Odisha news

ତମସୋ ମାଂ ଜ୍ୟୋର୍ତି ଗମୟ

0

ଭାରତ ଜନନୀ ତାର ସଂସ୍କୃତ ଭାଷା ଓ ସଂସ୍କୃତି ଏହି ଦୁଇଟି ବିଷୟ ପାଇଁ ସାରା ବିଶ୍ୱରେ ବନ୍ଦନୀୟା । ବାର ମାସରେ ତେର ପର୍ବ ପାଳିତ ହେଉଥିବା ଏହି ଦେଶରେ ପବିତ୍ର ପୁରୁଷୋତ୍ତମ କାର୍ତ୍ତିକ ମାସର ଅମାବାସ୍ୟା ରାତି୍ରରେ ସର୍ବତ୍ର ପ୍ରଜ୍ଜ୍ୱଳିତ ହୋଇଥାଏ ଅସଂଖ୍ୟ ଦୀପାଳି । ଏହି ପୂଣ୍ୟଭୂମି, କର୍ମଭୂମି, ଜନ୍ମଭୂମି ଭାରତବର୍ଷରେ ପାଳିତ ହେଉଥିବା ପ୍ରତ୍ୟେକ ପ୍ରଥା, ପରମ୍ପରା ତଥା ପର୍ବପର୍ବାଣୀ ପଛରେ ଲୁକ୍କାୟିତ ଥାଏ କୌଣସି ନା କୌଣସି ପୃଷ୍ଠଭୂମି ।

ପୌରାଣିକ ଉପାଖ୍ୟାନ ଅନୁଯାୟୀ ଏହିଦିନ ରଘୁକୁଳତିଳକ ମର୍ଯ୍ୟାଦାପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଅଧର୍ମ ଉପରେ ଧର୍ମର ବିଜୟ ପ୍ରାପ୍ତି କରି ଫେରି ଆସିଥିଲେ ଅଯୋଧ୍ୟା ପୁରୀକୁ । ଅଯୋଧ୍ୟାବାସୀ ନିଜ ରାଜାକୁ ସ୍ୱାଗତ କରିବା ପାଇଁ ସାରା ରାଜ୍ୟରେ ଦୀପ ପ୍ରଜ୍ଜ୍ୱଳନ କରି ଆନନ୍ଦ ଉଲ୍ଲାସରେ ସ୍ୱାଗତ କରିଥିଲେ ଶ୍ରୀରାମଚନ୍ଦ୍ରଙ୍କୁ । ସେହିପରି, ଯେତେବେଳେ ଭଗବାନ୍ ବିଷ୍ଣୁ ବାମନ ଅବତାରରେ ନିଜ ପାଦରେ ବଳିରାଜାଙ୍କୁ ପାତାଳକୁ ଠେଲିଦେଲେ ସେଦିନ ବଳିରାଜା ନିଜ ପ୍ରଜାଙ୍କ ଦୁଃଖ ଦୁର୍ଦ୍ଦଶା ବୁଝିବା ପାଇଁ ଗୋଟିଏ ଦିନ ସମୟ ମାଗିଥିଲେ । ତେଣୁ ବିଶ୍ୱାସ ରହିଛି ପ୍ରତିବର୍ଷ ଦୀପାବଳି ଦିନ ବଳିରାଜା ମର୍ତ୍ତ୍ୟକୁ ଆଗମନ କରନ୍ତି ଓ ମର୍ତ୍ତ୍ୟବାସୀ ଦୀପ ଜାଳି ରାଜାଙ୍କୁ ସ୍ୱାଗତ ଜଣାଇଥାଆନ୍ତି । ଅନ୍ୟ ଏକ ପୌରାଣିକ ମତବାଦ ଅନୁଯାୟୀ ଏହିଦିନ ନାରକାସୁରକୁ ଶ୍ରୀକୃଷ୍ଣ ବଧ କରିଥିଲେ । ତେଣୁ ଧର୍ମର ବିଜୟ ଓ ଅଧର୍ମର ବିନାଶ ଉଦେ୍ଦଶ୍ୟରେ ଏହି ଦିବସରେ ଜ୍ୟୋତି ପ୍ରଜ୍ଜ୍ୱଳନ କରାଯାଇଥାଏ ।

କେହି କେହି କୁହନ୍ତି ଏହିଦିନ ମାତା ଲକ୍ଷ୍ମୀ ତୈଳ ମଧ୍ୟରେ ଓ ଗଙ୍ଗାଜଳରେ ରହିଥାନ୍ତି । ଜୈନ ଧର୍ମାବଲମ୍ବୀମାନେ କୁହନ୍ତି, ଏହିଦିନ ମହାବୀର ଜୈନ ନିର୍ବାଣ ପ୍ରାପ୍ତ ହୋଇଥିଲେ । ତେଣୁ ଜୈନମାନେ ମହାବୀରଙ୍କ ସ୍ମୃତିକୁ ମନେ ପକାଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥାନ୍ତି ।

ସାହିତ୍ୟ ଦର୍ପଣକାର ପଣ୍ଡିତ ବିଶ୍ୱନାଥ କବିରାଜ ଯଥାର୍ଥରେ କହିଥିଲେ – କଳିଙ୍ଗାଃ ସାହସିକାଃ । ଐର ସମ୍ରାଟ ଖାରବେଳଙ୍କ ସମୟରେ ଆଗଙ୍ଗା ଗୋଦାବରୀ ପରିବ୍ୟାପ୍ତ କଳିଙ୍ଗ ରାଜ୍ୟ ଥିଲା ସବୁ କ୍ଷେତ୍ରରେ ସମୃଦ୍ଧ । ପ୍ରାଚୀନ କାଳରେ ସାଧବପୁଅ ପାଲଟଣା ବୋଇତରେ, ତେର ନଈ, ସାତ ସମୁଦ୍ର ଡେଇଁ ବାଣିଜ୍ୟ କାରବାର ସାରି ଏହି ସମୟରେ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କରୁଥିବା ସ୍ମୃତିରେ ଓଡ଼ିଶାର ପ୍ରତ୍ୟେକ ଗୃହରେ ପ୍ରଦୀପ ଲଗାଯାଉଥିଲା । ଅନ୍ୟ ଏକ ମତବାଦ ଅନୁଯାୟୀ ମହାଳୟା ଦିବସରେ ପିତୃପୁରୁଷ ଅନ୍ଧକାରରେ ପିଣ୍ଡଗ୍ରହଣ ଉଦେ୍ଦଶ୍ୟରେ ମର୍ତ୍ତ୍ୟଲୋକ ଆସିଥାନ୍ତି ଏବଂ ଦୀପାବଳି ଦିନ ଫେରିଯାଆନ୍ତି । ତାଙ୍କରି ଯିବାପଥକୁ ଆଲୋକିତ କରିବା ପାଇଁ ପୃଥିବୀବାସୀ ପ୍ରଦୀପ ଜାଳି ତାଙ୍କୁ ବିଦାୟ ଦିଅନ୍ତି । ଦୀପ ଓ କାଉଁରିଆ କାଠି ଜଳାଇବା ସମୟରେେ ସମସ୍ତଙ୍କ ମୁଖରୁ ସ୍ୱତଃ ଝରିଆସେ “ବଡ଼ବଡ଼ୁଆ ହୋ ଅନ୍ଧାରରେ ଆସି ଆଲୁଅରେ ଯାଅ… ଗଙ୍ଗା ଯାଅ, ଗୟା ଯାଅ, ବାଇଶି ପାହାଚେ ଗଡ଼ଗଡ଼ାଉଥାଅ, ଅମୃତ ଦୃଷ୍ଟିରେ ଚାହିଁଥାଅ ।”

କେହି କେହି ମତ ଦିଅନ୍ତି ଧନର ଦେବୀ ଶ୍ରୀଲକ୍ଷ୍ମୀ ଏହି ରାତି୍ରରେ ଭ୍ରମଣ କରି ଭକ୍ତମାନଙ୍କ ଗୃହରେ ପ୍ରବେଶ କରନ୍ତି ଓ ସେମାନଙ୍କୁ ଧନଧାନ୍ୟରେ ଭରପୂର କରିଥାଆନ୍ତି । ସେଥିପାଇଁ ଦୀପ ଜଳାଇ “ମାଆ’ଙ୍କୁ ଆବାହନ କରାଯାଏ ।

ଏହିପରି ଭାବରେ କାର୍ତ୍ତିକ ଅମାବାସ୍ୟାକୁ ଭାରତବର୍ଷର ପ୍ରତି ଘରେ ଘରେ ଆନନ୍ଦ ଉଲ୍ଲାସରେ ଦୀପାବଳି ପର୍ବ ରୂପେ ପାଳନ କରାହୋଇଆସୁଛି । ଏଥିପାଇଁ ରଙ୍ଗବେରଙ୍ଗର ଦୀପମାଳାରେ ଘରକୁ ପ୍ରଜ୍ୱଳିତ କରାଯାଏ । ଘର ବାହାର ଚାରିଆଡ଼େ ସଫାସୁତୁରା କରାଯାଏ । ପ୍ରାୟତଃ ସମସ୍ତେ ନୂତନ ବସ୍ତ୍ର ପରିଧାନ କରିଥାନ୍ତି । ବ୍ୟବସାୟୀମାନେ ଏହି ଶୁଭଦିନଟିକୁ ନୂଆବର୍ଷ ରୂପେ ପାଳନ କରି ପୁରୁଣା ହିସାବ ଚୁକ୍ତ କରି ନୂଆ ଖାତା ଖୋଲନ୍ତି ।
ଏହି ପର୍ବର ପଛରେ ଥିବା ଆଧ୍ୟାତ୍ମିକ ରହସ୍ୟକୁ ହିଁ ଆଜି ବିଶ୍ୱର ପ୍ରତ୍ୟେକ ବ୍ୟକ୍ତି ଭଲ ଭାବରେ ବୁଝିବା ଉଚିତ । ଅମାବାସ୍ୟାର ଅନ୍ଧକାରମୟ ରାତି୍ର ହେଲା ଅଜ୍ଞାନତାର ପ୍ରତୀକ ।

ଅର୍ଥାତ୍ ସାରା ବିଶ୍ୱକୁ ଆଜି ଅଜ୍ଞାନ ଅନ୍ଧାର ଘେରି ରହିଛି । କୁହାଯାଏ –
ସଂସାର ସିନ୍ଧୁରୂପେଣ ମୀନରୂପେଣ ମାନବାଃ
ଜଞ୍ଜାଳ ଜାଲରୂପେଣ କାଳରୂପେଣ ଧୀବରାଃ ।

ସଂସାର ରୂପକ ସିନ୍ଧୁକୁ ଅତିକ୍ରମ କରିବାକୁ ହେଲେ ମୀନରୂପୀ ମାନବକୁ ପ୍ରଥମେ ଜଞ୍ଜାଳରୂପୀ ମାୟାଜାଲକୁ କାଟିବାକୁ ପଡ଼ିବ ଏବଂ କାଳରୂପୀ ଧୀବରଠାରୁ ମୁକ୍ତ ହେବାକୁ ହେବ ।

ମାଟିର ଦୀପ ହେଲା ପଞ୍ଚତତ୍ତ୍ୱରେ ଗଢ଼ା ଆମ ଶରୀରର ପ୍ରତୀକ ଏବଂ ତା’ ମଧ୍ୟରେ ଜଳୁଥିବା ଦୀପଶିଖା ଅଜର, ଅମର, ଅବିନାଶୀ ଆତ୍ମାର ପ୍ରତୀକ । ତେଣୁ ଅଜ୍ଞାନ ଅନ୍ଧକାରକୁ ଦୂର କରିବାକୁ ହେଲେ ଆତ୍ମଜ୍ୟୋତିକୁ ଜାଗ୍ରତ କରିବା ନିତାନ୍ତ ଆବଶ୍ୟକ । ଏହି ଅଜ୍ଞାନରୂପୀ ଅନ୍ଧାର ହେଲା ମନୁଷ୍ୟ ଭିତରେ ଛପି ରହିଥିବା କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର, ଈର୍ଷା, ଆଳସ୍ୟ ଇତ୍ୟାଦି ବିକାରଗୁଡ଼ିକ । ଏ ଗୁଡ଼ିକ ଦୂର କରିବାକୁ ହେଲେ ପରମଜ୍ୟୋତିରେ ଆତ୍ମଜ୍ୟୋତିକୁ ଉଦ୍ଭାସିତ କରିବାକୁ ହୁଏ । ଜ୍ଞାନର ଆଲୋକ ହିଁ ଏ ସୃଷ୍ଟିର ଶ୍ରେଷ୍ଠ ଆଲୋକ । ଜ୍ଞାନ ମାଧ୍ୟମରେ ଜଣେ “ନିଜ’ର ପରିଚୟ ପାଇ ପରମାତ୍ମାଙ୍କର ପରିଚୟ ପାଇବାକୁ ସମର୍ଥ ହୋଇପାରିଥାଏ ।

ଏ ସମ୍ପର୍କରେ ରାମାୟଣରୁ ପଢ଼ିଥିବା ଏକ କାହାଣୀ ଏଠାରେ ଉପସ୍ଥାପନ କରୁଛି । ଶ୍ରୀରାମଚନ୍ଦ୍ରଙ୍କ ଚଉଦବର୍ଷ ବନବାସ ସମୟର କଥା । ପଞ୍ଚବଟି ଆଶ୍ରମର ଏକ ଜ୍ୟୋତ୍ସ୍ନାବିଧୌତ ରଜନୀ । ଶ୍ରୀରାମ ଆଶ୍ରମ ନିକଟରେ ଏକ ପ୍ରସ୍ତରଖଣ୍ଡ ଉପରେ ଉପବେସନ କରିଛନ୍ତି । ପି୍ରୟ ଅଯୋଧ୍ୟାର କଥା, ଦଶରଥଙ୍କର କଥା ମାନସପଟରେ ଉଙ୍କି ମାରୁଛି । ହଠାତ୍ ପାଖରେ ଥିବା ବଣ ବୁଦା ଭିତରୁ ଖସ୍ଖସ୍ ଶବ୍ଦ ଶୁଣି ଚମ୍କି ପଡ଼ି କିଏ କିଏ ବୋଲି ପାଟି କରନ୍ତେ ଜଗୁଆଳ ହୋଇ ପହରା ଦେଉଥିବା ଧନୁର୍ଦ୍ଧାରୀ ବୀର ଲକ୍ଷ୍ମଣ ସେଠାରୁ କ୍ଷୀପ୍ର ଗତିରେ ବାହାରି ଆସି ଅଗ୍ରଜଙ୍କୁ ଦଣ୍ଡବତ ହେଲେ । ଭ୍ରାତୃପ୍ରେମରେ ଭରପୁର ହୋଇଗଲା ଶ୍ରୀରାମଙ୍କ ହୃଦୟ । ଭାବିଲେ, “ଆହା, ବିମାତାର ପୁତ୍ର ହୋଇବି, ଭାଇ ଲକ୍ଷ୍ମଣର ମୋ ପାଇଁ ତ୍ୟାଗ ଅତୁଳନୀୟ ।” ହଠାତ୍ ଶ୍ରୀରାମ ଭାବବିହ୍ୱଳ ହୋଇ କେତୋଟି ପ୍ରଶ୍ନ ଲକ୍ଷ୍ମଣଙ୍କୁ ପଚାରିଲେ ଏବଂ ଅବିଳମ୍ବେ ନିଜେ ନିଜେ ଉତ୍ତର ଦେଲେ । ପ୍ରଶ୍ନ ଗୁଡ଼ିକ ହେଲା –
ପ୍ରଶ୍ନ – ସବୁଠାରୁ ଶ୍ରେଷ୍ଠ ଫଳ କ’ଣ ? ଉତ୍ତର – ଆମ୍ବ
ପ୍ରଶ୍ନ – ସବୁଠାରୁ ଶ୍ରେଷ୍ଠ ରସ କ’ଣ ? ଉତ୍ତର – ଆଖୁରସ
ପ୍ରଶ୍ନ – ସବୁଠାରୁ ଶ୍ରେଷ୍ଠ ବଳ କ’ଣ ? ଉତ୍ତର – ଭାଇର ବଳ
ପ୍ରଶ୍ନ – ସବୁଠାରୁ ଶ୍ରେଷ୍ଠ ଆଲୋକ କ’ଣ? ଉତ୍ତର – ଜହ୍ନ ଆଲୋକ
ଲକ୍ଷ୍ମଣ ବିନମ୍ରତାର ସହ ଉତ୍ତର ଦେଲେ, ଭାଇ ଆମ୍ବ ଫଳ ଓ ଆଖୁରସ ତ ସବୁବେଳେ ମିଳେନାହିଁ । ଭାଇର ବଳ ଶ୍ରେଷ୍ଠ ବଳ ସର୍ବତ୍ର ହୋଇ ନଥାଏ । ଜହ୍ନ ଆଲୁଅ ତ ସବୁ ରାତି୍ରରେ ନଥାଏ । ତେଣୁ ଲକ୍ଷ୍ମଣ ପ୍ରଶ୍ନ ଗୁଡ଼ିକର ସଠିକ୍ ଉତ୍ତର ଦେବାକୁ ଯାଇ କହିଲେ –
ଫଳ ଭିତରେ ଶ୍ରେଷ୍ଠ ହେଲା – ଧାନ ।
ରସ ଭିତରେ ଶ୍ରେଷ୍ଠ ହେଲା – ଗୋରସ ।
ଆଲୋକ ଭିତରେ ଶ୍ରେଷ୍ଠ ହେଲା – ନିଜ ନୟନର ଜ୍ୟୋତି ।
ବଳ ଭିତରେ ଶ୍ରେଷ୍ଠ ହେଲା – ନିଜ ବାହୁର ବଳ ।

ବଡ଼ ଆଶ୍ଚର୍ଯ୍ୟର କଥା – ଏ ଦୁଇଜଣଙ୍କର କଥୋପକଥନକୁ ଆଶ୍ରମର ଦ୍ୱାରଦେଶରେ ଥାଇ ଶୁଣି ପାରିଥିବା ଜନକନନ୍ଦିନୀ ସୀତାଦେବୀ କହିଲେ – ମୁଁ ତୁମ ଦୁଇଜଣଙ୍କ କଥାରେ ଏକମତ ନୁହେଁ । କାରଣ ରାତି ପାହିଲେ ଶ୍ରୀରାମଚନ୍ଦ୍ର ରାଜା ହୋଇଥାଆନ୍ତେ, କିନ୍ତୁ ଚଉଦ ବର୍ଷ ବନବାସ କରିବାକୁ ପଡ଼ିଲା । ତେଣୁ “କର୍ମଫଳ’ ହିଁ ଶ୍ରେଷ୍ଠ ଫଳ ଅଟେ । ରସ ଭିତରେ ଶ୍ରେଷ୍ଠ “ରାମରସ’ ଅଟେ । ବଳ ଭିତରେ ଶ୍ରେଷ୍ଠ “ଦୈବବଳ’ ଅଟେ । ସେଥିପାଇଁ କୁହାଯାଏ “ନାସ୍ତି ଦୈବାତ୍ ପରଂ ବଳମ୍’ । ପରିଶେଷରେ ଆଲୋକ ଜହ୍ନର ଆଲୋକ ନୁହେଁ କି ନିଜ ନୟନର ଜ୍ୟୋତି ନୁହେଁ, ଆତ୍ମଜ୍ୟୋତି ରୂପକ ଜ୍ଞାନଜ୍ୟୋତି ବା ଜ୍ଞାନର ଆଲୋକ ହିଁ ଶ୍ରେଷ୍ଠ ଆଲୋକ ଅଟେ । ଦୁଇ ଭ୍ରାତା ମାତା ସୀତାଙ୍କର ଉକ୍ତିକୁ ହସି ହସି ସାଦରେ ସମର୍ଥନ କଲେ ।
ତେଣୁ ଦୀପାବଳୀ ଆଲୋକର ପର୍ବ, ଆତ୍ମଜାଗରଣର ପର୍ବ, ଆନନ୍ଦ ଉଲ୍ଲାସର ପର୍ବ । ଏହା ଫୁଲଝରୀ, ବାଡ଼ିଆ ଫୋଟ୍କା, ଆତସବାଜୀ ଆଦି ବାଣର ପର୍ବ ନୁହେଁ । ଏହା ଆତ୍ମଜ୍ୟୋତିକୁ ପ୍ରଜ୍ୱଳିତ କରି ପରମଜ୍ୟୋତି ସହ ମିଶାଇଦେବାର ଏକ ମହାମିଳନର ପର୍ବ । ସେଥିପାଇଁ ଦୀପଟିଏ ଜଳାଇଲା ବେଳେ ସମସ୍ତଙ୍କ ମୁହଁରୁ ସ୍ୱତଃ ନିର୍ଗତ ହୋଇଥାଏ ଦେବଭାଷା ସଂସ୍କୃତର ସେହି ଅମୃତ ବାଣୀ –
“ଅସତୋ ମାଂ ସଦ୍ଗମୟ
ତମସୋ ମାଂ ଜ୍ୟୋର୍ତିଗମୟ
ମୃର୍ତେ୍ୟା ମାଂ ଅମୃତଂଗମୟ
ଓଁ ଶାନ୍ତିଃ, ଶାନ୍ତିଃ, ଶାନ୍ତିଃ ।”
ଡ଼ ପ୍ରତିଭା ମହାରଥୀ

Leave A Reply