ମାଓବାଦୀଙ୍କ ହତ୍ୟା ଘଟଣା ଭୟ : ସରପଞ୍ଚଙ୍କ ପରିବାର ଗାଁ ଛାଡିଲେ , ପୋଲିସର ଦେଖା ମିଳୁନି ରାଜ୍ୟ By On Feb 7, 2021 Share ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଇଲାକାରେ ଲାଲ୍ ଆତଙ୍କରେ ଲୋକେ ଥରହର। କିଛିଦିନ ତଳେ ମାଓବାଦୀଙ୍କ ବର୍ବରୋଚିତ ହତ୍ୟାକାଣ୍ଡ ଯୋଗୁ ପୁଅକୁ ହରାଇଥିବା ସରପଞ୍ଚଙ୍କ ପରିବାର ମଧ୍ୟ ମାଓବାଦୀଙ୍କ ଭୟରେ ଗାଁ ଛାଡ଼ିଛନ୍ତି। ଭଣ୍ଡରଙ୍ଗି ସରପଞ୍ଚ ଦ୍ରୌପଦୀ ପାତ୍ରଙ୍କ ପୁଅ ଭବାନୀଙ୍କୁ ପୁଲିସ ଇନ୍ଫର୍ମର କହି ଗତ ଶୁକ୍ରବାର ରାତିରେ ମାଓବାଦୀ ମାନେ ନିର୍ମମ ଭାବେ ଗଳା କାଟି ହତ୍ୟା କରିଥିଲେ। ତାଙ୍କର ସମ୍ପର୍କୀୟ ଜ୍ବାଇଁ ପୀତାମ୍ବରଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଓ ତାଙ୍କ ଶବ ଗତକାଲି ଉଦ୍ଧାର ହେବା ପରେ ସରପଞ୍ଚଙ୍କ ପରିବାର ଆହୁରି ଭୟଭୀତ ହୋଇପଡ଼ିଥିଲେ। ବିଭିନ୍ନ ସମୟରେ ମାଓବାଦୀଙ୍କ ଧମକଚମକ ରହୁଥିବାରୁ ସରପଞ୍ଚଙ୍କ ପରିବାର ପୁଲିସ ଉପରୁ ଆସ୍ଥା ହରାଇ ନିଜ ସୁରକ୍ଷା ପାଇଁ ଗାଁ ଛାଡ଼ି ପଡ଼ୋଶୀ ଜିଲ୍ଲା କଳାହାଣ୍ଡି ଚାଲିଯାଇଥିବା ଜଣାପଡ଼ିଛି। ଅନ୍ୟ ପକ୍ଷରେ, ଶୁକ୍ରବାର ଘଟଣା ଘଟିବା ପରେ ମଧ୍ୟ ପୁଲିସ ଘଟଣାସ୍ଥଳରେ ନ ପହଞ୍ଚିବା ଓ ଏବେ ସୁଦ୍ଧା ଗାଁକୁ ଆସି ଗ୍ରାମବାସୀ ଓ ତାଙ୍କ ପରିବାରକୁ କୌଣସି ସୁରକ୍ଷା ଯୋଗାଇ ନ ଦେବା କାରଣରୁ ଗାଁ ଲୋକେ ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଅନ୍ୟ ଏକ ସୂଚନା ଅନୁଯାୟୀ, ଏବେ ବି ମାଓବାଦୀ ସେମାନଙ୍କ ଶକ୍ତି ବୃଦ୍ଧି ପାଇଁ ଜଙ୍ଗଲରେ ଠୁଳ ହୋଇଛନ୍ତି। ପ୍ରାୟ ଶହେରୁ ଊର୍ଦ୍ଧ୍ବ ସଶସ୍ତ୍ର ମାଓବାଦୀ ଜଙ୍ଗଲରେ ଘୂରି ବୁଲୁଛନ୍ତି । ସେମାନେ ଗାଁ ଗାଁ ବୁଲି ଲୋକଙ୍କୁ ଭୟଭୀତ କରୁଛନ୍ତି। ପୁଲିସକୁ ଖବର ଦେଲେ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଚେତାବନୀ ଦେଉଛନ୍ତି। ତେବେ ଏଥିରେ ଭୟଭୀତ ନ ହେବାକୁ ପୁଲିସ ଲୋକଙ୍କୁ କେବଳ ପରାମର୍ଶ ଦେଉଛି। ପୁଲିସ ପକ୍ଷରୁ ମାଓବାଦୀଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ଓ କମ୍ବିଂ ଅପରେସନ୍ ଜୋର୍ଦାର୍ କରାଯାଇଥିବା ପୁଲିସ ଅଧିକାରୀ ଅଭୟବାଣୀ ଦେଉଛନ୍ତି। ତଥାପି, ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। Share
Comments are closed.