ଅସୁରାଳି,ତା28/2 :ଧାମନଗର ବ୍ଲକ ଧୂଷୁରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ଶିକ୍ଷକଙ୍କ ନାମରେ ଛାତ୍ରୀମାନଙ୍କୁ ଅସଦାଚରଣ କରିବା ଭଳି ସଙ୍ଗିନ ଅଭିଯୋଗ ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରିବା ଦାବି ନେଇ ଶତାଧିକ ଅଭିଭାବକ ଆଜି ଧୂଷୁରୀ ଥାନାରେ ଅଡି ବସିଛନ୍ତି । ଏହି ଅଭାବନୀୟ ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ସୂଚନା ଅନୁସାରେ ଧୂଷୁରୀ ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ତପନ ମହାନ୍ତି ଆଜି ଚତୁର୍ଥ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀ ଏବଂ ତାଙ୍କର ଅନ୍ୟ କେତେକ ସାଙ୍ଗଙ୍କୁ ଡାକିଥିଲେ । ଏମାନେ ସାରଙ୍କ ପାଖକୁ ଯିବାରୁ ସେ ଛାତ୍ରୀ ମାନଙ୍କ ଶରୀରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ହାତ ମାରିବା ସହ ଏ ବିଷୟରେ କାହାକୁ କିଛି କହିଲେ ତଣ୍ଟି ଚିପି ମାରିଦେବାକୁ ଧମକାଇ ଥିଲେ । ଜଣେ ଛାତ୍ରୀ ବିଦ୍ୟାଳୟରେ ଘଟିଥିବା ଘଟଣା ସମ୍ପର୍କରେ ଘରେ ଯାଇ ତାର ବାପାଙ୍କୁ କହିଥିଲେ । ଏହା ପରେ ସମ୍ପୃକ୍ତ ଶିକ୍ଷକଙ୍କ ଦ୍ୱାରା ଏଭଳି ଅସଦାଚରଣର ଶିକାର ହୋଇଥିବା ଅନ୍ୟ ଛାତ୍ରୀମାନଙ୍କ ଅଭିଭାବକ ମାନେ ମଧ୍ୟ ଏକଥା ଜାଣିବାକୁ ପାଇଥିଲେ । ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଭଣ୍ଡାରିପଡା ଅଞ୍ଚଳର ଜଣେ ଅଭିଭାବକ ଧୂଷୁରୀ ଥାନାରେ ମଙ୍ଗଳବାର ସନ୍ଧ୍ୟାରେ ଏତଲା ଦେଇଛନ୍ତି । ଅଭିଯୁକ୍ତ ଶିକ୍ଷକ ତପନ ମହାନ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକରି ବହୁସଂଖ୍ୟକ ଅଭିଭାବକ ଏବଂ ଜନସାଧାରଣ ଥାନାରେ ପହଞ୍ଚି ଦାବି କରି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଭିଡ କରିଛନ୍ତି । ସମ୍ପୃକ୍ତ ଶିକ୍ଷକ ଜଣକ ବିଭିନ୍ନ ପ୍ରକାରର ଅଭିଯୋଗରେ ଛନ୍ଦି ହୋଇ ବିବାଦୀୟ ପରିସ୍ଥିତିରେ ଇତି ପୂର୍ବରୁ କିଛି ବିଦ୍ୟାଳୟରୁ ବଦଳି ହୋଇଥିବା ଜଣାପଡିଛି । ଛାତ୍ରୀ ଅସଦାଚରଣ ଭଳି ଗୁରୁତର ଅଭିଯୋଗରେ ତାଙ୍କ ବିରୁଦ୍ଧରେ ପୁଲିସ ମାମଲା ରୁଜୁ ହେବ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି ।