Odisha news

ପଞ୍ଚକ ଓ ଶ୍ରୀମନ୍ଦିରରେ ପଞ୍ଚକ

0

ଡକ୍ଟର ବିଜୟଲକ୍ଷ୍ମୀ ଭୂୟାଁ :  କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ଅର୍ଥାତ୍ ଦେବଉତ୍ଥାପନ ବା ବଡ଼ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଦିନକୁ ପବିତ୍ର ପଞ୍ଚକ ଭାବେ ପାଳନ କରାଯାଇଥାଏ  । ଏହା ମହାପଞ୍ଚକ, ବକ ପଞ୍ଚକ ବା ଭୀଷ୍ମ ପଞ୍ଚକ ବା ବିଷ୍ଣୁ ପଞ୍ଚକ ଭାବେ ମଧ୍ୟ ଜଣାଶୁଣା  । ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ୍ୟ କରିପାରନ୍ତି ନାହିଁ, ସେମାନେ ଏହି ପାଞ୍ଚଦିନ ହବିଷ୍ୟ ପାଳନ କରନ୍ତି  । ଅନେକ ଅଁଳା ନବମୀ, ରାଧାପାଦ ଦର୍ଶନ ଦିନ ଠାରୁ ସାତ ଦିନ ହବିଷ୍ୟ ରଖନ୍ତି  । ଏହି ପାଞ୍ଚଦିନ ହିନ୍ଦୁମାନେ ଆମିଷ ପରିତ୍ୟାଗ କରି ଶୁଦ୍ଧ, ସାତ୍ତ୍ୱିକ ଖାଦ୍ୟ ଭୋଜନ କରନ୍ତି  । ଏହି ପଞ୍ଚକରେ ବକମାନେ ମଧ୍ୟ ଆମିଷ ଭୋଜନରୁ ନିବୃତ୍ତ ରୁହନ୍ତି ବୋଲି କଥିତ ଅଛି  । ତେଣୁ ଏହାକୁ ବକ ପଞ୍ଚକ କୁହାଯାଏ  । ଶର ଶଯ୍ୟାରେ ଶାୟିତ ଭୀଷ୍ମ ରାଜ ଧର୍ମ, ମୋକ୍ଷଧର୍ମ,  ଦାନଧର୍ମ ବିଷୟରେ ବର୍ଣ୍ଣନା କରିଥିଲେ  । ଯାହାକୁ ପାଣ୍ଡବମାନଙ୍କ ସହିତ ଶ୍ରୀକୃଷ୍ଣ ମଧ୍ୟ ଶୁଣିଥିଲେ  । ଏଥିରେ ପ୍ରସନ୍ନ ହୋଇ ଶ୍ରୀବାସୁଦେବ ଭୀଷ୍ମଙ୍କୁ ବର ଦେଇଥିଲେ  ।

ଭୀଷ୍ମ କାର୍ତ୍ତିକ ଏକାଦଶୀ ଦିନ ଜଳର ଇଛା କରିଥିଲେ  । ଅର୍ଜୁନ ବାଣ ଦ୍ୱାରା ଗଙ୍ଗାଜଳ ଉତ୍ପନ୍ନ କରି ତାଙ୍କ ପ୍ରାଣ ସନ୍ତୁଷ୍ଟ କରିଥିଲେ  । ଏଣୁ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଯେଉଁମାନେ ଭୀଷ୍ମଙ୍କୁ ଜଳ ଓ ଅର୍ଘ ଦାନ କରନ୍ତି ସେମାନେ ବିଷ୍ଣୁଙ୍କୁ ମଧ୍ୟ ତୃପ୍ତ କରିଥାନ୍ତି  । ସେଥିପାଇଁ ପଞ୍ଚକକୁ ଭୀଷ୍ମପଞ୍ଚକ ବୋଲି ମଧ୍ୟ କୁହାଯାଇଥାଏ  । ସନ୍ତାନପ୍ରାପ୍ତି ଉଦେ୍ଦଶ୍ୟରେ ଅନେକ ଭୀଷ୍ମ ପଞ୍ଚକ ପାଳିଥାନ୍ତି  । ଏହି ପଞ୍ଚକରେ ୩୩କୋଟି ଦେବତା ଏକତ୍ର ହୋଇ ମଣିଷର ନିକଟତର ହୋଇଥାନ୍ତି  । ଏହି ସମୟରେ ଏକ ଲକ୍ଷ ତୁଳସୀ ପତ୍ର ଚଢ଼ାଇ ବିଷ୍ଣୁଙ୍କୁ ପୂଜା କଲେ, ସମସ୍ତ ଦେବତା ପ୍ରସନ୍ନ ହୋଇ ବରପ୍ରଦାନ କରିଥାନ୍ତି  ।

ଶ୍ରୀମନ୍ଦିରରେ ମହାଆଡ଼ମ୍ବରରେ ପାଳିତ ହୁଏ ପଞ୍ଚକ  । ଏହି ପାଞ୍ଚଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି  । ପ୍ରତ୍ୟେକ ଦିନ ଚତୁର୍ଦ୍ଧା ମୂରତିଙ୍କ ଭିନ୍ନ ଭିନ୍ନ ବେଶ ଅନୁଷ୍ଠିତ ହୋଇଥାଏ  । ପ୍ରଥମେ ଦେବଉତ୍ଥାପନ ଏକାଦଶୀ ବା ବଡ଼ ଏକାଦଶୀ ଦିନ ଠାକୁରଙ୍କର ଲକ୍ଷ୍ମୀନାରାୟଣ ବେଶ ବା ଠିଆକିଆ ବେଶ ଅନୁଷ୍ଠିତ ହୋଇଥାଏ  । ବର୍ଷର ଚାରି ବଡ଼ ଏକାଦଶୀ ମଧ୍ୟରୁ କାର୍ତ୍ତିକ ଏକାଦଶୀ ହେଉଛି ଅନ୍ତିମ  । ଏହି ଦିନ ଚତୁର୍ମାସ୍ୟା ବ୍ରତ ସମାପନ ହୋଇଥାଏ  । ହରିଶୟନ ଏକାଦଶୀ ଠାରୁ ନିଦ୍ରା ଯାଇଥିବା ଭଗବାନ ବିଷ୍ଣୁ ନିଦ୍ରାରୁ ଉଠନ୍ତି  । ସେଥିପାଇଁ ଏହି ଏକାଦଶୀକୁ ଦେବ ଉତ୍ଥାପନ ଏକାଦଶୀ କୁହାଯାଇଥାଏ  । ଏହି ଏକାଦଶୀ ଠାରୁ ବିବାହ, ବ୍ରତ ଆଦି ସମସ୍ତ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇଥାଏ  । ଭଗବାନ ବିଷ୍ଣୁଙ୍କ ସ୍ୱରୂପ ହୋଇଥିବାରୁ କାର୍ତ୍ତିକ ଏକାଦଶୀରେ ଶ୍ରୀଜଗନ୍ନାଥଙ୍କ ମସ୍ତକରେ ସୁବର୍ଣ୍ଣର ଠିଆକିଆ ଲାଗି ହେଉଥିବାରୁ ଏହାକୁ ଠିଆକିଆ ବେଶ କୁହାଯାଇଥାଏ  ।

ସେହିପରି ଦେବୀ ଲକ୍ଷ୍ମୀଙ୍କ ସହ ଭକ୍ତଙ୍କୁ ଦର୍ଶନ ଦେଉଥିବାରୁ ଶ୍ରୀଜୀଉଙ୍କ ଏହି ବେଶକୁ ଲକ୍ଷ୍ମୀନାରାୟଣ ବେଶ ମଧ୍ୟ କୁହାଯାଇଥାଏ  । ସନ୍ଥ ରାମାନୁଜଙ୍କ ସମୟରୁ ଲକ୍ଷ୍ମୀ ନାରାୟଣ ବେଶ ଆରମ୍ଭ ହୋଇଥିବା ଅନୁମାନ କରାଯାଏ  । ପଞ୍ଚକର ଅନ୍ୟ ଚାରିଦିନ ମଧ୍ୟ ମହାପ୍ରଭୁ ଭିନ୍ନ ଭିନ୍ନ ରୂପରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି  । ଦ୍ୱାଦଶୀରେ ବାଙ୍କଚୂଡ଼ା ବେଶ ବା ବାମନ ବେଶ, ତ୍ରୟୋଦଶୀରେ ତି୍ରବିକ୍ରମ ବେଶ ବା ଆଡ଼କିଆ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ବା ଡାଳିକିଆ ବେଶ, ପୂର୍ଣ୍ଣମୀରେ ରାଜରାଜେଶ୍ୱର ବେଶ ବା ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି ମହାପ୍ରଭୁ ଜଗନ୍ନାଥ  ।

କାର୍ତ୍ତିକମାସରେ ପଞ୍ଚକ ଛଅ ଦିନ ପଡ଼ିଲେ ଅର୍ଥାତ ମଳ ତିଥି ଦିନ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ଅନୁଷ୍ଠିତ ହୁଏ  । ଗତ ୧୬.୧୧.୧୯୯୪ରେ କାର୍ତ୍ତିକ ମଳ ତ୍ରୟୋଦଶୀ ବୁଧବାର ଦିନ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା  । କାର୍ତ୍ତିକ ମାସ ଓଡ଼ିଆ ଜନଜୀବନରେ ଆଧ୍ୟାତ୍ମିକ ସ୍ୱତନ୍ତ୍ରତା ବହନ କରିଥାଏ ଆଉ ପୁଣ୍ୟ କାର୍ତ୍ତିକର ପଞ୍ଚକ ବିଶେଷକରି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ମହାପ୍ରସାଦ ସେବନ କଲେ ଅଶେଷ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି । ପଞ୍ଚୁକ ପାଞ୍ଚଦିନ ଶ୍ରୀମନ୍ଦିରରେ ମହାପ୍ରସାଦର ସ୍ୱତନ୍ତ୍ର ଚାହିଦା ମଧ୍ୟ ରହିଥାଏ । କେବଳ ହବିଷ୍ୟାଳି ନୁହଁନ୍ତି ଦୂରଦୂରାନ୍ତରୁ ଆଧ୍ୟାତ୍ମିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରି ମହାପ୍ରସାଦ ସେବନ କରି ନିଜକୁ ଧନ୍ୟ ମନେକରିଥାନ୍ତି ।

Leave A Reply