Odisha news

ଯା ଦେବୀ ସର୍ବଭୂତେଷୁ ଶକ୍ତିରୂପେଣ ସଂସ୍ଥିତା

0

ଡ଼ ପ୍ରତିଭା ମହାରଥୀ : ଭାରତୀୟ ସଂସ୍କୃତିରେ ମାତୃଶକ୍ତି ଉପାସନା କେଉଁ ଅନନ୍ତ କାଳରୁ ଚଳିଆସୁଛି । ଜଗଦ୍ଜନନୀ ମା ଦୁର୍ଗା ହେଉଛନ୍ତି ମହାମାୟୀ, ମହାଶକ୍ତି । ସେ ସୃଷ୍ଟିର ଆଦ୍ୟାଶକ୍ତି । ସେ ଅନନ୍ତ, ଅନାଦି । ସେ ମହାଲକ୍ଷ୍ମୀ, ମହାକାଳୀ, ମହାସରସ୍ୱତୀ । ଯୋଗମାୟା, ଗୌରୀ, ଆଦିଶକ୍ତି । ସେହି ଭୁବନେଶ୍ୱରୀ ଭୁବନମୋହିନୀଙ୍କର ମହିମା ଅପାର । ମାତା ଜୀବର ଜନ୍ମଦାତ୍ରୀ, ଶ୍ରେଷ୍ଠ ଆଶ୍ରୟଦାତ୍ରୀ । ସୃଷ୍ଟିର ସୁରକ୍ଷାକର୍ତ୍ତ୍ରୀ । ଆମ ସଂସ୍କୃତି ମାତୃକୈନ୍ଦ୍ରିକ ସଂସ୍କୃତି ଅଟେ । ଏହି କାରଣରୁ ଆମ ଦେଶ ଭାରତବର୍ଷକୁ ଭାରତମାତା ନାମରେ ନାମିତ କରାଯାଏ । ମାତୃଜାତି ସର୍ବଦା ପୂଜନୀୟା, ସ୍ମରଣୀୟା ଓ ବନ୍ଦନୀୟା ଅଟେ । ସକଳ ଜଗତରେ ମାତୃରୂପେ ପୂଜିତା ଦେବୀ ଦୁର୍ଗା ବିଶ୍ୱଜନନୀ ଓ ବିଶ୍ୱେଶ୍ୱରୀ । “ବ୍ରାହ୍ମଣୀ’ ରୂପେ ସେ ସୃଷ୍ଟି କରିଥାଆନ୍ତି । “ବୈଷ୍ଣବୀ’ ଶକ୍ତି ରୂପେ ଜଗତକୁ ପାଳନା କରିଥାଆନ୍ତି । “ଶିବାନୀ’ ରୂପେ ସେ ଜଗତର ଲୟ (ବିନାଶ) ଘଟାଇଥାଆନ୍ତି । ମା’ତ ସର୍ବତ୍ର ବିରାଜମାନ । ତାଙ୍କର ରୂପ ନାହିଁ ସେ ଅରୂପା । ସେ ପୁଣି ଅପର୍ଣ୍ଣା, ଯୋଗମାୟା ଓ ଚିନ୍ମୟୀ, ଶାକମ୍ବରୀ ।

ସେ ଶାରଦା, ବରଦା, ମୋକ୍ଷଦା, ଶୁଭଦା ଅଟନ୍ତି । ତାଙ୍କର ବିନା ଇଙ୍ଗିତରେ ପତ୍ରଟିଏ ମଧ୍ୟ ହଲେନାହିଁ । ତେଣୁ ଋକ୍ବେଦରେ ଦେବୀସୂକ୍ତରେ ଲେଖାଅଛି ଯେ, ସେ ଆମର ସମସ୍ତ ଶକ୍ତି, ବିଦ୍ୟା ଓ ବୁଦ୍ଧିର ମୂଳ ଉତ୍ସ । ସେଥିପାଇଁ ଚଣ୍ଡୀରେ ଏପରି କୁହାଯାଇଛି – ଯା ଦେବୀ ସର୍ବଭୂତେଷୁ ଶକ୍ତିରୂପେଣ ସଂସ୍ଥିତା । ନମଃସ୍ତେସୈ୍ୟ ନମଃସ୍ତସୈ୍ୟ ନମଃସ୍ତସୈ୍ୟ ନମୋଃନମଃ । କେବଳ ସେତିକି ନୁହେଁ ତାଙ୍କୁ ମାତୃ, ଚେତନା, ନିଦ୍ରା, କ୍ଷୁଧା, ଭ୍ରାନ୍ତି, ଛାୟା, ଶକ୍ତି, ତୃଷ୍ଣା, ଲଜ୍ଜା, ଶାନ୍ତି, ଶ୍ରଦ୍ଧା, କାନ୍ତି, ଲକ୍ଷ୍ମୀ, ବୃତ୍ତି, ଶ୍ରୁତି, ଦୟା, କ୍ଷମା, ତୁଷ୍ଟି, ପୁଷ୍ଟି, ଅଖିଳ ସର୍ବଭୂତ ଆତ୍ମାର ଅଧିକାରିଣୀ ଭାବରେ ବର୍ଣ୍ଣନା କରାଯାଇଛି । କିନ୍ତୁ ଯିଏ ଯେଉଁ ରୂପରେ ଯେତେବେଳେ ଯେଉଁଠି ଭକ୍ତି ଭାବରେ ଡାକିିଛି ମା ତା’ ଡାକ ଶୁଣିଛନ୍ତି । ଏଣୁ ଆଦ୍ୟାଶକ୍ତି ମା ଦୁର୍ଗାଙ୍କର ଉପାସନା ବହୁ ପ୍ରାଚୀନ କାଳରୁ କରାହୋଇ ଆସୁଅଛି । ଏହା ଭାରତର ଏକ ଜାତୀୟ ପର୍ବ । ଏହା ଏକ ଗଣପର୍ବ, ଜନଜାଗରଣର ପର୍ବ ।

ତେବେ ଯେତେବେଳେ ଧରାପୃଷ୍ଠରେ ଅଧର୍ମ, ଅନ୍ୟାୟ, ଅତ୍ୟାଚାର ଅତି ମାତ୍ରାରେ ବଢ଼ି ବଢ଼ିଯାଏ, ମା’ଙ୍କୁ ଆବାହନ କରାଯାଇଥାଏ । କଳିଯୁଗରେ ଦୁର୍ଗାପୂଜାକୁ ଅଶ୍ୱମେଧ ଯଜ୍ଞର ବିକଳ୍ପ ରୂପେ ଗ୍ରହଣ କରାଯାଏ । ଏହାକୁ ସାଧାରଣରେ “ଦଶହରା’ ବା “ନବରାତ୍ର ପୂଜା’ ବୋଲି ମଧ୍ୟ କୁହାଯାଇଥାଏ । ସାଧାରଣତଃ ଚୈତ୍ର ଶୁକ୍ଳପକ୍ଷ ପ୍ରତିପଦାଠାରୁ ନବମୀ ପର୍ଯ୍ୟନ୍ତ ବାସନ୍ତିକ ନବରାତ୍ର ପାଳନ କରାଯାଏ । ସେହିପରି ଆଶ୍ୱିନ ଶୁକ୍ଳପକ୍ଷ ପ୍ରତିପଦାଠାରୁ ନବମୀ ପର୍ଯ୍ୟନ୍ତ ଶାରଦୀୟ ନବରାତ୍ରୀ ପାଳନ କରାଯାଏ ।

ଶରତର ଶୁଭ୍ର ଆକାଶ, ତଡ଼ାଗରେ କଇଁ, କମଳିନୀଙ୍କର ନୃତ୍ୟ, ଗଙ୍ଗଶିଉଳିର ମିଠା ମିଠା ମହକ ଓ କାଶତଣ୍ଡୀ ଫୁଲର ନିର୍ମଳ ହସକୁ ସାଙ୍ଗରେ ଧରି ସତେ ଅବା ବିରାଜିତ ଜଗଜ୍ଜନନୀ ମା’ ଦୁର୍ଗା । ଆବାହନୀ ମନ୍ତ୍ରର ଗୁଞ୍ଜନରେ ପୂଜାର ପରିବେଶ ପାଲଟିଯାଏ ପବିତ୍ର । ମନରେ ଜାଗି ଉଠେ, ଅସୁମାରୀ ଆଶା ଓ ପୁଲକ । ଆତ୍ମପ୍ରତ୍ୟୟ ଦୃଢ଼ ହୁଏ । ମା ଜଗଜ୍ଜନନୀ ଢାଳିଦିଅନ୍ତି ସହସ୍ରଧାରାରେ ଆଶିଷର ଅମୃତଧାରା ।
ଦଶହରା ପର୍ବର ଅନ୍ତରାଳରେ ଥିବା ଘଟଣାସମୂହ :

ଶ୍ରୀଚଣ୍ଡୀରୁ ଜଣାଯାଏ ହିରଣ୍ୟାକ୍ଷର ବଂଶରେ “ଗୁରୁ’ ନାମକ ଜନୈକ ରାଜାଙ୍କର ଅତ୍ୟାଚାରୀ ପୁତ୍ର “ଦୁର୍ଗମ’ ନାମକ ଏକ ଅସୁରକୁ ବଧ କରିଥିବାରୁ ଦେବୀଙ୍କୁ ଦୁର୍ଗା ରୂପେ ସମ୍ବୋଧନ କରାଯାଏ ।

ମହିଷାସୁର ଦ୍ୱାରା ରାଷ୍ଟ୍ରୀୟ ଅଧିକାରରୁ ଭ୍ରଷ୍ଟ ଦେବତାମାନଙ୍କର ଦୁର୍ଦ୍ଦଶା ବିଷୟରେ “ଦେବୀ ମହାତ୍ମ୍ୟ’ରେ ବର୍ଣ୍ଣନା କରାଯାଇଛି । ପରାଜୟ ପରେ ବିଷ୍ଣୁ, ଶିବ, ବ୍ରହ୍ମା, ଇନ୍ଦ୍ର ଆଦି ଦେବଗଣଙ୍କର ସମ୍ମିଳିତ କ୍ରୋଧରୁ ଏକ ତେଜୀୟାନ୍ ଶକ୍ତି ‘ଦୁର୍ଗା’ ରୂପେ ଆବିର୍ଭୁତା ହୋଇଥିଲେ । ସେହି ଦେବୀ ଦୁର୍ଗାଙ୍କୁ ସମସ୍ତ ଦେବଗଣ ନିଜ ନିଜର ଆୟୁଧ ପ୍ରଦାନ କରିଥିଲେ । ଏଣୁ ଦେବୀ ଦୁର୍ଗା ମହିଷାସୁର ସହିତ ଘୋର ସଂଗ୍ରାମ କରି ତାକୁ ବଧ କରିଥିଲେ । ଦେବଗଣ ସ୍ୱର୍ଗ ରାଜ୍ୟ ଫେରି ପାଇଥିଲେ ।
ରାମାୟଣରୁ ଜଣାଯାଏ ରାବଣକୁ ପରାସ୍ତ କରିବା ସକାଶେ ସ୍ୱୟଂ ଶ୍ରୀରାମଚନ୍ଦ୍ର ମା’ ଦୁର୍ଗାଙ୍କର ପୂଜା କରିଥିଲେ । ତାହାକୁ ଅକାଳବୋଧନ ପୂଜା କୁହାଯାଏ ।

ପର୍ଶୁରାମ ମଧ୍ୟ ଯେତେବେଳେ ବାରମ୍ବାର ଯୁଦ୍ଧ କରି କୀର୍ତ୍ତିବୀର୍ଯ୍ୟଙ୍କ ଠାରୁ ପରାସ୍ତ ହୋଇଯାଇଥିଲେ, ସେତେବେଳେ ସେ ଦୁର୍ଗାପୂଜା କରି ବିଜୟୀ ହୋଇଥିଲେ । ଶ୍ରୀକୃଷ୍ଣଙ୍କ ପରାମର୍ଶରେ ପାଣ୍ଡବମାନେ ମାତା ଗାନ୍ଧାରୀଙ୍କ ଆଶୀର୍ବାଦ ଲାଭ କରି ଏବଂ ମାତା ଦୁର୍ଗାଙ୍କୁ ପୂଜା କରିବା ପରେ ଦୁଷ୍ଟ କୌରବ ଶକ୍ତି ଉପରେ ବିଜୟ ଲାଭ କରିଥିଲେ । ଏପରିକି “ବିରାଟ ପର୍ବ’ରେ ଯୁଧିଷ୍ଠିର ମଧ୍ୟ ଦେବୀଙ୍କୁ ମହିଷାସୁରମର୍ଦ୍ଦିନୀ ଓ ବିନ୍ଧ୍ୟବାସିନୀ ରୂପେ ଆବାହନ କରିଛନ୍ତି ।

ଅନ୍ୟ ଏକ ଉପାଖ୍ୟାନ ଅନୁଯାୟୀ ପୂର୍ବ କାଳରେ ଚନ୍ଦ୍ରବଂଶରେ “ସୁରଥ’ ନାମକ ଜଣେ ରାଜା ଥିଲେ । ତାଙ୍କ ରାଜ୍ୟକୁ ଶତ୍ରୁ କବଳରୁ ସେ ରକ୍ଷା କରିପାରି ନଥିଲେ । ସେ ଜଙ୍ଗଲରେ ଆତ୍ମସମର୍ପଣ କଲେ ଏବଂ ସେଠି ସେ ଜ୍ଞାତି କୁଟୁମ୍ବ ଦ୍ୱାରା ବିତାଡ଼ିତ “ସମାଧି’ ନାମକ ବୈଶ୍ୟକୁ ଭେଟିଲେ । “ମେଧା’ ଋଷିଙ୍କ ପରାମର୍ଶରେ ଉଭୟେ ଏକ ନଦୀ କୂଳରେ ମା’ ଚଣ୍ଡୀଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରି କରି ପୂଜାକଲେ । ସେମାନଙ୍କ ତପସ୍ୟାରେ ଦେବୀ ପ୍ରସନ୍ନ ହେଲେ । “ସୁରଥ’ ରାଜା, ମା’ଙ୍କ ଆଶୀର୍ବାଦରୁ ନିଜର ରାଜ୍ୟ ଫେରିପାଇଲେ ଓ “ସମାଧି ବୈଶ୍ୟ’ଙ୍କର ମଧ୍ୟ ମାନସିକ ଇଚ୍ଛାକୁ ମା’ ପୂରଣ କରିଥିଲେ । ସେହିଦିନ ଠାରୁ ମାତୃପୂଜାର ପରମ୍ପରା ଗଡ଼ିଆସିଛି ।

ଦୁର୍ଗା ଶବ୍ଦର ତାତ୍ତ୍ୱିକ ଅର୍ଥ :
ତାତ୍ତ୍ୱିକ ଦୃଷ୍ଟିକୋଣରୁ ଦୁର୍ଗା ଶବ୍ଦର ଅର୍ଥ ବିଶ୍ଳେଷଣ କଲେ “ଦୁ’ ଶବ୍ଦର ଅର୍ଥ ହେଉଛି ଦୈତ୍ୟନାଶକ, “ଉ’କାରର ଅର୍ଥ ହେଉଛି ବିଘ୍ନନାଶକ, “ରେଫ୍’କାରର ଅର୍ଥ ହେଉଛି ରୋଗନାଶକ । “ଗ’ ଶବ୍ଦର ଅର୍ଥ ହେଉଛି ପାପନାଶକ ଓ “ଆ’ଶବ୍ଦର ଅର୍ଥ ହେଉଛି ଶତ୍ରୁନାଶକ । ମୋଟ ଉପରେ ଦୁର୍ଗା ଶବ୍ଦର ଅର୍ଥ ହେଉଛି ମହା ସଙ୍କଟ ନାଶକ । ଆସୁରୀ ଶକ୍ତିର ବିନାଶ ପାଇଁ ଦୁର୍ଗାଦେବୀଙ୍କର ଉତ୍ପତ୍ତି । ସେ ସକଳ ଶକ୍ତିର ଆଧାର, ଶକ୍ତି ଓ ମାତୃତ୍ୱର ପ୍ରତୀକ ।

କାହିଁକି କରିବା ନବରାତ୍ରି ପୂଜା :
“ଦଶହରା’ରେ ନବରାତ୍ରିର ଆରାଧନା ମଣିଷକୁ ଦୁଃଖ ମୁକ୍ତ କରିଥାଏ । ଏହା ଦୁଃଖର ତିନି ମୂଳ କାରଣକୁ ଧ୍ୱଂସ କରିବାରେ ସହାୟତା କରିଥାଏ । ଦୁଃଖର ତିନି ମୂଳକାରଣ ହେଲା ଆସକ୍ତି, ଅଭାବ ଓ ଅଜ୍ଞାନ । ଦୁର୍ବଳ ବ୍ୟକ୍ତିକୁ ରୋଗ, ଶୋକ, ସନ୍ତାପ ଆଦି ମାଡ଼ିବସନ୍ତି । ସାଧନାର ଅଭାବ ଦୀନ ଓ ଦରିଦ୍ରତାର କାରଣ ହୋଇଥାଏ, ଯାହାର ମୂଳ କାରଣ ହେଉଛି ଅଜ୍ଞାନତା । ନବଦିନ ପୂଜାରେ ଶକ୍ତିଙ୍କର “ନଅ’ ରୂପକୁ ପୂଜା କରାଯାଏ । ସେଗୁଡ଼ିକ ହେଲା ଶୈଳପୁତ୍ରୀ, ବ୍ରହ୍ମାଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟିନୀ, କାଳରାତ୍ରି, ମହାଗୌରୀ ଓ ସିଦ୍ଧିଦାତ୍ରୀ ।
ଦୁର୍ଗାପୂଜାର ଶେଷ ଦିବସରେ ଦଶହରା ପର୍ବ ପାଳନ କରାଯାଏ । ଏହା “ଆସୁରୀ ଶକ୍ତି ଉପରେ ଦୈବୀ ଶକ୍ତିର ବିଜୟ” ପର୍ବ ଅଟେ । ଏଣୁ ଏହାର ନାମ ବିଜୟା ଦଶମୀ ।

ମା’ ଦୁର୍ଗାଙ୍କ ଦିବ୍ୟାସ୍ତ୍ର :
ମା’ ଦୁର୍ଗାଙ୍କର ରୂପ ଅତ୍ୟନ୍ତ ଭବ୍ୟ ଓ ମନମୋହକ ହୋଇଥାଏ । କେଉଁଠି ସେ ଅଷ୍ଟଭୁଜା ତ କେଉଁଠି ଦଶଭୂଜା, ପୁଣି କେଉଁଠି ଶତଭୂଜା । ତାଙ୍କ ହାତରେ ଶୋଭା ପାଉଥିବା ଅସ୍ତ୍ରଶସ୍ତ୍ର ଗୁଡ଼ିକ ତାଙ୍କର ସ୍ୱରୂପର ଶୋଭାକୁ ଶତଗୁଣିତ କରିଥାଏ । ଏହି ଦିବ୍ୟାସ୍ତ୍ର ଗୁଡ଼ିକ ଭିନ୍ନଭିନ୍ନ ଦେବତାମାନେ ଦେବୀଙ୍କୁ ପ୍ରଦାନ କରିଅଛନ୍ତି । ଏହି ଦିବ୍ୟାସ୍ତ୍ର ଯୋଗୁ ଦେବୀଙ୍କୁ ମହାଦେବୀ କୁହାଯାଏ । ମହାଦେବୀଙ୍କୁ ସ୍ୱୟମ୍ଭୂ ନିଜର ତି୍ରଶୂଳ, ବିଷ୍ଣୁ – ଚକ୍ର, ବରୁଣ – ଶଙ୍ଖ, ଅଗ୍ନି – ଶକ୍ତି, ବାୟୁ – ଧନୁଷ ଏବଂ ଶରପୂର୍ଣ୍ଣ ତୂଣୀର ଅର୍ପଣ କଲେ । ଇନ୍ଦ୍ର – ବଜ୍ର ଏବଂ ଘଣ୍ଟା, ଯମରାଜ – କାଳଦଣ୍ଡ, ବରୁଣ – ପାଶ, ପ୍ରଜାପତି – ସ୍ଫଟିକମାଳା, ବ୍ରହ୍ମା – କମଣ୍ଡଳୁ, ସୂର୍ଯ୍ୟ – କିରଣ, କାଳ – ଢାଲ ଏବଂ ଖଣ୍ଡା ପ୍ରଦାନ କଲେ । କ୍ଷୀର ସମୁଦ୍ର ରତ୍ନ ଆଭୂଷଣମାନ ଦେଲେ । ବିଶ୍ୱକର୍ମୀ – ଫାର୍ସା ଓ ଅସ୍ତ୍ର ଅଭେଦ୍ୟ କବଚ ଦେଲେ – ସମୁଦ୍ର କମଳପୁଷ୍ପ, ହିମାଳୟ ବାହନ ପାଇଁ ସିଂହ ଓ ବିବିଧ ରତ୍ନ ଅର୍ପଣ କଲେ । କୁବେର – ମଧୁପୂର୍ଣ୍ଣ ପଦ୍ମପାତ୍ର, ନାଗରାଜ – ନାଗହାର ସମର୍ପଣ କଲେ । ଏହିଭଳି ଅସ୍ତ୍ରଶସ୍ତ୍ରର ସୁସଜ୍ଜିତା ମା ଦୁର୍ଗା ମହିଷାସୁରକୁ ବଧ କରି ଦେବତାମାନଙ୍କୁ ସଂସ୍ଥାପନ କରିଥିଲେ ।

ସଂସାରର କଲ୍ୟାଣ ସାଧନ ପାଇଁ ସତ୍ୟ, ଧର୍ମ ଓ ନ୍ୟାୟର ପ୍ରତିଷ୍ଠା ପାଇଁ ଏହିପରି ଯୁଗେଯୁଗେ ମହାଦେବୀଙ୍କର ଧରାପୃଷ୍ଠରେ ଆବିର୍ଭାବ ହୋଇଥାଏ ।

Leave A Reply