Odisha news

ତହସିଲଦାରଙ୍କ ପାଇଁ ଅସହାୟା ବିଧବା ମହିଳା ନୂତନ ଜୀବନର ସାହାରା ପାଇଲା

ବୈଶିଙ୍ଗା–୨୯/୯– ଚଳିତ ସେପ୍ଟେମ୍ବର ମାସ ୫ ତାରିଖରେ ଅସହାୟା ବିଧବା ମହିଳା ଶଙ୍କରୀ ମହାପାତ୍ର(୮୨) ଅସୁସ୍ଥ ହୋଇ ବୈଶିଙ୍ଗା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ପାଞ୍ଚ/ସାତ ଦିନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଯାଇଥିଲେ ମଧ୍ୟ କେଉଁଠି ମୁଣ୍ଡ ଗୁଁଜିିବ ତାହା ଚିନ୍ତାର ବିଷୟ ପାଲଟିଥିଲା । ଦୀର୍ଘ ୨୦ ବର୍ଷ ଧରି ଏହି ଅସହାୟା ବୃଦ୍ଧା ଜଣକ ବୈଶିଙ୍ଗା ବଜାରର ବିଭିନ୍ନ ଦୋକାନ ଓ ବ୍ୟକ୍ତି ବିଶେଷଙ୍କ ପିଣ୍ଡାରେ ରହି ସମୟ ଅତିବାହିତ କରୁଥିଲା। ସେହି ମାନଙ୍କର ଦୟାରେ ଯାହା ମିଳୁଥିଲା ଗଣ୍ଡିଏ ଖାଉଥିଲା। ମାତ୍ର ସୁସ୍ଥ ହେଲା ପରେ ଏହି ପରିଣତ ବୟସରେ ନିଜର ଖିଆଲ ରଖିବା ତା ପାଇଁ ସମ୍ଭବପର ହୋଇନଥିଲା। ସେଥି ପାଇଁ ଆଜି ପର୍ଯ୍ୟନ୍ତ ଡାକ୍ତରଖାନାରେ ରଖାଯାଇ ଖାଦ୍ୟପେୟ ଓ ଅନ୍ୟାନ୍ୟ ସେବା ଶୁଷ୍ରୁଷା କରା ଯାଉଥିଲା। ତାଙ୍କର ଭବିଷ୍ୟତ ସୁରକ୍ଷା ନିମନ୍ତେ ବୈଶିଙ୍ଗା ସାମ୍ବାଦିକ ସୀତାନାଥ ବେହେରା, ସଞ୍ଜୟ କୁମାର ମିଶ୍ର, ବିମଳେନ୍ଦୁ ମହାପାତ୍ର, ସଞ୍ଜିତ କୁମାର ଦାସ ଓ ସତ୍ୟପ୍ରକାଶ ପ୍ରଧାନ ପ୍ରମୁଖ ବେତନଟୀ ତହସିଲଦାର ସଂଗ୍ରାମ କେଶରୀ ପରିଡାଙ୍କୁ ଅବଗତ କରାଇଥିଲେ। ତହସିଲଦାର ମହାଦୋୟ ଏହି ଖବର ପାଇବା ପରେ ଅସହାୟା ଶଙ୍କରୀ ପ୍ରତି ସାହାରାର ହାତ ବଢାଇଥିଲେ । ତାଙ୍କ କାର୍ଯ୍ୟାଳୟର ସୁପରଭାଇଜର ଜଗନ୍ନାଥ ସିଂଙ୍କୁ ହାନିଲାଭ ଜାଣିବା ପାଇଁ ବୈଶିଙ୍ଗା ଡାକ୍ତରଖାନା ଆସି ତହସିଲଦାରଙ୍କୁ ଅବଗତ କରାଇଥିଲେ। ତହସିଲଦାର ଶ୍ରୀଯୁକ୍ତ ପରିଡା ଜିଲ୍ଲାସ୍ତରରେ କିପରି ଏହି ବୃଦ୍ଧାଙ୍କୁ ଆଶ୍ରୟ ଦିଆଯାଇ ପାରିବ ସେଥିପାଇଁ “ସଖୀ” ଦ୍ୱାରା ସହବନ୍ଧିତ “ୱାନ ଷ୍ଟପ ସେଣ୍ଟର” ସହିତ ଯୋଗାଯୋଗ କରିଥିଲେ। ଆଜି ଭକ୍ତ ସଂସ୍ଥାର କାର୍ଯ୍ୟରତ କେନ୍ଦ୍ର ପରିଚାଳିକା ଗୀତାଞ୍ଜଳି ମହାନ୍ତି, ୱାନ ଷ୍ଟପ ସେଣ୍ଟରର ପାରିଷଦ ସ୍ମରଣିକା ସ୍ଵାଇଁ, ଏମଟିଏସ ବାସନ୍ତୀ ପଣ୍ଡା ବୈଶିଙ୍ଗା ଡାକ୍ତରଖାନାରେ ପହଞ୍ଚି ଶଙ୍କରୀଙ୍କୁ ତାଙ୍କ ଗାଡି ଦ୍ୱାରା ବାରିପଦାସ୍ଥିତ ୱାନ ଷ୍ଟପ ସେଣ୍ଟର ମୁଖ୍ୟାଳୟକୁ ନେଇ ଯାଇଥିଲେ। ନେବା କାର୍ଯ୍ୟରେ ସହଯୋଗ କରିବା ପାଇଁ ବୈଶିଙ୍ଗା ସରପଞ୍ଚ ଇନ୍ଦ୍ରାବତୀ ମୁର୍ମୁ, କେନ୍ଦୁଆ ସରପଞ୍ଚ ସ୍ନିଗ୍ଧାରାଣୀ ହାଁସଦା, ବୈଶିଙ୍ଗା ଆରଆଇ ଅହଲ୍ୟା ବେହେରା, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ବେହେରା, ଡାକ୍ତରଖାନା କର୍ମଚାରୀ ପଦ୍ମଲୋଚନ ଦାସ, ମନୋରଞ୍ଜନ ମିଶ୍ର, ଅଶୋକ କୁମାର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ। ଏଥିପାଇଁ ତହସିଲଦାର ସଂଗ୍ରାମ କେଶରୀ ପରିଡାଙ୍କୁ ବୈଶିଙ୍ଗା ସମସ୍ତ ଜନସାଧାରଣଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Comments are closed.