Odisha news

ମହାରାଷ୍ଟ୍ରର ଔ‌ରଙ୍ଗାବାଦରେ ଟ୍ରେନ୍‌ ଚକା ତଳେ କଟି ଘଟଣାସ୍ଥଳରେ ହିଁ ୧୬ ଜଣ ଶ୍ରମିକଙ୍କ ଜୀବନ ଗଲା

0

ଔରଙ୍ଗାବାଦ : ମହାରାଷ୍ଟ୍ରର ଔ‌ରଙ୍ଗାବାଦଠାରୁ ପ୍ରାୟ ୩୦ କିମି ଦୂର କରମଡ୍‌ ନିକଟରେ ଆଜି ‌‌ଭୋର ୫ଟା ୧୫ ମିନିଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରେଳଧାରଣାରେ ବିଶ୍ରାମ ନେଉଥିବାବେଳେ ୧୬ ଜଣ ପ୍ରବାସୀ ଶ୍ରମିକଙ୍କ ଉପରେ ଏକ ମାଲବାହୀ ଟ୍ରେନ୍ ମାଡ଼ିଯିବାରୁ ସେମାନଙ୍କର ମୃତ୍ୟୁ ହୋଇଯାଇଛି। ତେବେ ୪ ଜଣ ରେଳ ଧାରଣା ବାହାରେ ଥକା ମେଣ୍ଟାଉଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହାକୁ ନେଇ ସମଗ୍ର ଦେଶରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ବିଭିନ୍ନ ମହଲରୁ ଗଭୀର ସମବେଦନା ପ୍ରକାଶ ପାଇଛି। ମୃତକମାନଙ୍କ ପରିବାରକୁ ଉଭୟ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ସରକାର ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି।

ମଧ୍ୟପ୍ରଦେଶର ଏହି ଶ୍ରମିକମାନେ ମହାରାଷ୍ଟ୍ରରେ ଏକ ଘରୋଇ ଇସ୍ପାତ କମ୍ପାନିରେ କାମ କରୁଥିଲେ। ଲକଡାଉନ୍‌ ଯୋଗୁଁ କମ୍ପାନି ବନ୍ଦ ହୋଇଯିବାରୁ ସେମାନେ ଜୀବିକା ହରାଇଥିଲେ, ମାତ୍ର ଘରକୁ ଫେରି ପାରୁ ନ ଥିଲେ। ତେବେ ଗତ ୧ ତାରିଖରୁ ପ୍ରବାସୀ ଶ୍ରମିକମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ନେବା ପାଇଁ ଶ୍ରମିକ ସ୍ପେସାଲ ଟ୍ରେନ ଚାଲିବା ଆରମ୍ଭ ହୋଇଥିବାରୁ ସେମାନେ ଏଭଳି ଏକ ସ୍ପେସାଲ ଟ୍ରେନ୍‌ରେ ମଧ୍ୟପ୍ରଦେଶ ଯିବାକୁ ମନସ୍ଥ କରିଥିଲେ। କାଳେ ସେମାନଙ୍କୁ ଏଭଳି ଟ୍ରେନ୍ ମିଳିଯିବ, ଏହି ଆଶାରେ ସେମାନେ ଗୁରୁବାର ରାତି ୭ଟାରେ ଜାଲ୍‌ନାଠାରୁ ଭୁସାୱାଲକୁ ରେଳଧାରଣା ଉପରେ ଚାଲି ଚାଲି ଆସୁଥିଲେ। ଦୀର୍ଘ ପ୍ରାୟ ୪୦ କିମି ଚାଲିବା ପରେ ସେମାନଙ୍କୁ ଥକା ଲାଗିଥିଲା। ତେଣୁ କିଛି ସମୟ ବିଶ୍ରାମ ନେବା ପାଇଁ ସେମାନେ ରେଳ ଧାରଣାରେ ବସି ପଡ଼ିଥିଲେ। ତେବେ ସେଠାରେ ସେମାନଙ୍କୁ ନିଦ ହୋଇଯାଇଥିଲା। ନିଦ ହୋଇଯିବାର ଅଳ୍ପ କିଛି ସମୟ ପରେ ସେମାନଙ୍କ ଉପରେ ଏକ ମାଲବାହୀ ଟ୍ରେନ୍ ଚଢ଼ି ଯାଇଥିଲା। ଫଳରେ ଟ୍ରେନ୍‌ ଚକା ତଳେ କଟି ଘଟଣାସ୍ଥଳରେ ହିଁ ୧୬ ଜଣ ଶ୍ରମିକଙ୍କ ଜୀବନ ଚାଲି ଯାଇଥିଲା।

ରେଳ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜାଲ୍‌ନା ଓ ଭୁସାୱାଲ ଦୁଇଟି ସ୍ଥାନ ମହାରାଷ୍ଟ୍ରରେ ହୋଇଥିବାବେଳେ ଉଭୟ ସ୍ଥାନ ମଧ୍ୟରେ ଦୂରତା ୧୫୭ କିଲୋମିଟର। ଏହି ପ୍ରବାସୀ ଶ୍ରମିକମାନଙ୍କ ଘର ମଧ୍ୟପ୍ରଦେଶର ଉମରିୟା ଏବଂ ଶାହଡ଼ୋଲରେ। ସେମାନଙ୍କ କର୍ମସ୍ଥଳୀରୁ ସେମାନଙ୍କ ଗାଁ ପ୍ରାୟ ୮୫୦ କିମି ଦୂର। ଗୁରୁବାର ରାତି ୭ଟାରେ ସେମାନେ ଜାଲ୍‌ନା ଛାଡ଼ିଥିଲେ। କିଛି ବାଟ ରାସ୍ତାରେ ଚାଲିବା ପରେ ପୁଲିସ ଭୟରେ ଔରଙ୍ଗାବାଦ ଅଭିମୁଖେ ପଡ଼ିଥିବା ରେଳଧାରଣାରେ ଚାଲିଥିଲେ। କରନଡ୍ ଏବଂ ବଦ୍‌ନାପୁର ରେଳ ଷ୍ଟସନ ମଝିରେ ଥିବା ଏକ ସ୍ଥାନରେ ରେଳଧାରଣା ଉପରେ ଥକା ମେଣ୍ଟାଇବା ପାଇଁ ବିଶ୍ରାମ ନେବା ସମୟରେ ଏହି ଅଘଟଣ ଘଟିଥିଲା। ମାଲଗାଡ଼ିର ଡ୍ରାଇଭର ଶ୍ରମିକମାନଙ୍କୁ ରେଳଧାରଣା ଉପରେ ଦେଖି ଟ୍ରେନକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ନଥିଲା।

ଏହି ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକୁର, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଦୁର୍ଘଟଣା ସମ୍ପର୍କରେ ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କ ସହିତ କଥା ହୋଇଛନ୍ତି। ରେଳବାଇ ପକ୍ଷରୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ରେଳଧାରଣା ମଧ୍ୟକୁ ଲୋକେ ଯେଭଳି ନ ଆସିବେ ସେଥିପାଇଁ ପାଟ୍ରୋଲମ୍ୟାନମାନେ କାର୍ଯ୍ୟ କରିଥାନ୍ତି। ନିକଟସ୍ଥ ଷ୍ଟେସନକୁ ଏ ସମ୍ପର୍କରେ ସେମାନେ ସାଧାରଣତଃ ଏ ସମ୍ପର୍କରେ ସୂଚନା ଦେଇଥାନ୍ତି। ସେମାନଙ୍କର ଭୂମିକା କ’ଣ ଥିଲା ତାହାର ତଦନ୍ତ ହେବ। ଦକ୍ଷିଣ କେନ୍ଦ୍ରୀୟ ଜୋନ୍‌ ରେଳ ସୁରକ୍ଷା କମିସନର ରାମକ୍ରିପାଲ ଆଜି ନନ୍ଦେଦ୍‌ ରେଳ ଡିଭିଜନର ପରଭାନି-ମନମାଡ ସେକ୍ସନ ମଧ୍ୟରେ ହୋଇଥିବା ଏହି ଦୁର୍ଘଟଣାର ତଦନ୍ତ କରିବେ। ରେଳ ମନ୍ତ୍ରାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି।

ଶ୍ରମିକଙ୍କ ଉପରେ ଟ୍ରେନ ଚଢ଼ିଯିବା ଘଟଣାକୁ ରେଳ ଦୁର୍ଘଟଣା ଭାବେ ରେଳବାଇ ବିବେଚନା କରି ନଥାଏ। ତେବେ ଅତୀତରେ ଏଭଳି କେତେକ ଘଟଣାରେ ରେଳବାଇ ପକ୍ଷରୁ ମୃତକଙ୍କ ସମ୍ପର୍କୀୟଙ୍କୁ ଅନୁକମ୍ପା ମୂଳକ ସହାୟତା ପ୍ରଦାନର ନଜିର ରହିଛି। କିନ୍ତୁ ଏହି ଘଟଣାରେ ଏପର୍ଯ୍ୟନ୍ତ କୌଣସି ସହାୟତା ଘୋଷଣା କରାଯାଇ ନାହିଁ।

Leave A Reply