ହିମାଂଶୁ ଶେଖର ଆଚାର୍ଯ୍ୟ : ନଭେମ୍ବର ୨୭ ତାରିଖରେ ମହାପ୍ରଭୁଙ୍କ ନାଗାର୍ଜ୍ଜୁନ ବେଶ । ଏଥିପାଇଁ ସମସ୍ତ ପ୍ରସ୍ତୁତ କାର୍ଯ୍ୟ ଯୁଦ୍ଧ କାଳୀନ ଭିତ୍ତିରେ ଶେଷ ହୋଇଛି ି । ନୀତିକାନ୍ତି ମଧ୍ୟ ନିର୍ଦ୍ଧାରଣ କରାଯାଇଛି । ୨୭ ପୂର୍ବରାତି ଦୁଇଟାରୁ ଶ୍ରୀମନ୍ଦିର ଦ୍ୱାର ଖୋଲାଯିବ ସହ ମଙ୍ଗଳ ଆଳତି ଓ ଅବକାଶ କରାଯିବ । ଛତିଶା ନିଯୋଗର ଶେଷ ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ଶ୍ରଦ୍ଧାଳୁ ବହୁ ଆଶା କରିଥିଲେ ଦୁର୍ଲ୍ଲଭ ନାଗାର୍ଜ୍ଜୁନ ବେଶ ଦର୍ଶନ କରିବେ ଓ ମନସ୍କାମନା ପୂରଣ ହେବ । ହେଲେ କରୋନା ସଂକ୍ରମଣ କାଳ ହେଲା ।
ତଥାପି ଆଶାଥିଲା ପ୍ରତ୍ୟକ୍ଷ ଭାବେ ନହେଲା ନାହିଁ ଅନ୍ଲାଇନରେ ଏହି ଦୁର୍ଲ୍ଲଭ ବେଶ ଦର୍ଶନର ସୁଯୋଗ ମିଳିବ, ତାହାବି ସମ୍ଭବ ହେଲା ନାହିଁ । ଏହି ନାଗାର୍ଜ୍ଜୁନ ବେଶ ପାଇଁ କେତେକ ଗାଇଡ ଲାଇନ ଜାରି କରାଯାଇଛି । କାରଣ କରୋନା ମହାମାରୀ ଯୋଗୁଁ ଏବର୍ଷ ଜିଲ୍ଲା ବାହାର ଲୋକଙ୍କୁ ପୁରୀ ନଆସିବା ପାଇଁ ମନାକରିଛି ପ୍ରଶାସନ । ଏପରିକି ଶ୍ରୀମନ୍ଦିର ଭିତରକୁ ସେବାୟତମାନେ ମୋବାଇଲ ଓ କ୍ୟାମେରା ନେବା ମନା । ଏଥିପାଇଁ ପୋଲିସ ପ୍ରଶାସନ ତରଫରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଛଦ୍ମବେଶୀଙ୍କ ମନ୍ଦିର ପ୍ରବେଶ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ତେଣୁ ଚର୍ମ ଚକ୍ଷୁରେ ଦେଖି ପାରିବେନି ଭକ୍ତଗଣ । ଖାଲି ଯାହା ହୃଦୟରେ ଅନୁଭବ କରିବେ ।
କରୋନା ପାଇଁ ଆମେ ଏବର୍ଷ ବିଭିନ୍ନ ପର୍ବପର୍ବାଣିକୁ କଟକଣା ଭିତରେ ରହି ଏପରି ପାଳନ କରିଛେ ଯାହା ଆମ ଜୀବନକୁ କିଛି ପରିମାଣରେ ସମସ୍ୟା ମୁକ୍ତ କରିଦେଇଛି । କରୋନା ପୁଣି ଯେମିତି ଆମ ସଜଡା ଜୀବନକୁ ଅସଜଡା କରିନଦେଉ ତାକୁ ଆମକୁ ପ୍ରାଥମିକତା ଦେବାକୁ ହେବ । ଏହା ପୂର୍ବର ଚଳିତ ବର୍ଷ ରଥଯାତ୍ରା ବିନା ଭକ୍ତରେ ଅନିଷ୍ଟିତ ହୋଇଥିଲା । ରଥଯାତ୍ରା କେବଳ ଏକ ଉସôବ ନୁହେଁ ବରଂ ଅନନ୍ୟ ପରମ୍ପରା । ମହାପ୍ରଭୁଙ୍କ ଏହି ମହାଯାତ୍ରା ସବୁବେଳେ ଆକୃଷ୍ଟ କରିଛାଏ । ବିଶ୍ୱବାସୀଙ୍କୁ ।
ପ୍ରତି ବର୍ଷ ଆଷାଢ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଅନୁଷ୍ଠିତ ହୁଏ ଏହି ଘୋଷଯାତ୍ରା । କାଳିଆ ସାଆନ୍ତଙ୍କୁ ଆଖିପୁରାଇ ଦେଖିବା ପାଇଁ ସାରା ବିଶ୍ୱରୁ ଭକ୍ତ ଛୁଟି ଆସନ୍ତି ନୀଳାଚଳକୁ । ଏଠାରେ ସୂଚନାଯୋଗ୍ୟ ଯେ, ବଡ ଠାକୁର ବିଶ୍ୱର ଏକମାତ୍ର ଦେବତା ଯିଏ ବରଷକେ ଥରେ ରତ୍ନବେଦୀରୁ ଓହ୍ଲାଇଆସନ୍ତି ବଡଦାଣ୍ଡକୁ । ଭକ୍ତ ଓ ଭଗବାନ ଏକ ହୋଇଯାଆନ୍ତି । ମାତ୍ର ଏବର୍ଷ ତାହା ମଧ୍ୟ ହେଲାନି । ରଥଯାତ୍ରା ବନ୍ଦ ନୁଆକଥା ନୁହେଁ ମାଦଳା ପାଞ୍ଜିରୁ ଜଣାଯାଏ । ଏପରିକି ୯ଥର ପ୍ରଭୁଙ୍କ ରଥଯାତ୍ରା ବାହାରେ ଆୟୋଜନ ହୋଇଥିଲା ଏହିପରି ଭାବେ ୪୫୨ ବର୍ଷରେ ୩୨ଥର ପାଇଁ ରଥଯାତ୍ରା ହୋଇପାରିନଥିଲା ।
ଏଠାରେ ସୂଚନାଥାଉକି,ପବିତ୍ର କାର୍ତ୍ତିକ ଦ୍ୱାଦଶୀ ତିଥିରେ ମହାପ୍ରଭୁଙ୍କ ପବିତ୍ର ନାଗାର୍ଜ୍ଜୁନ ବେଶ ଅନୁଷ୍ଠିତ ହୋଇଥାଏ । ଏଥର ଛଅ ଦିନ ପଞ୍ଚୁକ ପଡୁଥିବାରୁ ଅଧିକ ଦିନଟି ନାଗାର୍ଜ୍ଜୁନ ବେଶ ହେବ । ୧୯୯୪ ମସିହାରେ ଶେଷଥର ପାଇଁ ଏହି ବେଶ ହୋଇଥିଲା । ପ୍ରାୟ ୨୫ ବର୍ଷ ପରେ ଚଳିତ ବର୍ଷ ଏହି ବେଶ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଶ୍ରଦ୍ଧାଳୁମାନେ ଉକôଣ୍ଠିତ ହୋଇ ରହିଥିଲେ । କିନ୍ତୁ କରୋନା କଟକଣା ପାଇଁ ଶ୍ରଦ୍ଧାଳୁମାନେ ନାଗାର୍ଜ୍ଜୁନ ବେଶ ଦର୍ଶନରୁ ବଞ୍ଚିତ ହେବେ । ଏହି ବେଶ ଅବସରରେ ମହାପ୍ରଭୁଙ୍କୁ ଯୋଦ୍ଧା ଭାବରେ ସଜାଇ ଦିଆଯାଇଥାଏ । ମହାପ୍ରଭୁଙ୍କ ଅଣ୍ଟାରେ ନାଗା ତାଟି ବନ୍ଧା ଯାଇଥାଏ । ମହାପ୍ରଭୁ ଧନୁ, ଶରପୂର୍ଣ୍ଣ ତ୍ରୁଣିର, କୁଟାରୀ, ଛୁରୀ, ବାଘନଖ, ଏରାପର, ଓଳମାଳି ଧାରଣ କରି ବୀର ବେଶରେ ସଜ୍ଜିତ ହୋଇଥାନ୍ତି । ମହାପ୍ରଭୁ ବଳଭଦ୍ର ବାମ ହାତରେ ମୂଷଳ ଓ ଦକ୍ଷିଣହସ୍ତରେ ହଳ ଧାରଣ କରିଥାନ୍ତି । କିନ୍ତୁ ଦେବୀ ସୁଭଦ୍ରାଙ୍କ ମୁଣ ମସ୍ତକରେ ସୁନାର ମୁକୁଟ, ଚନ୍ଦ୍ରିକା ଓ କର୍ଣ୍ଣଅଳଙ୍କାର ଧାରଣ କରନ୍ତି ।
ସାଧାରଣତଃ ଶ୍ରୀଜଗନ୍ନାଥଙ୍କ ବର୍ଷକ ମଧ୍ୟରେ ୨୪ଟି ବେଶ ହୋଇଥାଏ । ଏହି ୨୪ଟି ମଧ୍ୟରୁ ୨୨ଟି ବେଶ ସାଧାରଣ ଯାହାକି ବର୍ଷକ ମଧ୍ୟରେ ଗଡିଚାଲିଥାଏ । କିନ୍ତୁ ଦୁଇଟି ବେଶ କେବଳ ବିଶେଷ ଅବସରରେ ପଡିଥାଏ । ସେ ଦୁଇଟି ହେଲା ରଘୁନାଥ ବେଶ ଓ ନାଗାର୍ଜ୍ଜୁନ ବେଶ । ଏହି ଦୁଇଟି ହେଉଛି ଶ୍ରୀଜୀଉଙ୍କର ବିରଳ ବେଶ । ରଘୁନାଥ ବେଶ ପରମ୍ପରା ଅନୁସାରେ ବୈଶାଖ ମାସରେ ପଡିଥାଏ । ଏହି ବେଶ ଏପର୍ଯ୍ୟନ୍ତ ମାତ୍ର ୯ଥର ହୋଇଅଛି । ମାତ୍ର ଶେଷଥର ପାଇଁ ଏହା ୧୯୦୫ ମସିହାରେ ପଡିଥିଲା । ଅପର ପକ୍ଷରେ ନାଗାର୍ଜ୍ଜୁନ ଶେଷଥର ପାଇଁ ୨୬/୧୧/୧୯୯୪ରେ ପଡିଥିଲା ଏବେ ଏହାର ୨୫ ବର୍ଷ ପରେ ଅର୍ଥାତ ୨୭/୧୧/୨୦୨୦ରେ କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତିଥୀରେ ଏହା ପଡୁଅଛି । ଏହି ବେଶକୁ ବିଷ୍ଣୁଙ୍କର ଏକ ରୂପ ଭାବେ ଗ୍ରହଣ କରାଯାଇଥାଏ । କାରଣ ଏହି ବେଶ ଭଗବାନ ପର୍ଶୁରାମଙ୍କ ସହିତ ସମ୍ପର୍କିତ ।
ମହାଭାରତରୁ ଜଣାଯାଏ, ଏକଦା ବନବାସ କରୁଥିବା ଅର୍ଜ୍ଜୁନଙ୍କ ସହିତ କିରାଟ ବେଶଧାରୀ ଶିବଙ୍କର ଯୁଦ୍ଧ ହୋଇଥିଲା । ଯୁଦ୍ଧରେ ଅର୍ଜ୍ଜୁନ ପରାସ୍ତ ହେଲେ ମଧ୍ୟ ଶିବ ତାଙ୍କୁ କୃପାକରି କେତେକ ଦିବ୍ୟାସ୍ତ୍ର ପ୍ରଦାନ କରିଥିଲେ । କିରାଟାର୍ଜ୍ଜୁନ କହିଲେ ଶିବଙ୍କୁ ଯେପରି ବୁଝାଯାଏ ସେହିପରି ନାଗାର୍ଜ୍ଜୁନ କହିଲେ ବିଷ୍ଣୁଙ୍କର ଏକ ରୂପ ବୋଲି ଗ୍ରହଣ କରାଯାଏ । ଆଉ କେତେକଙ୍କ ମତରେ ଏହି ବେଶ ଭଗବାନ ପର୍ଶୁରାମଙ୍କ ବେଶର ଏକ ପ୍ରତୀକ । ଅନ୍ୟ ଏକ ମତରୁ ଜଣାଯାଏ, ଅର୍ଜ୍ଜୁନଙ୍କ ପୁତ୍ର ନାଗାର୍ଜ୍ଜୁନ, ଅର୍ଜ୍ଜୁନଙ୍କ ଯୁଦ୍ଧ ଏବଂ ଏହି ମଳ ତିଥିରେ ଅର୍ଜ୍ଜୁନଙ୍କର ପୁର୍ନଜନ୍ମର କାରଣ ଏହି ବେଶ ପଛରେ ରହିଛି ବୋଲି କୁହାଯାଏ । କାରଣ ଯାହା ହେଉନା କାହିଁକିି ଶ୍ରୀଜିଉଙ୍କ ଅନେକ ବେଶ ମଧ୍ୟରୁ ନାଗାର୍ଜ୍ଜୁନ ବେଶ ଦୁର୍ଲ୍ଲଭ ଓ ନିଆରା । ଏଥିପାଇଁ ଏହି ବେଶକି ଦେଖିବା ପାଇଁ ଶ୍ରଦ୍ଧାଳୁ ମାନେ ଚାତକ ପରି ଚାହିଁ ରହିଥିଲେ । କିନ୍ତ ତାହା ସମ୍ଭବ ହେଲା ନାହିଁ ଏଥର ।
ଏଇଠି ମନେପଡେ ଗତ ୨୫ ବର୍ଷ ତଳର ସେହି ଲୋମଟାଙ୍କୁରା କଥା । ସେହି ବର୍ଷ ନାଗାର୍ଜ୍ଜୁନ ବେଶ ଦେଖିବା ନିମନ୍ତେ ପୁରୀରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା । ଯାହା ନିୟନ୍ତ୍ରଣ କରିବା ସମ୍ଭବ ହୋଇପାରିନଥିଲା । ଏଥିରେ ଦଳା ଚକାଟା ହୋଇ ଛଅ ଜଣ ଶ୍ରଦ୍ଧାଳୁ ମୃତୁ୍ୟବରଣ କରିଥିଲେ ।ଏହି ଘଟଣାକୁ ନେଇ ସ୍ୱର୍ଗତ ଅରବିନ୍ଦ ମୁଦୁଲି କଣ୍ଠରେ ସେହି ଅଭୁଲା ସଙ୍ଗୀତ – ‘ଆସିଥିଲି ଶ୍ରୀମନ୍ଦିର, ଯାଉଛି ମୁଁ ସ୍ୱର୍ଗଦ୍ୱାର ନାଗାର୍ଜ୍ଜୁନ ବେଶ ଦର୍ଶନ ସାରି , ଭକତ ପାଦେ ମୋ ପ୍ରାଣ ଗଲା ବାହାରି’ ଏବେବି ହୃଦୟ ଭିତରେ ଆଲୋଡନ ସୃଷ୍ଟି କରେ । ଆଖିରେ ଲୁହ ଆଣେ । ଏସବୁ ସ୍ମୃତି ହୋଇରହିଛିି । ସେହିକଥାକୁ ଦୃଷ୍ଟିରେ ରଖି ଓ କରୋନା ଜନିତ ସଂକ୍ରମଣକୁ ଆଖିଆଗରେ ରଖି ପ୍ରଶାସନ ଓ ଛତିଶାନିଯୋଗ ଏଭଳି ନିଷ୍ପତ୍ତି ନେଇଛନ୍ତି । ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ।
ଶୁଣାଯାଉଛି ଯେ, ଆସନ୍ତା ବର୍ଷ ୨୦୨୧ ମସିହାରେ ପଞ୍ଚୁକ ମଧ୍ୟ ଛଅ ଦିନ ପଡୁଅଛି । ତେଣୁ ଆସନ୍ତା ବର୍ଷ ନାଗାର୍ଜ୍ଜୁନ ବେଶ ହୋଇପାରେ ବୋଲି କେତେକ ଶ୍ରଦ୍ଧାଳୁ ଆଶା ରଖିଛନ୍ତି । ମାତ୍ର ଏବେ ନୂତନ ପାଞ୍ଜିକୁ ଅପେକ୍ଷା । ନୂତନ ପାଞ୍ଜି ପ୍ରକାଶ ପାଇଲେ ସବୁକଥା ସ୍ପଷ୍ଟ ହୋଇଯିବ । ମହାମାରୀ କରୋନା ଯୋଗୁଁ ଯେଉଁଠି ଜୀବନ ବାଜି ପଡିଛି, ସେଠି ଏଭଳି ନିଷ୍ପତ୍ତିକୁ ମାନିବା ଛଡା ଆମ ପାଖରେ ଆଉ ବିକଳ୍ପ କିଛି ନାହିଁ । ତେଣୁ ଏସବୁ ଲୀଳାମୟଙ୍କ ଇଚ୍ଛା ବୋଲି ଭାବି ଆମକୁ ଗ୍ରହଣ କରିବାକୁ ହେବ ।