ଗଡବାନ୍ଧଗୋଡା ଧାନ ମଣ୍ତିରେ ଯୁବକଙ୍କ ଉନ୍ମକ୍ତ କାଣ୍ତ , ସମବାୟ ସମ୍ପାଦକଙ୍କୁ ମାଡ ମାରି ଟଙ୍କା ବ୍ଯାଗ ଛଡାଇ ନେଲା ଦୁବୁର୍ତ୍ତ
ଆନନ୍ଦପୁର : ସେବା ସମବାୟ ସମିତିରେ କାର୍ଯ୍ଯରତ ଜଣେ ସମ୍ପାଦକଙ୍କୁ ମାଡ ମାରି ଟଙ୍କା ବ୍ଯାଗ ଲୁଟି ନେଲା ଜଣେ ଦୁବୁର୍ତ୍ତ ।ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଘସିପୁରା ବ୍ଲକ ଗଡବାନ୍ଧଗୋଡା ସମବାୟ ସମିତିରେ। ସମିତିରେ କାର୍ଯ୍ଯରତ ସମ୍ପାଦକ ଇଶ୍ବରଚନ୍ଦ୍ର ସାହୁ ମଣ୍ତିରେ ଚାଷିଙ୍କ ଠାରୁ ଧାନ ସଂଗ୍ରହ କରୁଥିବା ସମୟରେ ସ୍ଥାନିୟ ଗଡବାନ୍ଧଗୋଡା (ଦୁଆରସାହି) ଗ୍ରାମର ଅକ୍ଷୟକୁମାର ଯେନା(୩୫) ନିଶାଶକ୍ତ ଅବସ୍ଥାରେ ମଣ୍ତିରେ ପହଞ୍ଚି ଅଶ୍ଲିଳ ଭାଷାରେ ଗାଳି ଗୁଲଜ କରିବା ସହ ସମ୍ପାଦକଙ୍କୁ ମାଡ ମାରି ଅଫିସ ଭିତରେ ପଶି ଅନେକ ଗୁରୁତ୍ବପୂର୍ଣ୍ଣ କାଗଜ ଚିରିଦେବା ସହ ଟଙ୍କା ବ୍ଯାଗଟିକୁ ଛଡାଇ ନେଇଥିଲା । ଉପସ୍ଥିତ ଚାଷି ହସ୍ତକ୍ଷେପ କରିବା ପରେ ଯୁବକ ଜଣକ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା ।ଏଥି ନେଇ ସମ୍ପାଦକ ଇଶ୍ବରଚନ୍ଦ୍ର ସାହୁ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଭିଯୋଗ କାରୀ ଏବଂ ସାକ୍ଷିଙ୍କ ବୟାନ ଆଧାରରେ ଥାନାଧିକାରୀ ପ୍ରଫୁଲ୍ଲକୁମାର ବାର୍ଲା ୨୭/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି ।ସେପଟେ ଜଣେ କାର୍ଯ୍ଯରତ ସମ୍ପାଦକଙ୍କୁ ସର୍ବସାଧାରଣରେ ମାଡ ମାରି ଟଙ୍କା ଲୁଟିବା ଏବଂ ଅଫିସ ର ଗୁରୁତ୍ବପୂର୍ଣ୍ଣ କାଗଜ ନଷ୍ଟ କରିବା ଭଳି ଘଟଣାକୁ କେନ୍ଦୁଝର ଜିଲ୍ଲା ସମବାୟ ସଂଘ ସଭାପତି ଶରତଚନ୍ଦ୍ର ସେଠୀ ଦୃଢ ନିନ୍ଦା କରିବା ସହ ଅଭିଯୁକ୍ତକୁ ତୁରନ୍ତ ଗିରଫ କରି ଦୃଷ୍ଠାନ୍ତ ମୂଳକ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଦାବି ରଖିଛନ୍ତି ।ନଚେତେ ସଂଘ ଏହାର ଦୃଢ ପ୍ରତିବାଦ କରିବା ସହ କାର୍ଯ୍ଯ ବନ୍ଦ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ।