ଛତ୍ରପୁର ୬/୧୧ : ଗଞ୍ଜାମ ଜିଲ୍ଲାରେ ଥିବା ଆହାର କେନ୍ଦ୍ର ଗୁଡିକରେ କାର୍ଯ୍ୟରତ ଶତାଧୀକ କର୍ମଚାରୀଙ୍କୁ ଛଟେଇ କରିଦିଆଯାଇଛି । ଏହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଛଟେଇ ହୋଇଥିବା ଆହାର କେନ୍ଦ୍ର ର କର୍ମଚାରୀ ମାନେ ଶୁକ୍ରୁବାର ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପୁନଃ ନିଯୁକ୍ତି ଦାବୀ ନେଇ ଏକ ଲିଖିତ ସ୍ମାରକ ପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ୫ ବର୍ଷ ତଳେ ରାଜ୍ୟର ଅନ୍ୟ ସ୍ଥାନ ଭଳି ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଥିଲା ଆହାର ଯୋଜନା । ଲକଡାଉନ ପୂର୍ବରୁ ଆହାରକେନ୍ଦ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଚାକିରିରୁ ବାହାର କରାଯାଇ ଏହାର ପରିଚାଳନା ଦାୟିତ୍ୱ ଏସଏଚଜି ଗ୍ରୁପ ହାତରେ ନ୍ୟସ୍ତ କରାଯାଇଛି।
ଏହାର ପ୍ରତିବାଦରେ ଆଜି ଆହାର କେନ୍ଦ୍ରର ଛଟେଇ କର୍ମଚାରୀମାନେ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି । ଦୀର୍ଘ ୭ ମାସ ଆହାର କେନ୍ଦ୍ର ବନ୍ଦ ହେବାପରେ ଆହାର କେନ୍ଦ୍ର ରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ବେରୋଜଗାର ହୋଇଯାଇଥିଲେ। ତେବେ ଏହା ଖୋଲିଲାପରେ ସେମାନେ ପୁଣି ଚାକିରିରେ ଯୋଗ ଦେଇ ରୋଜଗାରକ୍ଷମ ହେବେ ଓ ପରିବାର ପ୍ରତିପୋଷଣ କରିବେ ବୋଲି ଆଶା ବାନ୍ଧିଥିଲେ। ହେଲେ ଏହା ପୁନଃ ଖୋଲିବା ପରେ ତାଙ୍କୁ ପୂର୍ବରୁ କୌଣସି ସୂଚନା ନଦେଇ ହଠାତ ଚାକିରିରୁ ବାହାର କରି ପରିଚାଳନା ଦାୟିତ୍ୱ ଏସଏଚଜି ଗ୍ରୁପକୁ ଦିଆଯିବା ତାଙ୍କ ପ୍ରତି ଅନ୍ୟlୟ ଅଟେ। ତେଣୁ ଛଟେଇ କର୍ମଚାରୀମାନଙ୍କୁ ସରକାର ଥାଇଥାନ କରି ପୁନଃ ନିଯୁକ୍ତି ପ୍ରଦାନ କରାଯାଉ ବୋଲି କର୍ମଚାରୀମାନେ ଦାବି କରିଛନ୍ତି।
ଗଞ୍ଜାମ ଜିଲ୍ଲାର ୧୯ ଆହାର କେନ୍ଦ୍ର କୁ ମାନ୍ନାଟ୍ରଷ୍ଟ ପକ୍ଷରୁ ଖାଦ୍ୟ ଯୋଗାଇ ଦିଆଯାଉଛି । ଏହି ୧୯ ଟି ମଧ୍ୟରୁ ବ୍ରହ୍ମପୁର ର ୬ ଟି ରହିଛି । ସେହିପରି ହିଞ୍ଜିଳିକାଟୁ,ଛତ୍ରପୁର,ଗୋପାଳପୁର, ଚିକିଟି,କୋଦଳା,କବିସୁର୍ଯ୍ୟନଗର ଭଳି ଅନ୍ୟାନ୍ୟ ବ୍ଲକରେ ଆହାର କେନ୍ଦ୍ର ଚାଲୁଛି । ଏହି କେନ୍ଦ୍ର ଗୁଡିକରେ ଖାଦ୍ୟ ପରିବେଷଣ ଓ ସଫା ସୁତୁରା ପାଇଁ ଶତାଧିକ ମହିଳା ଓ ପୁରୁଷ ନିଯୁକ୍ତି ହୋଇଥିଲେ ।
ଟ୍ରଷ୍ଟ ପକ୍ଷରୁ ସଂପୃକ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ନିୟମିତ ଦରମା ସହ ଇପିଏଫ୍ ବାବଦକୁ ଟଙ୍କା ମଧ୍ୟ କଟାଯାଉଥିଲା । କରୋନା ମହାମାରୀ ଯୋଗୁଁ ଆହାର କେନ୍ଦ୍ର ବନ୍ଦ ଥିବାରୁ ୭ ମାସ ହେବ କର୍ମଚାରୀ ମାନେ କାର୍ଯ୍ୟ କରୁନଥିବା ବେଳେ ଦରମା ମଧ୍ୟ ମିଳୁନଥିଲା । ଆହାର କେନ୍ଦ୍ର ଖୋଲିଲେ କାର୍ଯ୍ୟରେ ଯୋଗ ଦେବେ ବୋଲି କର୍ମଚାରୀ ମାନେ ଚାହିଁ ବସିଥିଲେ । ନଭେମ୍ବର ୨ ତାରିଖରେ ଆହାର କେନ୍ଦ୍ର ଖୋଲିଥିଲା । ହେଲେ ଏହି କର୍ମଚାରୀଙ୍କ ବଦଳରେ ସ୍ୱୟଂସହାୟିକା ଗୋଷ୍ଠୀର ସଦସ୍ୟା ମାନେ ସେଠାରେ କାର୍ଯ୍ୟ ଆରମ୍ଭ କରିଥିଲେ । ଏହାକୁ ନେଇ ସମସ୍ତ କର୍ମଚାରୀ ମାନେ ମର୍ମାହାତ ହେବା ସହ ସେମାନେ ଚାକିରୀ ହରାଇଥିବାରୁ ଉତ୍ତେଜନା ପ୍ରକାଶ କରିଥିଲା ।
ଆଜି ର ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ଶିବ ମହାରଣା, ଗୌତମ ପ୍ରଧାନ,ବି.ଶ୍ୟାମ ସୁନ୍ଦର ରାଓ,ବବୁଲୁ ସାସମଲ,ସନାତନ ପରିଡା, ପି.ପୁନ୍ନମା ରେଡ୍ଡି, ପି.କାନ୍ତାମା ରେଡ୍ଡି, ପି.କମଳା ରେଡ୍ଡି,କୁମାରୀ ବାଗ୍,ସୁଜତା ନାହାକ,ମମତା ନାୟକ,ସରିତା ନାୟକ,ବି.କ୍ରିଷ୍ଣା ରାଓ ଙ୍କ ସମେତ ବହୁ ଛଟେଇ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହାପୂର୍ବରୁ ଛଟେଇ ହୋଇଥିବା କର୍ମଚାରୀ ମାନଙ୍କ ପକ୍ଷରୁ ମଧ୍ୟ ବ୍ରହ୍ମପୁର ସ୍ଥିତ ମାନ୍ନାଟ୍ରଷ୍ଟ କାର୍ଯ୍ୟାଳୟ ଓ ବିଏମସି କାର୍ଯ୍ୟାଳୟରେ ପୁନଃ ନିଯୁକ୍ତି ଦାବୀ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ