Odisha news

ନଛିପୁରିଆ ଠାରେ ଆଞ୍ଚଳିକ ବିଶ୍ଵକଲ୍ୟାଣ ଅଗ୍ନିହୋତ୍ର ମହୋତ୍ସବ ଅନୁଷ୍ଠିତ

0

ବୈଶିଙ୍ଗା : ପର୍ଯ୍ୟାବରଣର ସୁରକ୍ଷା ପାଇଁ ତଥା ବିଶ୍ଵ କଲ୍ୟାଣ ପାଇଁ ରୂପସା ସ୍ଥିତ ଦୟାନିଧି ଗୁରୁକୁଳ ଶିକ୍ଷାଶ୍ରମ ତତ୍ତ୍ଵାବଧାନରେ ବୈଶିଙ୍ଗା ଥାନା ଅଧୀନ ନଛିପୁରିଆ ନେହେରୁ ଯୁବକ ସଂଘ ଆନୁକୂଲ୍ୟରେ ଗ୍ରାମର ଶିବ ମନ୍ଦିର ପ୍ରାଙ୍ଗଣରେ  ଆଜି ୧୩ ତାରିଖ ବୁଧବାର ଆଞ୍ଚଳିକ  ବିଶ୍ଵକଲ୍ୟାଣ ଅଗ୍ନିହୋତ୍ର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରିବା ପାଇଁ ପ୍ରବକ୍ତା ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା (ବାଳକେ ମୋର ବୋଲ କର)ଙ୍କୁ ସକାଳ ଘ୮.୩୦ମିନିଟ ସମୟରେ ସଂକୀର୍ତ୍ତନ ମଣ୍ଡଳୀ , ଶଙ୍ଖନାଦ ଓ ପୁଷ୍ପ ବୃଷ୍ଟି ମାଧ୍ୟମରେ ମଣ୍ଡପ ସ୍ଥଳୀକୁ ସ୍ଵାଗତ ସମ୍ବର୍ଦ୍ଧନା କରି ନିଆ ଯାଇଥିଲା।

ଗ୍ରାମର ଆବାଳ ବୃଦ୍ଧ ବନିତା ଏଥିରେ ଯୋଗ ଦେଇଥିଲେ। ସକାଳ ୯ ଘଟିକାରେ ପୂଜାର୍ଚ୍ଚନା କରାଯାଇ ୧୧ କୁଣ୍ଡୀୟ ଅଗ୍ନିହୋତ୍ର ଯଜ୍ଞ ସମ୍ପନ୍ନ କରାଯାଇଥିଲା। ଅପରାହ୍ନରେ ଭଜନ କୀର୍ତ୍ତନ ସମାବେଶରେ ଶହ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ସନ୍ଧ୍ୟା ୭ ଘଟିକାରେ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ପ୍ରବଚନ ମାଧ୍ଯମରେ ପରିବେଶର ସୁରକ୍ଷା ତଥା ଅସନ୍ତୁଳିତ ବାୟୁମଣ୍ଡଳ କୁ ଶୁଦ୍ଧ କରିବା ପାଇଁ ଯଜ୍ଞର ଆବଶ୍ୟକତାକୁ ଗୁରୁତ୍ବାରୋପ କରିବା ସହିତ ଶୁଦ୍ଧ ପରିବେଶ ରୁ ସୁବୄଷ୍ଟି ସହିତ ଜଙ୍ଗଲ ସୁରକ୍ଷା ଦ୍ଵାରା ଜୀବନ ଯାପନ ଶୈଳୀରେ ପରିଚ୍ଛନ୍ନତା ଆସିବ ବୋଲି ଅଭିହିତ କରିଥିଲେ। ଶେଷରେ ନେହେରୁ ଯୁବକ ସଂଘ ଆନୁକୁଲ୍ୟରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

Leave A Reply