ଫୁଲବାଣୀ (Santosh Mishra) : ଚାଷୀ ମାନଙ୍କ ଠାରୁ ଧାନ କିଣିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜିଲାର ୨୨ଟି ସ୍ଥାନରେ ଧାନମଣ୍ଡି ଖୋଲାଯାଇଛି । କିନ୍ତୁ ଜିଲାର ଅନେକ ମଣ୍ଡିରେ ଦାୟିତ୍ୱରେ ଥିବା କର୍ମଚାରୀ ମାନେ ଧାନ କ୍ରୟ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି କନ୍ଧମାଳ ଜିଲାର ଚାଷୀମାନେ । ଆଜି ଏନେଇ ବିିଭିନ୍ନ ଅଂଚଳରେ ଚାଷୀମାନେ କନ୍ଧମାଳ ଜିଲାପାଳଙ୍କ ଉଦେ୍ଦଶ୍ୟରେ ଜିଲା ବେସାମରିକ ଯୋଗାଣ ଅଧିକାରୀ ଭବାନୀପ୍ରସାଦ ଦାସଙ୍କୁ ପ୍ରଦାନ କରିଛନ୍ତି ।
ଚାଷୀଙ୍କ ଅଭିଯୋଗ ଅନୁସାରେ ,ଚକାପାଦ ଅଂଚଳର ଚାଷୀମାନେ ସେମାନଙ୍କର ଧାନ ବିକି୍ର କରିବାକୁ କୃଷି ସମବାୟ ସମିତିକୁ ଗଲେ ହେଲେ ସେଠାରେ କୌଣସି ମିଲର ଆସିନାହାନ୍ତି , ଧାନ କିଣାହେବ ନାହିଁ ବୋଲି ଲ୍ୟାମ୍ପ ସଂପାଦକ ମାନେ ଫେରାଇ ଦେଉଛନ୍ତି ବୋଲି ଅଭିଯୋଗ କରିଥିବା ବେଳେ ଜିଲାର ଅନ୍ୟ କେତେକ ମଣ୍ଡିରେ ମଧ୍ୟ ଏକା ଅବସ୍ଥା ବୋଲି ଅଭିଯୋଗ ହୋଇଛି । ଫଳରେ ଚାଷୀମାନେ ଗାଡ଼ିଭଡ଼ା କରି ଧାନ ଧରି ମଣ୍ଡିରେ ପହଂଚିବା ପରେ ଧାନ କିଣା ଯାଉନଥିବା ଯୋଗୁଁ ପୁଣିଥରେ ଗାଡ଼ିଭଡ଼ା କରି ଫେରିବାକୁ ବାଧ୍ୟ ହୋଇ ଅଜଥା ଖର୍ଚ୍ଚାନ୍ତ ହେଉଛନ୍ତି ବୋଲି ଅଭିଯୋଗ ପତ୍ରର ଦର୍ଶାଇଛନ୍ତି ।
ବାଲିଗୁଡ଼ା ବ୍ଳକର ଲଣ୍ଡାଗାଁ ବ୍ୟତୀତ ଜିଲାର ଅନ୍ୟ ୨୧ଟି ମଣ୍ଡିରେ ଧାନ କିଣାଯାଉନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଏପରି ସ୍ଥଳେ ଜିଲାରେ ଅଧିକ ମିଲର ବ୍ୟବସ୍ଥା କରି ଚାଷୀ ମାନଙ୍କର ଧାନକ୍ରୟ କରିବାର ସୁବିଧା ପାଇଁ ଦାବି କରିଛନ୍ତି ଚାଷୀମାନେ । ଦାବିପତ୍ର ପ୍ରଦାନ ବେଳେ କନ୍ଧମାଳ ଜିଲ୍ଲା କଂଗ୍ରେସର କୃଷକ ସଲ ଅଧ୍ୟକ୍ଷ ହେମନ୍ତ କର, ନେତା ସନ୍ତୋଷ କୁମାର ପଟ୍ଟନାୟକ ଓ ବଳରାମ ମଲିକଙ୍କ ନେତୃତ୍ୱରେ କିଛି ଚାଷୀ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ଅଭିଯୋଗ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା ।