ଭୁବନେଶ୍ବର: ଆସନ୍ତା ୨୧ ତାରିଖରେ ପୁଣି ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ ଏହି ଓଡ଼ିଶା ଗସ୍ତ ସମୟରେ ୪ଟି ନିର୍ବାଚନୀ ସଭାରେ ଯୋଗ ଦେବେ ଅମିତ ଶାହ। କେନ୍ଦ୍ର ଗୃହମନ୍ତ୍ରୀ ସକାଳେ ପ୍ରଥମେ ସମ୍ବଲପୁରରେ ନିର୍ବାଚନ ପ୍ରଚାର କରିବେ। ଏହାପରେ ସେ କେନ୍ଦୁଝର, ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଓ ନୟାଗଡ଼ରେ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।
ଗତ ୨୫ ବର୍ଷ ଭିତରେ ବିଜେଡି ସରକାର ଓଡ଼ିଶାକୁ ୫୦ ବର୍ଷ ପଛକୁ ଠେଲିଦେଇଛି। ପଶ୍ଚିମ ଓଡ଼ିଶା ସହ ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରୁଛନ୍ତି। ଆଜି ୨୭ ଲକ୍ଷ ପରିବାର ପାଖରେ ପକ୍କା ଘର ନାହିଁ। ୨୬ ଲକ୍ଷ ଘରେ ପାଇପ୍ ଯୋଗେ ପାନୀୟ ଜଳ ପହଞ୍ଚିପାରିନି। ୬୪୧୨ ଗାଁକୁ ପକ୍କା ସଡ଼କ ନାହିଁ। କୃଷକଙ୍କ ଆୟ ସର୍ବନିମ୍ନ। ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଏକାଧିକ ଲୋକହିତକର ଯୋଜନାକୁ କାର୍ଯ୍ୟକାରୀ କରୁନାହାନ୍ତି। ଆୟୁଷ୍ମାନ ଭାରତ, ଗୋଟିଏ ରାଷ୍ଟ୍ର, ଗୋଟିଏ ରାସନକୁ ବିରୋଧ କରୁଥିବାରୁ ହିତାଧିକାରୀ ଯାବତୀୟ କ୍ଷତିର ସମ୍ମୁଖୀନ ହେଉଛନ୍ତି। ବାସ୍ତବରେ ନବୀନ ସରକାର ହେଉଛି ଝୋଲା ସରକାର। ନରେନ୍ଦ୍ର ମୋଦୀ ଖାଦ୍ୟ ସାମଗ୍ରୀ ପଠାଉଛନ୍ତି, କିନ୍ତୁ ନବୀନ ବ୍ୟାଗ୍ ଦେଇ ଶ୍ରେୟ ନେଉଛନ୍ତି। ଯଦି ସତ୍ସାହସ ଅଛି ୨ କେଜି ଚାଉଳ ଅଧିକ ଦିଅ, ଗରିବଙ୍କ ଭଲ ହେବ। ଦଳର ଉପଲବ୍ଧି ବିଷୟରେ କହିଲେ, ଦଳ ସବୁବେଳେ ଗରିବ ଆଦିବାସୀଙ୍କୁ ସମ୍ମାନ ଦେଇଆସୁଛି। ଓଡ଼ିଶା ମାଟିର ଗରିବ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତିଭାବେ ଅବସ୍ଥାପିତକରି ସମଗ୍ର ରାଜ୍ୟର ସମ୍ମାନ ବୃଦ୍ଧି କରିଛି। କିଛି ଦିନ ପୂର୍ବେ ଜି-୨୦ ସମ୍ମିଳନୀରେ କୋଣାର୍କ ସୂର୍ଯ୍ୟମନ୍ଦିରର ଫଟୋ ଲଗାଯାଇଥିଲା। ପାଇକ ସଂଗ୍ରାମକୁ ସମ୍ମାନ ଜଣାଇ ମୁଦ୍ରା ଓ ଡାକ ଟିକଟ ତିଆରି ହୋଇଥିଲା। ବୀରମିତ୍ରପୁରରେ ବନ୍ଦପଡ଼ିଥିବା ଚୂନପଥର ଖଣିକୁ ୨୦୧୪ରେ ବିଜେପି ସରକାର ଆରମ୍ଭ କଲା। ୨୦୦ କୋଟିରେ ଟ୍ରାଇବାଲ ମ୍ୟୁଜିଅମ୍, ବିର୍ସା ମୁଣ୍ଡା ଜୟନ୍ତୀକୁ ଜନଜାତି ଗୌରବ ଦିବସ, ଆଦିବାସୀ କଲ୍ୟାଣ ବଜେଟକୁ ୧ ଲକ୍ଷ ୨୪ ହଜାର କୋଟିକୁ ବୃଦ୍ଧି, ୭୪୦ ଏକଲବ୍ୟ ସ୍କୁଲ ପ୍ରତିଷ୍ଠା, ୨୪ କିଲୋମିଟର ବୀରମିତ୍ରପୁର ବ୍ରାହ୍ମଣୀ ବାଇପାସ୍, ୫୫୦ କୋଟିରେ ୪୭ କିଲୋମିଟର ଜାତୀୟ ରାଜପଥ ୧୪୩ ସଂପୂର୍ଣ୍ଣ, ୨୨୦୦ କୋଟିରେ ରେଳ ଲାଇନ୍, ରାଉରକେଲାକୁ ବନ୍ଦେଭାରତ ଏକ୍ସପ୍ରେସ୍, ଉଡାନ୍ ଯୋଜନାରେ ରାଉରକେଲା-ଭୁବନେଶ୍ବର ବିମାନ ଚଳାଚଳ ଆଦି ଏକାଧିକ ପ୍ରକଳ୍ପ କରାଯାଇଛି। କିନ୍ତୁ ବିଜେଡି ସରକାର ଏଠାକାର ବିକାଶକୁ ଭୁଲିଯାଇଛି। ଫର୍ଟିଲାଇଜର ପ୍ଲାଣ୍ଟ୍କୁ ବିକ୍ରି ଦେଇଛି। ୨୦୧୩ରେ ମେଡିକାଲ କଲେଜର ଶିଳାନ୍ୟାସ କରିଥିଲେ ବି ତାହା ସମ୍ଭବ ହୋଇନି। କୋଏଲ ବ୍ୟାରେଜ ବି ବାସ୍ତବ ରୂପ ପାଇନି। ପ୍ରକୃତରେ ଓଡ଼ିଶାରେ ଅଫିସର ରାଜ୍ ଚାଲିଛି। ନିର୍ବାଚିତ ଲୋକପ୍ରତିନିଧି ରାଜ୍ୟ ଚଳାଇବା କଥା ନା ଅଫିସର? ଓଡ଼ିଶା ସରକାର ଓଡ଼ିଆରେ ଚାଲିବା କଥା ନା ତାମିଲରେ ବୋଲି ପ୍ରଶ୍ନ କରିଥିଲେ ବିଜେପିର ଚାଣକ୍ୟ। ନବୀନ ରାଜ୍ୟର ବିକାଶ କରିପାରିବେନି। ରାଜ୍ୟର ବିକାଶ କେବଳ ନରେନ୍ଦ୍ର ମୋଦୀଙ୍କ ଜରିଆରେ ସମ୍ଭବ। ଏଣୁ ଏଠାରେ ଡବଲ ଇଞ୍ଜିନ ସରକାର ଆବଶ୍ୟକ ବୋଲି ଗୃହମନ୍ତ୍ରୀ କହିଥିଲେ।