Odisha news

ନାରୀ ସଶକ୍ତିକରଣ ଯୋଜନା ତ୍ୱରାନ୍ୱିତ ହେଉ

ହିମାଂଶୁ ଶେଖର ଆଚାର୍ଯ୍ୟ : ବିଗତ ୨୦୧୧ ଜନଗଣନା ଅନୁସାରେ ଆମ ଦେଶର ମୋଟ ଜନସଂଖ୍ୟା ୧୨୧କୋଟି ୧୧ଲକ୍ଷ । ତନ୍ମଧ୍ୟରୁ ୬୨କୋଟି ୩୭ଲକ୍ଷ ପୁରୁଷ ଓ ୫୮ କୋଟି ୬୪ଲକ୍ଷ ମହିଳା । ଅର୍ଥାତ୍ ମୋଟ ଜନସଂଖ୍ୟାର ୪୮.୩ପ୍ରତିଶତ ହେଲେ ମହିଳା । ପ୍ରତ୍ୟେକ ୧୦୦୦ପୁରୁଷଙ୍କ ଅନୁପାତରେ ନାରୀମାନଙ୍କ ସଂଖ୍ୟା ୯୪୦ ।

ଏଣୁ ଦେଶର ଆର୍ଥିକ ସାମଜିକ ବିକାଶ କ୍ଷେତ୍ରରେ ନାରୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମାତ୍ର ଦେଶର ଏତେବଡ ମାନବ ସମ୍ବଳକୁ ବିକାଶ ପ୍ରକ୍ରିୟାରେ ପୂର୍ଣ୍ଣଭାବେ ବିନିଯୋଗ କରାଯାଇ ପାରିନାହିଁ । ବରଂ ସେମାନଙ୍କ ଉପରେ ଅତ୍ୟାଚାର, ବ୍ୟଭିଚାର, ହିଂସାତ୍ମକ ଆଚରଣ ପ୍ରଦର୍ଶନ କରି ଉତ୍ପୀଡନ କରାଯାଉଛି । ନାରୀମାନଙ୍କୁ ସେମାନଙ୍କ ନାର୍ଯ୍ୟ ଅଧିକାରରୁ ବଞ୍ଚିତ କରାଯାଇ ସମାଜରେ ଏକ ନିମ୍ନ ମାନର ଜୀବନଯାପନ କରିବାର ବ୍ୟବସ୍ଥା ରହିଆସିଛି । ଆମ ସମାଜରେ ନାରୀ ଏକ ଗୃହିଣୀ ଓ ସନ୍ତାନ ପ୍ରସବକାରୀ ରୂପେ ବିବେଚନା କରାଯାଏ । ସେହିପରି ଆମ ପୁରୁଷ ପ୍ରଧାନ ସମାଜରେ ନାରୀକୁ ଉନ୍ନୟନର ଏକ ଉପାଦାନ ବା ସବୁକ୍ଷେତ୍ରରେ ପରୁଷ ସହିତ ସମକକ୍ଷ ହୋଇ କାମ କରିବାର ସୁଯୋଗ ମଧ୍ୟ ଦିଆଯାଏ ନାହିଁ । ପୁରୁଷ ଉପରେ ସଦା ସର୍ବଦା ନାରୀ ନିର୍ଭରଶୀଳ ବୋଲି ମନେକରାଯାଏ । ବହୁ ପରିବାରରେ ଗୋଟିଏ ଝିଅପିଲାର ଜନ୍ମକୁ ଅଭିଶାପ ବୋଲି ଏବେ ମଧ୍ୟ ଧରାଯାଏ ।

ଏପରିକି ନାରୀମାନଙ୍କୁ ସେମାନଙ୍କ ରାଜନୈତିକ ସ୍ୱାଧୀନତା ଓ ଅଧିକାରରୁ ବଞ୍ଚିତ କରାଯାଇଛି । ଦେଶ ସ୍ୱାଧୀନ ହେବାର ୭୪ ବର୍ଷ ଅତିବାହିତ ହେଲେ ମଧ୍ୟ ଦେଶର ଆଇନ ପ୍ରଣୟନ ଓ ବିକାଶ ପ୍ରକ୍ରିୟାରେ ନାରୀମାନଙ୍କ ଉପଯୁକ୍ତ ପ୍ରତିନିଧିତ୍ୱ ହେବାର ଦେଖାଯାଇନାହିଁ ।

ନାରୀମାନଙ୍କ ସୁରକ୍ଷା ଓ ସ୍ୱାଧୀନତା ନିମନ୍ତେ ବହୁ ବୈଧାନିକ ଓ ସାମ୍ବିଧାନିକ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ବହୁ ସଂଖ୍ୟକ ନାରୀ ଆଜି ହିଂସାତ୍ମକ ଆଚରଣର ଶିକାର ହେଉଛନ୍ତି । ସେମାନଙ୍କୁ ଶାରୀରିକ ନିର୍ଯାତନା, ମାନସିକ ନିର୍ଯାତନା, ଯୈାନ ନିର୍ଯାତନା ଦେବା ସହ ଭୟ ଦେଖାଇବା ଏପରିକି ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ଓ ହତ୍ୟା କରିବା ଆଦି ଘଟଣା ଆମ ଦେଶରେ ସାଧାରଣ ହେଇଗଲାଣି । ମିଳିଥିବା ପରିସଂଖ୍ୟାନରୁ ଜଣାଯାଏ ଭାରତରେ ପ୍ରତ୍ୟେକ ୭ମିନିଟ୍ରେ ଜଣେ ମହିଳାଙ୍କ ପ୍ରତି ଏକ ଅପରାଧ ସଂଗଠିତ ହୁଏ ଏବଂ କେବଳ ଘର ଭିତରେ ପ୍ରତ୍ୟେକ ୧୪ମିନିଟ୍ରେ ଜଣେ ମହିଳାଙ୍କ ପ୍ରତି ନିଷ୍ଠୁରତା କରାଯାଏ । ପ୍ରତ୍ୟେକ ୬ମିନିଟ୍ରେ ଗୋଟି ଧର୍ଷଣହୁଏ, ପ୍ରତ୍ୟେକ ୧୦୦ମିନିଟ୍ରେ ଗୋଟିଏ ଯୌତୁକ ଜନିତ ମୃତୁ୍ୟ ହୁଏ । ବଳାକôାର ଓ ଯୌନ ନିର୍ଯାତନା ପ୍ରତି ୨୬ ମନିଟ୍ରେ ହୁଏ । ସେହିପରି ନାରୀ ଅପହରଣ ପ୍ରତ୍ୟେକ ୪୦ ମନିଟ୍ରେ ଏବଂ ଅଶୀଳତା ପ୍ରଦର୍ଶନ ପ୍ରତ୍ୟେକ ୫୧ ମନିଟ୍ରେ ହୁଏ । ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ଆମ ସମାଜରେ ନାରୀମାନେ ସବୁ ଦୃଷ୍ଟିରୁ ସମାଜକୁ ଅଧିକ ଦାନ କରିଥାନ୍ତି, ତଥାପି ସେମାନେ ନିର୍ଯାତିତା, ଉତ୍ପୀଡତା, ଅସୁରକ୍ଷିତା ।

ବିଳମ୍ବରେ ହେଲେ ମଧ୍ୟ ନାରୀ ସଶକ୍ତିକରଣକୁ ଉନ୍ନୟନ ଯୋଜନା ପ୍ରକ୍ରିୟାର ଏକ ପ୍ରଧାନ ଆଭିମୁଖ୍ୟ ଭାବେ ଗ୍ରହଣ କରାଯାଇଛି । ଏଥିପାଇଁ ସ୍ଥାନୀୟ, ରାଜ୍ୟ, ଜାତୀୟ ଏପରିକି ବିଶ୍ୱ ସ୍ତରରେ ନାରୀମାନଙ୍କୁ ନିର୍ଯାତନା ତଥା ଉତ୍ପୀଡନରୁ ରକ୍ଷାକରିବା ପାଇଁ ବହୁ ନାରୀ ସଂଗଠନ ମିଳିତ ଭାବରେ ସ୍ୱର ଉତ୍ତୋଳନ କଲେଣି । ନାରୀମାନଙ୍କୁ ଆଉ ନିର୍ଯାତନା ନଦେଇ ସମାଜରେ ସେମାନଙ୍କୁ ଉପଯୁକ୍ତ ସ୍ଥାନ ଓ ସମ୍ମାନ ଦେବା ନିମନ୍ତେ ସାଧାରଣରେ ମତ ପ୍ରକାଶ ପାଇଲାଣି । ଏଥିପାଇଁ ୧୯୯୫ ମସିହା ଜାତି ସଂଘ ଦ୍ୱାରା ଆହୂତ କାଏରୋ ସମ୍ମୀଳନୀରେ ନାରୀ ସଶକ୍ତିକରଣ ଉପରେ ବହୁ ଆଲୋଚନା କରାଯାଇ ଏଦିଗରେ ସଭ୍ୟ ରାଷ୍ଟ୍ରମାନେ ନିଦ୍ଦିଷ୍ଟ ପଦକ୍ଷେପ ନେବାର ଆହ୍ୱାନ କରାଯାଇଥିଲା । ସେହି ସମୟରୁ ପ୍ରତ୍ୟେକ ଦେଶରେ ଅର୍ଥିକ ବିକାଶ ପ୍ରକ୍ରିୟାରେ ଲିଙ୍ଗ ସମାନତା, ଲିଙ୍ଗ ସମତା ଓ ଲିଙ୍ଗ ସଶକ୍ତିକରଣ ଉପରେ ଗୁରୁତ୍ୱ ଦିଆଯାଇ ଆସୁଅଛି ।

ନାରୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଉପଯୁକ୍ତ ସୁଯୋଗ ଦେଇ ସେମାନଙ୍କୁ ଦେଶର ମୁଖ୍ୟ ସ୍ରୋତରେ ସେମାନଙ୍କୁ ସାମିଲ କରିବା ପାଇଁ କେନ୍ଦ୍ର ସରକାର ମହିଳା ଓ ଶିଶୁ ବିକାଶ ବିଭାଗ ଖୋଲିଛନ୍ତି । ଏହି ବିଭାଗ ଦ୍ୱାରା ବିଭିନ୍ନ ଯୋଜନାମାନ ପ୍ରଣୟନ କାରାଯାଇ ସେମାନଙ୍କୁ ସଶକ୍ତିକରଣ କରିବାର ଲକ୍ଷ୍ୟ ରଖାଯାଇଛି । ଦେଶର ନାରୀମାନଙ୍କୁ ସଶକ୍ତ କରିବା ନିମନ୍ତେ ୧୯୯୨ ମସିହାରେ ଜାତୀୟ ମହିଳା କମିଶନ ସ୍ଥାପନ କରାଯାଇଅଛି ।ବିଭିନ୍ନ ନାରୀ ସଂକ୍ରାନ୍ତୀୟ ଆଇନଗୁଡିକୁ ପନଃବ୍ୟାଖ୍ୟା କରିବା, କାର୍ଯ୍ୟାଳୟରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ ଧରଣର ଉତ୍ପୀଡନ ଓ ଯୌନ ନିର୍ଯାତନାକୁ ପ୍ରତିରୋଧ କରିବା ଓ ସେଗୁଡିକ ନିରାକରଣ ନିମିତ୍ତ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏହି କମିଶନର ମୁଖ୍ୟ ଉଦେ୍ଦଶ୍ୟ । ରାଜ୍ୟ ସ୍ତରରେ ରାଜ୍ୟ ମହିଳା କମିଶନ ମଧ୍ୟ ମହିଳାମନାଙ୍କୁ ବିଭିନ୍ନ ନିର୍ଯାତନାରୁ ରକ୍ଷା କରିବାପାଇଁ ଉଦ୍ୟମ କରୁଛନ୍ତି । ଏତଦ୍ ବ୍ୟତୀତ ୧୯୯୩ ମସିହାରେ ଅଣଆନୁଷ୍ଠାନିକ କ୍ଷେତ୍ରରେ କାମ କରୁଥିବା ଗରିବ ଓ ଅଭାବୀ ମହିଳାମାନଙ୍କୁ ଋଣ ଯୋଗାଣ ନିମନ୍ତେ ରାଷ୍ଟ୍ରୀୟ ମହିଳା କୋଷ ସ୍ଥାପନ କରାଯାଇଅଛି । ଏହା କେବଳ ମହିଳାମାନଙ୍କ ପାଇଁ ଏକ ଜାତୀୟ ୠଣନିଧି ବା ସଞ୍ଚିତ ଅର୍ଥ ।

ଗ୍ରାମୀଣ ମହିଳା ଓ ଶିଶୁ ଉନ୍ନୟନ ଯୋଜନା ମଧ୍ୟ ଅନୁରୂପ ଭାବେ କାର୍ଯ୍ୟ କରାଯାଉଛି । ମହିଳାମାନଙ୍କ ଅର୍ଥନୈତିକ ସାମାଜିକ ବିକାଶ ଏହାର ଲକ୍ଷ୍ୟ । ଏଥିନିମନ୍ତେ ମହିଳାମାନେ ଦଳଗତଭାବେ ଆୟ ଉତ୍ପାଦନକାରୀ ସଂସ୍ଥା ଖୋଲିବାକୁ ଚାହିଁଲେ ଏହି ଯୋଜନା ମାଧ୍ୟମରେ ସେମାନଙ୍କୁ ଆର୍ଥିକ ସାହାଯ୍ୟ ଦିଆଯାଇଥାଏ । ସେହିପରି ମହିଳା ବିକାଶ ନିଧି ହେଉଛି ଆଉ ଏକ ଯୋଜନା ଯାହା ଭାରତୀୟ କ୍ଷୁଦ୍ର ଶିଳ୍ପ ଉନ୍ନୟନ ବ୍ୟାଙ୍କଦ୍ୱାରା ସୃଷ୍ଟି କରାଯାଇଥିବା ଏକ ପାଣ୍ଠି । ଏହାର ଉଦେ୍ଦଶ୍ୟ ହେଉଛି ଶିଳ୍ପ କ୍ଷେତ୍ରରେ ଦରିଦ୍ର ମହିଳାମାନଙ୍କ ପାଇଁ ଆତ୍ମ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ସ୍ୱେଚ୍ଛାସେବୀ ସଂସ୍ଥାମାନଙ୍କୁ ଏହି ପାଣ୍ଠିରୁ ସହାୟତା ଯୋଗାଇ ଦିଆଯାଏ । ଏଥିସହିତ ୨୦୦୮-୦୯ବର୍ଷରୁ ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି ସୁଜନ କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରାଯାଉଛି । ଏହି ଯୋଜନାରେ ମହିଳାମାନଙ୍କ ସମେତ ଗରିବ ଶ୍ରେଣୀଭୁକ୍ତ ବ୍ୟକ୍ତିମାନଙ୍କୁ ଅଗ୍ରାଧିକାର ଦିଆଯାଉଛି । ୧୯୯୭ ଡିସେମ୍ବର ପହିଲାରୁ ସ୍ୱର୍ଣ୍ଣ ଜୟନ୍ତୀ ସହରୀ ରୋଜଗାର ଯୋଜନା କାର୍ଯ୍ୟକାରୀ ହେଉଅଛି । ଏହି ଯୋଜନା ମାଧ୍ୟମରେ ସହରୀ ଗରିବ ଶ୍ରେଣୀର ମହିଳାମାନଙ୍କୁ ସେମାନଙ୍କ ଅର୍ଥନୈତିକ ସ୍ଥିତିର ଉନ୍ନତି ପାଇଁ ପ୍ରୋସôାହନ ଦିଆଯାଉଛି ।

ନାରୀମାନଙ୍କୁ କାର୍ଯ୍ୟ ଦକ୍ଷତା, ସହସିକତା ଓ ଅନ୍ୟାନ୍ୟ ବିଶେଷ ଦକ୍ଷତା ପ୍ରଦର୍ଶନ ନିମିତ୍ତ ସ୍ତ୍ରୀ ଶକ୍ତି ପୁରସ୍କାର ବ୍ୟବସ୍ଥା କରାଯାଇଅଛି । ଯେଉଁ ବ୍ୟକ୍ତି ବିଶେଷ ବା ଅନୁଷ୍ଠାନ ନାରୀମାନଙ୍କୁ ଏଦିଗର ସାହାଯ୍ୟ ତଥା ପ୍ରେରଣା ଯୋଗାଇ ଆସୁଛନ୍ତି ସେମାନଙ୍କୁ ପୁରସ୍କୃତ କରିବାର ମଧ୍ୟ ବ୍ୟବସ୍ଥା ରହିଛି । କନ୍ୟା ସନ୍ତାନମାନଙ୍କର ସୁରକ୍ଷା ତଥା ଶିକ୍ଷା ସୁନିଶ୍ଚିତ କରିବା ପାଇଁ ୨୦୧୫ ମସିହା ଜାନୁଆରୀ ୨୨ତାରିଖ ଠାରୁ ବେଟି ବଞ୍ଚାଅ, ବେଟିପଢାଅ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏପରିକି ଚଳିତ ବର୍ଷ ଜାତୀୟ କନ୍ୟା ଦିବସ ପାଳନ ଅବସରରେ ସୃଷ୍ଟି ଗୋସ୍ୱାମୀଙ୍କୁ ଗୋଟିଏ ଦିନପାଇଁ ମୁଖ୍ୟମନ୍ତ୍ରୀ କରି ଏକ ନିଆରା ଉଦାହରଣ ସୃଷ୍ଟି କରାଯାଇଛି । ଦେଶରେ ଦୃତ ଗତିରେ ହ୍ରାସ ପାଉଥିବା ଶିଶୁ ଲିଙ୍ଗାନୁପାତକୁ ଦୃଷ୍ଟିରେ ରଖି କନ୍ୟା ସନ୍ତାନମାନଙ୍କ ସୁରକ୍ଷା ସମେତ ସେମାନଙ୍କ ଶିକ୍ଷା ସୁନିଶ୍ଚିତ କରିବାକୁ ଭାରତ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ଏଥିସହିତ ଇନ୍ଦ୍ରାଗାନ୍ଧୀ ମାତୃତ୍ୱ ସହେଯାଗ ଯୋଜନା କେନ୍ଦ୍ର ସରକାରଙ୍କ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ୧୯ବର୍ଷରୁ ଉଦ୍ଧ୍ୱର୍ ଆସନ୍ନ ପ୍ରସବା ମହିଳା ଓ ଜନନୀମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ଉଚିତ୍ ଧ୍ୟାନ ଦେବା ଲକ୍ଷ୍ୟରେ ଦେଶର କାର୍ଯ୍ୟକାରୀ କରାଯାଉଛି । ପ୍ରଥମ ଦୁଇଟି ସନ୍ତାନ ପ୍ରସବ କ୍ଷେତ୍ରରେ ମହିଳାମାନଙ୍କୁ ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରତ୍ୟେକ୍ଷ ସୁବିଧା ହସ୍ତାନ୍ତର ଯୋଜନାରେ ୬୦୦୦ଟଙ୍କା ପ୍ରଦାନ କରାଯାଉଛି । ସର୍ବୋପରି ମହିଳାମାନଙ୍କ ବିରୋଧରେ ହେଉଥିବା ହିଂସାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ପୂର୍ବତନ ମୁଖ୍ୟ ବିଚାରପତି ଜେ.ଏସ୍ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ । କମିଟି ରିର୍ପୋଟ ଆଧାରରେ ସରକାର ମହିଳାମାନଙ୍କ ବିରୋଧରେ ହେଉଥିବା ହିଂସାକୁ ଦମନ କରିବା ପାଇଁ ଏକ ଅଧ୍ୟାଦେଶ ମଧ୍ୟ ଜାରି କରିଛନ୍ତି ।
ଏସବୁ ସତ୍ତ୍ୱେ ପ୍ରତି ମୁହୂର୍ତ୍ତରେ ନାରୀକୁ ନୂଆ ନୂଆ ସଂଘର୍ଷର ସମ୍ମୁଖୀନ ହେବାକୁ ପଡୁଛି ।

ଦିନକୁ ଦିନ ନୂଆ ନୂଆ ଘଟଣା ଘଟିବାରେ ଲାଗିଛି । ସଭ୍ୟତା ଯେତେ ଆଗଉଛି ଆମ ଭିତରେ ଭୋକ୍ତା ମନୋଭାବ ସେତେ ବଢିବାରେ ଲାଗିଛି । ତେଣୁ କେବଳ ଆମ ଦେଶ ନୁହେଁ, ବିଶ୍ୱସ୍ତରରେ ନାରୀ ମୁକ୍ତି ଆନେ୍ଦାଳନ ପାଇଁ ସବୁଦେଶ ତତ୍ପର । ଆମ ଦେଶ ତଥା ରାଜ୍ୟ କଥା ଚିନ୍ତାକଲେ ବିଭିନ୍ନ ଯୋଜନା ସତ୍ତ୍ୱେ ନାରୀମାନଙ୍କ ପ୍ରତି ଅନ୍ୟାୟ, ଅତ୍ୟାଚାର, ଉତ୍ପୀଡନ ଥମିବାର ନାଁ ଧରୁନି । ଏବେବି ଘରେ ବା ବାହାରେ ସେମାନଙ୍କୁ ପ୍ରତି ପ୍ରତିମୁହୂର୍ତ୍ତରେ ବିପଦର ସାମ୍ନା କରିବାକୁ ପଡୁଛି । ଛୋଟ ପଲା ଠାରୁ ଆରମ୍ଭକରି କିଶୋରୀ, ମହିଳା ଏପରିକି ବୃଦ୍ଧାମାନେ ମଧ୍ୟ ନିଜକୁ ନିରାପଦ ମଣୁନାହାଁନ୍ତି । ସବୁଠି ମହିଳାମାନଙ୍କ ଆଡକୁ ଲୋଲୁପ ଦୃଷ୍ଟି । କୁହାଯାଏ-ନାରୀ ଜନନୀ, ଜାୟା, ଭଗିନୀ । ଏହି ମାନସିକତା ଆମ ଭିତରେ କେବେ ସୃଷ୍ଟି ହେବ କେଜାଣି? ନାରୀକୁ ମଣିଷ ଭାବେ ଦେଖିବାର ମାନସିକତା ଆମ ଭିତରେ ଥରେ ସୃଷ୍ଟି ହେଲେ ଏଭଳି ସମସ୍ୟା ଉପୁଜନ୍ତା ନାହିଁ ।

Comments are closed.