ତିହିଡି,୧୦/୧୧(Jadumani Panigrahi) : ଭଦ୍ରକ ଜିଲ୍ଲା ଅନ୍ତର୍ଗତ ତିହିଡିର ପ୍ରସିଦ୍ଧ ମା’ ଶ୍ୟାମାକାଳୀଙ୍କ ପୂଜା ଏଥର ୭୫ ବର୍ଷରେ ପଦାର୍ପଣ କରିଛି । ତେବେ କୋଭିଡ କଟକଣା ଯୋଗୁଁ ଏଥରର କାଳୀପୂଜା ଫିକା ପଡିବା ଏକପ୍ରକାର ନିଶ୍ଚିତ । ଯେଉଁଥିପାଇଁ କାହାରି ମନରେ ପୂର୍ବର ସେ ସରାଗ ନାହିଁ । ସମଗ୍ର ଅଞ୍ଚଳରେ ଏକ ଗଣପର୍ବ ଭାବରେ ପରିଚିତ ଏହି କାଳୀପୂଜାର ସବୁ ଖୁସି ଏଥର କୋଭିଡ କଟକଣା ଭିତରେ ହଜିଯିବାକୁ ବସିଛି ।
ପ୍ରତିବର୍ଷ ପରି ଏଥର ବି ମା’ ଶ୍ୟାମାକାଳୀଙ୍କର ପୂଜା ଅନୁଷ୍ଠିତ ହେଉଥିଲେ ମଧ୍ୟ ସରକାରଙ୍କ କୋଭିଡ ଗାଇଡଲାଇନକୁ ମାନି କମିଟି ପକ୍ଷରୁ ସଂପୂର୍ଣ୍ଣ ନିରାଡମ୍ବର ଭାବରେ ଏହା ପାଳନ କରାଯିବ ବୋଲି କମିଟି କର୍ମକର୍ତ୍ତାଙ୍କ ସୂତ୍ରରୁ ଜଣାଯାଇଛି ।
ଏଥିପାଇଁ ଏଥର ମା’ କାଳୀଙ୍କର ମୂର୍ତ୍ତି ପୂର୍ବ ଠାରୁ ଛୋଟ କରାଯିବା ସହିତ କୌଣସି ପ୍ରକାର ସାଜସଜ୍ଜା ମଧ୍ୟ କରାଯିବନି ବୋଲି ଜଣାଯାଇଛି । ପ୍ରକାଶ ଯେ,ଦୀର୍ଘ ୭୪ ବର୍ଷର ମହନୀୟ ପରମ୍ପରାରେ ସମୃଦ୍ଧ ମା’ ଶ୍ୟାମାକାଳୀଙ୍କ ପୂଜା ୧୯୪୫ ମସିହାରେ ସର୍ବପ୍ରଥମେ ତିହିଡିର ଗୋରୁହାଟ ଠାରେ ସ୍ଥାନୀୟ ବାସିନ୍ଦା ସ୍ୱର୍ଗତ ଚେମେଇ ନାୟକ, ଗିରିଧାରୀ ଦାସ ,ଇନ୍ଦ୍ରମଣି ଯତି ଚାନ୍ଦବାଲି ଅଞ୍ଚଳ ଯୋଗେନ୍ଦ୍ର ମହାନ୍ତି ଓ ତକ୍ରାଳୀନ ଫାଣ୍ଡି ଅଫିସର ଦୁର୍ଗାମାଧବ ମିଶ୍ରଙ୍କ ଉଦ୍ୟମରେ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ଏହା ତିହିଡି କାଳୀପଡିଆ ଠାରେ ନିୟମିତ ଭାବେ ମହା ସମାରୋହରେ ଅନୁଷ୍ଠିତ ହୋଇଆସୁଛି ।
ଅମାବାସ୍ୟା ତିଥିରୁ ମା’ ଶ୍ୟାମାକାଳୀଙ୍କ ପୂଜା ଆରମ୍ଭ ହୋଇ ପ୍ରାୟ ୭ ଦିନ ଧର ଯଥାବିଧି ପାଳିତ ହୋଇଥାଏ । ଏହି ଉପଲକ୍ଷେ ମା’ଙ୍କ ମନ୍ଦିରକୁ ଆଲୋକ ମାଳାରେ ସଜ୍ଜିତ କରାଯିବା ସହ ଆକର୍ଷଣୀୟ ତୋରଣ ମାନ ନିର୍ମିତ ହୋଇଥାଏ । ସେହିପରି ମା’ଙ୍କ ପାଖରେ କଖାରୁ ବଳି ଦିଆଯିବାର ଦୃଶ୍ୟ ବେଶ ଚିତାକର୍ଷକ ମନେ ହୋଇଥାଏ । ମା’ଙ୍କ ପୂଜା ଲାଗି ଜିଲା ତଥା ଜିଲା ବାହାରୁ ବ୍ୟବସାୟୀ ମାନେ ଆସି ଏଠାରେ ବିଭିନ୍ନ ସାମଗ୍ରୀର ପସରା ମେଲାଇବା ସହ ବନ୍ଧୁବାନ୍ଧବଙ୍କ ଆଗମନରେ ସବୁରି ଘର ଚଳଚଞ୍ଚଳ ହୋଇଉଠେ ।
ହେଲେ ଏଥର କରୋନା କଟକଣା ଲାଗି ସବୁକିଛି ନୀରବି ଯାଇଛି ଯେମିତିି । କାହାରି ମନରେ ଖୁସି ନାହିଁ । ସରକାରଙ୍କ ସମସ୍ତ କୋଭିଡ ଗାଇଡଲାଇନକୁ ଅନୁସରଣ କରି ଚଳିତବର୍ଷର ପୂଜା ଯଥାବିଧି ସଂପନ୍ନ କରାଯିବ ବୋଲି ମା’ ଶ୍ୟାମାକାଳୀଙ୍କ ପୂଜା କମିଟିର ସଭାପତି ବୀରେନ୍ଦ୍ର ନାୟକ, ସମ୍ପାଦକ ବୃନ୍ଦାବନ ଜେନା, କୋଷାଧ୍ୟକ୍ଷ ମୃତୁ୍ୟଞ୍ଜୟ ଦାସଙ୍କ ସମେତ ଖଗେଶ୍ୱର ଜେନା, ରଜନୀକାନ୍ତ ଦାସ, ବଂଶୀଧର ବିଶ୍ୱାଳ, ଧୀରେନ୍ଦ୍ର ସାହୁ, ଗିରିଜାରମଣ ଜେନା, ଅଶୋକ ପାଢୀ, ରବି ନାରାୟଣ ଜେନା, ପ୍ରତାପ ଜେନା, ପ୍ରଦୀପ ଜେନା ଓ ଶ୍ରୀଧର ଜେନା ପ୍ରମୁଖ ପ୍ରକାଶ କରିଛନ୍ତି ।