ହିମାଂଶୁ ଶେଖର ଆଚାର୍ଯ୍ୟ : ସମ୍ପ୍ରତି ମହାମାରୀ କରୋନା ବିଶ୍ୱରେ ଆତଙ୍କ ଖେଳାଇଦେଇଛି । ବିଶ୍ୱର ପ୍ରାୟ ୨୧୩ଟିରୁ ଉଦ୍ଧ୍ୱର୍ ର୍ଦେଶରେ ଏହା କାୟାବିସ୍ତାର କରିସାରିଛି ।କୁହାଯାଉଛି ଦୁଇ ଦୁଇଟି ବିଶ୍ୱଯୁଦ୍ଧରେ ଯେତିକି ଲୋକ ମୃତୁ୍ୟବରଣ କରିନଥିଲେ କରୋନାରେ ତାଠାରୁ ଅଧିକ ଲୋକ ମୃତୁ୍ୟବରଣ କରିସାରିଲେଣି । ଅଦ୍ୟାବଧି ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬,୧୭୭,୫୭୪ ଥିବା ବେଳେ ମୃତକଙ୍କ ସଂଖ୍ୟା ୧୧,୯୭,୪୫୪ରେ ପହଞ୍ଚିଛି ।
ସେହିପରି ଆମ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧,୩୭,୧୧୯ଓ ମୃତକଙ୍କ ସଂଖ୍ୟା ୧୨,୧୬,୪୧ ଏବଂ ଆମ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୦,୧୧୬ ଥିବା ବେଳେ ମୃତକଙ୍କ ସଂଖ୍ୟା୧୩୨୦ ରେ ରହିଛି ।ଯାହାକୁ ଦେଖିବ ସେ ମୁହଁରେ ମାସ୍କ ବା ତୁଣ୍ଡି ପରିଧାନ କରିଛି । ଧନୀ-ଗରିବ, ଉଚ୍ଚ- ନୀଚ ସମସ୍ତେ ଏହାକୁ ସୁରକ୍ଷା କବଚ ଭାବେ ବ୍ୟବହାର କରୁଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାସ୍କ ପିନ୍ଧିବାକୁ ପସନ୍ଦ କରୁନଥିଲେ ମଧ୍ୟ ଏବେ ମାସ୍କ ପରିଧାନ କରିଛନ୍ତି । ଏଥିରୁ ମାସ୍କ ପରିଧାନର କେତେ ଗୁରୁତ୍ୱରହିଛି ତାହା ସ୍ପଷ୍ଟ ଅନୁମେୟ । ସମୟ ସହିତ ତାଳଦେଇ ଆଜି ସଂସ୍କୃତିରେ ଆସିଛି ବିରାଟ ପରିବର୍ତ୍ତନ । ସେହି ପରିବର୍ତ୍ତନରେ ନିଜ ଜୀବନର ସୁରକ୍ଷା ପାଇଁ ସାମିଲ ହୋଇଛନ୍ତି ବିଶ୍ୱବାସୀ ।
କରୋନା ଭୂତାଣୁ ସଂକ୍ରମଣଠାରୁ ନିଜକୁ ଦୁରେଇ ରଖିବାପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସାମାଜିକ ଦୂରତାସହ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେଉଛନ୍ତି । ବିଶେଷକରି ଯେ ପର୍ଯ୍ୟନ୍ତ କୋଭିଡ ଟୀକା ନବାହାରିଛି ସେ ପର୍ଯ୍ୟନ୍ତ ମାସ୍କ ହିଁ ସୁରକ୍ଷା କବଚ ପାଲଟିଛି । ସମ୍ପ୍ରତି କୋଭିଡ ଟୀକା ପ୍ରସ୍ତୁତ ନେଇ ବିଶ୍ୱସ୍ତରରେ ଗବେଷଣା ଆରମ୍ଭ ହେଇଯାଇଛି । ଆମ ଦେଶରେ ମଧ୍ୟ ଟୀକା ପ୍ରସ୍ତୁତି କାର୍ଯ୍ୟରେ ଯଥେଷ୍ଟ ଅଗ୍ରଗତି ହୋଇଛି ।
ଏଥିପାଇଁ ଆଉକିଛି ସମୟ ଲାଗିପାରେ । ତଥାପି ଯେ ପର୍ଯ୍ୟନ୍ତ କୋଭିଡ ଟୀକା ସାଧାରଣରେ ଉପଲବ୍ଧ ହୋଇପାରିନାହିଁ ସେପର୍ଯ୍ୟନ୍ତ ଆମକୁ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବା ଉପରେ ସଚେତନ ରହିବାକୁ ପଡିବ । ଏ ସବୁ ସତ୍ତ୍ୱେ କିଛି ଅମାନିଆ ମାସ୍କ ପିନ୍ଧୁ ନଥିବା ଘଟଣା ଆଗକୁ ଆସୁଛି । ଏପରିକି ସେମାନଙ୍କ ଠାରୁ ଫାଇନ୍ ଆଦାୟ କରାଯାଉଛି । ତଥାପିସେମାନେ ବୁଝିପାରୁନାହାନ୍ତି ଯେ, ଏପରି କରିବା ଦ୍ୱାରା ସେମାନେ କେବଳ ନିଜପାଇଁ ନୁହେଁ, ନିଜର ପରିବାର ତଥା ସମାଜ ପାଇଁ ବିପଦକୁ ଡାକି ଆଣୁଛନ୍ତି ।
ତଥାପି ଥମିନି ବିପଦ । ଯାହା ଆଶଙ୍କା କରାଯାଉଥିଲା ତାହା ଏବେ ସତ୍ୟ ହେବାକୁ ଯାଉଛି । ପାର୍ବଣରେ ସାମାନ୍ୟ ଅବହେଳା ଓ ସାମାଜିକ ଦୂରତା ରଖିବାରେ ଢିଲାପଣ ଏବେ ମହଙ୍ଗା ସାବ୍ୟସ୍ତ ହୋଇଛି । ଓନାମ ପରେ କେରଳରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଏଥି ସହିତ ଦିଲ୍ଲୀ, ମହାରାଷ୍ଟ୍ର, କର୍ଣ୍ଣାଟକ, ପଶ୍ଚିମବଙ୍ଗ ଆଦି ରାଜ୍ୟରେ ସଂକ୍ରମଣ ପୁଣି ଉପରମୁହାଁ ହୋଇଥିବା ସୂଚନା ମିଳିଛି । ଦଶହରା ବେଳେ ଏସବୁ ରାଜ୍ୟରେ ଜନଗହଳି ପରିଲକ୍ଷିତ ହୋଇଥିଲା । କରୋନା କଟକଣା ସତ୍ତ୍ୱେ ଦୋକାନ ବଜାରରେ ଆସମ୍ଭବ ଭିଡ ଦେଖାଦେଇଥିଲା । ଆଗକୁ ଦିପାବଳୀ ଆସୁଛି । ସାରା ଦେଶରେ ବିଶେଷ କରି ଉତ୍ତର ଭାରତରେ ଦିପାବଳୀ ବେଶ ଧୁମ୍ଧାମରେ ପାଳିତ ହୋଇଥାଏ । ସେତେବେଳେ ସାମାଜିକ ଦୂରତା ରଖିବା ଅସମ୍ଭବ । ଏବେ ପୁଣି ଶୀତ ଋରୁ ଆରମ୍ଭ ହୋଇଗଲାଣି । ତେଣୁ ମାସ୍କ ପରିଧାନ ସହିତ ସାନିଟାଇଜର ବ୍ୟବହାର ଓ ସାମାଜିକ ଦୂରତା ବଜାୟ ରଖିବା ଜରୁରୀ । ଏବେ ସଂକ୍ରମଣ ହାର ପୂର୍ବାପେକ୍ଷା କମ୍ ହୋଇଥିଲେ ମଧ୍ୟ ମୃତୁ୍ୟହାର ବଢିଚାଲିଛି ।
ଏହା ହେଉଛି କୋଭିଡ-୧୯ର ଚରିତ୍ର । ଏହାଥରେ ଚାଲିଗଲା ପରେ ପୁଣିଥରେ ଲେଉଟୁଛି । ବର୍ତ୍ତମାନ ସ୍ଥିତି ଯାହା କରୋନା ଟୀକା ବାହାରିବାକୁ ଆହୁରି ତିନି ଚାରିମାସ ଲାଗିଯାଇପାରେ । ଭାରତ ସରକାର ଇତି ମଧ୍ୟରେ ଟୀକାର ସୁଷମ ବଣ୍ଟନପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପ୍ରଥମେ କୋଭିଡ ଯୋଦ୍ଧା, ବୟସ୍କ,ରୁଗ୍ଣ ଓ କରୋନା ଲଢେଇରେ ସାମିଲ ସମସ୍ତଙ୍କୁ ଏହା ପ୍ରଦାନ କାରାଯିବ ପରେ ଅନ୍ୟ ସମସ୍ତଙ୍କୁ ଏହା ପ୍ରଦାନ କାରଯିବ । ଟୀକାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ବିଭିନ୍ନ ରାଜ୍ୟ ସରକାର ଇତିମଧ୍ୟରେ ନିଜ ନିଜ ରାଜ୍ୟରେ କୋଭିଡ ଟୀକା ମାଗଣାରେ ଆବଣ୍ଟନ ନେଇ ଘୋଷଣା କରିସାରିଲେଣି । ଏବେ ସୁଦ୍ଧା ଟୀକା ପ୍ରସ୍ତୁତ ହୋଇ ନାହିଁ । ଏଥିପାଇଁ ଆଉ କିଛି ସମୟ ଲାଗିବ । ତେଣୁ ଏବେ ଠାରୁ ଖାମ୍ଖିଆଲି ହେବା ଆମ ପାଇଁ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ ।
ତେଣୁ ଏବେଠୁ ଆମକୁ ଆହୁରି ଅଧିକ ସର୍ତକ ଓ ସଚେତନ ରହିବାକୁ ହେବ । ସରକାର ଆଉଥରେ ଲକ୍ଡାଉନ ଓ ସଟ୍ଡାଉନ କରିବା ଅବସ୍ତାରେ ନାହାଁନ୍ତି । କାରଣ ସାରା ବିଶ୍ୱ ସମେତ ଆମ ଦେଶର ଅର୍ଥନୀତି ଏବେ ବିପର୍ଯ୍ୟସ୍ତ । ଏହାକୁ ସଜାଡିବାକୁ ହେଲେ କଟକଣା କୋହଳ କରିବାକୁ ହେବ । କିନ୍ତୁ ଜନସାଧାରଣ ଯଦି ଅବହେଳା କରିବେ ତାହାଲେ ଜୀବନ ବିପନ୍ନ ହେବା ସୁନିଶ୍ଚିତ । ଏହି ସାତ ମାସ ଅବଧି ଭିତରେ ଏତିକି ପ୍ରମାଣିତ ହୋଇଛି ଯେ, ଯେ ପର୍ଯ୍ୟନ୍ତ ଏହି ମହାମାରୀର ପ୍ରତିଷେଧକ ନବାହାରିଛି ସେପର୍ଯ୍ୟନ୍ତ ମୁହଁ ଓ ନାକକୁ ଭଲକରି ଘୋଡାଇବା ଭଳି ମାସ୍କ ଟିଏ ପିନ୍ଧିଲେ, ପରସ୍ପର ମଧ୍ୟରେ ସାମାଜିକ ଦୂରତା ରଖିଲେ, ଗହଳିସ୍ଥାନକୁ ନଗଲେ ଏବଂ ମଝିରେ ମଝିରେ ସାନିଟାଇଜର ବା ସାବୁନରେ ଭଲକରି ହାତ ଧୋଇଲେ ଏ ରୋଗର ସଂକ୍ରମଣର ଆଶଙ୍କା କମ୍ ରହିବ ।
ତଥାପି କିଛି ଲୋକ ମାସ୍କ ପିନ୍ଧିବାକୁ ଅମଙ୍ଗ । ଏହା ସଚେତନତାର ଅଭାବ ବା ଆଉ ଅନ୍ୟ କିଛି କାରଣ ତାହା ବୁଝିବା କଷ୍ଟକର । ଏପରିକି କିଛି ଲୋକ କଥା କହିଲା ବେଳେ ପାଟିକୁ ଘୋଡାଉ ନାହାଁନ୍ତି । କେତେକ ଲୋକ ମୂଳରୁ ମାସ୍କ ନପିନ୍ଧି ଟେଲିଭିଜନ ପରଦାରେ ମୁହଁ ଦେଖାଉଛନ୍ତି । ଏପରିକି ସମ୍ବାଦ ପାଠ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ମଧ୍ୟ ଅନୁରୂପ ଅବସ୍ଥା । ବିଜ୍ଞାପନ ମାନଙ୍କରେ ମଧ୍ୟ କେହି ମାସ୍କ ବ୍ୟବହାର କରୁନାହାନ୍ତି । ହୁଏତ କେତେକ କ୍ଷେତ୍ରରେ ସେଗୁଡିକର ଚିତ୍ର ପୁରୁଣା ହୋଇଥାଇପାରେ । ବିଶେଷକରି ଗାଁ ମାନଙ୍କରେ କରୋନା ସମ୍ବନ୍ଧୀୟ ସଚେତନତା ଅଭାବରୁ ଅଧିକାଂଶ ଲୋକ ମାସ୍କ ପିନ୍ଧୁ ନଥିବାର ଘଟଣା ଦେଖିବାକୁ ମିଳୁଛି ।
ଏପରିକି କିଛି ଅମାନିଆ ଜୋରିମାନା ନଦେବା ପାଇଁ ଗଳାବାଟଦେଇ ଯିବାର ଅନେକ ଉଦାହରଣ ରହିଛି । ଏହି ସମୟ ଭିତରେ ପ୍ରଧାନମନ୍ତ୍ରୀ ଓ ଆମରାଜ୍ୟର ମୁଖ୍ୟମନ୍ତ୍ରୀ ବାରମ୍ବାର ଲୋକମାନଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଉଛନ୍ତି । ଏସବୁ ପଦକ୍ଷେପ ସ୍ୱାଗତ ଯୋଗ୍ୟ । କିନ୍ତୁ ସଚେତନ ହେବା ଦାୟିତ୍ୱ ଲୋକ ମାନଙ୍କର । ଏଠାରେ ସୂଚନା ଦିଆଯାଇପାରେ ଯେ, ଯଦିଓ ଦୈନିକ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି ତେବେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଜାରି ରହିଛି । ବାସ୍ତବିକ ଏଭଳି ପ୍ରଭାବିତଙ୍କ ସଂଖ୍ୟା ବିଭିନ୍ନ ରାଜ୍ୟରେ ମଧ୍ୟ ଦେଖାଯାଉଛି । ୁ ଏହାକୁ ହାଲ୍କା ଭାବେ ନେଲେ ଚଳିବ ନାହିଁ । ତେଣୁ ମାସ୍କ ପିନ୍ଧିବା ସହ ଆମକୁ କୋଭିଡ ନିୟମାବଳୀ କଡାକଡି ମାନିବାକୁ ହେବ ।