Odisha news

‘ଅମ୍ଫାନ’ : ପାରାଦୀପଠାରୁ ୫୨୦ କିମି ଦୂରରେ

0

ଭୁବନେଶ୍ବର: ମହାବାତ୍ୟା ‘ଅମ୍ଫାନ’ ଧୀରେ ଧୀରେ ଦୁର୍ବଳ ହେଉଥିବାର ସୂଚନା ମିଳିଛି । ଏବେ ଏହା ଓଡ଼ିଶାର  ପାରାଦୀପ ଠାରୁ ୫୨୦ କିମି ଓ  ପଶ୍ଚିମବଙ୍ଗର ଦୀଘାଠାରୁ ୬୭୦ କି.ମି ଦୂରରେ ରହିଛି। ଏହା ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ଗତି କରୁଛି। ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହୋଇ ଅତି ଭୀଷଣ  ସାମୁଦ୍ରିକ ବାତ୍ୟାରେ ପରିଣତ ହେବ ଏବଂ ତା’ପରେ ଉତ୍ତର-ଉତ୍ତର-ପୂର୍ବ ଦିଗକୁ ମୁହାଁଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ଆଶ୍ବସ୍ତିର ବିଷୟ ହେଲା ସମୁଦ୍ର ଗର୍ଭରେ ମହାବାତ୍ୟାର ରୂପ ନେଇଥିବା ଅମ୍ଫାନ୍ କ୍ରମଶଃ ଦୁର୍ବଳ ହେଉଛି। ସୁପର ସାଇକ୍ଲୋନିକ ଷ୍ଟର୍ମରୁ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଛି। ଏଥିସହ ଓଡ଼ିଶା ପ୍ରତି ବିପଦ କମିଛି ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ଏହା ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରକୁ ଯାଇ ପଶ୍ଚିମବଙ୍ଗ – ବାଂଲାଦେଶ ଉପକୂଳ ଦେଇ ଦୀଘା (ପଶ୍ଚିମବଙ୍ଗ) ଏବଂ ହାଟିଆ ଦ୍ୱୀପପୁଞ୍ଜ (ବାଂଲାଦେଶ) ମଧ୍ୟରେ ସୁନ୍ଦରବନ ନିକଟବର୍ତ୍ତୀ ଅଞ୍ଚଳରେ ମଇ ୨୦ ତାରିଖ ମଧ୍ୟାହ୍ନ / ସନ୍ଧ୍ୟା ସମୟରେ ଅତି ଭୟଙ୍କର ରୂପ ନେଇ ସ୍ଥଳଭାଗକୁ ଛୁଇଁବ ବୋଲି ସୂଚନା ମିଳୁଛି | ଏହି ସମୟରେ  ପବନର ବେଗ ସର୍ବାଧିକ ୧୫୫ରୁ ୧୬୫ କିଲୋମିଟର ରହିବ ବୋଲି କୁହାଯାଇଛି। ତେବେ ସ୍ଥଳ ବିଶେଷରେ ପବନର  ବେଗ ୧୮୦ କିଲୋମିଟରକୁ ମଧ୍ୟ ଅତିକ୍ରମ କରିପାରେ |

ମହାବାତ୍ୟା ‘ଅମ୍ଫାନ’କୁ  ବର୍ତ୍ତମାନ ବିଶାଖାପାଟନମ୍ (ଆନ୍ଧ୍ରପ୍ରଦେଶ)ରେ ଥିବା ଭାରତୀୟ ପାଣିପାଗ ବିଭାଗ ଡୋପଲର୍ ରାଡାର ଦ୍ୱାରା ନିରନ୍ତର ଟ୍ରାକିଂ କରାଯାଉଛି |

Nalco
Leave A Reply