ବିଜୟର ଦ୍ୱାର ଦେଶରେ ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍ , ଚୂଡ଼ାନ୍ତ ଫଳାଫଳ ଘୋଷଣାକୁ ନେଇ ଅନିଶ୍ଚିତତା ଜାରି
ୱାସିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଘୋଷଣାକୁ ନେଇ ଅନିଶ୍ଚିତତା ଜାରି ରହିଛି ଏବଂ ଭୋଟ୍ ଗ୍ରହଣ ପ୍ରକ୍ରିୟା ସଂପୂର୍ଣ୍ଣ ହେବାର ୨ ଦିନ ପରେ ବି ଇ-ବ୍ୟାଲଟ୍ ଗଣତି ପ୍ରକ୍ରିୟା ସଂପୂର୍ଣ୍ଣ ହୋଇନାହିଁ। ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍ କ୍ଷମତା ହାସଲ ପାଇଁ ମ୍ୟାଜିକ୍ ନମ୍ବର ୨୭୦ ଇଲେକ୍ଟୋରାଲ ଭୋଟ୍ର ନିକଟତର ହୋଇଛନ୍ତି ଏବଂ ସେ ଏହି ସଂଖ୍ୟା ଅତିକ୍ରମ କରିବା ନିଶ୍ଚିତ ବୋଲି କହିଛନ୍ତି। ଅନ୍ୟପକ୍ଷରେ ରିପବ୍ଲିକାନ ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପୋଷ୍ଟାଲ୍ ତଥା ଇ-ବ୍ୟାଲଟ୍ ପ୍ରକ୍ରିୟାରେ ବ୍ୟାପକ ଜାଲିଆତି ହୋଇଥିବା ଅଭିଯୋଗ ଆଣିଛନ୍ତି। ଟ୍ରମ୍ପ୍ଙ୍କ ସପକ୍ଷରେ ଏ ପର୍ଯ୍ୟନ୍ତ ୨୧୪ ଇଲେକ୍ଟୋରାଲ୍ ଭୋଟ୍ ଆସିଥିବା ବେଳେ ବାଇଡେନ୍ ୨୬୪ଟି ଇଲେକ୍ଟୋରାଲ୍ ଭୋଟ୍ ହାସଲ କରିଛନ୍ତି। ବିଭିନ୍ନ ନିର୍ବାଚନୀ ଅନିୟମିତତାକୁ ନେଇ ରିପବ୍ଲିକାନ୍ ପାର୍ଟି ଆଜି ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ ହୋଇଛି। କୋର୍ଟ ଯଦି ଏସବୁ ମାମଲାକୁ ବିଚାର ପାଇଁ ଗ୍ରହଣ କରିବେ ତା’ହେଲେ ଚୂଡ଼ାନ୍ତ ଫଳାଫଳ ଘୋଷଣାରେ ଆଉ କିଛି ଦିନ ବିଳମ୍ବ ହୋଇପାରେ। । ସମଗ୍ର ବିଶ୍ବ ଏହି ନିର୍ବାଚନର ପରିଣାମ ଜାଣିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ବେଳେ ଗଣତି ପ୍ରକ୍ରିୟାକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଆମେରିକାର ଗଣତାନ୍ତ୍ରିକ ପ୍ରକ୍ରିୟା ପାଇଁ ଏକ ଧକ୍କା ହୋଇଛି।
ନିର୍ବାଚନ ଫଳାଫଳକୁ ନେଇ ଲାଗି ରହିଥିବା ଉତ୍କଣ୍ଠା ଭିତରେ ଟ୍ରମ୍ପ୍ ଏବଂ ବାଇଡେନ୍ଙ୍କ ସମର୍ଥକମାନେ ଆଜି ବିଭିନ୍ନ ସହରରେ ମୁହାଁମୁହିଁ ହୋଇଛନ୍ତି। ନ୍ୟୁୟର୍କ, ଡେନ୍ଭର ଆଦି ସହରରେ ବନ୍ଧୁକଧାରୀ ଉପଦ୍ରବକାରୀମାନେ ବ୍ୟାପକ ଭଙ୍ଗାରୁଜା କରିବା ସହ ସାଧାରଣରେ ଆତଙ୍କ ସୃଷ୍ଟି କରିଛନ୍ତି। ବିଭିନ୍ନ ଅଂଚଳରେ ହିଂସା ଉପୁଯିବା ଆଶଙ୍କା କରି ଶତାଧିକ ଲୋକଙ୍କୁ ଗିରଫ୍ କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ନ୍ୟୁୟର୍କରୁ ୫୦ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ପୋର୍ଟଲ୍ୟାଣ୍ଡ୍ରେ ବିରୋଧ ପ୍ରଦର୍ଶନ ହିଂସାତ୍ମକ ମୋଡ଼ ନେବାକୁ ଆରମ୍ଭ କରିଥିବାରୁ ସେଠାରୁ ୩୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି। ମିନିପଲିସରେ ଦଙ୍ଗା ଭଳି ସ୍ଥିତି ଉପୁଜିଥିବାରୁ ସେଠାରେ ସୁରକ୍ଷା ଅତ୍ୟନ୍ତ କଡ଼ାକଡ଼ି ହୋଇଛି। ବାଇଡେନ୍ ବିଜୟର ନିକଟତର ହୋଇଥିଲେ ମଧ୍ୟ ଟ୍ରମ୍ପ୍ ପେନ୍ସିଲଭାନିଆ, ନର୍ଥ କାରୋଲିନା ଏବଂ ଜର୍ଜିଆରେ ଭଲ ପ୍ରଦର୍ଶନ କରିଥିବାରୁ ଏବେ ବି ବିଜୟ ନେଇ ଆଶାବାଦୀ ଅଛନ୍ତି। କିନ୍ତୁ ବାଇଡେନ୍ ଯଦି ନେଭାଦାରେ ବିଜୟ ହାସଲ କରିବେ ତା’ହେଲେ ଟ୍ରମ୍ପ୍ଙ୍କ ସବୁ ଆଶା ଧୂଳିସାତ୍ ହୋଇଯିବ ବୋଲି କୁହାଯାଉଛି । ବିଭିନ୍ନ ଭୋଟ୍ ଗଣତି କେନ୍ଦ୍ରରେ ଜାଲିଆତି ଅଭିଯୋଗ ଆଣି ଆଜି ଟ୍ରମ୍ପ୍ ସମର୍ଥକମାନେ ବିକ୍ଷେଭ ପ୍ରଦର୍ଶନ କରିଥିବାରୁ ଗଣତି ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ଜୋ ବାଇଡେନ୍ ଆଜି ସମର୍ଥକମାନଙ୍କୁ କହିଛନ୍ତି ଯେ, ଅତ୍ୟନ୍ତ ଧୈର୍ଯ୍ୟର ସହ ପରିସ୍ଥିତି ମୁକାବିଲା କରିବାକୁ ହେବ ଏବଂ ଆମ ବିଜୟକୁ କେହି ରୋକିପାରିବେ ନାହିଁ।
ରିପବ୍ଲିକାନ୍ ପାର୍ଟି ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ, ବାଇଡେନ୍ଙ୍କୁ ୨୬୪, ଟ୍ରମ୍ପ୍ଙ୍କୁ ୨୧୪ ଇଲେକ୍ଟୋରାଲ୍ ଭୋଟ୍
ଆମେରିକା ନିର୍ବାଚନରେ ଏଯାବତ୍ ‘ଆମେରିକା’ ହିଁ ପରାଜିତ
ୱାସିଂଟନ୍: କିଏ ହାରିବ , କିଏ ଜିତିବ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଏଯାବତ୍ ଜଣେ ହିଁ ପରାଜିତ ବୋଲି କୁହାଯିବ। ତାହା ହେଉଛି ଆମେରିକା। ଏହାର ଗଣତନ୍ତ୍ରରେ ଥିବା ଦୁର୍ବଳତା ଏବଂ ଜଟିଳତା ଏବେ ସାମ୍ନାକୁ ଆସିଛି । ଏହା ଆମେରିକା ଗଣତନ୍ତ୍ରର ୨ଟି ମୂଳଦୁଆ ସତ୍ୟ ଏବଂ ବିଶ୍ବାସକୁ ଦୋହଲାଇ ଦେଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭୋଟ୍ ଗଣତି ଅଧା ହୋଇଥିବା ବେଳେ ନିଜର ବିଜୟ ଘୋଷଣା କରିଥିବା ବେଳେ ବଡ଼ ଧରଣର ଜାଲିଆତି ଅଭିଯୋଗ ଆଣି ସମଗ୍ର ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛନ୍ତି। ଟ୍ରମ୍ପ୍ ଯେଉଁ କାମ କରିଛନ୍ତି ସେଭଳି କାମ କରିବାପାଇଁ କୌଣସି ରାଷ୍ଟ୍ରପତି ଏଯାବତ୍ ସାହସ କରିନାହାନ୍ତି। ମଙ୍ଗଳବାର ରାତିରେ ଟ୍ରମ୍ପ୍ ନିର୍ବାଚନରେ ଜାଲିଆତି ହୋଇଥିବା କହିଥିଲେ ଏବଂ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି ଘୋଷଣା କରିଥିଲେ। ଟ୍ରମ୍ପ୍ କହିଥିଲେ ଆମେ ଏହି ନିର୍ବାଚନ ଜିତିଛୁ। ଅନ୍ୟପକ୍ଷରେ ବାଇଡେନ୍ ମଧ୍ୟ ନିଜର ବିଜୟ ସୁନିଶ୍ଚିତ ବୋଲି ଘୋଷଣା କରି ରିପବ୍ଲିକାନ୍ ସମର୍ଥକଙ୍କ ମୁକାବିଲା ପାଇଁ ଆହ୍ବାନ ଦେଇଛନ୍ତି। ତେବେ ଫଳାଫଳ ଯାହା ଆସିଲେ ବି ନାଗରିକମାନେ ହତୋତ୍ସାହ ହୋଇପଡ଼ିଛନ୍ତି ବୋଲି ନେତୃତ୍ବ ବିଶେଷଜ୍ଞ ଡଭ୍ ସେଡମାନ୍ କହିଛନ୍ତି। ଆମେରିକା ଭଳି ରାଷ୍ଟ୍ରରେ ଭୋଟ୍ ଗଣତିକୁ ନେଇ ବଡ଼ ବିବାଦ ଏବଂ ଅବିଶ୍ବାସ ବିଶ୍ବରେ ଏହାର ମର୍ଯ୍ୟାଦାକୁ ହ୍ରାସ କରିଛି।
