏହାକୁ ସଠିକ ଭାବରେ ଅନୁଧ୍ୟାନ କରିବା ତେବେ ଏହାର ପ୍ରକୃତ କାରଣକୁ ଖୋଜି ପାଇବା । ଉଦାହରଣ ସ୍ୱରୂପ ବାଜି ରାଉତଙ୍କ କଥା ଆଲୋଚନା କରାଯାଉ ।
ଭାରତର ସ୍ୱାଧୀନତା ସଂଗ୍ରାମରେ ଶହୀଦ ହୋଇଥିବା ସମସ୍ତ ଶହୀଦ ସଂଗ୍ରାମୀ ମାନଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇ ଆମେ ଯଦି ଦେଖିବା ତେବେ ବୟସ ତୁଳନାରେ ଭାରତର ସର୍ବକନିଷ୍ଠ ଶହୀଦ ସ୍ୱାଧୀନତା ସଂଗ୍ରାମୀ ହେଉଛନ୍ତି ଶହୀଦ ବାଜି ରାଉତ । କିନ୍ତୁ ବାଜି ରାଉତଙ୍କ ସମ୍ପର୍କରେ କେବଳ ଓଡ଼ିଶା ଛାଡ଼ିଦେଲେ ଭାରତର ଅନ୍ୟ ରାଜ୍ୟରେ ସର୍ବକନିଷ୍ଠ ଶହୀଦ ଭାବରେ ଇତିହାସରେ ପଢାଯାଏ ନାହିଁ କିମ୍ବା ବାଜି ରାଉତଙ୍କୁ ଭାରତର ସର୍ବକନିଷ୍ଠ ଶହୀଦ ଭାବରେ କେହି ଜାଣନ୍ତି ନାହିଁ । ଏହି ପ୍ରସଙ୍ଗକୁ ଅନୁଧ୍ୟାନ କଲେ ଭାରତର ପଢାଯାଉଥିବା ଇତିହାସର ପୁନର୍ଲିଖନ ଶତ ପ୍ରତିଶତ ଯୁକ୍ତିଯୁକ୍ତ ବୋଲି ମନେ ହୁଏ ।
ସର୍ବୋପରି ୧୨ ବର୍ଷର କୋମଳମତି ବାଳକ ବାଜି ରାଉତର ଆତ୍ମବଳି ପ୍ରତ୍ୟେକ ଭାରତୀୟ ମାନଙ୍କ ହୃଦୟରେ ଆଣିଦେଇଥିଲା ସ୍ୱାଧୀନତାର ସ୍ପନ୍ଦନ । ତାଙ୍କର ବୀରତ୍ୱ, ସାହସିକତା, ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶପ୍ରେମୀ ଭାରତୀୟ ମାନଙ୍କର ଅସୀମ ତ୍ୟାଗ ଓ ସାଧନା ଫଳରେ ବାଜି ରାଉତଙ୍କ ମୃତୁ୍ୟର ୯ ବର୍ଷ ପରେ ଦେଶ ସ୍ୱାଧୀନ ହେଲା । ଲୋମର୍ଶ, ଅକଥନୀୟ ଓ ନିଷ୍ଠୁର ରାଜାରାଜୁଡ଼ା ଶାସନ ଚିରଦିନ ପାଇଁ ଧୂଳିସାତ ହୋଇ୍ଗଲା । ମଶାଣିର ଚିତାଭସ୍ମ ସିନା ଲିଭିଗଲା, କିନ୍ତୁ ଭାରତର ଇତିହାସ ପୃଷ୍ଠାରେ ଯଶ ଓ କୀର୍ତି ରଖିଗଲା । ଅତଏବ ୧୨ ବର୍ଷ ବୟସରେ ଦେଶ ଓ ଜାତିର ସ୍ୱାର୍ଥ ପାଇଁ ପ୍ରାଣ ଦାନ କରିଥିବା ଶହୀଦ ବାଜି ରାଉତଙ୍କୁ ଭାରତୀୟ ସ୍ୱାଧୀନତା ସଂଗ୍ରାମର ସର୍ବକନିଷ୍ଠ ଶହୀଦର ମାନ୍ୟତା ଦିଆଗଲେ ତାହା ହେବ ବାଜି ରାଉତଙ୍କ ପ୍ରତି ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।