ହିମାଂଶୁ ଶେଖର ଆଚାର୍ଯ୍ୟ : ହେ ମହାତ୍ମା ! ଆଜି ପୁଣି ଥରେ ଆସିଛି ଅଗଷ୍ଟ ପନ୍ଦର । ଦେଶ ପାଳୁଛି ୭୪ତମ ସ୍ୱାଧୀନତା ଦିବସ । ଏହି ଅବିସ୍ମରଣୀୟ ୭୪ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ତୁମେ ଭାରି ମନେ ପଡୁଅଛ । ଇତି ମଧ୍ୟରେ ଚାହୁଁ ଚାହୁଁ ସ୍ୱାଧୀନତାର ୭୩ ବର୍ଷ ଅତିକ୍ରାନ୍ତ ହୋଇଛି । ଅନେକ କ୍ଷେତ୍ରରେ ଆମେ ସଫଳତା ହାସଲ କରିଥିବା ବେଳେ, କେତେକ କ୍ଷେତ୍ରରେ ଆମ ସଫଳତା ଆଶାଜନକ ହୋଇପାରିନାହିଁ । । ତୁମ ରାଜ୍ୟ ସ୍ୱପ୍ନ ଏବେବି ଅଧୁରା । ଦରିଦ୍ର-ନିଷ୍ପେଷିତ ଜନତା ଆଖିରୁ ଏବେବି ଲୁହ ଶୁଖିନି । ନାରୀମାନଙ୍କ କଥା କହିଲେ ନସରେ । ଦୁର୍ନୀତି ଓ ଭ୍ରଷ୍ଟାଚାର କଥା ଆହୁରି ତଦ୍ରୁପ । ଏସବୁ ଦେଖି ତୁମେ କିଭଳି ବ୍ୟଥିତ ହେଉଥିବ ସେକଥା କେବଳ ତୁମେହିଁ ଜାଣ । ଦୀର୍ଘ ସାତ ଦଶନ୍ଧି ପରେ ଆମର ସଫଳତା ଓ ବିଫଳତାକୁ ନେଇ ସେ ବିଷୟରେ ସବିଶେଷ ତଥ୍ୟ ଦେବା ପାଇଁ ଏହି ଖୋଲା ଚିଠିଟି ମୁଁ ତୁମ ପାଖକୁ ଲେଖୁଛି ।
ଦେଶରୁ ବିଦେଶୀ ଶାସନ ହଟିଲା ପରେ ଆମେ ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଦିନ ପାଇଲୁ ଭାରତର ସମ୍ବିଧାନ । ଏକ ସ୍ୱାଧୀନ ଗଣତାନ୍ତ୍ରିକ ଭାବେ ରାଷ୍ଟ୍ର ଭାବେ ଭାରତ ବିଶ୍ୱ ଦରବାରରେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ଚାଲିଛି । ସବୁଜ ବିପ୍ଲବ ପରେ ଏଦେଶ ଖାଦ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇ ପାରିଛି । ଶ୍ୱେତ ବିପ୍ଲବ ଯୋଗୁ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଉଲେଖନୀୟ ସଫଳତା ମିଳିଛି । ସ୍ୱାଧୀନତା ପୁର୍ବରୁ ଯେଉଁ ଦେଶରେ ପିନ୍କଣ୍ଟାଟିଏ ଉତ୍ପାଦନ ହୋଇପାରୁ ନଥିଲା ସେ ଦେଶ ଆଜି ବିଜ୍ଞାନ. ପ୍ରଯୁକ୍ତିବିଦ୍ୟା ଓ କାରିଗରିରେ ବିଶ୍ୱର ଗୋଟିଏ ଆଗ ଧାଡିର ଦେଶ । ଖାଲି ସେତିକିନୁହେଁ , ଏହି ସମୟ ଭିତରେ ଭାରତର ଚେହେରା ବଦଳିଛି ଚିହ୍ନି ନହେଲା ପରି ।
ଅର୍ଥନୈତିକ ସସ୍କାର, ଟେଲିକମ୍ ବିପ୍ଳବ, ମହାକାଶ ମାନ୍ୟତା. ସଫ୍ଟଓୟାର ମହାଶକ୍ତି ଭାବେ ନୁଆ ପରିଚିତି ଆଜି ଏ ରାଷ୍ଟ୍ରକୁ ସଫଳ ଓ ସଶକ୍ତ ରାଷ୍ଟ୍ରର ମର୍ଯାଦା ଦେଇଛି । ଶିଳ୍ପ କ୍ଷେତ୍ରରେ ଆଶାନୁରୂପ ପ୍ରଗତି ହାସଲ ହୋଇଛି । ଦେଶର ଜନସଂଖ୍ୟା ୩୬ କୋଟିରୁ ଆସି ୧୩୮ କୋଟି ଟପିସାରିଲାଣି । ଏହି ସମୟ ମଧ୍ୟରେ ଆମର ସାକ୍ଷରତା ହାର ୧୮ ପ୍ରତିଶତରୁ ୭୪ପ୍ରତିଶତକୁ ବୃଦ୍ଧି ପାଇଛି । ଦେଶର ଅଭିବୃଦ୍ଧିି ହାର ୩ ପ୍ରତିଶତରୁ ୮ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ଭାରତୀୟଙ୍କ ହାରାହାରି ପରମାୟୁ ୩୩ବର୍ଷରୁ ୬୮ବର୍ଷକୁ ବୃଦ୍ଧି ପାଇଛି । ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆମେ ଉଲ୍ଲେଖନୀୟ ସଫଳତା ହାସଲ କରିଛୁ । ବହୁ ଘାତ ପ୍ରତିଘାତ ମଧ୍ୟରେ ଏସବୁ ସଫଳତା ଭାରତକୁ ବିକାଶଶୀଳ ରାଷ୍ଟ୍ରର ମାନ୍ୟତା ଦେଇଛି ।
ଏସବୁ ସଫଳତା ସତ୍ତ୍ୱେ ବାହାରେ ଯେଉଁ ଅନାଲୋଚିତ ଦିଗ ଅଛି ତାହାହେଉଛି ଏବେବି ଭାରତରେ ରହୁଛନ୍ତି ୨୮କୋଟି ନିରକ୍ଷର,୨୬କୋଟି ଦାରିଦ୍ର୍ୟ ସୀମାରେଖା ତଳେ ଓ ଅପପୁଷ୍ଟିର ଶୀକାର ହେଉଥିବା ୪୨ପ୍ରତିଶତ ଶିଶୁ । ଏଥିସହିତ ସମସ୍ତଙ୍କୁ ଖାଦ୍ୟ, ବାସଗୃହ, ସ୍ୱାସ୍ଥ୍ୟସେବା, ବିଜୁଳି, ସଡକ, ଓ ପାନୀୟ ଜଳ ଯୋଗାଇବାରେ ମଧ୍ୟ ଆମେ ବିଫଳ ହୋଇଛୁ । ସେହିପରି ଶିଶୁ ଓ ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ ପୂରଣ କରିବାରେ ଆମର ସ୍ଥିତି ସନ୍ତୋଷଜନକ ନୁହେଁ । ଏପରିକି ସମଗ୍ର ବିଶ୍ୱରେ ଭାରତରେ ଭୋକିଲା ଲୋକଙ୍କ ସଂଖ୍ୟା ଅଧିକ । ଏହାର ମୂଳ କାରଣ ହେଉଛି ଦୁର୍ନୀତି ଓ ଭ୍ରଷ୍ଟାଚାର । ବିଡମ୍ବନା ହେଲାଯେ ଏହାର ପରିମାଣ କମୁନି ବରଂ ବର୍ଷକୁ ବର୍ଷ ବଢିବାରେ ଲାଗିଛି । ୧୯୪୮ମସିହା ଜିପ୍ କିଣା ଦୁର୍ନୀତି ଠାରୁ ଆରମ୍ଭ କରି ୧୯୯୬ ରେ ହ୍ୱାଓଲା ଓ ଗେଖାଦ୍ୟ ,୨୦୦୮ରେ ସେୟାର ବଜାର ,୨୦୧୦ରେ କମନେଓଲ୍ଥ ଗେମ୍ ,୨୦୧୧ ମସିହା ଆଦର୍ଶ ହାଉସିଂ ଓ ୨୦୧୨ ରେ ଟେଲିକମ ଦୁର୍ନୀତି ଏହାର ଗୋଟିଏ ଗୋଟିଏ ଉଦାହରଣ । ଏବେ ପୁଣି ଚର୍ଚ୍ଚାକୁ ଆସିଛି ହତ୍ୟାକାରି ବ୍ୟାପମ୍ ଦୁର୍ନୀତି । ସ୍ୱିସ୍ ବ୍ୟାଙ୍କରେ ଥିବା କଳାଧନର ପରିମାଣ ୭ହଜାରକୋଟି ଟଙ୍କାକୁ ଟପିସାରିଲାଣି । ଖାଲିସେତିକି ନୁହେଁ, ସବୁଠାରୁ ବଡ ସମସ୍ୟା ହେଉଛି ଆମ ସଂସଦୀୟ ବ୍ୟବସ୍ଥା ଭିତରକୁ ପଶିଆସୁଛନ୍ତି ଅପରାଧ ପୃଷ୍ଠଭୂମି ଥିବା ଲୋକମାନେ
ସ୍ୱାଧୀନତାର ଅର୍ଥ କେବଳ ଏକଛତ୍ରବାଦ ଶାସକ ବା ବିଦେଶୀଙ୍କ କବଳରୁ ମୁକ୍ତି ନୁହେଁ ବରଂ ଜନକଲ୍ୟାଣ ଶାସନ ପଦ୍ଧତି ଦ୍ୱାରା ସାଧାରଣ ଲୋକଙ୍କୁ ବଞ୍ଚିବାର ମୌଳିକ ଆବଶ୍ୟକତା ଯୋଗାଇ ଦେବା । ସେ ସ୍ୱପ୍ନ ଆଜି ସୁଦୂର ପରାହତ । ବିଶ୍ୱ କ୍ଷୁଧା ସୂଚକାଙ୍କ ରିପୋର୍ଟ ଅନୁସାରେ ବିଶ୍ୱର ୮୦ଟି ବିକାଶମୁଖୀ ଦେଶମାନଙ୍କ ମଧ୍ୟରୁ ଆମ ଦେଶର ସ୍ଥାନ ହେଉଛି ୬୭ ତମ । ସମ୍ପ୍ରତି ପ୍ରାୟ ୧୩୮ କୋଟି ଲୋକଙ୍କ ମଧ୍ୟରୁ ୧୯ ପ୍ରତିଶତ ଲୋକ କ୍ଷୁଧାର୍ତ୍ତ ତାଲିକାରେ ଅଛନ୍ତି । ୪୨ ପ୍ରତିଶତ ଶିଶୁଙ୍କ ଓଜନ ସ୍ୱାଭାବିକ ଓଜନ ଠାରୁ କମ୍ । ୭ ପ୍ରତିଶତ ଶିଶୁ ଜନ୍ମର ୫ ବର୍ଷ ମଧ୍ୟରେ ମୃତୁ୍ୟବରଣ କରିଥାନ୍ତି । ଦିନକୁ ଦିନ ଆମ ମା-ଭଉଣୀ ମାନେ ଅସୁରକ୍ଷିତ ଅବସ୍ଥା ଭିତରକୁ ଠେଲି ହୋଇଯାଉଛନ୍ତି । ଦିଲ୍ଲୀ ଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଦୁଷ୍କର୍ମର ଏକ ଲମ୍ବା ତାଲିକା ।
ଏବେବି ବିଶ୍ୱର ଅର୍ଦ୍ଧାଧିକ ନିରକ୍ଷର ଲୋକ ସ୍ୱାଧୀନ ଭାରତରେ ଅଛନ୍ତି । ଦୁର୍ନୀତି କଥା ନ କହିବା ଭଲ । ହଜାର ହଜାର ଲୋକ ଆଜିବି ଦାଦନ ଖଟୁଛନ୍ତି । କ୍ରମାଗତ ଚାଷୀ ଆତ୍ମହତ୍ୟା ଜାରି ରହିଛି । ୫୪ କୋଟି ଯୁବକ ମାନଙ୍କ ଦେଶ ଭାରତରେ ନିଯୁକ୍ତି ନପାଇ ଜନସଂଖ୍ୟାର ଏକ ବଡ ଭାଗ ବାହାରେ ଶୁଣ୍ଢିପିଣ୍ଡା ହେଉଛନ୍ତି । ଜାତି ଧର୍ମନାମରେ ସାଂପ୍ରଦାୟିକ ଦଙ୍ଗା ଦେଶର ବିଭିନ୍ନ ସ୍ଥାନରେ ଘଟୁଛି । ସ୍ୱାଧୀନତାର ସାତ ଦଶନ୍ଧି ପରେ ସବୁଲୋକଙ୍କୁ ଦୁଇ ଓଳି ପେଟପୁରା ଆହାର ମିଳିଲା ନାହିଁ କି ସବୁ ଶିଶୁ ବିଦ୍ୟାଳୟ ଦୁଆର ମୁହଁ ମାଡି ପାରିଲେନି ।ଏହାହିଁ କ୍ଷୋଭର ବିଷୟ ।
ଇତି ମଧ୍ୟରେ ସାତ ଦଶନ୍ଧି ଅତିକ୍ରାନ୍ତ ହୋଇଛି । ଏହି ସମୟ ମଧ୍ୟରେ ଆମେ ଆଗକୁ ବଢି ଚାଲିଛୁ ଆଜିଯାଏ । ହେଲେ ବାସ୍ତବରେ ଆମେ କେତେ ସ୍ୱାଧୀନ ତାହା ଚିନ୍ତା କରିବାର ଅଛି । କାରଣ ଅନେକ କ୍ଷେତ୍ରରେ ସ୍ୱାଧୀନତା ଏବେବି ଅପହଞ୍ଚ ହୋଇରହିଛି । ଗୋଟିଏ ପଟେ ସୁପରପାୱାର ସ୍ୱପ୍ନ ଆମେ ଦେଖୁଥିବା ବେଳେ ଅନ୍ୟପଟେ ଦୁର୍ନୀତି,ଭ୍ରଷ୍ଟାଚାର,ଦାରିଦ୍ର୍ୟ,ବେକାରୀ ଓ ନିରକ୍ଷରତା ଭଳି ସମସ୍ୟା ଆମ ପ୍ରଗତି ପଥରେ ପ୍ରତିବନ୍ଧକ ସାଜିଛି । ଏସବୁ ସମସ୍ୟାର ସମାଧାନ ପାଇଁ ଦୃଢ ଇଛାଶକ୍ତି ଲୋଡା ।
ଆରପାରିରେ ଥିଲେ ବି ତୁମ ତ୍ୟାଗ, ବଳିଦାନ ଓ ଜୀବନାଦର୍ଶରୁ ଆମକୁ ପ୍ରେରଣା ନେବାକୁ ହେବ । ସେହିପରି ଅନ୍ୟାନ୍ୟ ଦେଶଭକ୍ତ ସଂଗ୍ରାମୀ ଓ ବରପୁତ୍ରମାନଙ୍କ ଆଦର୍ଶକୁ ପାଥେୟ କରି ଆମକୁ ଆଗକୁ ବଢିବାକୁ ହେବ । ପଥ ବହୁଦୂର । ଖାଲ,ଢିପ ମଧ୍ୟ ତଥାପି ତୁମର ଆଶିଷ ବାରି ଆମ ମଥା ଉପରେ ଝରିପଡୁ । ତୁମ ଚିନ୍ତା-ଚେତନା ଆମ ଭିତରେ ଜୀବନ୍ୟାସ ପାଉ । ତାହାଲେ ଯାଇ ଆମେ ତୁମେ ଦେଖିଥିବା ରାମ ରାଜ୍ୟର ସ୍ୱପ୍ନକୁ ସାକାର କରିପାରିବୁ !