Odisha news

ନୂଆ ସକାଳ

0

ଅକ୍ଷୟ ପଣ୍ଡା  : ସକାଳ ସମୟ ମୁଁ ମନ୍ଦିରରୁ ଫେରୁଥାଏ । ମହାରଣା ବାବୁ ସମ୍ବାଦ ପତ୍ର ପଢିବାରେ ମଗ୍ନ ଥିଲେ । ମୁଁ ହସି ଦେଇ କହିଲି ଆଜି ଏମିତି କଣ ଖବର ଯେ ମନ ଧ୍ୟାନ ପୁରା କାଗଜ ଉପରେ । ମହାରଣା ବାବୁ ହସି ହସି କହିଲେ ସୁବର୍ଣ୍ଣ ଯୁଗ ପାଇଁ ଆଜି ଠାରୁ ଓଡ଼ିଶା ମାଟିରେ ନିଅଁ ପଡ଼ିଗଲା । ମୁଁ କହିଲି କଥା କଣ କି ବୁଝି ହେଲାନି ? ମହାରଣା ବାବୁ କହିଲେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ୧୨ଟି ପ୍ରସ୍ତାବରେ କ୍ୟାବିନେଟ୍ର ଅନୁମୋଦନ ମିଳିଗଲା ।

ରାଜ୍ୟ ସରକାରୀ ହାଇସ୍କୁଲରେ ପଡୁଥିବା ଛାତ୍ର ଛାତ୍ରୀଙ୍କ ପାଇଁ ଡ଼ାକ୍ତରି ଓ ଇଂଜିନିୟରିଙ୍ଗ ପାଠ୍ୟକ୍ରମରେ ନାମ ଲେଖା ପାଇଁ ସଂଗ୍ରକ୍ଷଣ ବ୍ୟବସ୍ଥା ରହିବ । ଏହାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ହାଇକୋର୍ଟର ବିଚାରପତିଙ୍କ ଅଧକ୍ଷତାରେ କାର୍ଯ୍ୟ କରାଯିବ ।
ଏହା ଦ୍ୱାରା ଗରିବ ମେଧାବୀ ଛାତ୍ର ମାନଙ୍କର ଆତ୍ମ ବିଶ୍ୱାସ ବୃଦ୍ଧି ହେବ । ମନପ୍ରାଣ ଦେଇ ସେମାନେ ଅଧ୍ୟୟନ କରିବେ । ସରକାରୀ ବିଦ୍ୟାଳୟ ମାନଙ୍କରେ ସରକାରୀ ଅଫିସର ପିଲାମାନେ ନାମ ଲେଖାଇବେ । ଏହା ଦ୍ୱାରା ବିଦ୍ୟାଳୟ ମାନଙ୍କ ଦେଖାରେଖା ହୋଇପାରିବ । ଶିକ୍ଷାର ମାନ ଉନ୍ନତି ପାଇଁ ସରକାରୀ କର୍ମଚାରୀ ମାନେ ପ୍ରାଣ ପ୍ରଣେ ଉଦ୍ୟମ କରିବେ ।

ମୁଁ କହିଲି ଏହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷପ । ମାନ୍ୟବର ମୁଖ୍ୟମନ୍ତ୍ରୀ ଆମ ରାଜ୍ୟର ଶିକ୍ଷାକୁ ଅନୁନ୍ନତରୁ ଉନ୍ନତିର ପଟିରକୁ ଆଣି ଥିଲେ । ଏବେ ଦୃ୍ରତଗତିରେ ଆହୁରି ଉନ୍ନତି ହେବ । ଏହା ନିସନେ୍ଦହରେ କୁହାଯାଇପାରେ ।

କିଛି ଦିନ ତଳେ ସ୍ତମ୍ବକାର ହିମାଂଶୁ ଆଚାର୍ଯ୍ୟ ସମ୍ବାଦ ପତ୍ରରେ ଲେଖିଥିଲେ “ସରକାରୀ କର୍ମଚାରଙ୍କ ପିଲାମାନେ ସରକାରୀ ସ୍କୁଲରେ ପଢନ୍ତୁ ।” ୨୦୧୫ ମସିହାରେ ଆହ୍ଲାବାଦ ହାଇକୋର୍ଟ ଏକ ଐତିହାସିକ ରାୟରେ କହିଥିଲେ । ମନ୍ତ୍ରୀ, ଅଫିସର ଓ ସରକାରୀ କର୍ମଚାରୀ ଯେଉଁମାନେ ସରକାରୀ ରାଜକୋଶରୁ ଦରମା ନେଉଛନ୍ତି ସେମାନଙ୍କ ପିଲାମାନେ ସରକାରୀ ସ୍କୁଲରେ ପଢିବା ବାଧ୍ୟତା ମୂଳକ ହେଉ । ଏପରି ହେଲେ ରାଜ୍ୟରେ ଥିବା ସ୍କୁଲ ଗୁଡ଼ିକର ଶିକ୍ଷା ବ୍ୟବସ୍ତା ସୁଧୁରି ଯିବ । ସେତେବେଳେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏହାକୁ କାର୍ଯ୍ୟକାରୀ କରି ପାରିନଥିଲେ ।

ଆମ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ବାଧ୍ୟତା ମୂଳକ ନୁହେଁ ବରଂ ସ୍ୱଇଚ୍ଛାରେ ଆଗ୍ରହ ପୂର୍ବକ ସରକାରୀ ସ୍କୁଲ ମାନଙ୍କରେ ନାମ ଲେଖା ସଂଖ୍ୟା ବୃଦ୍ଧି କରିବା ପାଇଁ ସୁନ୍ଦର ବାଟ ଟିଏ ଖୋଲି ଦେଲେ । ଅନାଗ୍ରହ ପ୍ରକାଶ କରୁଥିବା ଅଭିଭାବକ ମାନେ ଅଳ୍ପ ଖର୍ଚ୍ଚରେ ଆଖପାଖ ବିଦ୍ୟାଳୟରୁ ସେମାନଙ୍କ ପିଲାମାନଙ୍କୁ ଶିକ୍ଷା ଗ୍ରହଣ କରିବାର ସୁବିଧା ଲାଭ କରି ପାରିବେ । ସେଥିପାଇଁ ମଧ୍ୟ ସେମାନେ ଆଗ୍ରହି ହେବ । କେହି କେବେ ବୃତ୍ତିଗତ ଉଚ୍ଚ ଶିକ୍ଷା ଦେବା ପାଇଁ ନାରାଜ ହେବେ ନାହିଁ । ଏହା ଦ୍ୱାରା ଗରୀବ ଅବହେଳିତ ପିଲାମାନେ ପ୍ରାଣପ୍ରଣେ ଏ ସୁବିଧା ସୁଯୋଗ ଆପଣାଇବାକୁ ଚେଷ୍ଟା କରିବେ । ପ୍ରତ୍ୟେକ ଗ୍ରାମ ପାଲଟି ଯିବ ଏଜ୍ଜୁକେସ୍ନାଲ ହବ୍ । ସ୍କୁଲରେ ବ୍ୟବହୃତ ହେଉଥିବା କମ୍ପୁ୍ୟଟର ପୁଣି ଚଳଚଞ୍ଚଳ ହୋଇଯିବ । ଲାଇବ୍ରେରୀ ଗୁଡ଼ିକରେ ଭରିଯିବ ଛାତ୍ର ଛାତ୍ରୀମାନଙ୍କ ପାଇଁ ଉଦାଦେୟ ପୁସ୍ତକ । ପ୍ରାଇଭେଟ୍ ସ୍କୁଲ ମାନଙ୍କ ଅପେକ୍ଷା ଅଷ୍ଟମ, ନବମ, ଦଶମ ଶ୍ରେଣୀରେ ସରକାରୀ କର୍ମଚାରୀ ସରକାରୀ ସ୍କୁଲରେ ନାମ ଲେଖାଇବେ ।

ଦୁର୍ନୀତି ଉପାୟରେ ଠୁଳ କରୁଥିବା ଧନ ଗୁଡ଼ିକ ଦାନ ପୂନ୍ୟରେ ଲାଗିଯିବ । ଏହାର ମୁଖ୍ୟ କାରଣ ହେଲା ସମ୍ପତ୍ତି ତାଲିକା ବାଧ୍ୟତା ମୂଳକ । ଶିଶୁ ଦିବସରେ ରାଜ୍ୟ ସରକାରଙ୍କ “ମୋ ସ୍କୁଲ ଅଭିଜାନ” କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହା ଏକ ସୁନ୍ଦର ପଦକ୍ଷପ ଥିଲା । ଏହା ପ୍ରତ୍ୟେକ ଅଭିଭାବକ ମାନଙ୍କୁ ଚେତେଇ ଦେଇଥିଲା ନିଜ ବିଦ୍ୟାଳୟ ପ୍ରତି ଦାୟିତ୍ୱ ବୋଧ ।

ମହାରଣା ବାବୁ କହିଲେ ମନ୍ଦିର ମସଜିତ୍ ଗୁରୁଦ୍ୱାର ଭଳି ଅତ୍ୟନ୍ତ ପବିତ୍ର ସ୍ଥାନ ଅଟେ ବିଦ୍ୟାଳୟ । ଏହା ଆମ ପିଲାମାନଙ୍କୁ ଭବିଷ୍ୟତ ଗଠନ ପାଇଁ ଜ୍ଞାନ ପ୍ରଦାନ କରେ । ସେମାନଙ୍କ ଚରିତ୍ର ନିର୍ମାଣ କରି ସୁନ୍ଦର ମଣିଷ କରି ଗଢେ । ସୁସ୍ଥ ସୁନ୍ଦର ପରିବେଶ ଟିଏ ଯଦି ଆମେ ଆମ ପିଲାମାନଙ୍କୁ ଦେଇ ପାରିବା ତେବେ ଆଶା କରିବା ସୁନ୍ଦର କଳଙ୍କ ମୁକ୍ତ ସମାଜଟିଏ ।

ମହାରଣା ବାବୁଙ୍କ କଥାରେ ମୁଁ ଏକ ମତ ହେଲି । ଆଉ କହିଲି ମାନବ ସମ୍ବଳ ବିକାଶ ପାଇଁ ଆସିଛି ଏ ସୁବର୍ଣ୍ଣ ସୁଯୋଗ । ଏପରି କରୋନା ସମୟରେ ଭାଙ୍ଗି ଯାଇଥିବା ମନରେ ପୁଣି ନୂଆ ଆଶା ଉଙ୍କି ମାରିପାରେ । କିଏ ନ ଚାହେଁ ଆମ ପିଲାମାନେ ଡ଼ାକ୍ତର, ଇଜିଂନିୟର ଭଳି ଉଚ୍ଚ ବୃତ୍ତିଗତ ଶିକ୍ଷା ଲାଭ କରନ୍ତୁ ।

ମହାରଣା ବାବୁ କହିଲେ ସ୍ୱପ୍ନ ଦେଖିଲେ ହେବନି । ଘଡ଼ି କଣ୍ଟାଟା ସବୁବେଳେ ଆଗକୁ ଚାଲେ । ସମୟ କାହାକୁ ଅପେକ୍ଷା କରେନି । ଖାଲି ସ୍ୱପ୍ନ ଦେଖି ପିଲାଙ୍କ ପାଠ ପଢା ପ୍ରତି ଅଣ ଦେଖା କରିବା ଆଦୌଉଁ ଠିକ୍ ନୁହେଁ । ସେ ପର୍ଯ୍ୟନ୍ତ ପିଲାମାନଙ୍କୁ ଯିବାକୁ ହେଲେ ପ୍ରାଥମିକ ଓ ମାଧ୍ୟମିକ ପାଠ ପଢା ମଜବୁତ ହେବା ଦରକାର । ଏକଥା କହିବାର ଅର୍ଥ କଣ ବୁଝିପାରିଲ । ମୁଁ କହିଲି ହଁ ମହାରଣା ବାବୁ । ଏ କରୋନା ସମୟରେ ଆମେ ଆମ ପିଲାଙ୍କ ମନରେ ପାଠ ପଢା ପ୍ରତି ଆଗ୍ରହ ସୃଷ୍ଟି କରିବା ନିହାତି ଦରକାର । ସେମାନେ ଯେପରି ସମୟ ଅପଚୟ ନ କରନ୍ତି ସେ ପ୍ରତି ଦୃଷ୍ଟି ଦେବା ଦରକାର । ଭଲ ମଣିଷ ଗଢିବା ପାଇଁ ହେଲେ ଦଣ୍ଡ ନୁହେଁ ସ୍ନେହ, ମମତା ଓ ଉସ୍ôାହ ଲୋଡ଼ା । ସେମାନେ କଣ କରୁଛନ୍ତି କଣ ପଢୁଛନ୍ତି ସେ ପ୍ରତି ଅଭିଭାବକ ମାନେ ସଚେତନ ହେବା ଆବଶ୍ୟକ ।

ସରକାର ଆମ ମାନଙ୍କ ପାଇଁ ଅନେକ ସୁବିଧା ସୁଯୋଗ ପ୍ରଦାନ କରିବାର ବ୍ୟବସ୍ଥା କରିଛନ୍ତି । ଯଦି ଆମେ ସେ ସୁବିଧା ସୁଯୋଗ ଲାଭ କରିବା ପାଇଁ ଚାହୁଁ । ତେବେ ପିଲାମାନଙ୍କର ଶିକ୍ଷାର ମାନ ଉନ୍ନତି ପ୍ରତି ଧ୍ୟାନ ଦେବା ଉଚିତ୍ । ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ଲାଭ କରୁଥିବା ପିଲାମାନଙ୍କୁ ବିଶେଷ ରୂପେ ଧ୍ୟନ ଦିଅନ୍ତୁ । ଶିକ୍ଷା ର ନିଅଁ ମଜବୁତ ହେଲେ ଉଚ୍ଚ ଶିକ୍ଷା ଲାଭ କରିବାକୁ ଅସୁବିଧା ହେବ ନାହିଁ । ତେବେ ଆସନ୍ତୁ ପିଲା ମାନଙ୍କୁ ଗଢିବା । ତେବେ ଆସିବ ଆମ ପାଇଁ ଖୁସିର ନୂଆ ସକାଳ ।

ଆଳି, ଲୋକାପଡ଼ା
ମୋ – ୯୩୩୭୪୯୨୩୦୭

Leave A Reply