ବାଲେଶ୍ୱରେ ଦୀର୍ଘ ବର୍ଷ ଧରି ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେବା ପ୍ରସଙ୍ଗ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ପୂରା ହୁଗୁଳା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଚାରରେ ବାଉଳା : ବିଜେପି
ଦୀର୍ଘ ୨୦ ବର୍ଷ ଶାସନ ପରେ ଜିଲ୍ଲାରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ ନକରି ସ୍ୱାସ୍ଥ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ ଏବେ ପୁଣି ରଙ୍ଗୀନ ସ୍ୱପ୍ନ ଦେଖାଇବା ଦୁର୍ଭାଗ୍ୟଜନକ
ଶିଶୁ ଓ ମାତୃ ସ୍ୱାସ୍ଥ୍ୟ ପ୍ରତି ଅବହେଳା ପ୍ରଦର୍ଶନ କରି ରାଜ୍ୟସରକାର ବାଲେଶ୍ୱର ଜିଲ୍ଲାର ଭବିଷ୍ୟତକୁ ରୁଗ୍ଣ କରିଦେଇଛନ୍ତି
ମେଡିକାଲରେ ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫଙ୍କ ଅଭାବ ଯୋଗୁଁ ବାଲେଶ୍ୱରବାସୀଙ୍କୁ ସଠିକ୍ ଭାବେ ଚିକିତ୍ସା ମିଳିପାରୁନାହିଁ
ଜିଲ୍ଲାରେ ଥିବା ମେଡିକାଲରେ ରୋଗୀଟିଏ ଅନେକ ଅସୁବିଧାରେ ସମ୍ମୁଖୀନ ହେଉଥିବାରୁ ବାଧ୍ୟ ହୋଇ ଘରୋଇ ମେଡିକାଲକୁ ଯାଉଛି
ଗରିବ ଲୋକଙ୍କ ପାଖରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଥିଲେ ବି ସରକାରଙ୍କ ସହ ଅନୁବନ୍ଧିତ ଥିବା ଘରୋଇ ମେଡିକାଲ ସେ କାର୍ଡକୁ ଗ୍ରହଣ କରୁନାହିଁ କି ଚିକିତ୍ସା ସୁବିଧା ଯୋଗାଉନାହିଁ
ସ୍ୱାସ୍ଥ୍ୟ ବିଭାଗକୁ ୫-ଟିରେ ସାମିଲ କରାଯିବା ପରେ ବି ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଉପରେ କୌଣସି ପ୍ରଭାବ ପଡିନାହିଁ
ଜିଲ୍ଲା ମେଡିକାଲ ଗୁଡିକରେ ଆଧୁନିକ ଚିକିତ୍ସା ଆନୁସଙ୍ଗିକ ନଥିବା ଯୋଗୁଁ ଶହ ଶହ ଲୋକ କଟକ ବଡ ମେଡିକାଲକୁ ଯିବା ରାସ୍ତାରେ ପ୍ରାଣ ହରାଉଛନ୍ତି
ନ୍ୟାସନାଲ ଫାମିଲି ହେଲଥ ସର୍ଭେର ତଥ୍ୟ ଅନୁଯାୟୀ ବାଲେଶ୍ୱର ଜିଲ୍ଲାର ୩୩.୨ ପ୍ରତିଶତ ୫ ବର୍ଷରୁ କମ୍ ଶିଶୁଙ୍କର ବୟସ ତୁଳନାରେ ଉଚ୍ଚତାରେ ଅଭିବୃଦ୍ଧି ହୋଇନାହିଁ
ବାଲେଶ୍ୱର ଜିଲ୍ଲାରେ ଗର୍ଭବତୀ ମହିଳାମାନଙ୍କ ସାସ୍ଥ୍ୟସେବା ଆହୁରି ସଙ୍କଟପନ୍ନ
ଜନନୀ ସୁରକ୍ଷା ଯୋଜନାରେ ୩୪.୨ ପ୍ରତିଶତ ମହିଳା ପ୍ରସବ କାଳୀନ ଆର୍ଥୀକ ସହାୟତାରୁ ବଂଚିତ ରହିଛନ୍ତି ଏବଂ ମୌଳିକ ସୁବିଧା ସୁଯୋଗର ଅଭାବ ଯୋଗୁଁ ଜିଲ୍ଲାର ୪୨.୭ ପ୍ରତିଶତ ଗର୍ଭବତୀ ମହିଳା ଆଂଟି ନାଟାଲ୍ ସେଂଟରକୁ ଯାଇ ପାରନ୍ତି ନାହିଁ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜିଲ୍ଲାରେ ଏମ୍ସ ହସ୍ପିଟାଲର ଭିତିପ୍ରସ୍ତର ସ୍ଥାପନା କରି ଜିଲ୍ଲାବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର କାର୍ଯ୍ୟ କରିଛନ୍ତି
କେବଳ କୋଭିଡ୍-୧୯ ପରିଚାଳନା ପାଇଁ ଓଡ଼ିଶାକୁ ୧୦୨ କୋଟି କେନ୍ଦ୍ରସରକାର ଦେଇଛନ୍ତି
ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟସେବାକୁ ମୋଦି ସରକାର ସର୍ବଦା ପ୍ରାଧାନ୍ୟ ଦେଇ ଆସିଛନ୍ତି
ବାଲେଶ୍ୱର/ଭୁବନେଶ୍ୱର,ତା.୨୩/୧୦: ବାଲେଶ୍ୱର ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡିଛି । ମେଡିକାଲରେ ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫଙ୍କ ଅଭାବ ଯୋଗୁଁ ବାଲେଶ୍ୱରବାସୀଙ୍କୁ ସଠିକ୍ ଭାବେ ଚିକିତ୍ସା ମିଳିପାରୁନାହିଁ । ଜିଲ୍ଲାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅବସ୍ଥା ଆହୁରି ସଙ୍କଟାପନ୍ନ । ଡାକ୍ତର ଦିନେ ଆସିଲେ ଦୁଇ ଦିନ ବନ୍ଦ । ଜଣେ ଡାକ୍ତର ୩/୪ ଟି ସ୍ଥାନରେ ରୋଗୀ ଦେଖୁଛନ୍ତି । ମୁଖ୍ୟମନ୍ତ୍ରୀ ଗୋଟିଏ ପଟେ ଉନ୍ନତ ସ୍ୱାସ୍ଥ୍ୟସେବା ଓ ମାଗଣା ଔଷଧ ଯୋଗାଇବାର କଥା କହୁଥିବା ସମୟରେ ଜିଲ୍ଲାରେ ଥିବା ମେଡିକାଲ ଗୁଡିକରେ କେବଳ ସାଧାରଣ ରୋଗ ପାଇଁ ଥିବା କିଛି ଔଷଧକୁ ଛାଡିଦେଲେ ଅନ୍ୟ ରୋଗ ପାଇଁ ଘରୋଇ ମେଡିସିନ ଦୋକାନ ଉପରେ ଲୋକେ ନିର୍ଭର କରୁଛନ୍ତି । ଜିଲ୍ଲାରେ ସ୍ୱାସ୍ଥ୍ୟସେବା ପୂରା ହୁଗୁଳା ଥିବାବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ତାକୁ ସୁଦୃଢ ନକରି ନିର୍ବାଚନ ପ୍ରଚାରରେ ବାଉଳା ଅଛନ୍ତି ବୋଲି ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା ଅଭିଯୋଗ କରିଛନ୍ତି ।
ଶ୍ରୀ ପଣ୍ଡା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ସରକାରୀ ମେଡିକାଲରେ ସମସ୍ତ ପ୍ରକାରର ସୁବିଧା ରୋଗୀଟିଏ ପାଇବା କଥା । କିନ୍ତୁ ଜିଲ୍ଲାରେ ଥିବା ମେଡିକାଲରେ ରୋଗୀଟିଏ ଅନେକ ଅସୁବିଧାରେ ସମ୍ମୁଖୀନ ହେଉଥିବାରୁ ବାଧ୍ୟ ହୋଇ ଘରୋଇ ମେଡିକାଲକୁ ଯାଉଛି । ଗରିବ ଲୋକଙ୍କ ପାଖରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଥିଲେ ବି ସରକାରଙ୍କ ସହ ଅନୁବନ୍ଧିତ ଥିବା ଘରୋଇ ମେଡିକାଲ ସେ କାର୍ଡକୁ ଗ୍ରହଣ କରୁନାହିଁ କି ଚିକିତ୍ସା ସୁବିଧା ଯୋଗାଉନାହିଁ । ଏଥିପାଇଁ ଗରିବ ନିଃସହାୟ ଲୋକଟି ନିଜ ଜମି ବାଡି ବିକି ସ୍ୱାସ୍ଥ୍ୟର ଚିକିତ୍ସା ପାଇଁ ପଡୋଶୀ କୋଲକାତା ନହେଲେ ଭୁବନେଶ୍ୱରରେ ଥିବା ଘରୋଇ ମେଡିକାଲକୁ ଯାଉଛି ।
ସ୍ୱାସ୍ଥ୍ୟ ବିଭାଗକୁ ୫-ଟିରେ ସାମିଲ କରାଯିବା ପରେ ବି ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଉପରେ କୌଣସି ପ୍ରଭାବ ପଡିନାହିଁ । ଖାଲି ଥିବା ମେଡିକାଲରେ ଏପର୍ଯ୍ୟନ୍ତ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇନାହିଁ । ଜିଲ୍ଲା ମେଡିକାଲ ଗୁଡିକରେ ଆଧୁନିକ ଚିକିତ୍ସା ଆନୁସଙ୍ଗିକ ନଥିବା ଯୋଗୁଁ ଶହ ଶହ ଲୋକ କଟକ ବଡ ମେଡିକାଲକୁ ଯିବା ରାସ୍ତାରେ ପ୍ରାଣ ହରାଉଛନ୍ତି । ଦୀର୍ଘ ୨୦ ବର୍ଷ ଶାସନ ପରେ ଜିଲ୍ଲାରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ ନକରି ସ୍ୱାସ୍ଥ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ ଏବେ ପୁଣି ରଙ୍ଗୀନ ସ୍ୱପ୍ନ ଦେଖାଇବା ଦୁର୍ଭାଗ୍ୟଜନକ । ଅନ୍ୟପଟେ ନ୍ୟାସନାଲ ଫାମିଲି ହେଲଥ ସର୍ଭେର ତଥ୍ୟ ଅନୁଯାୟୀ ବାଲେଶ୍ୱରବାସୀ ନିଜ ସ୍ୱାସ୍ଥ୍ୟକୁ ନେଇ ଅନେକ ଚିନ୍ତାରେ ରହୁଛନ୍ତି ।
ନ୍ୟାସନାଲ ଫାମିଲି ହେଲଥ ସର୍ଭେର ତଥ୍ୟ ଅନୁଯାୟୀ ବାଲେଶ୍ୱର ଜିଲ୍ଲାର ୩୩.୨ ପ୍ରତିଶତ ୫ ବର୍ଷରୁ କମ୍ ଶିଶୁଙ୍କର ବୟସ ତୁଳନାରେ ଉଚ୍ଚତାରେ ଅଭିବୃଦ୍ଧି ହୋଇନାହିଁ । ଜିଲ୍ଲାର ୧୮ ପ୍ରତିଶତ ୫ ବର୍ଷରୁ କମ୍ ଶିଶୁଙ୍କର ଉଚ୍ଚତା ଅନୁଯାୟୀ ଓଜନର ଅଭିବୃଦ୍ଧି ହେଉନି ଏବଂ ୩୩.୭ ପ୍ରତିଶତ ୫ ବର୍ଷରୁ କମ୍ ଶିଶୁଙ୍କର ବୟସ ଅନୁଯାୟୀ ଓଜନର ଅଭିବୃଦ୍ଧି ହୋଇନାହିଁ । ବାଲେଶ୍ୱର ଜିଲ୍ଲାର ୬ ରୁ ୫୯ ମାସ ବୟସ୍କ ଶିଶୁଙ୍କ ମଧ୍ୟରେ ୨୮.୬ ପ୍ରତିଶତ ଶିଶୁ ରକ୍ତହୀନତାରେ ଶିକାର ହେଉଛନ୍ତି । ସର୍ଭେ ଅନୁଯାୟୀ ଜିଲ୍ଲାର ୧୨ ରୁ ୨୩ ମାସ ବୟସ୍କ ଶିଶୁଙ୍କ ମଧ୍ୟରେ ୨୧ ପ୍ରତିଶତ ଶିଶୁଙ୍କୁ ସର୍ବନିମ୍ନ ଟିକାପ୍ରଦାନ କରାଯାଏନାହିଁ ।
ବାଲେଶ୍ୱର ଜିଲ୍ଲାରେ ମହିଳା ବିଶେଷକରି ଗର୍ଭବତୀ ମହିଳାମାନଙ୍କ ସାସ୍ଥ୍ୟସେବା ଆହୁରି ସଙ୍ଗୀନ । ଜିଲ୍ଲାର ୧୫ ରୁ ୪୯ ବୟସ୍କା ମହିଳାଙ୍କ ଭିତରୁ ୪୧.୧ ପ୍ରତିଶତ ରକ୍ତହୀନତାରେ ଶିକାର ହୁଅନ୍ତି । ଜନନୀ ସୁରକ୍ଷା ଯୋଜନାରେ ୩୪.୨ ପ୍ରତିଶତ ମହିଳା ପ୍ରସବ କାଳୀନ ଆର୍ଥୀକ ସହାୟତାରୁ ବଂଚିତ ରହିଛନ୍ତି ଏବଂ ମୌଳିକ ସୁବିଧା ସୁଯୋଗର ଅଭାବ ଯୋଗୁଁ ଜିଲ୍ଲାର ୪୨.୭ ପ୍ରତିଶତ ଗର୍ଭବତୀ ମହିଳା ଆଂଟି ନାଟାଲ୍ ସେଂଟରକୁ ଯାଇ ପାରନ୍ତି ନାହିଁ । ସାରା ରାଜ୍ୟରେ ୮୯.୫ ପ୍ରତିଶତ ଗର୍ଭବତୀ ମହିଳାଙ୍କୁ ଦୁଇ ବା ତତୋଧିକ ଟିଟି ଇଂଜେକସନ ପାଉଥିବାବେଳେ ବାଲେଶ୍ୱର ଜିଲ୍ଲାରେ ମାତ୍ର ୮୩.୮ ପ୍ରତିଶତରେ ଏହା ସୀମିତ ରହିଛି । ରାଜ୍ୟର ୭୮.୬ ପ୍ରତିଶତ ପ୍ରସୂତି ଶିଶୁ ଜନ୍ମର ଦୁଇ ଦିନ ମଧ୍ୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାର ସୁଯୋଗ ପାଉଥିବାବେଳେ ଜିଲ୍ଲାରେ ୭୪.୭ ପ୍ରତିଶତ ପ୍ରସୂତିଙ୍କୁ ଏହି ସୁବିଧା ମିଳେ । ବାଲେଶ୍ୱରବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କର ଏଭଳି ଉଦାସୀନତା ମନୋଭାବ କାହିଁକି ବୋଲ ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜିଲ୍ଲାରେ ଏମ୍ସ ହସ୍ପିଟାଲର ଭିତିପ୍ରସ୍ତର ସ୍ଥାପନା କରି ଜିଲ୍ଲାବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର କାର୍ଯ୍ୟ କରିଛନ୍ତି । ମାଗଣାରେ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ କେନ୍ଦ୍ରସରକାର ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଛନ୍ତି । କିନ୍ତୁ ଏହାକୁ ଓଡିଶାରେ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଅନୁରୋଧ କରିବା ପରେ ବି ମୁଖ୍ୟମନ୍ତ୍ରୀ ନିଜ ଜିଦ୍ ରେ ଅଟଳ ରହି ଏଭଳି ଏକ ଜନକଲ୍ୟାଣକାରୀ ଯୋଜନାକୁ ଲାଗୁ କରୁନାହାଁନ୍ତି । କେବଳ ମୋଦି ସରକାର କାଳେ ନାଁ ନେଇଯିବେ ସେହି ଭୟରେ ରାଜନୈତିକ ଅଭିସନ୍ଧି ରଖି ଏହି ଯୋଜନାକୁ ଲାଗୁ କରାଯାଇନାହିଁ । ଆୟୁଷ୍ମାନ ଭାରତ ଯୋଜନା ଲାଗୁ କଲେ ରାଜ୍ୟସରକାରଙ୍କ ତରଫରୁ ଟଙ୍କାଟିଏ ଖର୍ଚ୍ଚ ହେବ ନାହିଁ ବୋଲି ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ଲିଖିତ ଉତର ଦେଇଛନ୍ତି । ତେବେ ଏହି ଯୋଜନା ଲାଗୁ କରିବାରେ ଅସୁବିଧା କେଉଁଠି ରହୁଛି ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି ।
କୋରନା ସମୟରେ କେନ୍ଦ୍ର ସରକାର ରାଜ୍ୟକୁ କୋଟି କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । କେବଳ କୋଭିଡ୍-୧୯ ପରିଚାଳନା ପାଇଁ ଓଡ଼ିଶାକୁ ୧୦୨ କୋଟି କେନ୍ଦ୍ରସରକାର ଦେଇଛନ୍ତି । ୮.୫୦ ଲକ୍ଷ ଏନ୍ ୯୫ ମାସ୍କ୍, ୨.୫୩ ଲକ୍ଷ ପିପିଇ କିଟ୍, ୧୩.୫ ଲକ୍ଷ ଏଚସିକ୍ୟୁ ଡୋଜ୍ ଏବଂ ୫୬୭ଭେଂଟିଲେଟର ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି ।
କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ ଯଥା ନାଲକୋ, ଏମସିଏଲ, ଏନଟିପିସି, ଆଇଓସିଏଲ ପକ୍ଷରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି । ଏଥିରୁ ସ୍ପଷ୍ଟ ଯେ, ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟସେବାକୁ ମୋଦି ସରକାର ସର୍ବଦା ପ୍ରାଧାନ୍ୟ ଦେଇ ଆସିଛନ୍ତି । ଅନ୍ୟପକ୍ଷରେ ଶିଶୁ ଓ ମାତୃ ସ୍ୱାସ୍ଥ୍ୟ ପ୍ରତି ଅବହେଳା ପ୍ରଦର୍ଶନ କରି ରାଜ୍ୟସରକାର ବାଲେଶ୍ୱର ଜିଲ୍ଲାର ଭବିଷ୍ୟତକୁ ରୁଗ୍ଣ କରିଦେଇଛନ୍ତି ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି ।
ଆଗାମୀ ଉପନିର୍ବାଚନରେ ସଦରବାସୀ ବିଗିଡି ଥିବା ସ୍ୱାସ୍ଥ୍ୟସେବା ବିରୁଦ୍ଧରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବା ସହ ଜିଲ୍ଲାରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ ଏବଂ ଉନ୍ନତ କରିବା ଓ ସାଧାରଣ ଲୋକଙ୍କ ଘର ପାଖରେ ସମସ୍ତ ପ୍ରକାରର ସ୍ୱାସ୍ଥ୍ୟସେବା ଯୋଗାଇଦେବାର କଳ୍ପନା କରିଥିବା ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ବିଜେପି ପ୍ରାର୍ଥୀ ମାନସ ଦତଙ୍କୁ ଆଶୀର୍ବାଦ କରି ଜିଲ୍ଲାର ବିକାଶରେ ଜଣେ ଜଣେ ଅଂଶୀଦାର ହେବାକୁ ଶ୍ରୀ ପଣ୍ଡା ନିବେଦନ କରିଛନ୍ତି ।
