ଡକ୍ଟର ବିଜୟଲକ୍ଷ୍ମୀ ଭୂୟାଁ : ଭଗବାନ ବିଷ୍ଣୁଙ୍କ ସ୍ୱରୂପ ଶାଳଗ୍ରାମ ଓ ମାତା ତୁଳସୀଙ୍କ ମିଳନର ପର୍ବ ହେଉଛି ତୁଳସୀ ବିବାହ । ହିନ୍ଦୁ ଧର୍ମ ଅନୁସାରେ, କାର୍ତ୍ତିକ ମାସର ଶୁକ୍ଳପକ୍ଷ ଏକାଦଶୀ କିମ୍ବା ଦ୍ୱାଦଶୀ ତିଥିରେ ଏହି ପର୍ବ ପାଳିତ ହୁଏ । ଦେବପ୍ରବୋଧିନୀ ଏକାଦଶୀ ଦିନ ଏହି ଉତ୍ସବ ପାଳନ କରାଯାଏ । ତୁଳସୀଙ୍କୁ ବିଷ୍ଣୁପ୍ରିୟା (ଭଗବାନ ବିଷ୍ଣୁଙ୍କ ପ୍ରେୟସୀ) ମଧ୍ୟ କୁହାଯାଏ । ଏହି ଅବସରରେ ସନାତନ ଧର୍ମାବଲମ୍ବୀମାନେ ଘର ସଫା କରି ରଙ୍ଗ ବେରଙ୍ଗର ଝୋଟି ଆଙ୍କିଥାନ୍ତି । ସନ୍ଧ୍ୟା ସମୟରେ ତୁଳସୀ ଚଉଁରା ପାଖରେ ଆଖୁର ଭବ୍ୟ ମଣ୍ଡପ ତିଆରି କରାଯାଇ ସେଥିରେ ସାକ୍ଷାତ୍ ନାରାୟଣ ସ୍ୱରୂପ ଶାଳଗ୍ରାମଙ୍କ ମୂର୍ତ୍ତି ସ୍ଥାପନ କରାଯାଏ ।
ବିଧି-ବିଧାନ ପୂର୍ବକ ତୁଳସୀଙ୍କ ସହ ଶାଳଗ୍ରାମଙ୍କ ବିବାହ ସମ୍ପନ୍ନ ହୁଏ । ପୌରାଣିକ କଥାନୁସାରେ, ଜଳନ୍ଧର ନାମକ ରାକ୍ଷସର ପତ୍ନୀ ଥିଲେ ତୁଳସୀ । ତାଙ୍କର ଶିଷ୍ଟତା ଓ ସମର୍ପଣ ଭାବ ଯୋଗୁ ଜଳନ୍ଧର ତିନିଲୋକରେ ଅଜୟ ହୋଇଗଲା । ସୃଷ୍ଟିର ସଂହାରକର୍ତ୍ତା ସ୍ୱୟଂ ଭଗବାନ ଶିବ ମଧ୍ୟ ତାକୁ ପରାସ୍ତ କରିପାରିଲେ ନାହିଁ । ଏହାର ସମାଧାନ ପାଇଁ ମହାଦେବ ବିଷ୍ଣୁଙ୍କୁ ପ୍ରାର୍ଥନା କଲେ । ସୃଷ୍ଟିର କଲ୍ୟାଣ ଉଦେ୍ଦଶ୍ୟରେ ଭଗବାନ ବିଷ୍ଣୁ ବୃନ୍ଦାଙ୍କ ସତୀତ୍ୱ ନଷ୍ଟ କରିଦେଲେ ।
ଫଳରେ ସତୀ ତାଙ୍କୁ ଶାପ ଦେଲେ ଓ ଭଗବାନ ବିଷ୍ଣୁ ପଥର ପାଲଟିଗଲେ । ଏହି କାରଣ ଯୋଗୁଁ ଭଗବାନଙ୍କୁ ଶାଳଗ୍ରାମ ମଧ୍ୟ କୁହାଯାଏ । ଭକ୍ତମାନେ ଏହି ରୂପରେ ତାଙ୍କୁ ପୂଜା କରନ୍ତି । ଶାପରୁ ମୁକ୍ତି ପାଇବା ପାଇଁ ଭଗବାନ ବିଷ୍ଣୁଙ୍କୁ ଶାଳଗ୍ରାମ ସ୍ୱରୂପରେ ତୁଳସୀଙ୍କ ସହ ବିବାହ କରିବାକୁ ପଡ଼ିଲା । ସେହି ଦିନ ଠାରୁ ତୁଳସୀ ବିବାହ ଉତ୍ସବ ପ୍ରତିବର୍ଷ ପାଳନ କରାଯାଏ । ଏହି ଦିନ ବ୍ରତ ରଖିବାର ଅନେକ ମହତ୍ୱ ରହିଛି । ଶ୍ରଦ୍ଧା, ଭକ୍ତି ଏବଂ ବିଧିପୂର୍ବକ ବ୍ରତ ରଖିଥିବା ବ୍ୟକ୍ତିର ସବୁ ପାପ ନାଶ ଯାଏ । ସେ ମୋକ୍ଷପ୍ରାପ୍ତି ହୁଏ ।
କାର୍ତ୍ତିକ ମାସରେ ଚଉଁରାରେ ଥିବା ତୁଳସୀ ବୃକ୍ଷ ପୂଜା କଲେ ଅଶେଷ ପୂଣ୍ୟ ପ୍ରାପ୍ତି ହୋଇଥାଏ । ଏହା ପୂଜା କରୁଥିବା ଭକ୍ତ ବିଷ୍ଣୁଲୋକ ପ୍ରାପ୍ତ କରିଥାଏ ବୋଲି ପୁରାଣରେ ବର୍ଣ୍ଣନା ରହିଛି । ତେବେ ତୁଳସୀଙ୍କ ମହାତ୍ମ୍ୟ ଶ୍ରବଣ କଲେ ଅଧିକ ପୁଣ୍ୟ ମିଳେ । ଥରେ କାଶ୍ମୀର ଦୁଇ ବ୍ରାହ୍ମଣ ହରିମେଧ ଓ ସୁମେଧ ଥରେ ତୀର୍ଥଯାତ୍ରାରେ ବାହାରିଥିଲେ । ବାଟରେ ତୁଳସୀ ବନ ଦେଖିବା ମାତ୍ରେ ସୁବେମଧ ହାତଯୋଡ଼ି ପ୍ରଣାମ କଲେ । ହରିମେଧ ଏହାର କାରଣ ପଚାରିବାରୁ ସୁମେଧ ତାଙ୍କୁ ଏକ ବରଗଛ ନିକଟକୁ ନେଇ ଯାଇ ତୁଳସୀ ମହାତ୍ମ୍ୟ ଶୁଣାଇଲେ । ସମୁଦ୍ର ମନ୍ଥନରୁ ମାତା ଲକ୍ଷ୍ମୀ, କଳ୍ପବୃକ୍ଷ, ଐରାବତ, କାମଧେନୁ ଆଦି ବାହାରିଲା । ଶେଷରେ ଅମୃତ ବାହାରିଲା । ଅମୃତ ପାତ୍ର ଧରିବା ସମୟରେ ଭଗବାନ ବିଷ୍ଣୁଙ୍କ ଚକ୍ଷୁରୁ ଆନନ୍ଦାଶ୍ରୁ ନିଗିଡ଼ି ପଡ଼ିଲା । ସେହି ଅଶ୍ରୁରୁ ହିଁ ତୁଳସୀଙ୍କ ଜନ୍ମ ହୋଇଥିଲେ ।
ବିଷ୍ଣୁ ତୁଳସୀଙ୍କୁ ନିଜ କୋଳରେ ବସାଇଲେ । ତାଙ୍କ ଆଶୀର୍ବାଦରୁ ତୁଳସୀ ଏକ ପବିତ୍ର ବୃକ୍ଷରେ ପରିଣତ ହେଲେ । ଭବିଷ୍ୟତରେ ତୁଳସୀଙ୍କୁ ପୂଜା କରୁଥିବା ଲୋକ ବିଷ୍ଣୁକୃପା ଲାଭ କରିବେ ବୋଲି ନାରାୟଣ ଆଶୀର୍ବାଦ ଦେଲେ । ଦୁଇ ବ୍ରାହ୍ମଣଙ୍କ କଥୋପକଥନ ଶେଷ ହେବା ପରେ ନିକଟରେ ଥିବା ବରଗଛଟି ଦୁଇ ଫାଳ ହୋଇଗଲା । ସେଥିରୁ ଦୁଇ ବ୍ରହ୍ମରାକ୍ଷସ ବାହାରିଲେ । ପ୍ରଥମ ରାକ୍ଷସଟି ଦୁଇ ବ୍ରାହ୍ମଣଙ୍କୁ କହିଲା, ମୋ ନାଁ ଆସ୍ଥିକ । ମୁଁ ଥରେ ଅପସରାଙ୍କ ସହ ବନରେ କ୍ରୀଡ଼ା କରୁଥିବାବେଳେ ରୋମଷ ନାମକ ଜଣେ ଋଷିଙ୍କ ଧ୍ୟାନ, ଭଗ୍ନ ହେଲା ।
ତାଙ୍କ ଅଭିଶାପ କ୍ରମେ ମୁଁ ବ୍ରହ୍ମରାକ୍ଷସରରେ ପରିଣତ ହୋଇଯାଇଥିଲି । ସେହିପରି ଅନ୍ୟଜଣକ ଗୁରୁଙ୍କ ଅଭିଶାପକ୍ରମେ ବ୍ରହ୍ମରାକ୍ଷସରେ ପରିଣତ ହୋଇଥିଲା । ଦୁହେଁ ବ୍ରାହ୍ମଣଙ୍କ ଠାରୁ ତୁଳସୀ ମାହତ୍ମ୍ୟ ଶ୍ରବଣ କରିବା ପରେ ବ୍ରହ୍ମରାକ୍ଷସ ଜନ୍ମରୁ ମୁକ୍ତି ପାଇ ମୂଳ ସ୍ୱରୂପକୁ ଫେରି ପାଇଥିଲେ । ଉପରୋକ୍ତ କଥା ପ୍ରଥମେ ବ୍ରହ୍ମଦେବ ନାରଦଙ୍କୁ ଶୁଣାଇଥିଲେ । ପରେ ତୁଳସୀ ମହାତ୍ମ୍ୟ ଏବଂ ତୁଳସୀ ବ୍ରତର ସମ୍ପର୍କରେ ବ୍ୟାସଦେବ ଧର୍ମରାଜ ଯୁଧୀଷ୍ଠିରଙ୍କ ନିକଟରେ ବର୍ଣ୍ଣନା କରିଥିଲେ ।