Odisha news

ସମସ୍ୟାରେ କେନ୍ଦ୍ରାପଡାର ପୁରାତନ ବିଦ୍ୟାଳୟ ବଳଦେବ ହାଇସ୍କୁଲ

0

କେନ୍ଦ୍ରାପଡା (Rabindra Dash) : କେନ୍ଦ୍ରାପଡାର ପୁରାତନ ବିଦ୍ୟାଳୟ ବଳଦେବ ହାଇସ୍କୁଲ ଘୋର ସମସ୍ୟା ମଧ୍ୟ ଦେଇ ଗତି କରୁଥିବା ଦେଖାଯାଇଛି । ୧୯୫୬ମସିହାରେ ସ୍ଥାପିତ ହୋଇଥିବା ବଳଦେବ ଉଚ୍ଚ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୫ଟି ଶ୍ରେଣୀ ରହିଛି । ପ୍ରତ୍ୟେକ ଶ୍ରେଣୀରେ ୨ଟିକରି ସେକସନ ରହିଥିବା ବେଳେ ଏହି ବିଦ୍ୟାଳୟରେ ୪ଶହରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ।

ଗତ ମହାବାତ୍ୟାରେ ଏହି ବିଦ୍ୟାଳୟର ବହୁ କ୍ଷତି ହୋଇଥିବା ବେଳେ ସେସବୁକୁ କିଛିମାତ୍ରାରେ ମରାମତି କରାଯାଇ ବିଦ୍ୟାଳୟରେ ଶିକ୍ଷାଦାନ ଚାଲୁଥିବା ବେଳେ ଗତ ଫନି ବାତ୍ୟାରେ ଏହି ପୁରାତନ ବିଦ୍ୟାଳୟର ଦକ୍ଷିଣ ପାଶ୍ୱର୍ରେ ଥିବା ୬ଟି ଶ୍ରେଣୀଗୃହ ସମେତ ଏକ ବଡହଲଟି ସମ୍ପୂର୍ଣ୍ଣ ଭାଙ୍ଗିଯିବା ଫଳରେ ସେହିଦିନ ଠାରୁ ବିଦ୍ୟାଳୟର ଶିକ୍ଷାଦାନରେ ଗୁରୁତ୍ତର ବାଧା ସୃଷ୍ଟି ହୋଇଛି ।

ବିଦ୍ୟାଳୟର ପୁରାତନ ଛାତ୍ରସଂସଦ,ସ୍କୁଲ ପରିଚାଳନା ଓ ଉନ୍ନୟନ କମିଟି,ଶିକ୍ଷକ ଓ କର୍ମଚାରୀମାନଙ୍କ ପକ୍ଷରୁ ଏସମ୍ପର୍କରେ କେନ୍ଦ୍ରାପଡା ପୂର୍ତ୍ତ ଡିଭିଜନର ନିର୍ବାହୀ ଯନ୍ତ୍ରୀ,ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା । ପୂର୍ତ୍ତ ଡିଭିଜନ ପକ୍ଷରୁ ଘଟଣାସ୍ଥଳ ପରିଦର୍ଶନ କରାଯିବା ସହିତ ଏହି ବିଦ୍ୟାଳୟର ନୂତନ ୬ଟି ଗୃହ ଓ ଏକ ହଲ ନିର୍ମାଣ ନିମନ୍ତେ ୯୩ଲକ୍ଷ,୪୦ହଜାର ୧୨୦ଟଙ୍କାର ଏକ ନକ୍ସା ଓ ଅଟକଳ ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କୁ ପତ୍ର ସଂଖ୍ୟା ୪୮୫୬ ତା ୩.୦୭.୨୦୧୯ରିଖରେ ପୂର୍ତ୍ତ ଡିଭିଜନର ନିର୍ବାହୀ ଯନ୍ତ୍ରୀ ପଠାଇଥିଲେ ।

ଏହିପତ୍ରରେ ନିର୍ବାହୀ ଯନ୍ତ୍ରୀ ଲେଖିଥିଲେ ଯେ ବଳଦେବ ଉଚ୍ଚ ବିଦ୍ୟାଳୟର ଶ୍ରେଣୀଗୃହ ଅଭାବରୁ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଦାନରେ ଗୁରୁତ୍ତର ବ୍ୟାଘାତ ସୃଷ୍ଟି ହେଉଥିବାରୁ ଏହି ଅନୁଦାନ ମଞ୍ଜୁର କରାଯିବାର ନିତ୍ୟାନ୍ତ ଆବଶ୍ୟକତା ରହିଛି । କେନ୍ଦ୍ରାପଡା ଏକ ବାତ୍ୟାପ୍ରବଣ ଅଂଚଳ ହୋଇଥିବାରୁ ଆଜବେଷ୍ଟସ ଛାତ ବଦଳରେ ଆର.ସି.ସି.ଛାତର ଆବଶ୍ୟକତା ରହିଛି ବୋଲି । କିନ୍ତୁ କୈାଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ ।

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଗତ ତା ୮.୦୮.୨୦୧୯ରିଖରେ ପତ୍ର ସଂଖ୍ୟା ୭୯୫୩ରେ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କୁ ବଳଦେବ ହାଇସ୍କୁଲର ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ପୂର୍ତ୍ତ ଡିଭିଜନ ପ୍ରଦାନ କରିଥିବା ଅଟ୍ଟକଳ ଅନୁଯାଇ ସରକାରୀ ଅନୁଦାନ ମଞ୍ଜୁର କରିବାକୁ ମଧ୍ୟ ସୁପାରିଶ କରାଗଲା । ଗତ ତା ୨୭.୦୮.୨୦୧୯ରିଖରେ ବଳଦେବ ହାଇସ୍କୁଲ ପୁରାତନ ଛାତ୍ର ସଂସଦ ପକ୍ଷରୁ ପୂର୍ବତନ ନଗରପାଳ ଧିରେନ କୁମାର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ବିଦ୍ୟାଳୟର ଶ୍ରେଣୀଗୃହ ସମସ୍ୟା ସମ୍ପର୍କରେ ଲିଖିତ ଭାବେ ଜଣାଇବା ସହ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଅବଗତ କରାଇଥିଲେ । ଏହାପରେ ଜିଲ୍ଲାପାଳ ଶ୍ରୀ ବର୍ମା ବିଦ୍ୟାଳୟକୁ ପରିଦର୍ଶନରେ ଆସି ସ୍କୁଲର ସମସ୍ତ ସମସ୍ୟା ନିଜେ ଉପଲବ୍ଧି କରବା ସହ ଉପସ୍ଥିତ ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତା, ଶିକ୍ଷକ, ଶିକ୍ଷୟତ୍ରୀ ଓ ଅଭିଭାବକମାନଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନର ପ୍ରତିଶୃତି ଦେଇ ଫେରିଯାଇଥିଲେ ।

ଜିଲ୍ଲାପାଳ ଶ୍ରୀ ବର୍ମା ପତ୍ର ସଂଖ୍ୟା ୩୬୦ ତା ୨୮.୦୮.୨୦୧୯ରେ ମାଧ୍ୟମିକ ଶିକ୍ଷା ନିର୍ଦେଶକ ଓ ଅତିରିକ୍ତ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କୁ ଏକ ପତ୍ର ଲେଖି ବିଦ୍ୟାଳୟର ଶ୍ରେଣୀଗୃହ ନିର୍ମାଣର ନିତ୍ୟାନ୍ତ ଆବଶ୍ୟକତା ଦୃଷ୍ଟିରୁ ପୂର୍ତ୍ତ ଡିଭିଜନର ଅଟ୍ଟକଳ ଅନୁଯାଇ ୯୩ଲକ୍ଷ ୪୦ହଜାର ଟଙ୍କାର ସରକାରୀ ଅନୁଦାନ ତୁରନ୍ତ ମଞ୍ଜୁର କରିବାକୁ ସୁପାରିଶ କରିଥିଲେ । ଏହାପରେ ସ୍କୁଲ ପୁରାତନ ଛାତ୍ର ସଂସଦ ପକ୍ଷରୁ ପ୍ରାକ୍ତନ ପୈାରାଧ୍ୟକ୍ଷ ଧିରେନ କୁମାର ସାହୁ ଓ ଆଇନଜୀବି ଧ୍ରୁବ ଚରଣ ଜେନା ଭୂବନେଶ୍ୱର ଯାଇ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କୁ ସାକ୍ଷାତକରି ବଳଦେବ ହାଇସ୍କୁଲର ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ଆବଶ୍ୟକ ଅନୁଦାନ ମଞ୍ଜୁର କରିବାକୁ ନିବେଦନ କରିଥିଲେ । ସ୍କୁଲର ଏହି ସମସ୍ୟା ସମ୍ପର୍କରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ବିଧାୟକ ଶଶୀଭୂଷଣ ବେହେରାଙ୍କୁ ମଧ୍ୟ ଅବଗତ କରାଯିବା ସହିତ ସାଂସଦ ଆଂଚଳିକ ଉନ୍ନୟନ ପାଣ୍ଠି ଏବଂ ବିଧାୟକ ଆଂଚଳିକ ଉନ୍ନୟନ ପାଣ୍ଠିରୁ ସ୍କୁଲର ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ଆବଶ୍ୟକ ଅର୍ଥ ମଞ୍ଜୁର କରିବାକୁ ନିବେଦନ କରାଯାଇଥିଲା ।

ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଓ ପରିଚାଳନା ଏବଂ ଉନ୍ନୟନ କମିଟି ପକ୍ଷରୁ ସାଂସଦଙ୍କୁ ପତ୍ର ସଂଖ୍ୟା ୩୬୦ ତା ୧୬.୧୦.୨୦୧୯ରିଖରେ ଏବଂ ପତ୍ର ସଂଖ୍ୟା ୩୨୪ ତା ୨୯.୦୮.୨୦୧୯ରିଖରେ ବିଧାୟକଙ୍କୁ ସ୍କୁଲ ସମସ୍ୟା ସମ୍ପର୍କରେ ଅବଗତ କରାଯାଇଥିଲା । ବିଧାୟକ ଶ୍ରୀ ବେହେରା ସ୍କୁଲକୁ ପରିଦର୍ଶନରେ ଆସିଥିବା ସମୟରେ ମଧ୍ୟ ତାଙ୍କୁ ସମସ୍ତ ସମସ୍ୟା ସମ୍ପର୍କରେ ଅବଗତ କରାଯାଇଥିଲା । ଅଦ୍ୟାବଧି ବଳଦେବ ହାଇସ୍କୁଲର ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । କରୋନା ମହାମାରୀ ଯୋଗୁଁ ବିଦ୍ୟାଳୟ ବନ୍ଦ ରହିଥିବା ହେତୁ ବର୍ତ୍ତମାନ କିଛି ସମସ୍ୟା ନଥିବା ବେଳେ ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନରେ ଗୁରୁତ୍ତର ବାଧା ସୃଷ୍ଟି ହେବାର ସମ୍ଭାବନା ରହିଛି ।

ଏସବୁକୁ ଦୃଷ୍ଟିରେ ରଖି ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପକ୍ଷରୁ ବିଭାଗୀୟ ଉଚ୍ଚ କତ୍ତୃପକ୍ଷଙ୍କୁ ଏହି ପୁରାତନ ସ୍କୁଲର ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ଭଳି ବୃହତ୍ତର ସ୍ୱାର୍ଥଦୃଷ୍ଟିରୁ ସ୍କୁଲ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ଅବିଳମ୍ବେ ଆବଶ୍ୟକ ସରକାରୀ ଅନୁଦାନ ମଞ୍ଜୁର କରିବାକୁ ନିବେଦନ କରାଯାଇଛି । ପୁରାତନଛାତ୍ର ଜିଲ୍ଲା ଓକିଲ ସଙ୍ଘର ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନଜୀବି ଧ୍ରୁବ ଚରଣ ଜେନା, ପୂର୍ବତନ ନଗରପାଳ ତଥା ଆଇନଜୀବି ଧିରେନ କୁମାର ସାହୁ, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ତଥା ବିଦ୍ୟାଳୟ ମୋସ୍କୁଲ ଅଭିଯାନର ସଭାପତି ପ୍ରାଧ୍ୟାପକ ଅଜୟ ସାମଲ, ନିତ୍ୟାନନ୍ଦ ସୁଆର, ଆଇନଜୀବି ନିତ୍ୟାନନ୍ଦ ସ୍ୱାଇଁ, ଚନ୍ଦ୍ରଭାନୁ ବରାଳ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରବିନାରାୟଣ ସାହୁ, ବ୍ରଜସୁନ୍ଦର ଦାସ, ରବିନ୍ଦ୍ର ନାଥ ଲେଙ୍କା, ରେବତୀରମଣ ଦାସ, ଚନ୍ଦ୍ରଭାନୁ ସିଂ, ସୁରେନ୍ଦ୍ର ନାଥ ଦାସ, ଭାବଗ୍ରାହୀ ପତ୍ରୀ, ନିତ୍ୟାନନ୍ଦ ମହାନ୍ତି, ସ୍ୱାଧୀନ କୁମାର ଦାଶ, ବିଜୟ କୁମାର ଦାସ, ଭ୍ରମରବର ବିଶ୍ୱାଳ ପ୍ରମୁଖ ବହୁ ପୁରାତନଛାତ୍ର ବିଭାଗୀୟ ଉଚ୍ଚ କତ୍ତୃପକ୍ଷଙ୍କୁ ଆର୍ଥିକ ଅନୁଦାନ ମଞ୍ଜୁର ନିମନ୍ତେ ପତ୍ର ମାଧ୍ୟମରେ ନିବେଦନ କରିଛନ୍ତି ।

Leave A Reply