ଯଦୁମଣି ପାଣିଗ୍ରାହୀ : ବିଶ୍ୱ ମହାମାରୀ କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଗତ ମାର୍ଚ୍ଚ ମାସରୁ ଦେଶରେ ଜାରି କରାଯାଇଥିବା ଲକଡାଉନ୍ କଟକଣାର ୨ୟ ପର୍ଯ୍ୟାୟ ଶେଷ ଯାଏଁ ଦେଶରେ ମାଦକ ଦ୍ରବ୍ୟର କାରବାରକୁୁ ସଂପୂର୍ଣ୍ଣ ଭାବେ ନିଶିଦ୍ଧ କରାଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ଏହି କାରବାରକୁ ଅନୁମତି ଦିଆଯିବା ଯୋଗୁଁ ଏବେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟିି ହୋଇଛି । ଆମ ରାଜ୍ୟରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଦୈନିକ ବଢି ବଢି ଚାଲିଥିବା ବେଳେ ନିଶାଦ୍ରବ୍ୟ ସେବନ ଓ କରୋନା ଜନିତ ସରକାରୀ ନିୟମର ଉଲ୍ଲଘଂନ ଏହାର ପ୍ରମୁଖ କାରଣ ପାଲଟିଛି । ଆଜି ଏ ରାଜ୍ୟର ଅଧିକାଂଶ ଲୋକ ବିଶେଷ କରି ଯୁବ ଗୋଷ୍ଠୀ ନିଶା କବଳରେ ପଡିଥିବା ବେଳେ ସାଂପ୍ରତିକ କରୋନା ପରିସ୍ଥିତିରେ ଏହା ସେମାନଙ୍କ ଲାଗି ତଥା ଅନ୍ୟମାନଙ୍କ ବିପଦର କାରଣ ପାଲଟିଛି ।
ଓଡିଶା ଭଳି ରାଜ୍ୟରେ ମଦ କାରବାରରୁ ସରକାର ଏକ ବଡ ଧରଣର ରାଜସ୍ୱ(ମାସିକ ପ୍ରାୟ ୪ଶହ କୋଟି) ପାଉଥିବା ଯୋଗୁଁ ଏହି କାରବାର ଚାଲିଲେ ସରକାର ତାଙ୍କ ରାଜସ୍ୱ ପାଇବେ ସତ ହେଲେ ଏହା ଆଗାମୀ ଦିନରେ ଯେ ମହା ବିପଦ ସୃଷ୍ଟି କରିବ ଏହା ନିଶ୍ଚିତ । ମହାମାରୀ କରୋନାକୁ ପ୍ରତିହତ କରିବାକୁ ଆମ ପ୍ରଧାନମନ୍ତ୍ରୀ ଧୂମପାନ, ମଦ୍ୟପାନ ନ କରିବାକୁ ଆହ୍ୱାନ ଦେଇଛନ୍ତି । ଧୂମ ପାନ ଓ ମଦ୍ୟପାନରୁ ସାଧାରଣ ଲୋକ ଦୂରେଇ ରହିବା ସହ ଏଣେ ତେଣେ ଛେପ ନପକାଇବା, ବାରମ୍ବାର ହାତ ଧୋଇବା, ମାସ୍କ ପରିଧାନ ସହିତ ପ୍ରତିଦିନ ଯୋଗ ଓ ପ୍ରାଣାୟାମ କରିବାକୁ ବି ପରାମର୍ଶ ଦେଇଛନ୍ତି । ଏ ସଂକ୍ରାନ୍ତୀୟ ପରାମର୍ଶକୁ ସମସ୍ତେ ନିଷ୍ଠାର ସହିତ ପାଳନ କରିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏତାଦୃଶ ଆହ୍ୱାନ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ । ତେବେ ଏ ସଂକ୍ରାନ୍ତୀୟ କଡାକଡି ଆଇନ ଦେଶବ୍ୟାପୀ ପ୍ରଣୟନ କରା ନଗଲେ ଏହାକୁ ମାନିବ ବା କିଏ? ଧୂମ ପାନ, ମଦ୍ୟପାନ ଓ ଗୁଟକା, ତମାଖୁ ସମେତ ଅନ୍ୟାନ୍ୟ ମାଦକ ଦ୍ରବ୍ୟର ସେବନ, ବିକ୍ରୀ, ଉତ୍ପାଦନ ଓ ପରିବହନକୁ ସାରା ଦେଶରେ ନିଶିଦ୍ଧ କରିବା ଦିଗରେ ପଦକ୍ଷେପ ନିଆଯିବା ଉଚିତ ।
ବିଶ୍ୱ ସ୍ୱାସ୍ଥ୍ର୍ୟ ସଙ୍ଗଠନ କରୋନା ପରିପ୍ରେକ୍ଷୀରେ ଜାରି କରିଥିବା ମାର୍ଗଦର୍ଶିକାରେ ନିଶା ସେବନକାରୀଙ୍କ ଶରୀରରେ ରୋଗ ପ୍ରତଷେଧକ ଶକ୍ତି କମ୍ ରହୁଥିବା ଏବଂ ସେମାନଙ୍କ ଶ୍ୱାସ ନଳୀରେ ସଂକ୍ରମଣ ସହିତ ଦୁର୍ବଳ ଅବସ୍ଥା ଥିବାରୁ କରୋନା ଭୂତାଣୁ ଏମାନଙ୍କ ଶରୀରରେ ସହଜରେ ପ୍ରବେଶ କରି ପାରୁଥିବା ଦର୍ଶା ଯାଇଥିଲା । ଏହାବ୍ୟତୀତ ସଙ୍ଗରୋଧ କରୋନାର ଅନ୍ୟତମ ପ୍ରତିଷେଧକ ହୋଇଥିବା ବେଳେ ନିଶାଗ୍ରସ୍ତ ଅବସ୍ଥାରେ ନିଶାଡି ମାନେ ହିତାହିତ ଜ୍ଞାନ ହରାଇ ସଙ୍ଗରୋଧ ଭଙ୍ଗ କରିବା କରୋନା ବ୍ୟାପିବାରେ ସହାୟକ ହୋଇଥାଏ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ବାରମ୍ବାର କହି ଆସୁଛି । ମଦ୍ୟପାନ କରିବା ସହିତ ରାସ୍ତାଘାଟରେ ଧୂମ ପାନ କରି ନିକୋଟିନ ଯୁକ୍ତ ଧୂଆଁ ଛାଡିବା ଏବଂ ପାନ, ଗୁଟକା ଓ ଖଇନି ଖାଇ ଏଣେ ତେଣେ ଛେପ ପକାଇବା ଫଳରେ କରୋନା ସଂକ୍ରମଣ ସହଜ ହେଉଛି ।
ତେଣୁ ଦେଶବାସୀ ଏହି ପରି୍େରପକ୍ଷୀରେ ଧୂମ ପାନ, ମଦ୍ୟପାନ ଓ ଅନ୍ୟାନ୍ୟ ନିଶା ସେବନକୁ ଦୂରେଇ ରହିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଏହାକୁ ଲୋକେ ପାଳନ କରିବାର ଆବଶ୍ୟକତା ରହିଛି । ମଦ ଦୋକାନ ଗୁଡିକ ଆଗରେ ଏବେ ଅସମ୍ଭବ ଭିଡ ଲାଗୁଥିବା ଦେଖିବାକୁ ମିଳୁଛି । ଏଠାରେ ସାମାଜିକ ଦୂରତା ମଧ୍ୟ ରକ୍ଷା କରାଯାଉନି । ସଂପ୍ରତି ଗୋଷ୍ଠୀ ସଂକ୍ରମିତ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ନିଶାଗ୍ରସ୍ତ ଲୋକଙ୍କ ଦ୍ୱାରା ଏହି ସଂକ୍ରମଣ ଯେ, ଅଧିକ ବ୍ୟାପୁଛି ଏଥିରେ ସନେ୍ଦହ ନାହିଁ । ସରକାର ମଦ ବିକ୍ରୀ ନେଇ ଯେଉଁ ଗାଇଡ ଲାଇନ ଜାରି କରିଛନ୍ତି ତାକୁ ମାନିବାକୁ କେହି ପ୍ରସ୍ତୁତ ନୁହଁନ୍ତି । ନା ମଦ ଦୋକାନୀ ନା ଗ୍ରାହକ କେହି ବି କଟକଣା ମାନିବା ହିସାବରେ ନାହାନ୍ତି । ନିଶା ସେବନ କଲା ପରେ ବରଂ ନିଶାଡି ମାନେ କରୋନାକୁ ନେଇ ଅତି ହାଲୁକା ମନ୍ତବ୍ୟ ପ୍ରଦାନ କରୁଛନ୍ତି । କରୋନା ସଂକ୍ରମିତଙ୍କ ବୃଦ୍ଧି ନେଇ ସରକାର ଗୋଟେପଟେ ଉଦବେଗ ବ୍ୟକ୍ତ କରୁଥିବା ବେଳେ ଅନ୍ୟ ପଟେ ମଦ କାରବାରକୁ ପୋ୍ରତ୍ସାହନ ଯୋଗାଉଛନ୍ତି ।
ସଂପ୍ରତି ଆମ ଦେଶ ଓ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବହୁମାତ୍ରାରେ ବୃଦ୍ଧି ପାଉଥିବା ବେଳେ କରୋନା ସଂକ୍ରମିତଙ୍କ ମୃତୁ୍ୟ ସଂଖ୍ୟା ବି ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଯାହାକି ସମସ୍ତଙ୍କ ଲାଗି ଏକ ଉଦ୍ବେଗର ବିଷୟ ପାଲଟିଛି । କରୋନା ସଂକ୍ରମଣର ଏତାଦୃଶ କ୍ରମାଗତ ବୃଦ୍ଧି ଯୋଗୁଁ ସର୍ବତ୍ର ଏକ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ସରକାର କରୋନା ଜନିତ କଟକଣାକୁ ଅନେକ ମାତ୍ରାରେ କୋହଳ କରିଦେବା ପରେ କରୋନାକୁ ନେଇ ଲୋକଙ୍କ ମନୋଭାବ ବି ବଦଳିଯାଇଛି । ଇତି ମଧ୍ୟରେ ଲୋକେ ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପରିଧାନ କରିବା ଓ ପରିଷ୍କାର ପରିଚ୍ଛନ୍ନ ରହିବା ଆଦି ନିୟମକୁ ନିଷ୍ଠାର ସହିତ ପାଳନ କରିବା ଭୁଲିଗଲେଣି ।
କରୋନା ଆମକୁ ଛାଡି ଚାଲି ଗଲେଣି ଓ ଏହା ଆଉ ବୋଧେ ଆମ ପ୍ରତି ବିପଦ ସୃଷ୍ଟି କରିବ ନାହିଁ ଏହିଭଳି ଏକ ଧାରଣା ଲୋକଙ୍କ ମନ ଭିତରେ ସୃଷ୍ଟି ହୋଇଛି । ମାତ୍ର କରୋନା ବିପତ୍ତି ଏତେ ସହଜରେ ଟଳିନାହିଁ ଓ ଏହା ଆଗକୁ ଯେ ଆହୁରି ସମସ୍ୟା ସୃଷ୍ଟି ନ କରିବ ଏହା କିଏ କହିପାରିବ । ତେଣୁ କରୋନା ସଂକ୍ରମଣ କିପରି ଆଗକୁ ଉଗ୍ରରୂପ ଧାରଣ ନ କରିବ ସେଥିଲାଗି ଆମକୁ ଆହୁରି କିଛି ଦିନ ବେଶ ଧୈର୍ଯ୍ୟର ସହିତ ସତର୍କ ରହିବାକୁ ପଡିବ । ଆମର କାର୍ଯ୍ୟଶୈଳୀରେ ଆମକୁ ଯଥେଷ୍ଟ ସଂଯମତା ଅବଲମ୍ବନ କରିବାକୁ ପଡିବ ।
ବିଶେଷକରି ନିଶା ବିକ୍ରୀ ଓ ସେବନ ଉପରେ କଡାକଡି କଟକଣା ଲଗାଇବାକୁ ପଡିବ । ରାଜ୍ୟ ସରକାରଙ୍କୁ ଏଥିପ୍ରତି ନଜର ଦେବାକୁ ପଡିବ । ସେହିପରି ନିୟମିତ ନିଶାସେବନକାରୀଙ୍କୁ ଆତ୍ମ ସଚେତନ ହେବାକୁ ପଡିବ । ବର୍ତ୍ତମାନର କଠିନ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେମାନଙ୍କୁ ନିଶା ସେବନରୁ ବିରତ ରହିବାକୁ ପଡିବ । ବିଶେଷକରି ଯୁବଗୋଷ୍ଠୀଙ୍କୁ ସଂଯମତା ରକ୍ଷା କରିବାକୁ ପଡିବ । ତା ନହେଲେ ଏହା ସେମାନଙ୍କ ଲାଗି ନିଜ ଗୋଡରେ ନିଜେ କୁରାଢୀ ମାରିବା ଭଳି ପରିସ୍ଥିତି ସୃଷ୍ଟି କରିବ । ସେତେବେଳକୁ ଆଉ କିଛି ନଥିବ ।