ଡାକ୍ତର ବିଷ୍ଣୁପ୍ରସାଦ ସର (ସହକାରୀ ପ୍ରଫେସର, ଚକ୍ଷୁ ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ)
ଆଖିକୁ ଆତ୍ମାର ଝରକା କୁହାଯାଏ । କାରଣ ଆଖି ମନର କଥା କହିଦିଏ ଅର୍ଥାତ୍ ମନର କଥାକୁ ଆଖି ମାଧ୍ୟମରେ ଆମେ ପଢ଼ିପାରୁ । ଶରୀରର ପ୍ରତ୍ୟେକ ଅଙ୍ଗ ଆମ ପାଇଁ ଜରୁରୀ, ସବୁଠାରୁ ବେଶି ଜରୁରୀ ଆଖି । କାରଣ ଏ ସୁନ୍ଦର ଦୁନିଆକୁ ଦେଖିବା ପାଇଁ ହେଲେ ଆଖିର ଏକାନ୍ତ ଆବଶ୍ୟକ । ଶରୀରର ସବୁଠାରୁ ସୂକ୍ଷ୍ମ ଅଙ୍ଗ ରୂପେ ଆଖି ବିବେଚିତ । ଯଦି ଆଖିରେ ଛୋଟ ଧୂଳିକଣାଟେ ପଡ଼ିଯାଏ ତେବେ ଆମକୁ ଚାରିଦିଗ ଅନ୍ଧାର ଲାଗେ, ଯାହାର କଷ୍ଟ ସହିବା ଆମପକ୍ଷେ ଅସମ୍ଭବ ହୋଇପଡ଼େ । ତେଣୁ ଆମ ଶରୀରର ସବୁଠାରୁ ସୂକ୍ଷ୍ମ ଅଙ୍ଗକୁ କିପରି ସୁସ୍ଥ ରଖିବା ତାହା ଜାଣିବା ନିହାତି ଆବଶ୍ୟକ ।
* ସୁସ୍ଥ ଆଖି ପାଇଁ ଭିଟାମିନଯୁକ୍ତ ଖାଦ୍ୟ ଖାଇବା ନିହାତି ଦରକାର । ଉପଯୁକ୍ତ ଖାଦ୍ୟ ହିଁ ଆଖିର ଦୃଷ୍ଟିଶକ୍ତିକୁ ବଢ଼ାଇଥାଏ । ଭିଟାମିନ୍-ଏ, ଭିଟାମିନ-ସି, ଭିଟାମିନ-ଇ, ଓମେଗା-୩ ଯୁକ୍ତ ଖାଦ୍ୟ ଖାଇଲେ ଆଖିର ଦୃଷ୍ଟିଶକ୍ତି ବଢ଼ିଥାଏ । ସବୁଜ ପରିବା ଯେପରିକି ପୋଇ, ବନ୍ଧାକୋବି, କଲରା, ଗାଜର, କନ୍ଦମୂଳ ତାହା ସହ ସାଲମନ୍ ମାଛର ତେଲ, ଅଣ୍ଡାର କେଶର ଖାଇବା ଆଖି ପାଇଁ ବେଶ ଉପକାରୀ । ଏହି ଖାଦ୍ୟ ଖାଇଲେ ଶରୀରକୁ ଶକ୍ତି ମିଳିବା ସହ ଆଖି ମଧ୍ୟ ସୁସ୍ଥ ରହିଥାଏ ।
* ପ୍ରତ୍ୟେକ ଦିନ କମ୍ପୁ୍ୟଟରରେ କାମ କରିବା ଦ୍ୱାରା ଆଖିର ଶକ୍ତି କମିଥାଏ । ଆଖିତଳେ ମଧ୍ୟ କଳାଦାଗ ପଡ଼ିଥାଏ ଓ ବେକ, କାନ୍ଧ, ଅଣ୍ଟାରେ ଅଧିକ କଷ୍ଟ ହୋଇଥାଏ । କାମ କରିବା ପାଇଁ ହେଲେ ଆମକୁ କମ୍ପୁ୍ୟଟର ବ୍ୟବହାର କରିବାକୁ ପଡ଼ିବ । ତେଣୁ କମ୍ପୁ୍ୟଟର ବ୍ୟବହାର କରିବାର ପ୍ରତି ଦୁଇ ଘଣ୍ଟାରେ ୨୦ମିନିଟ୍ ବ୍ରେକ୍ ନେବା ଆଖି ପାଇଁ ଭଲ । ନଚେତ୍ ପ୍ରତି ୨୦ମିନିଟ୍ରେ ୨୦ ସେକେଣ୍ଡ ବ୍ରେକ୍ ଦେବା ମଧ୍ୟ ଭଲ । ସବୁଠାରୁ ଜରୁରୀ ଅତ୍ୟଧିକ ପରିମାଣରେ ପାଣି ପିଇବା ଉଚିିତ । ପାଣି ଶରୀର ସହ ଆଖି ପାଇଁ ମଧ୍ୟ ଏକାନ୍ତ ଆବଶ୍ୟକ । କମ୍ପୁ୍ୟଟର ଦେଖି ସାରିବା ପରେ ଆଖିକୁ ଭଲ ଭାବେ ଧୋଇବା ଉଚିତ । ଏହାଦ୍ୱାରା ଆଖିକୁ ଆରାମ ମିଳିଥାଏ ।
* ଖରାକୁ ବାହାରିବା ପୂର୍ବରୁ ଚଷମା ବ୍ୟବହାର କରିବା ଉଚିତ । କାରଣ ଚଷମା ଖରାରୁ ଆମ ଆଖିକୁ ରକ୍ଷା କରିବାରେ ସାହାଯ୍ୟ କରେ । ସୂର୍ଯ୍ୟକିରଣ ସିଧାସଳଖ ଆଖିରେ ପଡ଼ିବା ଦ୍ୱାରା ଆଖିକୁ ଅଧିକ କଷ୍ଟ ହୋଇଥାଏ । ତେଣୁ ସୂର୍ଯ୍ୟକିରଣରୁ ନିଜ ଆଖିକୁ ରକ୍ଷା କରିବାକୁ ହେଲେ ଚଷମା ବ୍ୟବହାର କରିବା ଉଚିତ ।
* ଧୂମପାନ କରିବା ସ୍ୱାସ୍ଥ୍ୟପକ୍ଷେ ହାନିକାରକ, ଏହା ଜାଣି ମଧ୍ୟ ଆମେ ଏହାର ବ୍ୟବହାର କରିଥାଉ । ଧୂମପାନ କଲେ ଆମ ଆଖି ଖରାପ ହୋଇଥାଏ । ଆପଣ ସିଗାରେଟ୍ ଟାଣିବା ଦ୍ୱାରା ଆପଣଙ୍କର ଓଠ ସହ ଆଖିତଳେ ମଧ୍ୟ କଳାଦାଗ ପଡ଼ିଥାଏ । ପ୍ରତ୍ୟେକ ଦିନ ସିଗାରେଟ୍ ଟାଣିବା ଫଳରେ ଆପଣଙ୍କର ଶିରାପ୍ରଶିରା ଦୁର୍ବଳ ହୋଇଯାଏ । ଯାହାର ପ୍ରଭାବ ଆପଣଙ୍କର ଆଖିରେ ପଡ଼ିଥାଏ ।
* ଆପଣ ବ୍ୟବହାର କରୁଥିବା କ୍ରିମ୍ ମଧ୍ୟ ଆପଣଙ୍କ ଦୂରଦୃଷ୍ଟିରେ ପ୍ରଭାବ ପକାଇଥାଏ । ସାଧାରଣତଃ ଆପଣ କ୍ରିମ୍ ବ୍ୟବହାର କରିବପା ସମୟରେ ମୁହଁ ସହ ଆଖିର ଚାରିପଟେ ମଧ୍ୟ ଲଗାଇଥାନ୍ତି । ତେଣୁ ଏହାର ପ୍ରଭାବ ଆଖି ଉପରେ ପଡ଼ିଥାଏ । ତେଣୁ ଆପଣ ବ୍ୟବହାର କରୁଥିବା କ୍ରିମ୍କୁ ପ୍ରତି ଛଅ ମାସରେ ବଦଳାଇବା ଉଚିତ । ଆପଣ ବ୍ୟବହାର କରୁଥିବା ମେକ୍ଅପ୍ ବ୍ରସକୁ ଅନ୍ୟ କାହାକୁ ବ୍ୟବହାର କରିବା ପାଇଁ ଦେବା ଠିକ୍ ନୁହେଁ । ଏହାଦ୍ୱାରା ଆଖିରେ ସଂକ୍ରମଣ ହେବା ସମ୍ଭାବନା ଥାଏ ।
* ଶରୀରର ସବୁଠାରୁ ସୂକ୍ଷ୍ମ ଅଙ୍ଗ ଭାବେ ଆଖି ପରିଚିତ । ତେଣୁ ଏହାକୁ ପ୍ରତି ଦୁଇ ମାସରେ ଥରେ ଚକ୍ଷୁ ଡାକ୍ତରଙ୍କ ପାଖରେ ପରୀକ୍ଷା କରିବା ଉଚିତ । ଏପରି କରିବା ଦ୍ୱାରା ଆଖିର ସମସ୍ୟା ଜାଣିବା ସହ ଏହାର ସମାଧାନ ମଧ୍ୟ ଆପଣ କରିପାରିବେ ।
* କୌଣସି ଯାନବାହାନରେ ଯାତାୟାତ କରିବା ସମୟରେ ବହି ପଢ଼ିବା ଠିକ୍ ନୁହେଁ । ସାଧାରଣ ଆମେ ଦେଖିଥାଉ ଯେ ଅଧିକାଂଶ ଲୋକ ବସ୍ କିମ୍ବା ଟ୍ରେନ୍ରେ ଯିବା ସମୟରେ ଆମେ ସ୍ଥିର ନଥାଉ । ଯାହା ଫଳରେ ଆମେ ବହି ପଢ଼ିବା ଦ୍ୱାରା ଆମର ନଜର ଏପଟସେପଟ ହୋଇଥାଏ । ଅର୍ଥାତ୍ ଆମର ଏକାଗ୍ରତା ରହେ ନାହିଁ । ଏହାଦ୍ୱାରା ଆମ ଆଖି ଉପରେ ଅଧିକ ଚାପ ପଡ଼ିଥାଏ । ଏପରି କରିବା ଦ୍ୱାରା ଆଖି ଖରାପ ହେବାର ସମ୍ଭାବନା ଥାଏ ।
* ଯେତେବେଳେ ଆପଣ ବହି ପଢ଼ୁଛନ୍ତି କିମ୍ବା ଟିଭି, କମ୍ପୁ୍ୟଟର ଦେଖୁଛନ୍ତି, ତେବେ ମଝିରେ ମଝିରେ ଆଖିକୁ ମିଟି ମିଟି କରିବା ଭଲ । ଏପରି କରିବା ଦ୍ୱାରା ଆପଣଙ୍କ ଆଖିକୁ ଆରମ ମିଳିବା ସହ ଆପଣଙ୍କ କାମରେ ଏକାଗ୍ରତା ରହିବ ।
* ଯଦି ଆପଣଙ୍କ ଆଖିରେ କିଛି ଗୁଣ୍ଡ କିମ୍ବା ଧୂଳି ପଡ଼ିଯାଏ ତେବେ ସଙ୍ଗେ ସଙ୍ଗେ ଆଖିକୁ ମକଚିବା ଭଲ ନୁହେଁ । ଯଥାସମ୍ଭବ ଆଖିକୁ ଭଲ ଭାବେ ପାଣିରେ ଧୋଇଦିଅନ୍ତୁ । ଏହାପରେ ଯଦି ଆଖିକୁ କଷ୍ଟ ହୁଏ ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।
* ଖେଳିବା ସମୟରେ ଯେପରି ଆଖିରେ କୌଣସି ଜିନିଷ ନ ପଡ଼େ ସେଥିପ୍ରତି ଧ୍ୟାନ ଦେବା ଉଚିତ ।
* ଆଖି ପାଇଁ କରାଯାଉଥିବା ବ୍ୟାୟାମ ବିଷୟରେ ଜାଣିବା ଆବଶ୍ୟକ । ତାହା ସହ ସକାଳ ଓ ସନ୍ଧ୍ୟାରେ ସେଗୁଡ଼ିକ କଲେ ଭଲ ।
* ବହି ପଢ଼ିବା ସମୟରେ କିମ୍ବା ଟିଭି ଦେଖିବା ସମୟରେ ଯଦି ଆପଣଙ୍କୁ ଜାଲଜାଲିଆ ଦେଖାଯାଏ ତେବେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।
* ସବୁବେଳେ ଯଦି ଆପଣଙ୍କର ଆଖି କୁଣ୍ଡେଇ ହେଉଛି କିମ୍ବା ଆଖିରୁ ପାଣି ବାହାରୁଛି ତେବେ ଭଲ ଚକ୍ଷୁ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ ।