Odisha news

ବିଜେପି ନେତାଙ୍କୁ ଆକ୍ରମଣ ପ୍ରତିବାଦରେ ସ୍ଥାନୀୟ ଗ୍ରାମବାସୀଙ୍କ ପୋଡାଜଳା : ଏକ କୋଟିରୁ ଉର୍ଦ୍ଧ୍ଵ କ୍ଷତି

ବୈଶିଙ୍ଗା –୧/୭– ଝିମିଟି ଖେଳରୁ ମହାଭାରତ । ପୋଲିସ ସୂତ୍ରରୁ ପ୍ରକାଶ  ଏକ ମାସରୁ ଉର୍ଦ୍ଧ୍ଵ ଏକ ରାସ୍ତା ବିବାଦକୁ ନେଇ ବଡ ଗୋପାଳପୁର ଜଙ୍ଗଲ କମିଟୀ ଓ କୈଳାସ ଫିସାରୀ ମଧ୍ୟରେ ବାଦାନୁବାଦ ଲାଗିରହିଥିଲା। ଶେଷରେ ଭୟଙ୍କର ରୂପ ଧାରଣ କରିଲା। ବିଜେପି ନେତା ତଥା ଜଙ୍ଗଲ କମିଟୀର ସେକ୍ରେଟେରୀ ଚନ୍ଦ୍ରହାସ୍ୟ ପାଣିଗ୍ରାହୀ  ବୁଧବାର ଅପରାହ୍ନରେ ନିଜ ବ୍ୟବସାୟ କେନ୍ଦ୍ରରେ ବସିଥିବା ବେଳେ କେତେକ ଅଜଣା ଦୃବୁର୍ତ୍ତ ତାଙ୍କୁ ଧାରୁଆ ଅସ୍ତ୍ରରେ ହାତ,କାନ୍ଧ, ଛାତି ଓ ଗୋଡ଼ରେ ହାଣି ଫେରାର ହୋଇଯାଇଥିଲେ। ତାଙ୍କୁ ପ୍ରଥମେ ବୈଶିଙ୍ଗା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରିବା ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ବଡ ମେଡିକାଲକୁ ନେବାପାଇଁ ବିଧାୟକ ସନାତନ ବିଜୁଳି, ଜିଲ୍ଲା ପରିଷଦ ସଦସ୍ୟ ବ୍ରଜ ମୋହନ ବେହେରା , ରାଜକିଶୋର ସାହା , ପ୍ରଦୀପ ପରିଡା ଓ ପ୍ରଶାନ୍ତ ସାମଲ ପ୍ରମୁଖ ସହଯୋଗ କରିଥିଲେ। ଆଜି ସେ ବିପଦରୁ ମୁକ୍ତ ଥିବାର ନିକଟତମ ମହଲରୁ ଜଣାଯାଇଛି।ମାତ୍ର ଏହି ଆକ୍ରମଣ ଘଟଣା ପ୍ରଚାରିତ ହେବା ମାତ୍ରେ ୫୦୦ରୁ ଅଧିକ ଉତ୍ୟକ୍ତ ଜନତା କୈଳାସଫିସାରୀ ମାଲିକ ମନୋରଞ୍ଜନ ସାହୁଙ୍କ ଘର ଉପରକୁ ପଥର ମାଡ କରିବା ସହିତ ଲୁହା ଫାଟକକୁ ଭାଙ୍ଗି ଭିତରେ ପଶିଥିଲେ । ଖବର ପାଇ ବୈଶିଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଉତ୍ୟକ୍ତ ଜନତାଙ୍କୁ କାବୁ କରିବାରେ ସକ୍ଷମ ହୋଇପାରିନଥିଲା। ଫଳରେ ସେମାନେ ଦୁଇଟି ବାଇକ, ଗୋଟିଏ ଏସୟୁଭି କାର, ଗୋଟିଏ ପିକ ଅପ୍ ଭେନ୍‌ ସମେତ ଅନ୍ୟାନ୍ୟ ଆସବାବପତ୍ର ପୋଡି ଦେଇଥିଲେ। ରାସ୍ତାରେ ଟାୟାର ଜାଳିବା ଯୋଗୁଁ ପାଞ୍ଚ ଘଣ୍ଟାରୁ ଅଧିକ ସମୟ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଥିଲା।
ପରିସ୍ଥିତି ଅଣାୟତ୍ତ ହେବାରୁ ଡିଏସପି ଲକ୍ଷ୍ମୀଧର ସ୍ୱାଇଁ ଏକ ପ୍ଳାଟୁନ ପୋଲିସ ଫୋର୍ସ ଓ ଦମକଳ ବାହିନୀ ଙ୍କୁ ମଗାଇଥିଲେ। ରାତି ୧୦ ଘଟିକା ସମୟରେ ଦମକଳ ବାହିନୀ ପହଞ୍ଚିବାପରେ ଜ୍ୱଳନ୍ତ ନିଆଁକୁ ଆୟତ୍ତ କରାଯାଇ ପାରିଥିଲା। ସ୍ଥାନୀୟ ଗ୍ରାମବାସୀଙ୍କୁ ଶାନ୍ତ କରିବାପାଇଁ ପୋଲିସ ଫୋର୍ସ ସହାୟତାରେ ବୁଝାସୁଝା କରା ଯାଇଥିଲା। ସେହି ରାତିରେ ସେମାନଙ୍କୁ ପୋଲିସ ସହାୟତାରେ ବାରିପଦା ନିଆ ଯାଇଥିଲା। ଆଜି ପୂର୍ବାହ୍ନରେ ମାଜିଷ୍ଟ୍ରେଟ ଭାବେ ସଦର ଉପଜିଲ୍ଲା ପାଳ ଅନନ୍ୟା ଦାସଙ୍କ ସହିତ ତହସିଲଦାର ରବୀନ୍ଦ୍ର ପରିଡା, ବେତନଟୀ ଏସଡିପିଓ ଲଳିତ ପଟ୍ଟନାୟକ, ଡିଏସପି ଲକ୍ଷ୍ମୀଧର ସ୍ୱାଇଁ, ରାସଗୋବିନ୍ଦପୁର   ଆଇଆଇସି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଥିଲେ।ରିପୋର୍ଟ ଲେଖାହେବା ବେଳକୁ କାହାରିକୁ ଗିରଫ କରାଯାଇ ନଥିବାର ଜଣାଯାଇଛି।
ମାତ୍ର ଏହି ଘଟଣାରେ ଯଦି ମୂଳକୁ ଧରାଯାଏ ତେବେ ଜଙ୍ଗଲ ବିଭାଗର ଅବହେଳା ପାଇଁ ଏହି ଭଳି ଘଟଣା ଘଟିଛି ବୋଲି ସର୍ବସାଧାରଣରେ ଚର୍ଚ୍ଚା ଜୋର ହେଉଛି।
Nalco

Comments are closed.