କେନ୍ଦ୍ରାପଡା (Rabindra Dash) : ଜିଲ୍ଲା ସ୍ୱଳ୍ପସଂଚୟ ବିଭାଗ ଆନୁକୁଲ୍ୟରେ ଶୁକ୍ରବାର ପୂର୍ବାହ୍ନରେ ବିଶ୍ୱ ମିତବ୍ୟୟିତା ଦିବସ ଅବସରରେ ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ନିତ୍ୟାନନ୍ଦ ସିଂଙ୍କ ସଂଯୋଜନାରେ ଏକ ସଚେତନତା ରଥକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଉପନିର୍ଦେଶକ ଚନ୍ଦ୍ରକାନ୍ତ ନାୟକ ପତାକା ଦେଖାଇ ରଥର ଶୁଭଉଦଘାଟନ କରିଥିଲେ । ଏହି ଦିବସ ପାଳନର ଉଦେଶ୍ୟ ଜନସାଧାରଣଙ୍କ ମନରେ ମିତବ୍ୟୟିତା ପ୍ରତି ସଚେତନତା ସୃଷ୍ଟି କରିବା ଓ ଆଗାମୀ ଭବିଷ୍ୟତ ନିମନ୍ତେ ସଂଚୟ ମନୋବୃତ୍ତିକୁ ଜାଗ୍ରତ କରିବା । ପ୍ରଥମେ ସଂଚୟ କରିବା ଓ ପରେ ବ୍ୟୟ କରିବା,ଜଳ ବିନ୍ଦୁ ଟିଏ ପରି ଯଦି ସଂଚିବା ଓ ଭବିଷ୍ୟତରେ ସାଗର ପରି ଧନ ପାଇବା ।
ଋଣ ଠାରୁ ଭଲ ସଂଚୟ ଅଭ୍ୟାସ । ସୁଧ ନିଏ ନାହିଁ ସୁଧ ଦେଇଥାଏ ସଂଚୟ । ବିପଦର ବନ୍ଧୁ ହୋଇଥାଏ । ତେଣୁ ଅପବ୍ୟୟ ରୋକି ମିତବ୍ୟୟି ହୋଇ ନିଜର ଭବିଷ୍ୟତ ଓ ଦେଶ ଗଢିବାରେ ଆହ୍ୱାନ ଏହି ଦିବସ ପାଳନର ଉଦେଶ୍ୟ ବୋଲି ଶ୍ରୀ ନାୟକ ମତବ୍ୟକ୍ତ କରିଥିଲେ । ବିଶେଷ ଭାବରେ ନିଜର ଅର୍ଥକୁ ସୁରକ୍ଷିତ ରଖିବା ପାଇଁ କେବଳ ସ୍ୱିକୃତିପ୍ରାପ୍ତ ଅଧିକୃତ ଓ ପଞ୍ଜିକୃତ ସଂସ୍ଥା, ବ୍ୟାଙ୍କ କିମ୍ବା ଡାକଘରେ ଅର୍ଥ ଜମା ରଖିବାକୁ ଆହ୍ୱାନ ଦିଆଯାଇଛି ।
ସ୍ୱଳ୍ପ ସଂଚୟ ଯୋଜନାରେ ଯେ କୈାଣସି ଡାକଘରେ କିମ୍ବା ବ୍ୟାଙ୍କରେ ସଂଚୟ କରି ଓଡିଶା ସ୍ୱଳ୍ପ ସଂଚୟ ପ୍ରୋସôାହନ ଯୋଜନା ଉଠାଣରେ ଅଂଶଗ୍ରହଣ କରି ଭାଗ୍ୟଶାଳି ବିଜେତା ହୋଇପାରିବେ । ଏହି କାର୍ଯ୍ୟକ୍ରମରେ ସ୍ୱଳ୍ପ ସଂଚୟ ବିଭାଗ ସହକାରୀ ରୀନା ନାଥ, ଦିବାକର ମହାନ୍ତିଙ୍କ ସମେତ ଏଜେଂଟ ଖୁଲଣାସୁନ୍ଦରୀ ଦାସ, ନିିରଞ୍ଜନ କର, ରେବତୀ ମହାରଣା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ସଚେତନତା ରଥ ସହରରେ ସ୍ୱଳ୍ପ ସଂଚୟ ଲିଫଲେଟ ବଂଟନ କରିବା ସହ ମାସ୍କ ବଂଟନ କରିଥିଲା ।