Odisha news

ଦୀପାବଳିରେ ବାଣ ମନା

0

ହିମାଂଶୁ ଶେଖର ଆଚାର୍ଯ୍ୟ : କରୋନା ସାରା ବିଶ୍ୱକୁ ଦୋହଲାଇ ଦେଇଛି । ଅସ୍ତବ୍ୟସ୍ତ କରିଦେଇଛି ବିଶ୍ୱବାସୀଙ୍କୁ । ଆମ ଦେଶ ଓ ରାଜ୍ୟ ମଧ୍ୟ ଏଥିରୁ ବାଦ୍ ପଡିନି । ଏହି ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ସଟ୍ଡାଉନ ଓ ଲକ୍ଟଡାଉନ ଭଳି ପଦକ୍ଷେପମାନ ନିଆଯିବା ପରେ ଏହି ରୋଗର ସଂକ୍ରମଣ ହ୍ରାସ ପାଉଛି । ଆମ ପାଇଁ ଆଶ୍ୱସ୍ତିର ବିଷୟ ଏହିକି ଯେ, ଦେଶରେ ଏବେ କରୋନା ସଂକ୍ରମଣ ଓ ମୃତୁ୍ୟ ହ୍ରାସ ପାଉଛି । ବିଶେଷକରି ସର୍ବାଧିକ ସଂକ୍ରମିତ ରାଷ୍ଟ୍ର ମହାରଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ ଓ ଉତ୍ତରପ୍ରଦେଶ ଭଳି ରାଜ୍ୟ ଗୁଡିକରେ ସଂକ୍ରମଣ ଉଲ୍ଲେଖନୀୟ ଭାବେ ହ୍ରାସ ପାଉଛି । ସେପ୍ଟେମ୍ବର ୨୮ରୁ ଚଳିତ ମାସ ୩ ତାରିଖ ପର୍ଯ୍ୟନ୍ତ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହାରାହାରି ୪୮,୮୪୪ଥିବା ବେଳେ ଦୈନିକ ମୃତୁ୍ୟ ସଂଖ୍ୟା ୫୧୩ ଥିଲା । ସେହିପରି ଆମ ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ସୁସ୍ଥ ସଂଖ୍ୟା କ୍ରମାଗତ ଭାବେ ବଢିବାରେ ଲାଗିଛି । ଶୀତ ଋତୁରେ ସଂକ୍ରମଣ ବୃଦ୍ଧି ପାଇବା ନେଇ ବିଶେଷଜ୍ଞ ମାନେ ଆକଳନ କରୁଥିବାରୁ ଆମକୁ ଆହୁରି ଅଧିକ ସଜାଗ ହେବାକୁ ପଡିବ ।

ଏଠାରେ ସୂଚନାଯୋଗ୍ୟ ଯେ, କରୋନା ଜନିତ କଟକଣା ଯୋଗୁଁ ବିଭିନ୍ନ ପର୍ବପର୍ବାଣୀ ଚଳିତ ବର୍ଷ ଫିକା ପଡିଯାଇଛି । ପ୍ରଥମେ ଗଣେଷ ପୂଜା ଓ ପରେ ଦୁର୍ଗାପୂଜା । ଇତିମଧ୍ୟରେ ଶାରଦୀୟ ଦୁର୍ଗାପୂଜା ଶେଷ ହୋଇଛି । ମା’ ଚୁପ୍ଚାପ୍ ଆସିଲେ ଓ ଗଲେ । ବିଭିନ୍ନ ପୀଠ ଓ ମଣ୍ଡପରେ ମା’ଙ୍କ ପୂଜା ବିଧିରକ୍ଷା ପାଇଁ ଅନୁଷ୍ଠିତ ହୋଇଥିଲା । ତୋରଣ କି ଆଲୋକ ସଜ୍ଜା ନଥିଲା । କେବଳ ମଣ୍ଡପରେ ଯାହା ମା’ଙ୍କୁ ଆବାହନ କରାଯାଇଥିଲା ତାହା ପୁଣି କରୋନା କଟକଣା ଭିତରେ । ଏବେ ଆଗକୁ ଆସୁଛି କାଳୀପୂଜା ଓ ଦୀପାବଳି । ବାଣ ଫୁଟା ବି ବନ୍ଦ । କରୋନା ମହାମାରୀ ପାଇଁ ଏସବୁ କଟକଣା । ନଭେମ୍ବର ୧୦ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ଯିଏ ଏଥିରେ ଉଲ୍ଲଘଂନ କରିବ ତା ବିରୋଧରେ ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ହେଲେ ଦୀପାବଳିରେ ଲୋକେ ପାରମ୍ପରିକ ମାଟି ଦୀପ, ମହମବତୀ ଜାଳିବା ସହ ଘରକୁ ଆଲୋକିତ କରିପାରିବେ । ଏବର୍ଷ ବାଣ ଫୁଟା ହେବ କି ନହେବ ସେଥିପାଇଁ ଅନେକ ଦିନରୁ କଳ୍ପନାଜଳ୍ପନା ଲାଗି ରହିଥିଲା । କାରଣ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ବାଣ ଫୁଟାଇବା ଦ୍ୱାରା ଅଧିକ ମାତ୍ରାରେ ନାଇଟ୍ରସ ଅକ୍ସାଇଡ୍, ସଲଫର ଡାଇଅକ୍ସାଇଡ୍, କାର୍ବନ ମନୋକ୍ସାଇଡ୍ ପରି କ୍ଷତି କାରକ ରସାୟନ ପଦାର୍ଥ ନିର୍ଗତ ହୋଇଥାଏ । ଯାହା ଲୋକମାନଙ୍କ ଶ୍ୱାସ ଜନିତ ସମସ୍ୟା ସୃଷ୍ଟି କରିବ । ଏଥିସହିତ ଗୃହରେ ସଂଗରୋଧରେ ରହିଥିବା ତଥା କୋଭିଡ ସଂକ୍ରମିତ ଲୋକଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ଏହା ଅଧିକ ଗୁରୁତର କରିବାର ଆଶଙ୍କା ରହିଛି । ଶୀତ ଦିନେ ବୟସ୍କ ବ୍ୟକ୍ତି, ପିଲା ଓ ଅନ୍ୟ ରୋଗ ଥିବା ବ୍ୟକ୍ତିଙ୍କର ଶ୍ୱାସ ଜନିତ ସମସ୍ୟା ବୃଦ୍ଧି ପାଇଥାଏ । ପୁଣି ବାଣ ଫୁଟା ଯୋଗୁଁ ବାୟୁପ୍ରଦୂଷଣ ଅଧିକ ହେବାକୁ ଦୃଷ୍ଟିରେ ରଖି ସରକାର ଚଳିତ ବର୍ଷ ବାଣ ବିକ୍ରି ଓ ବାଣ ଫୁଟାକୁ ନିଷେଧ କରିଛନ୍ତି । ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ।

ଆଲୋକର ପର୍ବ ଦୀପାବଳି । ଏହା ସାର୍ବଜନୀନ ଭାବେ ଆମ ରାଜ୍ୟ ତଥା ଦେଶରେ ଧୁମ୍ଧାମରେ ପାଳନ କରାଯାଇଥାଏ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଏଥିରେ ସାମିଲ ହୋଇଥାନ୍ତି । କିନ୍ତୁ ଏବର୍ଷ ଦୀପାବଳିରେ ଆନନ୍ଦର ମଜା ନେଇହେବନି । ପୂର୍ବ ବର୍ଷ ମାନଙ୍କରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଣ ଫୁଟାଯାଉଥିଲା । ଫଳସ୍ୱରୂପ ଲୋକମାନେ ବାଣର ଶବ୍ଦରେ ଅସ୍ତବ୍ୟସ୍ତ ହୋଇପଡୁଥିଲେ । ସେମାନଙ୍କ ସମସ୍ୟା ସମାଧାନ କରିଦେଇଛି କରୋନା କଟକଣା । ସେହିପରି ଧନୀ ଗରିବ ସବୁରି ଘରେ ଅଳ୍ପେ ବହୁତେ ବାଣ ଫୁଟାଯାଉଥିଲା । ଛୋଟ ଛୋଟ ପିଲାମାନେ ମଧ୍ୟ ବାଣ ଫୁଟାଇବା ପାଇଁ ଅଝଟ କରୁଥିଲେ । ଏଥର ସେମାନଙ୍କୁ ବୁଝାଇବାପାଇଁ ଅଭିଭାବକ ଅଭିଭାବିକା ମାନଙ୍କୁ ଟିକେ କଷ୍ଟ କରିବାକୁ ପଡିବ । ପୂର୍ବବର୍ଷ ମାନଙ୍କରେ ପଡିଶା ଘରେ ବାଣ ଫୁଟିଲେ ଅନ୍ୟ ପିଲାମନେ ଅଥୟ ହୋଇପଡନ୍ତି । ଏବର୍ଷ କିନ୍ତୁ ସେମାନଙ୍କୁ ମନାଇବାକୁ ପଡିବ । କରୋନା ମହାମାରୀ ପାଇଁ ଏସବୁ କରାଯାଇଛି ବୋଲି ସେମାନଙ୍କୁ ବୁଝାଇବାକୁ ପଡିବ । ଏପରିକି ଏଥିପାଇଁ ସରକାରୀ କଟକଣା ରହିଛି ବୋଲି ଜଣାଇବାକୁ ପଡିବ ।

ଦୀପାବଳିକୁ ଆଲୋକର ପର୍ବ କୁହାଯାଏ । ଏହାକୁ ପ୍ରତିବର୍ଷ ଭାରତବାସୀ ବଡଆଡମ୍ବରରେ ପାଳନ କରନ୍ତି । ଏହି ଦିନ ବାଣ ରୋଷଣିରେ ଚାରିଆଡେ ପ୍ରକମ୍ପିତ ହୁଏ । ରାମାୟଣ କଥାବସ୍ତୁରୁ ଜଣାପଡେ, ଦୀପାବଳିର ମହତ୍ୱ ଅନେକ । ଆଲୋକର ପର୍ବ ଏହି ଦୀପାବଳି ଅସତ୍ୟ ଉପରେ ସତ୍ୟର ବିଜୟ ବୋଲି କୁହାଯାଏ । ପ୍ରଭୁ ଶ୍ରୀରାମଚନ୍ଦ୍ର ଦଶାନନ ରାବଣକୁ ନିଧନ କଲାପରେ ଏହି ଦୀପାବଳି ଦିନ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ତାଙ୍କୁ ସ୍ୱାଗତ କରିବାପାଇଁ ଅଯୋଧ୍ୟା ବାସୀ ଦୀପ ଜାଳି ବାଣ ଫୁଟାଇ ତାଙ୍କୁ ଅପେକ୍ଷା କରିଥିଲେ ।

ଏହି ଦୀପାବଳିକୁ ନେଇ ଆହୁରି ଅନେକ କାହାଣୀ ରହିଛି । ହିନ୍ଦୁ ମାନେ ଏହି ଦିନ କାଉଁରିଆ କାଠି ଓ ଘିଅ ସଳିତା ଦ୍ୱାରା ପୂର୍ବ ପୁରୁଷଙ୍କୁ ଆଲୋକ ଦେଖାଇ ସ୍ୱର୍ଗକୁ ବିଦାୟ ଦେଇଥାନ୍ତି । ଏହିଦିନ ଆମ ଓଡିଶାରେ ବଡବଡୁଆଙ୍କୁ ମଧ୍ୟ ଡକାଯାଏ- ‘ବଡ ବଡୁଆ ହୋ! ଅନ୍ଧାରରେ ଆସ, ଆଲୁଅରେ ଯାଅ… ଇତ୍ୟାଦି । ଏହି ଦିନରେ ପ୍ରତ୍ୟକଙ୍କ ଘରେ ପିଠାପଣା ସମେତ ଘରକୁ ଆଲୋକରେ ସୁସଜ୍ଜିତ କରାଯାଏ । ଏପରିକି ଫସଲକୁ ନଷ୍ଟ କରୁଥିବା କେତେକ କୀଟ ଜାତୀୟ ପୋକ ମାନେ ଏହି ଆଲୋକ ଯୋଗୁଁ ପ୍ରାଣ ହାରାଇଥାନ୍ତି । ଯାହାକି ମଣିଷ ସମାଜ ପ୍ରତି ଆଲୋକର ପର୍ବ ବହୁତ ଉପକାରୀ ହୋଇଥାଏ ।

ଅବଶ୍ୟ ବାଣଫୁଟା ଓ ବାଣ ବିକ୍ରି ଉପରେ ନିଷେଧାଦେଶ ଯୋଗୁଁ ବାଣ କାରିଗର ଯେଉଁମାନେ ବର୍ଷକରେ ଥରେ ଏଥିରୁ ଦୁଇପଇସା ରୋଜଗାର କରୁଥିଲେ ସେମାନଙ୍କ ବେପାର ବନ୍ଦ ହୋଇଯିବ ।ସେମାନେ ଆର୍ଥିକ ଦୁସ୍ଥିତିର ସମ୍ମୁଖୀନ ହୋଇପାରନ୍ତି । ସେହିପରି ଯେଉଁମାନେ ବାଣ କିଣି ରଖିଥିଲେ ସେମାନେ ବି ମନଊଣା କରିପାଇନ୍ତି । କିନ୍ତୁ ସରକାରଙ୍କ ପାଖରେ ଆଉ କିଛି ବିକଳ୍ପ ନଥିଲା । କିନ୍ତୁ ଦୀପାବଳି ପାଇଁ କୁମ୍ଭକାରମାନେ ଚଳଚଞ୍ଚଳ ହୋଇପଡିଛନ୍ତି ।

ସେମାନେ ରଙ୍ଗ ବେରଙ୍ଗର ଦୀପ ତିଆରି କରି ବିକ୍ରି ପାଇଁ ପ୍ରସ୍ତୁତ ହେଉଛନ୍ତି । ଏବର୍ଷ ପ୍ରଦୂଷଣ ମୁକ୍ତ ଦୀପାବଳି ପାଳନ କରିବା ଜରୁରୀ ହୋଇପଡିଛି । କେତେକ ବୁଦ୍ଧିଜୀବୀଙ୍କ ମତରେ ଦୀପାବଳି ହେଉ ବା ଅନ୍ୟ ଉସôବ ହେଉ ଚଳିତ ବର୍ଷ କେଉଁଠି ଆତସବାଜି ବା ବାଣ ଫୁଟାଇବାକୁ ଅନୁମତି ଦେବା ଉଚିତ୍ ନୁହେଁ । ଏବେ ବିଦେଶରେ ପୁଣି କରୋନା ମହାମାରୀ ଉଗ୍ର ହେଲାଣି । ବର୍ତ୍ତମାନ ଆମ ଦେଶରେ କରୋନା ଜନିତ ସଂକ୍ରମଣ କମିଛି । କିନ୍ତୁ ପୂରା ହଟିନାହିଁ । ପ୍ରତିବର୍ଷ ଭଳି ଦୀପାବଳିରେ ବାଣ ଫୁଟାଇଲେ ବାୟୁ ବିଷାକ୍ତ ହେବ । ଜୀବନ ସଂକଟରେ ପଡିଯିବ । ଏଥର ପ୍ରଦୂଷଣ ମୁକ୍ତ ଦୀପାବଳି ପାଳନ କରିବା ଜରୁରୀ ବୋଲି ବିଶେଷଜ୍ଞ ମାନେ ପୁଣି କହିଛନ୍ତି ।

ଚଳିତ ବର୍ଷ କରୋନା କଟକଣା ଆମ ପରମ୍ପରାରେ ଢେର ପରିବର୍ତ୍ତନ ଆଣିଛି । ସେଥିପାଇଁ ଆଲୋକର ପର୍ବ ଫିକା ପଡିଯିବ । କରୋନା ପାଇଁ ଆମେ ଏବର୍ଷ ବିଭିନ୍ନ ପର୍ବପର୍ବାଣିକୁ କଟକଣା ଭିତରେ ରହି ଏପରି ପାଳନ କରିଛେ ଯାହା ଆମ ଜୀବନକୁ କିଛି ପରିମାଣରେ ସମସ୍ୟା ମୁକ୍ତ କରିଦେଇଛି । କରୋନା ପୁଣି ଯେମିତି ଆମ ସଜଡା ଜୀବନକୁ ଅସଜଡା କରିନଦେଉ ତାକୁ ଆମକୁ ପ୍ରାଥମିକତା ଦେବାକୁ ହେବ । ତେଣୁ ବାଣ ଫୁଟା ଓ ରୋଷଣିର ମଉଜମଜଲିସ୍ ଭିତରେ ଆମ ଜୀବନ ଆହୁରି ଅସଜଡା ନହୋଇଯାଉ ତାକୁ ଆମକୁ ଧ୍ୟାନ ଦେବାକୁ ହେବ । ଏପଟେ ଡିସେମ୍ବରରୁ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣର ଆଶଙ୍କା ରହିଛି ।

ଏବେଠୁ ସତର୍କ ରହି ଆମକୁ କାର୍ଯ୍ୟ କରିବାକୁ ପଡିବ । ମାସ୍କ ପିନ୍ଧିବା, ସମାଜିକ ଦୂରତା ରକ୍ଷାକରିବା ଏବଂ ହାତ ଧୋଇବା ବ୍ୟବସ୍ଥାକୁ କଡାକଡି ଭାବେ ପାଳନ କରିବାକୁ ହେବ । ଲକ୍ଡାଉନ ଠୁ କଠିନ ପରିସ୍ଥିତିକୁ ଏଡେଇବାପାଇଁ ଏହାହିଁ ଶ୍ରେଷ୍ଠ ଉପାୟ ବୋଲି ଏକଥା ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ତେଣୁ ଏଥର ଦୀପାବଳିରେ ପ୍ରଦୂଷଣମୁକ୍ତ ପରିବେଶ ପାଇଁ ଆମେ ସମସ୍ତେ ସଂକଳ୍ପ ନେବା ଦରକାର । ଏବେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ବିପଦ ସମ୍ପୂର୍ଣ୍ଣ ଟଳିନି । ଭଗବାନ କରନ୍ତୁ ଆଗକୁ ଏହି ସଂକ୍ରମଣ ଆଉ ନବଢୁ । ଏହାହିଁ ସମୟର ଆହ୍ୱାନ ।

Leave A Reply