ତିହିଡି,୧୬/୧୧(Jadumani Panigrahi) : ଗ୍ରାମାଞ୍ଚଳର ଲୋକଙ୍କୁ ସାଧାରଣ ଚିକିତ୍ସା ସେବା ଯୋଗାଇ ଦେବା ସରକାରଙ୍କ ମୌଳିକ କର୍ତ୍ତବ୍ୟ ହୋଇଥିବା ବେଳେ ସରକାରୀ ସ୍ତରରେ ଏହା ଉପରେ ଆଦୌ ଗୁରୁ୍ତ୍ୱ ଦିଆଯାଉ ନଥିବା ପରିଲକ୍ଷିତ ହୋଇଛି । ଫଳରେ ସାଧାରଣ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ ପ୍ରାୟ ୮ମାସରୁ ଅଧିକ ସମୟ ଧରି କୋରୋନା ଯୋଗୁଁ ସାଧାରଣ ଚିକିତ୍ସା ସେବା ପ୍ରତି ସରକାର ନଜର ଦେଇନଥିବା ବେଳେ କୋରୋନାକୁ ବାଦ ଦେଲେ ଅନ୍ୟାନ୍ୟ ରୋଗରେ ଅନେକ ଲୋକ ମଧ୍ୟ ପ୍ରାଣ ହରେଇଛନ୍ତି ।
କେବଳ ତିହିଡି ନୁହେଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ କୋରୋନା ଆଳରେ ସାଧାରଣ ରୋଗୀଙ୍କୁ ଅବହେଳା କରାଯାଇଛି । ଫଳରେ ସାଧାରଣ ରୋଗୀଟିଏ ନିଜ ଜୀବନ ବଞ୍ଚାଇବାକୁ ଯାଇ ଘରୋଇ ଚିକିତ୍ସାଳୟର ଶରଣାପନ୍ନ ହେବା ସହିତ ଆର୍ଥିକ ଶୋଷଣର ଶିକାର ହୋଇଛି । ତିହିଡି ସମେତ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ କୋରୋନା ରୋଗୀଙ୍କ ପାଇ ସ୍ୱତନ୍ତ୍ର ଚିକିତ୍ସା କେନ୍ଦ୍ର ଖୋଲା ଯାଇଥିବା ବେଳେ ଡାକ୍ତର ମାନଙ୍କୁ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ଯାହାଫଳରେ ଅନ୍ୟ ରୋଗୀ ମାନେ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହୋଇଥିଲେ ।
ଆଜି ବି ଏହି ଅବସ୍ଥା ବଳବତ୍ତର ରହିଛି । ଶିଶୁ ଓ ମାତୃ ମୃତୁ୍ୟହାର ହ୍ରାସ କରିବା ଉପରେ ସରକାର ଗୁରୁତ୍ୱ ଦେଉଥିବା ବେଳେ କୋରୋନା ବେଳେ ବହୁ ପ୍ରସବକାଳୀନ ରୋଗୀ ଓ ରୋଗାକ୍ରାନ୍ତ ଶିଶୁ ଚିକିତ୍ସା ସେବା ପାଇ ପାରିନଥିଲେ । ଅନେକ ପ୍ରସବକାଳୀନ ରୋଗୀଙ୍କୁ ଘରୋଇ ଡାକ୍ତରଖାନାକୁ ରେଫର କରାଯାଇଥିଲା ଓ ଏବେବି କରାଯାଉଛି ଯେଉଁମାନେ ସାଂଘାତିକ ଭାବେ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି । ସେହିପରି ଅନ୍ୟାନ୍ୟ ରୋଗୀ ଯଥା-ମଧୁମେହ, ରକ୍ତଚାପ, ହୃଦଘାତ ଓ ପକ୍ଷାଘାତରେ ଶିକାର ରୋଗୀମାନେ ଏବେ କଟକ ବଡ ଡାକ୍ତରଖାନା, କଟକ ଓ ଭୁବନେଶ୍ୱରର ବିଭିନ୍ନ ଘରୋଇ ଡାକ୍ତରଖାନା ଉପରେ ନିର୍ଭର କରିବାକୁ ପଡୁଛି । ସବୁଠାରୁ ବଡକଥା ହେଉଛି ବୃଦ୍ଧ/ବୃଦ୍ଧା ଅଥବା ଦୁର୍ଘଟଣାରେ ଶିକାର ହେଉଥିବା ଜରୁରିକାଳୀନ ରୋଗୀମାନେ ତିହିଡି କିମ୍ବା ଭଦ୍ରକ ଡାକ୍ତରଖାନାରୁ ଆବଶ୍ୟକ ଚିକତ୍ସା ସେବା ନପାଇ କଟକ କିମ୍ବା ଭୁବନେଶ୍ୱର ଯିବା ବାଟରେ ମୃତୁ୍ୟର ଶିକାର ହେଉଛନ୍ତି । ସରକାରୀ ସ୍ତରରେ ଏତôପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।