ସବ୍ୟସାଚୀ ଅମିତାଭ : ଭାରତ ବର୍ଷରେ ନେତା ବା ନେତୃତ୍ଵ ର କୌଣସି ଅଭାବ ନାହିଁ, ମାତ୍ର ଏହି ଶହେ କୋଟି ଦେଶବାସୀ ମଣ୍ଡିତ ଦେଶରେ କେବଳ ଜଣଙ୍କୁ ହିଁ ସଭିଏଁ ଶ୍ରଦ୍ଧା ଓ ସମ୍ମାନର ସହ ନେତାଜୀ ଭାବେ ସମ୍ବୋଧନ କରନ୍ତି, ସେ ଅନ୍ୟ କେହି ନୁହଁନ୍ତି କଟକ ଓଡିଆ ବଜାରରେ ଜନ୍ମିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ୧୮୯୭ ମସିହା ଜାନୁୟାରୀ ୨୩ ତାରିଖ କଟକର ଓଡିଆ ବଜାର ଠାରେ ଜନ୍ମ ଗ୍ରହଣ କରିଥିଲେ ବୀର ସୁଭାଷ ବୋଷ ।
ବାଲ୍ୟକାଳରୁ ସେ ଥିଲେ ପ୍ରଚଣ୍ଡ ସ୍ଵାଭିମାନୀ ଓ ଦେଶପ୍ରେମୀ । ସୁଭାଷଂକ ବାପା ଜାନକୀ ନାଥ ବୋଷ ଥିଲେ ଆଇନଜୀବୀ । ଚଉଦ ଭାଇଭଉଣୀଙ୍କ ମଧ୍ୟରୁ ସେ ଥିଲେ ନବମ । ଅନ୍ୟ ଭାଇଭଉଣୀଙ୍କ ପରି ତାଙ୍କ ଶିକ୍ଷା ବାପଟିଷ୍ଟ ମିଶନ ଦ୍ୱାରା ପରିଚାଳିତ ପ୍ରୋଟେଷ୍ଟାଣ୍ଟ ଇଉରୋପିଆନ ସ୍କୁଲରେ ଜାନୁଆରୀ ୧୯୦୨ରେ ଆରମ୍ଭ ହେଲା ।
୧୯୦୯ରେ କଟକର ରେଭେନ୍ସା କଲେଜିଏଟ ସ୍କୁଲକୁ ସ୍ଥାନାନ୍ତରଣ ପରେ ସେହିଠାରୁ ସେ ୧୯୧୩ରେ ମ୍ୟାଟ୍ରିକ ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ରଖି ଉତ୍ତୀର୍ଣ୍ଣ ହେଲେ । ପ୍ରଥମଟି ଦିନରୁ ହିଁ ତାଙ୍କ ପ୍ରଧାନଶିକ୍ଷକ ବେଣୀମାଧବ ଦାସ ତାଙ୍କ ପ୍ରତିଭାକୁ ଚିହ୍ନିଥିଲେ । ମାଧ୍ୟମିକ ଶିକ୍ଷା ସମାପ୍ତ କଲାପରେ କଲିକତାର ପ୍ରେସିଡେନ୍ସୀ କଲେଜରେ ଦର୍ଶନ ଶାସ୍ତ୍ର ଏବଂ ସ୍କଟିସ ଚର୍ଚ୍ଚ କଲେଜରେ ପାଠ ପଢ଼ିଥିଲେ । ପ୍ରେସିଡେନ୍ସୀ କଲେଜରେ ପଢୁଥିବା ସମୟରେ ଅଧ୍ୟାପକ ଓଟେନଙ୍କ ଭାରତ ବିରୋଧୀ ମନ୍ତବ୍ୟରେ କ୍ଷୁବ୍ଧ ହୋଇ ଅନ୍ୟ ପିଲାଙ୍କ ସହିତ ତାଙ୍କୁ ଦୁର୍ବ୍ୟବହାର କରିଥିବା କାରଣରୁ କଲେଜରୁ ବହିଷ୍କୃତ ହୋଇଥିଲେ ।
୧୯୧୯ ମସିହାରେ ପିତାଙ୍କ ବାଧ୍ୟବାଧ୍ୟକତାରେ ବିଲାତ ଯାଇ ୧୯୨୦ ମସିହରେ ଆଇ. ସି. ଏସ. ପରୀକ୍ଷାରେ ଚତୁର୍ଥ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୨୧ରେ ଆଇସିଏସର ତାଲିମ ନେଉଥିବା ବେଳେ ଭାରତରେ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଘଟିଥିଲା, ତେଣୁ ସେ ଅଧାରୁ ତାଲିମ ଛାଡ଼ି ଭାରତ ଫେରି ଆସିଥିଲେ । ଦେଶବନ୍ଧୁ ଚିତ୍ତରଞ୍ଜନ ଦାସଙ୍କ ସମ୍ପର୍କରେ ଆସିବା ପରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇ ୧୯୨୩ରେ ବଙ୍ଗଳା ପ୍ରାଦେଶିକ କଂଗ୍ରେସର କମିଟିର ସମ୍ପାଦକ ହୋଇଥିଲେ ।
୧୯୨୪ ମସିହାରେ ସେ କଲିକତା ମହାନଗରୀର ମେୟର ହୋଇଥିଲେ । ୧୯୨୮ରେ କଂଗ୍ରେସ ପକ୍ଷରୁ ନିଯୁକ୍ତପ୍ରାପ୍ତ ମୋତିଲାଲ ନେହେରୁ କମିଟି ସ୍ଵାୟତ୍ତ ଶାସନ ସପକ୍ଷରେ ମତ ଦେଇଥିଲେ, କିନ୍ତୁ ଜବାହରଲାଲ ନେହେରୁ ଓ ସୁଭାଷ ବୋଷ ଉଭୟେ ପୂର୍ଣ୍ଣ ସ୍ଵାଧୀନତା ଚାହିଁଥିଲେ । ୧୯୩୦ରେ ଆଇନ ଅମାନ୍ୟ ଆନ୍ଦୋଳନ ବେଳେ ସୁଭାଷଙ୍କୁ ଗିରଫ କରି ଜେଲରେ ରଖାଯାଇଥିଲା, ତେବେ ୧୯୩୧ରେ ଗାନ୍ଧୀ-ଇରୱିନ ଚୁକ୍ତି ପରେ ତାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା । ୧୯୩୮ ମସିହାରେ ହରିପୁରା ଜାତୀୟ କଂଗ୍ରେସର ଅଧିବେଶନରେ ଗାନ୍ଧୀଙ୍କ ମନୋନୀତ ପ୍ରାର୍ଥୀ ପଟ୍ଟାଭି ସୀତାରାମାୟାଙ୍କୁ ହରାଇ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ୧୯୩୯ରେ ସେ ପୁଣିଥରେ ସେହି ପଦବୀକୁ ନିର୍ବାଚିତ ହୋଇଥିଲେ ।
୧୯୩୯ରେ ସେ ଫରୱାର୍ଡ଼ ବ୍ଳକ ନାମକ ଏକ ନୂତନ ଦଳ ଗଠନ କରିଥିଲେ । ସଶସ୍ତ୍ର ଆନ୍ଦୋଳନଦ୍ଵାରା ହିଁ ଭାରତକୁ ବ୍ରିଟିଶ ସାମ୍ରାଜ୍ୟବାଦରୁ ମୁକ୍ତ କରିହେବ ବୋଲି ସେ ବିଶ୍ଵାସ କରୁଥିଲେ । ସେ ଇଟାଲିର ଜନନାୟକ ଗାରିବାଲ୍ଡି ଓ ମାଜିନିଙ୍କଦ୍ଵାରା ଯଥେଷ୍ଟ ଅନୁପ୍ରାଣୀତ ହୋଇଥିଲେ । ସୁଭାଷଙ୍କର ଏହି ଉଗ୍ରନୀତି ଯୋଗୁଁ ବ୍ରିଟିଶ ସରକାର ତାଙ୍କୁ କଲିକତାଠାରେ ନଜରବନ୍ଦୀ ରୂପେ ରଖିଥିଲେ । ଭାରତର ସ୍ଵାଧୀନତା ପାଇଁ ଭାରତ ବାହାରେ ରହି ଯୁଦ୍ଧ କରିବା ପାଇଁ ୧୯୪୧ ଜାନୁଆରୀ ୧୭ ତାରିଖରେ ସେ ଭାରତର ସୀମାନ୍ତ ଅତିକ୍ରମ କରି ଆଫଗାନିସ୍ଥାନ ଓ ସୋଭିଏତ ଋଷ ମଧ୍ୟ ଦେଇ ମାର୍ଚ୍ଚ ମାସରେ ବର୍ଲିନଠାରେ ପହଞ୍ଚିଥିଲେ ।
ଜର୍ମାନୀର ନାଜି ଶାସକ ହିଟଲରଙ୍କ ସହ ସାକ୍ଷାତ କରି ଭାରତର ସ୍ଵାଧୀନତା ହାସଲ ସମ୍ପର୍କରେ ତାଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ । ବର୍ଲିନଠାରେ ଏକ ମୁକ୍ତ ଭାରତ କେନ୍ଦ୍ର ଉନ୍ମୋଚନ କଲେ ଓ ଜର୍ମାନୀ ମାଟିରେ ଫ୍ରି ଇଣ୍ଡିଆ ଆର୍ମି ଗଠନ କରିଥିଲେ । ସୁଦୂର ବର୍ଲିନରୁ ଆଜାଦ ହିନ୍ଦ ରେଡ଼ିଓ ମାଧ୍ୟମରେ ଭାରତବାସୀଙ୍କୁ ସଂଗ୍ରାମ ପାଇଁ ଆହ୍ଵାନ ଦେଇଥିଲେ । ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ଵାଧୀନତା ଦେବି ଆହ୍ଵାନରେ ସମସ୍ତଙ୍କୁ ଏକଜୁଟ କଲେ ।
ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ଜାପାନରେ ନିର୍ବାସିତ ଭାବେ ବାସ କରୁଥିବା ରାସ ବିହାରୀ ବୋଷ ନାମକ ଜଣେ ଭାରତୀୟ ଜାପାନ, ବର୍ମା, ମାଳୟ, ପ୍ରଭୃତି ସ୍ଥାନରେ ପ୍ରବାସୀ ଭାରତୀୟ ଓ ଯୁଦ୍ଧ ବନ୍ଦୀମାନଙ୍କୁ ଏକତ୍ରିତ କରି ଭାରତୀୟ ସ୍ଵାଧୀନତା ଲିଗ ଗଠନ କଲେ । ସୁଭାଷ ସିଙ୍ଗାପୁରରେ ଆଜାଦ ହିନ୍ଦ ଫୌଜର ଦାୟିତ୍ଵ ଗ୍ରହଣ କଲେ ଏବଂ ୧୯୪୩ ମସିହା ଅକ୍ଟୋବର ୨୧ତାରିଖ ଦିନ ସେଠାରେ ଏକ ଅସ୍ଥାୟୀ ସ୍ଵାଧୀନ ସରକାର ଗଠନ କଲେ । ସେହିଠାରୁ ସେ ଆହ୍ଵାନ ଦେଇଥିଲେ ଦିଲ୍ଲୀ ଚଲୋ । ଏହା ସହିତ ଆରମ୍ଭ ହେଲା ଆଜାଦ ହିନ୍ଦ ଫୌଜର ଅଭିଯାନ ।
୧୯୪୪ ମାର୍ଚ୍ଚ ୧୮ ତାରିଖରେ ଆଜାଦ ହିନ୍ଦ ଫୌଜ ବର୍ମା ସୀମା ଅତିକ୍ରମ କରି ଭାରତୀୟ ମାଟିରେ ପାଦ ଥାପିଥିଲା ଓ ମଣିପୁରର ଇମ୍ଫାଲ ଯାଏଁ ଏହି ଅଭିଯାନ ଅଗ୍ରସର ହେଲା । ଦୃଢ଼ ପଦକ୍ଷେପରେ ଅଗ୍ରସର ହେଉଥିବା ଆଜାଦ ହିନ୍ଦ ଫୌଜ ଉପରେ ବ୍ରିଟିଶ ବାହିନୀ ଉଭୟ ସ୍ଥଳ ଓ ଆକାଶ ପଥରୁ ଆକ୍ରମଣ କରି ଇମ୍ଫାଲଠାରେ ତାଙ୍କୁ ପରାସ୍ତ କଲା । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ଏକ ବିମାନ ଦୁର୍ଘଟଣାରେ ନେତାଜୀ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି । ମାତ୍ର ଆଜି ଯାଏଁ ନେତାଜୀଙ୍କ ନିଖୋଜ ପ୍ରସଙ୍ଗ ଉପରୁ ପର୍ଦ୍ଦା ହଟିପାରିନି । ଏପରିକି ନେତାଜୀଙ୍କ ମୃତ୍ୟୁକୁ ନେଇ ଅନେକ କାହାଣୀ ସାମ୍ନାକୁ ଆସିଛି କିନ୍ତୁ ପ୍ରକୃତରେ ନେତାଜୀଙ୍କର ସେହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା କି ନାହିଁ ତାହା ଏବେ ମଧ୍ୟ ରହସ୍ୟ ଘେରରେ ରହିଛି ।
ଦେଶପ୍ରେମ ଓ ସମାଜ ରେ ବିପ୍ଲବ ଆଣିବା ଚିନ୍ତାଧାରା ରେ ଅନୁପ୍ରାଣିତ ନେତାଜୀ ସୁଭାଷ ଦେଶ ଓ ସମାଜ ପାଇଁ ଯାହା କରିଛନ୍ତି ତାହା ଚିରବନ୍ଦିତ, ପ୍ରେରଣାଦାୟୀ ଓ ଉଦାହରଣୀୟ ହୋଇରହିଛି । ନେତାଜୀଙ୍କ ତ୍ୟାଗ, ସାହସ ଓ ସଂଗ୍ରାମର ପଟାନ୍ତର ନାହିଁ। ଓଡିଶା ମାଟିରେ ଜନ୍ମ ହୋଇ ଆମକୁ ଧନ୍ୟ କରିଥିବା ଦେଶର ଏହି ଜନନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଉତ୍ତରପିଢ଼ି ସାହସୀ, ତ୍ୟାଗୀ ଓ ସଂଗ୍ରମୀ ହୋଇପାରିଲେ, ଏହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ।