ଯଦୁମଣି ପାଣିଗ୍ରାହୀ : ସ୍ୱାଧୀନତା ପରବର୍ତ୍ତୀ ଭାରତୀୟ ରାଜନୀତିରେ ମୂଲ୍ୟବୋଧ ଭରି ରହିଥିଲା । ରାଜନୀତି କରୁଥିବା ରାଜନେତା ମାନେ ନୀତି, ଆଦର୍ଶ ଓ ଉତ୍ତମ ବୁଦ୍ଧି ବିଚାର ସଂପନ୍ନ ଥିଲେ । ସେମାନେ ସଚ୍ଚରିତ୍ରବାନ ଓ ଉଚ୍ଚାଭିଳାଷୀ ଥିଲେ । ଦଳମତ ନିର୍ବିଶେଷରେ ସାଧାରଣ ଲୋକଙ୍କ ହିତ ପ୍ରତି ସେମାନେ ସଦାସର୍ବଦା ଯତ୍ନବାନ ଥିଲେ । ରାଷ୍ଟ୍ର ପ୍ରତି ରାଜନେତାଙ୍କ ସମ୍ମାନ ଓ ଆନୁଗତ୍ୟ ରହିଥିଲା । ନୀତି ଓ ନୈତିକତାର ମୂଲ୍ୟ ସେମାନେ ବେଶ ଭଲଭାବେ ବୁଝିଥିଲେ । ସେମାନଙ୍କ ଭିତରେ ସଂକୀର୍ଣ୍ଣତା କିମ୍ବା କୌଣସି ପ୍ରକାରର ହୀନମନ୍ୟତା ନଥିଲା । ରାଜନୈତିକ ଦଳ ଗୁଡିକ ମଧ୍ୟରେ ଯଦିଓ ନୀତିଗତ ଓ ଆଦର୍ଶଗତ ପାର୍ଥକ୍ୟ ରହୁଥିଲା ହେଲେ ରାଜନେତା ମାନେ ମୂଲ୍ୟବୋଧ ଭିତ୍ତିକ ରାଜନୀତିରେ ବିଶ୍ୱାସ ରଖୁଥିଲେ । ନିଜକୁ ପ୍ରଚାର ପ୍ରସାର ଠାରୁ ଦୂରେଇ ରଖି ରାଜନେତା ମାନେ ସାଧାରଣ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରୁଥିଲେ । ଆଉ ସେହି ଆଧାରରେ ଲୋକଙ୍କ ସମର୍ଥନ ହାସଲ କରିବାକୁ ସକ୍ଷମ ହେଉଥିଲେ ।
ସେଦିନର ରାଜନୀତିରେ ଲୋକେ ବ୍ୟକ୍ତିତ୍ୱକୁ ମାପକାଠି ଭାବେ ଗ୍ରହଣ କରି ଗୁଣୀ, ଜ୍ଞାନୀ ଓ ନିଷ୍କଳଙ୍କ ବ୍ୟକ୍ତିଙ୍କୁ ଭୋଟ ଦେଇ ପ୍ରତିନିଧି ଭାବେ ଚୟନ କରୁଥିଲେ । ନିର୍ବାଚନ ଏମିତି ବ୍ୟୟ ବହୁଳ ନଥିଲା । ଅର୍ଥବଳ ଓ ବାହୁବଳର ପ୍ରୟୋଗ କରାଯାଉନଥିଲା । ମୁକ୍ତ, ଅବାଧ ଓ ନିରପେକ୍ଷ ଭାବେ ନିର୍ବାଚନ ଅନୁଷ୍ଠିତ ହେଉଥିଲା । ନିର୍ବାଚନରେ ପ୍ରତିଦ୍ୱନ୍ଦିତା ହେଉଥିଲା ସତ ହେଲେ ବ୍ୟକ୍ତିଗତ ଜୀବନରେ କେହିକାହାରି ପ୍ରତିଦ୍ୱନ୍ଦୀ ନଥିଲେ । ତେଣୁ ନିର୍ବାଚନ ପ୍ରଚାରରେ ରାଜନେତା ମାନେ ବ୍ୟକ୍ତିଗତ ନିନ୍ଦା ଓ କୁତ୍ସାରଟନାରୁ ନିଜକୁ ଦୂରେଇ ରଖୁଥିଲେ । କେବଳ ନିଜ ଦଳର ଏଜେଣ୍ଡା ସଂକ୍ରାନ୍ତରେ ହିଁ ସାଧାରଣ ଲୋକଙ୍କୁ ଅବଗତ କରାଯାଉଥିଲା ।
କୌଣସି ପ୍ରକାର ପ୍ରଲୋଭନ କିମ୍ବା ବ୍ୟକ୍ତିଗତ ଲାଭକୁ ଦୃଷ୍ଟିରେ ନରଖି ଲୋକେ ନିଜ ଅଞ୍ଚଳର ତଥା ରାଜ୍ୟ ଓ ରାଷ୍ଟ୍ରର ସର୍ବାଙ୍ଗୀନ ବିକାଶ ପ୍ରତି ଧ୍ୟାନ ଦେଇ ଦକ୍ଷ ଓ ଯୋଗ୍ୟ ବ୍ୟକ୍ତିଙ୍କୁ ସେମାନଙ୍କ ପ୍ରତିନିଧି ଭାବେ ନିର୍ବାଚିତ କରୁଥିଲେ । ଅନ୍ୟପକ୍ଷେ ନିର୍ବାଚିତ ଜନ ପ୍ରତିନିଧିମାନଙ୍କ ଜୀବନଯାପନ ଶୈଳୀ ବେଶ ସରଳ, ନିରାଡମ୍ବର ଓ ପରିମାର୍ଜିତ ଥିଲା । ଦୁର୍ନୀତି, ଭ୍ରଷ୍ଟାଚାର ଓ ପ୍ରିୟାପ୍ରୀତି ତୋଷଣ ଆଦି ସେମାନଙ୍କ ଆଦର୍ଶର ପରିପନ୍ଥୀ ଥିଲା । ଲୋକେ ସେମାନଙ୍କ ସମ୍ମାନ କରୁଥିଲେ । ବିଶ୍ୱାସ ଓ ଭରସା ବି କରୁଥିଲେ ।
ଆଜିର ରାଜନୀତି ବଦଳି ଯାଇଛି । ସଂପୂର୍ଣ୍ଣ ଭାବେ ନୀତି ଓ ଆଦର୍ଶ ବିବର୍ଜିତ ହୋଇପଡିଛି । କଥାରେ କୁହାଯାଏ ଯୁଦ୍ଧ ଓ ପ୍ରେମରେ ସବୁକିଛି ସମ୍ଭବ । ମାତ୍ର ଆଜିର ରାଜନୀତିରେ ସେମିତି ସବୁକିଛି ସମ୍ଭବ । ଆଜିର ରାଜନୀତି ମୂଲ୍ୟବୋଧ ଠାରୁ ଦୂରେଇ ଯାଇଛି । ବିଭିନ୍ନ ଅପରାଧିକ ମାମଲାରେ ସଂପୃକ୍ତ ତଥା ଅପରାଧିକ ମନୋବୃତ୍ତି ଥିବା ବ୍ୟକ୍ତବିଶେଷ ରାଜନୀତିରେ ପ୍ରବେଶ କରି ରାଜନୀତିକୁ କଳୁଷିତ କରି ସାରିଲେଣି । ରାଜନେତା ଓ ରାଜନେତିକ ଦଳ ଗୁଡିକ ମଧ୍ୟରେ ନୀତି ଆଦର୍ଶ ବୋଲି କିଛି ନାହିଁ । ଆଜି ରାଜନୀତି କରୁଥିବା ଅଧିକାଂଶ ରାଜନେତା କେବଳ ବ୍ୟକ୍ତିଗତ ସ୍ୱାର୍ଥ ସାଧନର ଚିନ୍ତାରେ ବୁଡି ରହୁଛନ୍ତି । କ୍ଷମତାର ଅପ ପ୍ରୟୋଗ କରି ବ୍ୟକ୍ତିଗତ ଫାଇଦା ହାସଲ କରିବା, ନିଜ ପ୍ରିୟ ପରିଜନ ଓ ବନ୍ଧୁବାନ୍ଧବଙ୍କ ଯାଏଁ ସମସ୍ତଙ୍କୁ ଅନୁଚିତ ଅନୁଗ୍ରହ ପ୍ରଦର୍ଶନ କରିବା ଓ ଦୁର୍ନୀତି ଭ୍ରଷ୍ଟାଚାରରେ ବୁଡି ରହି ବିଳାସ ବ୍ୟସନରେ ସମୟ ଅତିବାହିତ କରିବା ଆଜିର ରାଜନେତାଙ୍କ ଏକ ପ୍ରକାର ବଦ ଅଭ୍ୟାସରେ ପରିଣତ ହୋଇଗଲାଣି ।
ସେମାନଙ୍କ ମନରେ ଲୋକଙ୍କ ପ୍ରତି ଦରଦ ନାହିଁ କି ସେମାନଙ୍କ ହିତ ସାଧନର ଲକ୍ଷ୍ୟ କିମ୍ବା ଆଭିମୂଖ୍ୟ ନାହିଁ । କେବଳ ନିଜ ସ୍ୱାର୍ଥ ଚିନ୍ତା । ପ୍ରତିଷ୍ଠା ଓ ପ୍ରତିପତ୍ତି ଲାଭ କରିବାର ଲାଳସା । ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ଘୋଷଣା କେବଳ ଏକ ଧୂଆଁବାଣ । ରାଜନୈତିକ ଦଳ ଗୁଡିକ କ୍ଷମତା ହାସଲ କରିବା ଲାଗି ନିର୍ବାଚନରେ ଅର୍ଥ ବଳ ଓ ବାହୁ ବଳର ପ୍ରୟୋଗ କରି ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି । ନିର୍ବାଚନରେ ପରସ୍ପର ପ୍ରତି ଆକ୍ଷେପ ଓ ପ୍ରତିଆକ୍ଷେପ କରାଯାଉଛି । ନୀତି ନୈତିକତାର ସୀମା ସରହଦକୁ ଅତିକ୍ରମ କରି ନିନ୍ଦା ଓ କୁତ୍ସାରଟନା କରାଯାଉଛି । ରାଜନୈତିକ ଦଳ ଗୁଡିକ ନୀତି ଆଦର୍ଶକୁ ଜଳାଞ୍ଜଳି ଦେଇ ଯେକୌଣସି ।କର୍ଯ୍ୟ କରିବାକୁ କୁଣ୍ଠାବୋଧ କରୁନାହାନ୍ତି । ଲୋକେ ଶୋଷଣର ଶିକାର ହେଉଛନ୍ତି । ଜନ ପ୍ରତିନିଧି ମାନେ ଜନ ସମସ୍ୟା ପ୍ରତି ଦୃଷ୍ଟି ଦେଉନାହାନ୍ତି । ଆଉ ଭୋଟର ମାନେ ବି ଦକ୍ଷ ଓ ଯୋଗ୍ୟ ଲୋକଙ୍କୁ ନିର୍ବାଚନରେ ଅଣଦେଖା କରୁଛନ୍ତି । ଯାହା ଫଳରେ ଧୀରେ ଧୀରେ ଭଲ ଲୋକମାନେ ରାଜନୀତି ପ୍ରତି ବୀତସ୍ଫୃହ ହୋଇ ପଡୁଥିବା ଦେଖାଯାଉଛି ।
ଗଣତନ୍ତ୍ର ଶାସନ ରାଜନୈତିକ ଦଳ ମାନଙ୍କ ଦ୍ୱାରା ଚାଲିଥାଏ । ତେଣୁ ଗଣତନ୍ତ୍ର ଶାସନକୁ ସଫଳ ଓ ଲୋକାଭିମୁଖୀ କରିବାକୁ ହେଲେ ରାଜନୈତିକ ଦଳ ଗୁଡିକୁ ନୀତି ଆଦର୍ଶ ସଂପନ୍ନ ହେବାକୁ ପଡିବ । ଗଣତନ୍ତ୍ରକୁ ବିପନ୍ନ ହେବାକୁ ନଦେଇ ଏହାର ଶ୍ରେଷ୍ଠତାକୁ ବଜାୟ ରଖିବାକୁ ପଡିବ । ଯୁବ ପିଢିଙ୍କୁ ରାଜନୀତି ପ୍ରତି ଆକୃଷ୍ଟ କରିବା ସହିତ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ସଂପନ୍ନ ବ୍ୟକ୍ତିଙ୍କୁ ନିର୍ବାଚନରେ ଭାଗ ନେବାର ସୁଯୋଗ ସୃଷ୍ଟି କରିବା ପ୍ରତି ରାଜନୈତିକ ଦଳ ଗୁଡିକ ପ୍ରୟାସ କରିବା ଉଚିତ । ସେହିପରି ରାଜନେତା ମାନେ ସେମାନଙ୍କ ଜୀବନଯାପନ ଶୈଳୀକୁ ବଦଳାଇବାକୁ ପଡିବ । ସରଳ ଓ ନିରାଡମ୍ବର ଜୀବନ ଯାପନକୁ ଅଭ୍ୟାସରେ ପରିଣତ କରିବାକୁ ପଡିବ ।
ସକଳ ସଂକୀର୍ଣ୍ଣତା ଓ ହୀନମନ୍ୟତା ତଥା ଦଳୀୟ ଚିନ୍ତାଧାରାରୁ ଉଦ୍ଧ୍ୱର୍ରେ ରହି ଜନ ହିତ ତଥା ରାଷ୍ଟ୍ର ହିତ ଲାଗି ଜନ ପ୍ରତିନିଧି ମାନଙ୍କୁ ଦୃଷ୍ଟି ଦେବାକୁ ପଡିବ । ଯେଉଁ ଆଶା ଓ ଭରସା ନେଇ ଲୋକେ ସେମାନଙ୍କୁ ନିର୍ବାଚିତ କରିଛନ୍ତି, ସେଥିପ୍ରତି ସେମାନଙ୍କୁ ପ୍ରତିବଦ୍ଧ ହେବାକୁ ପଡିବ । ନିର୍ବାଚନରେ ସ୍ୱଚ୍ଛତା ଓ ନିରପେକ୍ଷତାକୁ ବଜାୟ ରଖିବାକୁ ସମସ୍ତ ରାଜନୈତିକ ଦଳ ଗୁଡିକ ଉଦ୍ୟମ କରିବା ଜରୁରୀ । ସାଧାରଣ ଲୋକଙ୍କ ମଙ୍ଗଳ ଓ ଦେଶର ହିତ ଦୃଷ୍ଟିରୁ ଯାହା କରାଯିବା ଉଚିତ୍ ସେଭଳି କ୍ଷେତ୍ରରେ ସବୁ ରାଜନେତିିକ ଦଳର ନେତା ମାନେ ଏକ ମନ ଏକ ପ୍ରାଣ ହୋଇ କାର୍ଯ୍ୟ କରିବା ଉଚିତ୍ । ଶାସନରେ ରହୁଥିବା ଦଳକୁ ବିରୋଧୀ ଦଳର ବିରୋଧ ନୁହେଁ ବରଂ ସହଯୋଗ ଓ ସୁପରାମର୍ଶର ଆବଶ୍ୟକତା ରହିଛି । ଏହାକୁ ନିର୍ବାହ କରାଯିବା ଉଚିତ । ଅନ୍ୟପକ୍ଷେ ପ୍ରାସଙ୍ଗିକତା ନଥିବା ଅନେକ ପ୍ରସଙ୍ଗକୁ ନେଇ ବୃଥା ହୋ ହଲ୍ଲା କରାନଯାଇ ବରଂ ପ୍ରାସଙ୍ଗିକତା ଥିବା ବିଭିନ୍ନ ବିଷୟ ଉପରେ ଦଳ ମତ ନିର୍ବିଶେଷରେ ଆଲୋଚନା ଓ ପର୍ଯ୍ୟାଲୋଚନାର ଆବଶ୍ୟକତା ରହିଛି ।
ଯିଏ ଯେଉଁ ଦଳରେ ଥାଇ ରାଜନୀତି କରୁଥାଆନ୍ତୁ ନା କାହିଁକି ଅନ୍ୟ ଦଳ କିମ୍ବା ଦଳର ନେତାଙ୍କୁ ଅଯଥା ନିନ୍ଦା ଓ ବ୍ୟକ୍ତିଗତ ଆକ୍ଷେପ କରିବା ନକରି ଜନ ସେବା ପ୍ରତି ସମର୍ପିତ ମନୋଭାବ ନେଇ କାର୍ଯ୍ୟ କରାଯିବା ଉଚିତ । ରାଜନୀତି ଉଚ୍ଚ ଆଦର୍ଶ ଓ ମୂଲ୍ୟବୋଧ ଉପରେ ପର୍ଯ୍ୟବେଶିତ ନ ହୋଇ ସଂକୀର୍ଣ୍ଣତା ଆଡକୁ ମୁହାଁଇଲେ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି ହେବ ଓ ସାଧାରଣ ଲୋକଙ୍କ ୪ତି ହେବାର ଆଶଙ୍କ ମଧ୍ୟ ରହିଛି । ତେଣୁ ଆଜିର ରାଜନେତା ମାନେ କେବଳ କ୍ଷମତା ରାଜନୀତିର ଲାଳସା ନ ରଖି ଲୋକଙ୍କ ସହିତ ରହିବା ଉଚିତ୍ । ଲୋକ ସେବାକୁ ଜୀବନର ଏକମାତ୍ର ଲକ୍ଷ୍ୟ ବୋଲି ମନରେ ସଙ୍କଳ୍ପ କରିନେବା ଉଚିତ