ମୋଟର ଯାନ ଅଧିନିୟମ ଅନୁଯାୟୀ ଦେଶସାରା କୁବ୍ ଧରପଗଡ଼ ଚାଲିଛି । ଟ୍ରାଫିକ୍ ନିୟମ ଭାଙ୍ଗିଲେ ପୋଲିସ ମୋଟା ଅଙ୍କର ଜରିମାନା ଆଦାୟ କରୁଛି । ହେଲେ ସାଧାରଣ ଲୋକଙ୍କ ପାଇଁ ଅନେକ ସମୟରେ ଏତେ ଜରିମାନା ଦେବା ସମ୍ଭବ ହେଉନାହିଁ । ଏମିତି ଏକ କାମଲା ବେଙ୍ଗଲୁରୁର ମଡ଼ିୱାଲା ଇଲାକାରେ ଦେଖିବାକୁ ମିଳିଛି ଯେଉଁଠି ଟ୍ରାଫିକ୍ ପୋଲିସ ଜଣେ ବାଇକ୍ ଆରୋହୀ ଯୁବକଙ୍କୁ ରୋକିଲେ । ଗାଡ଼ି କାଗଜ ଯାଞ୍ଚରୁ ଜଣାପଡ଼ିଲା ତାଙ୍କ ନାମରେ ୭୭ଟି କେସ୍ ଅଛି । ଟ୍ରାଫିକ୍ ପୋଲିସ ୪୨ ହଜାର ୫୦୦ ଟଙ୍କା ଜରିମାନା ଲଗାଇଲା । ଗାଡ଼ି ନାଁରେ ୭୭ କେସ୍ ଥିବା ଜାଣି ଯୁବକଙ୍କ ମଥା ଘୂରିଗଲା । ପୁଣି ତା’ସାଙ୍ଗକୁ ଜରିମନା ଦଣ୍ଡ । ଶେଷରେ ଯୁବକ ଜଣକ ତାଙ୍କ ଦୁଇଚକିଆ ଯାନକୁ ପୋଲିସ ଟିମ୍ ପାଖରେ ଛାଡ଼ି ଚାଲିଗଲେ । ଅରୁଣ କୁମାର ନାମକ ଏହି ଯୁବକଙ୍କୁ ପୋଲିସ ଅଟକାଇବାର କାରଣ ସେ ହେଲ୍ମେଟ୍ ପିନ୍ଧି ନ ଥିଲେ, ପୁଣି ଗାଡ଼ିର ନମ୍ବରପ୍ଲେଟ୍ ଠିକ୍ ନ ଥିଲା । ଏହି ଦୁଇ ନିୟମ ଭଙ୍ଗ ପାଇଁ ଜରିମନା କସିବା ବେଳେ ଜଣାପଡ଼ିଲା ପୂର୍ବରୁ ୭୫ ଥର ସେ ଯାତାୟାତ ନିୟମ ଉଲ୍ଲଂଘନ କରିଛନ୍ତି । ତା’ସାଙ୍ଗରେ ଶୁକ୍ରବାର ଆଉ ଦୁଇଟି ମାମଲା ଯୋଡ଼ି ହୋଇଗଲା । ଦୁଇ ବର୍ଷ ହେଲା ମାମଲାଗୁଡ଼ିକ ପେଣ୍ଡିଂ ଥିଲା । ଅଧିକାଂଶ ମାମଲା ରୁଜୁ ହୋଇଛି ଟ୍ରାଫିକ୍ ସିଗ୍ନାଲ୍ ନ ମାନିବା ଓ ଟ୍ରିପଲ ରାଇଡିଂ ଯୋଗୁ । ବାଇକ୍ଟିକୁ ପୋଲିସକୁ ଦେଇଦେବା ବେଳେ ସେ କହିଲେ ମୋ ଗାଡ଼ିର ଦାମ୍ ୩୦ ହଜାର ଟଙ୍କାରୁ କମ୍ । ତେଣୁ ୪୨ ହଜାର ୫୦୦ ଟଙ୍କା ଦେବାକୁ ଚାହୁଁନି । ଅଗତ୍ୟା ପୋଲିସ ବାଇକ୍କୁ ଜବତ କରିନେଲା ।
