ରାୟଗଡା(Rabindra Patkhandal)-ରାୟଗଡ଼ା ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୨୮ କିଲୋମିଟର ଦୂର ରାଜ୍ୟର ଆନ୍ଧ୍ର ଓଡ଼ିଶା ସୀମାନ୍ତ କେରେଡ଼ା ଗ୍ରାମ ନିକଟବର୍ତ୍ତି ଅଞ୍ଚଳରେ ଗଜରାଜଙ୍କ ପଲ ବିଭିନ୍ନ କ୍ଷେତରେ ଦେଖିବା ମିଳୁଛି । ନାଗାବଳୀ ନଦୀ କୁଳରେ ଏହି ହାତୀ ପଲ ବୁଲୁଥିବା ବେଳେ ଆଜି ସକାଳୁ ମୁଖ୍ୟ ରାସ୍ତା ଉପରକୁ ଆସି ବୁଲୁଥିବା ଦେଥିବା ମିଳିଛି । ଏହି ହାତୀ ପଲରେ ଗୋଟିଏ ଦନ୍ତା ହାତୀ , ଗୋଟିଏ ମାଈ ହାତୀ ଏବଂ ତିନୋଟି ଛୁଆ ବୁଲୁଥିବା ବନ ବିଭାଗ କହୁଛି । ଏହି ହାତୀପଲ ବିଭିନ୍ନ ଚାଷ ଜମିକୁ ଯାଇ ଫସଲ ନଷ୍ଟ କରୁଥିବା ସହିତ ଜନବସତି ନିକଟବର୍ତ୍ତି ହେବାରୁ ଲୋକଙ୍କ ମନରେ ଭୟର ବାତାବରଣ ଖେଳି ଯାଇଛି । ଫଳରେ ଓଡ଼ିଶା ସୀମାନ୍ତ କେରେଡ଼ା, ଅତଡ଼ା, ଅନିଜା, ବୈରାଗିହଲୁଆ, ଏମ୍ପଲବାଲାସା, କୁସା ଏବଂ ଗାଙ୍ଗନାପେଟା ଗ୍ରାମବାସୀ ଭୟଭିତ ହୋଇ ପଡ଼ିଛନ୍ତି ।
ଆନ୍ଧ୍ରର କୋଟୁ ଏବଂ ସୋଲପଦର ଗ୍ରାମର ଲୋକେ ହାତୀପଲକୁ ଘଉଡ଼ାଇବା ପାଇଁ ବାଟ ବଣା ହୋଇ ଓଡ଼ିଶା ମୁହାଁ ହେଉଥିବା ସୂଚନା ରହିଛି । ଏହି ଖବର ପାଇ ସାଉଥକୋ ବିଭାଗ ଦ୍ୱାରା କିଛି ଅପ୍ରୀତିକର ପରିସ୍ଥିତି କୁ ଏଡ଼େଇବା ପାଇଁ କେରେଡ଼ା ସମେତ ଆଖ ପାଖ ଅଞ୍ଚଳର ବିଦୁ୍ୟତ ସରବର ବିଛିନ୍ନ କରାଯାଇଛି । ଏ ସମ୍ପର୍କରେ ସୂଚନା ପାଇ ରାୟଗଡ଼ା ଓ ଆନ୍ଧ୍ର ପ୍ରଦେଶ ବନ ବିଭାଗ କତ୍ତୃପକ୍ଷ କୁନେରୁ ଏବଂ କୋଟୁ ଗାଁ ନିକଟରେ ରହିଥିବା ହାତୀପଲକୁ ଘଉଡ଼େଇବା ବ୍ୟବସ୍ଥା କରିଛନ୍ତି । ଏହି ହାତୀପଲ ଆନ୍ଧ୍ର ପ୍ରଦେଶର ବୀରଗୋଟମ ଜଙ୍ଗଲରୁ ଫସଲ ଖାଇବା ଏବଂ ନାଗାବଳୀ ନଦୀର ପାଣି ପିଇବା ପାଇଁ ନଦୀ ତଟଦେଇ ଆସିଥିବା ଅନୁମାନ କରାଯାଇଛି ।
କାରଣ ଗତ ବର୍ଷ ମଧ୍ୟ ଏହିଭୋଳି ଏକ ହାତୀପଲ ଓଡ଼ିଶା ଏବଂ ଆନ୍ଧ୍ରା ପ୍ରଦେଶରେ ପ୍ରାୟ ଏକମାସ ଧରି ଘୁରିବୁଲିଥିଲେ । ଏବଂ ବ୍ୟାପକ ଭାବରେ ଫସଲ ନଷ୍ଟ କରିଥିଲେ । ଚଳିତ ବର୍ଷ ମଧ୍ୟ ତାହାର ପୁନରାବୃତ୍ତି ଘଟିଛି । ଏହାକୁ ନେଇ ବନ ବିଭାଗ ସଜାଗ ଥିବା କେରେଡ଼ା ଫରେଷ୍ଟର ଅନୀଲ କୁମାର ପାଣିଗ୍ରାହି କହିଛନ୍ତି ।