ଆସନ୍ତୁ ଜାଣିବା ବିହାର ରେ ପ୍ରଥମ ପର୍ଯ୍ୟାୟରେ ପ୍ରତିଦ୍ବନ୍ଦ୍ବିତା କରୁଥିବା କେଉଁ ଦଳର କଉ ସବୁ ପ୍ରାର୍ଥୀଙ୍କ ବିରୋଧରେ କଣ ସବୁ ଅପରାଧିକ ମାମଲା ରହିଛି
ବିହାର ବିଧାନସଭା ନିର୍ବାଚନ ୨୦୨୦ ରେ ରାଜନୈତିକ ଦଳଗୁଡ଼ିକ ଉପରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ କୌଣସି ଫରକ ପକାଇନାହିଁ । ସୁପ୍ରିମକୋର୍ଟ ୨୦୨୦ ଫେବ୍ରୁଆରୀ ୧୩ ତାରିଖରେ ଅପରାଧିକ ଛବି ଥିବା ବ୍ୟକ୍ତିମାନଙ୍କୁ ଦଳୀୟ ଟିକେଟ ନ ଦେବା ନିମନ୍ତେ ବିଭିନ୍ନ ରାଜନୈତିକ ଦଳକୁ ନିର୍ଦେଶ ଦେଇଥିଲେ । ମାତ୍ର ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶ ବିହାର ନିର୍ବାଚନରେ କିଛି ପ୍ରଭାବ ପକାଇ ନାହିଁ । ନିର୍ବାଚନ ସଂସ୍କାର ପାଇଁ କାର୍ଯ୍ୟ କରୁଥିବା ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ (ଏଡିଆର) ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ମୋଟ ୧୦୬୪ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୨୮ ଅର୍ଥାତ୍ ୩୧% ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ସେଥିମଧ୍ୟରୁ ୨୪୪ ଅର୍ଥାତ୍ ୨୩ % ପ୍ରାର୍ଥୀଙ୍କ ବିରୋଧରେ ରହିଛି ଗୁରୁତର ଅଭିଯୋଗ ।
ରାଷ୍ଟ୍ରୀୟ ଜନତା ଦଳ (ଆରଜେଡ଼ି): ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଆରଜେଡ଼ିର ୪୧ ପ୍ରାର୍ଥୀଙ୍କ ମଧ୍ୟରୁ ୩୦ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି, ଅର୍ଥାତ୍ ମୋଟ ପ୍ରାର୍ଥୀଙ୍କ୭୩%ଙ୍କ ବିରୋଧରେ ବିଭିନ୍ନ ଅପରାଧ ଅଭିଯୋଗ ଥିବା ବେଳେ ୨୨ ଜଣଙ୍କ ବିରୋଧରେ ଗୁରୁତର ଅପରାଧ ଘଟାଇଥିବା ଅଭିଯୋଗ ରହିଛି ।
ଭାରତୀୟ ଜନତା ପାର୍ଟି(ବିଜେପି): ଏହି ପ୍ରସଙ୍ଗରେ ବିଜେପି ମଧ୍ୟ ଆରଜେଡ଼ିଠାରୁ ପଛରେ ନାହିଁ । ପ୍ରଥମ ପର୍ଯ୍ୟାୟରେ ୨୯ ପ୍ରାର୍ଥୀଙ୍କ ମଧ୍ୟରୁ ୭୨% ଅର୍ଥାତ୍ ୨୧ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ଏମାନଙ୍କ ମଧ୍ୟରୁ ୧୩ ଜଣ ବିଭିନ୍ନ ଗୁରୁତର ଅପରାଧ ସହ ଜଡ଼ିତ ଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ।
ଲୋକ ଜନଶକ୍ତି ପାର୍ଟି (ଏଲଜେପି): ଏଲଜେପିର ୪୧ ପ୍ରାର୍ଥୀଙ୍କ ମଧ୍ୟରୁ ୫୯% ଅର୍ଥାତ୍ ୨୪ ଜଣଙ୍କ ବିରୋଧରେ ଅପରାଧିକ ମାମଲା ଥିବାବେଳେ ୨୦ ଜଣ ଗୁରୁତର ଅପରାଧ ସହ ଜଡ଼ିତ ଥିବା ଅଭିଯୋଗ ହୋଇଛି ।
କଂଗ୍ରେସ: ପ୍ରଥମ ପର୍ଯ୍ୟାୟରେ କଂଗ୍ରେସର ୨୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି, ଅର୍ଥାତ୍ କଂଗ୍ରେସର ୫୭% ପ୍ରାର୍ଥୀ ବିଭିନ୍ନ ଅପରାଧ ସହ ଜଡ଼ିତ ଥିବା ସତ୍ୟପାଠରେ ଦର୍ଶାଇଛନ୍ତି । ସେହିପରି ଗୁରୁତର ଅପରାଧରେ ଜଡ଼ିତ ୯ ଜଣଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି ।
ଜନତା ଦଳ ୟୁନାଇଟେଡ଼ (ଜେଡ଼ିୟୁ): ପ୍ରଥମ ପର୍ଯ୍ୟାୟରେ ଜେଡ଼ିୟୁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ଏହି ୧୫ ଜଣଙ୍କ ମଧ୍ୟରୁ ୧୦ ଜଣଙ୍କ ବିରୋଧରେ ରହିଛି ଗୁରୁତର ଅଭିଯୋଗ । ଅର୍ଥାତ ଦଳର ୪୩% ପ୍ରାର୍ଥୀ ବିଭିନ୍ନ ଅପରାଧ ସହ ଜଡ଼ିତ ।
ବହୁଜନ ସମାଜ ପାର୍ଟି (ବିଏସପି): ପ୍ରଥମ ପର୍ଯ୍ୟାୟରେ ବିଏସପି ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୩୧% ଅର୍ଥାତ୍ ୨୬ ଜଣଙ୍କ ବିରୋଧରେ ଅପରାଧିକ ମାମଲା ଥିବାବେଳେ ୫ ଜଣଙ୍କ ବିରୋଧରେ ଗୁରୁତର ମାମଲା ଥିବା ଜଣାପଡ଼ିଛି ।
ମହିଳା ହିଂସା ମାମଲା : ବିହାର ବିଧାନସଭା ନିର୍ବାଚନରେ ସମସ୍ତ ଦଳର ୨୯ ଜଣ ପ୍ରାର୍ଥୀ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ସହ ଜଡିତ ମାମଲା ରହିଛି । ଏମାନଙ୍କ ମଧ୍ୟରୁ ୩ ଜଣଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ରହିଥିବା ସୂଚନା ମିଳିଛି ।
ହତ୍ୟା ମାମଲା : ସତ୍ୟପାଠରେ ୨୧ ଜଣ ପ୍ରାର୍ଥୀ ସେମାନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ୩୦୨ ଧାରା ଅର୍ଥାତ ହତ୍ୟା ମାମଲା ରହିଥିବା ସ୍ବୀକାର କରିଛନ୍ତି । ସେହିପରି ୬୨ ଜଣ ପ୍ରାର୍ଥୀଙ୍କ ବିରୋଧରେ ୩୦୭ (ହତ୍ୟା ଉଦ୍ୟମ) ଅଭିଯୋଗ ଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ।