ଧର୍ମଶାଳା : ଧର୍ମଶାଳା ବ୍ଲକର ବିଭିନ୍ନ ସ୍ଥାନରେ ଧନଦାତ୍ରୀ ମା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ବିଭିନ୍ନ ପୂଜା ମଣ୍ଡପରେ ମାଙ୍କର ମୃଣ୍ମୟୀ ମୂର୍ତି ସାଙ୍ଗକୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଚାଲିଛି । କମିଟିର କର୍ମକର୍ତାମାନେ ପୂର୍ବ ବର୍ଷ ଭଳି ପୂଜାକୁ ଆଡମ୍ବରପୂର୍ଣ୍ଣ କରିନାହାନ୍ତି । ତୋରଣ, ସାଜସଜ୍ଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ।
କେବଳ ମାଙ୍କର ଯଥାବିଧି ପୂଜାର୍ଚ୍ଚନା ଉପରେ କର୍ମକର୍ତାମାନେ ଗୁରୁତ୍ୱ ଦେଇଛନ୍ତି । ନିୟମାନୁଯାୟୀ ସାମାଜିକ ଦୂରତା ସହ ବ୍ରାହ୍ମଣ, ପଣ୍ଡିତ ଓ କର୍ତାଙ୍କ ଉପସ୍ଥିତିରେ ପୂଜା କାର୍ଯ୍ୟ ଚାଲିଛି । ଶ୍ରଦ୍ଧାଳୁମାନେ ପୂଜା ମଣ୍ଡପ ବାହାରେ ରହି ମାଙ୍କୁ ଦର୍ଶନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ବିଶେଷ କରି ବ୍ଲକର ଜାରକା, କୁମାରୀ, କାଏମା, ଉତରପ୍ରତାପ, ନାଉପାଳ, ନାକପୋଲ ଆଦି ବିଭିନ୍ନ ସ୍ଥାନରେ ମାଙ୍କୁ ଆବାହନ କରାଯାଉଛି । ବିଭିନ୍ନ ପୂଜା କମିଟିର କର୍ମକର୍ତା ପୂଜା କାର୍ଯ୍ୟକୁ ପରିଚାଳନା କରୁଛନ୍ତି ।